Unknown

 

 

 

 

 

 

 

 

 

 

 

ଚଳନ୍ତି ମେଘର ଛାଇ

ବଂଶୀଧର ମହାନ୍ତି

 

କୈଫିୟତ :—ବହିଟିର ବିଷୟ ବସ୍ତୁ ସଂପୂର୍ଣ୍ଣ କାଳ୍ପନିକ । ଜୀବିତ ବା ମୃତ କାହାରି ସହିତ ସଂପର୍କ ନାହିଁ ।

 

ଲେଖକ

Image

 

ସ୍ନେହର ଲିଲି,

 

ପାଣ୍ଡୁଲିପି ପଢ଼ି ବହିଟିର ନାଁ ଦେଇଛୁ ତୁ । ସେହି ନାଁ ରଖିଛି ।

 

ଉପନ୍ୟାସର ନାୟିକା ସୁଚିତ୍ରା ପରି ତୁ ବି କର୍ଦ୍ଦମାକ୍ତ ସରୋବର ମଧ୍ୟରେ ପ୍ରସ୍ପୁଟିତ ସ୍ଵର୍ଣ୍ଣ କମଳିନୀଟିଏ ।

 

କର୍ମକ୍ଷେତ୍ର ଭିତରେ ସୀମାବଦ୍ଧ ହୋଇ ରହିଯାଇଛି ତୋର ସେହି ସରଳ ଜୀବନର ପରିଧି । ଜୀବନର ଜଟିଳ ସଂଗ୍ରାମରେ ତୁ ଜୟଯୁକ୍ତ ହୁଅ ।

 

ମୋ ଉପରେ ତୋର ଅଗାଧ ଭକ୍ତି ଆଉ ବିଶ୍ଵାସ । ତେଣୁ ଆନ୍ତରିକ ଶ୍ରଦ୍ଧା ସହିତ ଏହି ଚଳନ୍ତି ମେଘର ଛାଇକୁ ଟେକିଦେଲି ତୋରି ହାତରେ ।

 

ଅର୍ଜ୍ଜୁନପୁର

ଚିର ଶୁଭାକାଂକ୍ଷୀ

ପୋ:ଅ : କୁଦାନଗରୀ (କଟକ)

ମାମୁଁ

Image

 

ଚଳନ୍ତି ମେଘର ଛାଇ

 

ସ୍କୁଲ୍ ଛୁଟି ହୋଇଗଲାଣି । ପାଖ ଗାଁର ଛାତ୍ରୀମାନେ ଘରକୁ ଚାଲିଗଲେଣି । ପୁଣି ସନ୍ଧ୍ୟା ପୂର୍ବରୁ ଫେରି ଆସିବେ ହଷ୍ଟେଲକୁ ।

କ୍ଳାସ୍‌ରୁ ଆସି ଡ୍ରେସିଂ ଟେବୁଲ୍ ଆଗରେ ଛିଡ଼ା ହେଲେ ସୁଚିତ୍ରା । ଗର୍ଲସ୍ ହାଇସ୍କୁଲର ହେଡ୍ ମିଷ୍ଟ୍ରେସ୍ ସୁଚିତ୍ରା ଦାସ ବି. ଏ. । ମୋଟା ଦାମିକା ବେଲ୍‌ଜିଆନ୍ ମିରର୍ ଉପରେ ପ୍ରତିବିମ୍ବ ପଡ଼ିଲା ତାଙ୍କ ଶରୀରର । ଉପରିଭାଗ ପ୍ରତିଟି ଅଂଶର । ମୁଖ, ଚକ୍ଷୁ, ଛାତି । କିନ୍ତୁ ଆଜି ଏ କଣ ଦେଖିଲେ ସେ ? ଆଖିର କୋଣ ଦୁଇଟା କଳା କଳା ! ସାରା ମୁଖ ମଣ୍ଡଳରେ ଶ୍ରୀ ହୀନତା ! ତେବେ ତାଙ୍କର ସେହି ସ୍ନିଗ୍‌ଧ କୋମଳ ସରଳ ହାସ୍ୟଦୀପ୍ତ ମୁଖ ଗଲା କୁଆଡ଼େ ? ତାଙ୍କର ସେହି ବାଧା ବନ୍ଧନ ହୀନ ଉଦ୍ଦାମ ଯୌବନର ସେ ମାଦକତା କାହିଁ ? ଆଖିରେ ମୁଖରେ ଆଉ ସେ ଗୋଲାପି ଆଭା ଉକୁଟି ଉଠୁନିତ ! ହତାଶ ମନରେ ବ୍ଲାଉସ୍ ତଳେ ହୃଦୟର ଟାଣ ବାନ୍ଧି ଆଉ କେତେ ଦିନ ସେ ବସିବେ ?

ଟେବୁଲ୍ ଉପରୁ ନୀଳ ଯଶୋର ଚିରୁଣୀଟା ସେ ଉଠାଇନେଲେ । ମୁଣ୍ଡର ନରମ ବହଳ ପିଚୁକଳା କେଶ ଉପରେ ଦୁଇ ପାଖକୁ ବୁଲେଇ ନେଲେ ଦୁଇଥର । ଚିରୁଣୀ ଆଡ଼କୁ ଦୃଷ୍ଟିଗଲା ତାଙ୍କର । ମଥାର କେଶ ଉପୁଡ଼ି ଯାଇନି ତ ମେଞ୍ଚା ମେଞ୍ଚା ହୋଇ ?

ଏହି କେଶପ୍ରତି ତାଙ୍କର ଯତ୍ନ ଖୁବ୍ ବେଶୀ । କେତେ ଯେ ପ୍ରସିଦ୍ଧ କେଶ ତୈଳ ବ୍ୟବହାର କରିଛନ୍ତି ତାର ସୀମା ନାହିଁ । ବୟସ ତାଙ୍କର ଅଣତିରିଶି ପାର ହୋଇ ତିରିଶି ଚାଲିଛି ସେ ଜୁନ୍ ମାସରୁ ।

ସେ ଧଳା ସିଲ୍‌କ୍ ବା ସୂତା ଶାଢ଼ି ପିନ୍ଧନ୍ତି । ପାଦରେ ବିନା ହିଲ୍‌ର ଚଟିଯୋତା । ସାଜସଜ୍ଜା ନାହିଁ । ବେଳେ ବେଳେ ରିବନ୍ ଦେଇ ଦୁଇ ପାଖରେ ଦୁଇଟା ରିଙ୍ଗ୍ ବେଣୀ ।

ଆଜି ଦି ପହରର ଲିଜର୍ ପିରିଅଡ଼୍‍ରେ ବସାରେ ଟିକିଏ ମନଖୋଲା ନିଦ ପାଇଁ ଚେଷ୍ଟା କରିଥିଲେ ସୁଚିତ୍ରା । କିନ୍ତୁ ପାରି ନ ଥିଲେ ସେ । ବର୍ତ୍ତମାନ ସେ ବେଳର ସେ ଇଚ୍ଛାକୁ ଦମନ କରି ଦୁଇଟା ବେଣୀ ବାନ୍ଧିଲେ ଦୁଇ ପାଖରେ । ପ୍ରସାଧନର ଯାହା ଯାହା ଦରକାର ସାରିନେଲେ ସାଙ୍ଗେ ସାଙ୍ଗେ ।

ଦର୍ପଣ ପାଖରୁ ଆସି ଆଖି ଫେରାଇ ଚାହିଁଲେ ଘରର ଜିନିଷପତ୍ର ଆଡ଼େ । କାନ୍ଥରେ ଝୁଲୁଛି ସୁଧୀରଙ୍କର ଦଶ ବାର ରକମ କ୍ୟାବିନେଟ ସାଇଜ୍‌ର ଫ୍ରେମବନ୍ଧା ଫଟୋଗୁଡ଼ିକ । ସେହି ଫଟୋ ଆଡ଼କୁ ଥରେ ଚାହିଁ ଦେଖିଲେ ସୁଚିତ୍ରା । କି ରମଣୀୟ, ଲୋଭନୀୟ, ଜୀବନ୍ତ ସେ ଛବି ? ପୁଣି ଥରେ ଆଖି ଫେରାଇ ଚାହିଁଲେ ସାନ ଟେବୁଲ୍‌ ଉପରେ ସଯତ୍ନ ରକ୍ଷତ ମାର୍ବଲ ପ୍ରସ୍ତର ନିର୍ମିତ ମହାତ୍ମା ଯୀଶୁଙ୍କ କ୍ରୁଶ୍‌ବିଦ୍ଧ ମୂର୍ତ୍ତିଟି ଆଡ଼କୁ । ସକାଳର ପୂଜାଫୁଲ ଖସି ପଡ଼ିନି ତ ମୁଣ୍ଡ ଉପରୁ ତାଙ୍କର ? ସ୍ତବ୍‌ଧ ହୋଇ ଛିଡ଼ାହେଲେ କେତୋଟି ମିନଟ୍‌ ସେଇଠି । ପ୍ରଗାଢ଼ ନୈରାଶ୍ୟର ଶସୀଛାୟା ଘନୀଭୂତ ହୋଇ ଉଠିଲା ଛାତି ଭିତରେ ।

ମନକୁ ମନ ଗୋଟାଏ ଦୀର୍ଘ ନିଶ୍ଵାସ ବାହାରି ଆସିଲା ସୁଚିତ୍ରାଙ୍କ ବକ୍ଷ ଚିରି । ଭାବିଲେ ସେ—ତାଙ୍କ ଜୀବନର କିଛି ଗୋଟାଏ ଆଜି ଅବଲମ୍ବନ ଥାଆନ୍ତା କି ? ଭାବିବାକୁ ବଡ଼ କଷ୍ଟ ହେଲା ସୁଚିତ୍ରାଙ୍କୁ । ଅନୁଶୋଚନା ଓ ଆତ୍ମଗ୍ଳାନିରେ ଭରିଗଲା ମନଟା ତାଙ୍କର ।

 

କିନ୍ତୁ ଅତୀତକୁ ଟାଣି ଆଣିବାରେ ଆଉ କି ଲାଭ ? ଯାହା ଚିରଦିନ ପାଇଁ ଯବନିକା ଅନ୍ତରାଳରେ ଲୁଚି ଯାଇଛି ସେଥିପାଇଁ ବ୍ୟର୍ଥଚେଷ୍ଟା କରିବା ସମ୍ପୂର୍ଣ୍ଣ ନିରର୍ଥକ...ନିଷ୍ଫଳ ।

 

କ୍ଵାର୍ଟରଟି ତାଙ୍କର ଆଜ୍‌ବେଷ୍ଟସ୍‌ ସିମେଣ୍ଟ୍ ପତ୍ରରେ ଛପର । ଡ୍ରଇଂ ରୁମ୍, ବେଡ୍ ରୁମ୍, କିଚିନ୍ ରୁମ୍, ଷ୍ଟୋର୍ ରୁମ୍ ଓ ବାଥ୍ ରୁମ୍—ପାଞ୍ଚୋଟି ସାନ ବଡ଼ କୋଠରୀ ।

 

ବିଭିନ୍ନ ରକମର ଫଟୋ, ଛବି, କ୍ୟାଲେଣ୍ଡରମାନଙ୍କରେ ସେ ସଜେଇ ଥିଲେ ଶୋଇବା ଘରଟି ଅତି ଆଧୁନିକ ଢାଞ୍ଚାରେ । ଡ୍ରଇଂ ରୁମ୍‌ରେ ଚେୟାର ଟେବୁଲ ର୍ୟାକ ସେଲଫ୍‌ର ନୂତନ ଫର୍ନିଚର । ଦରଜାରେ ନୂତନ ଡିଜାଇନ୍‌ର ସମ୍ବଲପୁରୀ ନୀଳ ପର୍ଦ୍ଦା । ଗୃହ ସଜ୍ଜାର ସମୃଦ୍ଧି ଓ ସୁ ରୁଚିର ସୁସ୍ପଷ୍ଟ ସ୍ଵାକ୍ଷର ପ୍ରତିଫଳିତ ।

 

ଖୋଲା ପ୍ରଶସ୍ତ ଯାଗା । ପ୍ରକୃତିର ଅସୀମ ଉଦାରତା । ମାଇଲ୍‌କ ମଧ୍ୟରେ ଗାଁ ଗଣ୍ଡା ନାହିଁ । ଟିକିଏ ଦୂରରେ ରିଜର୍ଭ ଫରେଷ୍ଟ । ବଡ଼ ବଡ଼ ଶାଳ ମହୁଲ ଗଛର ନିରବଚ୍ଛିନ୍ନ ଅରଣ୍ୟ । ପରିବେଶଟି ଖୁବ୍ ଭଲ । ସଭ୍ୟତାର କିନ୍ତୁ ବହୁ ଦୂରରେ ।

 

କ୍ଵାର୍ଟରଟି ବଡ଼ ରାସ୍ତାଠାରୁ ପ୍ରାୟ ପଚାଶ ମିଟର ଛାଡ଼ି । ବାସ୍ ଷ୍ଟପ୍ ସେଇଠି । ଚାହା ଦୋକାନ ବି ତିନି ଚାରୋଟି ରାସ୍ତା ପାଖରେ । ସର୍ବଦା ଜଣେ ଦୁଇଜଣ ଆଦିବାସୀ ଆସନ ଜମେଇ ଥାନ୍ତି ସେହି ଚାହା ଦୋକାନରେ । ଛୋଟ ନଈଟିଏ ବାଙ୍କି ବାଙ୍କି ଚାଲିଯାଇଛି ସ୍କୁଲ କମ୍ପାଉଣ୍ଡ ପାଖେ ପାଖେ ପଶ୍ଚିମ ଦିଗକୁ ।

 

ଏଠିକି ସେ ଆସିଛନ୍ତି ମୋଟେ ଦଶମାସ ହେଲା ।

 

ଛାତ୍ରୀମାନଙ୍କ ନିତ୍ୟକର୍ମ ଖବର ନିଜେ ବୁଝନ୍ତି । ସକାଳ ଜଳଖିଆ କେଉଁଦିନ କ୍ଷୀର, କେଉଁଦିନ ଖେଚଡ଼ି ବା ପକୋଡ଼ି । ଆଠଟାରେ ବିଦ୍ୟାଭ୍ୟାସ—ଦଶଟାରେ ଭୋଜନ—ସାଢ଼େ ଦଶ ବାଜିଲେ ଶ୍ରେଣୀ ପାଠ । ଆରମ୍ଭରେ ପ୍ରାର୍ଥନା ସଙ୍ଗୀତ—ସାଢ଼େ ଚାରିଟାରେ ସ୍କୁଲ ଛୁଟି ।

 

ସେ ବଡ଼ ଧୀର ଓ ଶାନ୍ତ । ମଣିଷ ହିସାବରେ ବଡ଼ ସରଳ, ଗମ୍ଭୀର । କାହାରି ମନରେ କଷ୍ଟ ଦିଅନ୍ତିନି । ବ୍ୟବହାର ଭଦ୍ର, ସୁନ୍ଦର ଆଉ ମାର୍ଜିତ ।

 

ସେ ଛାତ୍ରୀମାନଙ୍କର ମୁଣ୍ଡ କୁଣ୍ଡେଇ ଦିଅନ୍ତି । ନଥିଲା ଦିନ ତେଲ ସାବୁନ୍ ଦିଅନ୍ତି ନିଜ ହାତରୁ । ମୋଟ ଉପରେ ସବୁ କାମ ସେ କରି ଯାଆନ୍ତି ଘଣ୍ଟା କଣ୍ଟା ପରି । ଏହି କାମରେ ହିଁ ତାଙ୍କର ତୃପ୍ତି ଆଉ ମୁକ୍ତି ।

 

ଛାତ୍ରୀମାନେ ଖୁବ୍ ଭଲପାଆନ୍ତି ସୁଚିତ୍ରାଙ୍କୁ । ଅନ୍ୟ ମିଷ୍ଟ୍ରେସ୍ ମାନେ ତାଙ୍କର ସ୍ନେହ ମମତା ନେଇ ବଡ଼ ଆଦର ଓ ଭକ୍ତି କରନ୍ତି । ସେମାନଙ୍କ ବେମାର ଆରIମରେ ସୁଚିତ୍ରାଙ୍କ ହୃଦୟରେ ଉଦ୍‌ବେଗ ଓ ଉତ୍କଣ୍ଠା ଫୁଟିଉଠେ । ସେ ନିଜେ ସେବା କରନ୍ତି—ନିଜେ ସବୁ ତଦାରଖ କରନ୍ତି । ନାହିଁ ଗର୍ବ, ଦମ୍ଭ, ଆଭିଜାତ୍ୟର ବଡିମା ମନଭିତରେ ଟିକିଏ ହେଲେ ।

 

ବଗିଚାଟି ତାଙ୍କର ହାତର କରଣି । ଚମତ୍କାର ବଗିଚା । ଦେଖିଲେ ଗୋଟାଏ ଭାରି ସୁନ୍ଦର ରୁଚିର ପରିଚୟ ମିଳେ । ଗୋଲାପ ଗଛର କଲମିଗୁଡ଼ିକ କରିଛନ୍ତି ନିଜ ହାତରେ । କୁଣ୍ଡଗୁଡ଼ିକରେ ଲଗାଇଛନ୍ତି ବିଭିନ୍ନ ପ୍ରକାର ଗଛ ।

 

ମେନ୍ ଗେଟ୍‌ରେ ଝୁମୁକା ଫୁଲର ଲତା । ରଜନୀଗନ୍ଧା, ହେନା, ମନ୍ଦାର, କରବୀର, ସୁଗନ୍ଧରାଜ କେତେପ୍ରକାର ଫୁଲଗଛ । କଦଳୀ ଗଛର ସୀମା ନIହିଁ । ବଡ଼ ବଡ଼ ଦେଶୀ ବିଦେଶୀ ଫୁଲ । ପ୍ଳଟ୍‌ଗୁଡ଼ିକ ବର୍ଗାକାର, ତ୍ରିକୋଣାକାର କେଉଁଠି ବା ବୃତ୍ତାକାର । ତାରି ଭିତରେ ନାନା ରକମ ମୌସୁମୀ ଫୁଲଗଛ ।

 

ଗଛରେ ଫୁଲଟିଏ ଫୁଟିଲେ ସୁଚିତ୍ରାଙ୍କର ଭାରି ଖୁସି । ନିଜ ହାତରେ ଫୁଲଯିଏ ଛିଣ୍ଡାନ୍ତିନି । କାରଣ ଫୁଲଠାରୁ ତାଙ୍କର ହୃଦୟ ଆହୁରି କୋମଳ ଆହୁରି ସୁନ୍ଦର । ଫୁଲ ନଛିଣ୍ଡାଇବା ପାଇଁ ନୋଟିସ୍ ବୋର୍ଡ଼ରେ ନୋଟିସ୍ ମାରିଛନ୍ତି । ସେହି ଫୁଲ ବଗିଚାରେ ତାଙ୍କର ସୁପ୍ତ ମାତୃତ୍ଵ ବଞ୍ଚି ରହିଛି ଯେପରି । ଫୁଲଗଛ ପ୍ରତି ତାଙ୍କର ଅକୃତ୍ରିମ ମାୟା । ସେହି ଫୁଲଗଛ ତାଙ୍କର ଜୀବନ ।

 

ସେ ପ୍ରତିଦିନ ସନ୍ଧ୍ୟାରେ ବଗିଚାରେ କIମ କରନ୍ତି—ପାଣି ଦିମନ୍ତି—ଘାସ ସଫା କରନ୍ତି-

 

କାମ କଲାବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ଖେଳି ବୁଲେ । ସେ ଆଦୌ ଚାହାନ୍ତିନି କାହାରିକୁ । ଆପଣା ମନେ ମନେ ସେ କାମ କରି ଯାଆନ୍ତି ।

 

ଏ ସବୁ ସତ୍ତ୍ୱେ ସେ କିନ୍ତୁ ଥାନ୍ତି ବଡ଼ ଅଶାନ୍ତ—ଚିନ୍ତାକ୍ଳିଷ୍ଟ । ବିଳାସର ପ୍ରାଚୁର୍ଯ୍ୟ ଭିତରେ ଥାଇ ସୁଦ୍ଧା ମନର ଆଶା ତାଙ୍କର ଅପୂର୍ଣ୍ଣ । ମନ ଭିତରେ ଦୁଃଖ ବ୍ୟଥା ବେଦନାର ଅଜସ୍ର ଛବି । ବିଷର୍ଣ୍ଣ କ୍ରନ୍ଦନ ଯେପରି ଛାତି ଭିତରେ ବସା ବାନ୍ଧି ରହିଛି । କେହି ଯଦି ତାଙ୍କର ଅନ୍ତରଟା ଚିରି ଦେଖନ୍ତା ତାହାହେଲେ ସେ ଦେଖିବାକୁ ପାଆନ୍ତା ସେଠାରେ ଅନ୍ତଃସଲିଳା ଫଲ୍‌ଗୁ । ଅଭିଶପ୍ତ ଫଲ୍‌ଗୁର ତରଙ୍ଗ ଉଠୁଛି ସେଠି ।

 

ତାଙ୍କର ଜୀବନ ହେଉଛି ନିଃସଙ୍ଗ ଜୀବନ । ପ୍ଳସ୍ ମାଇନସ୍‌ର ଜୀବନ । ବିସ୍ୱାଦ ବର୍ଣ୍ଣହୀନ ଜୀବନ । ଗୋଟାଏ ପଙ୍କିଳ ନର୍ଦ୍ଦମା ବହୁଛି ଯେପରି ସେହି ଅନ୍ଧକାରମୟ ଜୀବନ ମଧ୍ୟରେ । ଅନୁତାପ ମାନ ଅପମାନର ବ୍ୟର୍ଥ ପ୍ରଳାପ ନେଇ ତାଙ୍କ ହୃଦୟର ପଥର ପାଚେରୀ ଘେରି ଦୁର୍ଗ ମଥା ପିଟି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଉଛି ।

 

ଚାରିଆଡ଼ ଶୁନ୍‌ଶାନ୍ । ରହି ରହି ପବନଘର ଭିତରକୁ ପଶି ଆସୁଛି । ଆଖି ଆଗରେ ନଦୀର ଦୀର୍ଘ ବାଙ୍କଟା ଅପୂର୍ବ ମହିମା ନେଇ ଦିଗନ୍ତଆଡ଼େ ପ୍ରବାହିତ । ନଈ ଆର ପାଖରେ ସରକାରୀ କୃଷି ଫାର୍ମର ଘରଗୁଡ଼ିକ ସେନାବାହିନୀ ପରି ଦଣ୍ଡାୟମାନ ।

 

ହାତବନ୍ଧା ଦେଖିଲେ ରୋଲ୍‌ଡ ଗୋଲ୍‌ଡ଼ ୱାଚ୍‌କୁ ଦେଖିଲେ । କେତେବେଳୁ ପାଞ୍ଚଟା ବାଜିଲାଣି । ପଶ୍ଚିମ ଦିଗନ୍ତରେ ସୂର୍ଯ୍ୟ ଢଳି ପଡ଼ିଛନ୍ତି । ଆକାଶରେ ଖଣ୍ତ ଖଣ୍ତ ଅଶାନ୍ତ ଭସାମେଘ । ଅଙ୍ଗୀନଦୀ ଜଳରେ ତାର ଛାଇ ।

 

ଇଜି ଚେୟାର ଟାଣିନେଇ ବସିଲେ ବାତାୟନ ପାଖରେ । ହାତରେ ବାଇବେଲ୍‌ ପୁସ୍ତକ-। ପୋଷା କୁକୁର ଲାଇକା ପାଦ ପାଖରେ ଖେଳୁଛି ।

 

ଶାଢ଼ିର ପଣନ୍ତ ପବନ ସାଙ୍ଗରେ ଖେଳୁଛି-ନରମ ଶୁଭ୍ର ଗଳାରେ ସୁନାର ଚେନ୍‌ ଚିକ୍‍ଚିକ୍ କରି ଜଳୁଛି—ଆଉ ଶେଷ ବେଳାର ଆଲୁଅ ଆସି ପଡ଼ିଛି ତାଙ୍କର ଯୌବନ ଅତିକ୍ରାନ୍ତ ମୁଖରେ ଓଠରେ ।

 

ଶୂନ୍ୟ ହୃଦୟରେ ସେ ଅପଲକ ନୟନରେ ଚାହିଁ ରହିଲେ ଆକାଶ ଆଡ଼େ । ଚାହାଣୀରେ ଭୟଙ୍କର ଉଦାସୀନତା । ଚଳନ୍ତି ମେଘ ଭିତରେ କାହାର ଅସ୍ପଷ୍ଟ ଛାୟା । ଆଖିରେ ତାଙ୍କର ଦୁଇ ଧାର ଲୁହ ।

 

କ୍ରାଫ୍‌ଟ ମିଷ୍ଟ୍ରେସ୍ ଶୈଳବାଳା ଆଣି ଚା ଜଳଖିଆ କେତେବେଳେ ରଖିଦେଇ ଗଲେଣି ଟେବୁଲ୍ ଉପରେ ।

 

ଏହି ମିଷ୍ଟ୍ରେସ୍‌ ଜଣକ ତାଙ୍କର ଅତି ଆପଣାର—ଅତି ବିଶ୍ୱସ୍ତା । ଆଜି କିନ୍ତୁ ସୁଚିତ୍ରାଙ୍କର ଖାଇବାରେ ସେପରି ସ୍ପୃହା ନାହିଁ । ସମସ୍ତ ଭୋକ ଶୋଷ ଯେପରି ସେ ଏକାବେଳେ ଭୁଲି ଯାଇଛନ୍ତି ।

 

କେଜାଣି କାହିଁକି ସେ ଆଜି ତାଙ୍କ ଜୀବନର ଅଧା ରାସ୍ତାରେ ଥକି ପଡ଼ିଛନ୍ତି । କ୍ଳାନ୍ତି ଅନୁଭବ କରୁଛନ୍ତି ଅଙ୍ଗେ ଅଙ୍ଗେ ଅଦ୍ଭୁତ ଭାବରେ । ମନରେ ଅସୀମ ଯନ୍ତ୍ରଣା—ନାନା ଦୁଶ୍ଚିନ୍ତାରଯନ୍ତ୍ରଣା । ଏହି ଟଣାଟଣି କର୍ମ ସ୍ରୋତ ଭିତରେ ଘୂର୍ଣ୍ଣିବIତ୍ୟାର ମାୟା ଖେଳ ଚାଲିଛି ।

 

ବିଦ୍ୟାଳୟର କୋଳାହଳମୟ ଛାତ୍ରୀଙ୍କ ସମାବେଶରେ ରହି ସେ ଚାହାନ୍ତି ନିର୍ଜାତନା—ପ୍ରାଣଖୋଲା ନିରୋଳା ଅଭିନବ ନିର୍ଜାତନା କିନ୍ତୁ ଆଜି ସେ ସମ୍ପୂର୍ଣ୍ଣ ନିରାଶ । ଗଭୀର ଅବସାଦଭରା ମନ ଭିତରେ ଉଠୁଛି ଅସଂଖ୍ୟ ପ୍ରଶ୍ନର ସମାରୋହ । ତାର ଉତ୍ତର ଦେବ କିଏ ?

 

ମୁହଁ ଉଠେଇ ବାହାରକୁ ଚାହିଁଲେ । ଆଖି ଦୁଇଟିକୁ ଆଙ୍ଗୁଠିରେ ପୋଛି ଦେଲେ । ଶ୍ରାନ୍ତ କ୍ଳାନ୍ତ ଆଖି ଦୁଇଟି ଯେପରି ତନ୍ଦ୍ରାଚ୍ଛନ୍ନ ହୋଇପଡ଼ିଛି ।

 

କେତୋଟି ମୁହୂର୍ତ୍ତ ଅତୀତ ପ୍ରାୟ । ପୁଣି ଥରେ ପଣତ କାନିରେ ମୁହଁ ଆଖି ପୋଛି ନେଲେ । ସେ ଦିନରୁ ମା’ କଥାକୁ ପ୍ରାଣେ ପ୍ରାଣେ ଅନୁଭବ କଲାବେଳକୁ ଅନୁପମାଦେବୀ ଆଉ ନାହାନ୍ତି ଏ ମର ଜଗତରେ ଆଠବର୍ଷ ହେଲା ।

 

ମନେ ମନେ ସେ ହିସାବ କଲା । ଆଜିକି ଛଅ ବର୍ଷ । ହଁ, ଠିକ୍ ଛଅବର୍ଷ । ତାଙ୍କ ଚାକିରିର ଆରମ୍ଭ ମୋଟେ ଛଅବର୍ଷ । ଏହି ଛଅଟା ବର୍ଷ ତାଙ୍କ ପାଖରେ ଛଅଟା ଯୁଗଠାରୁ ଦୀର୍ଘତର । ସ୍କୁଲର ସେହି ରୁଟିନ୍ ୱ୍ୟାର୍କ ଆଉ ପରୀକ୍ଷା ଖାତାରେ ଖାଲି ନାଲି ନୀଳ ପେନସିଲରେ ନମ୍ବର ବସାଇବାକୁ ମୋଟେ ଭଲ ଲାଗୁନି ତାଙ୍କୁ ।

 

ଚେୟାର ଛାଡ଼ି ଉଠି ପଡ଼ିଲେ ସୁଚିତ୍ରା । ବାରଣ୍ଡାରେ ଦୁଇ ଚାରି ଥର ଏ ପାଖ ସେ ପାଖ ହେଲେ । ସତର୍କ ଦୃଷ୍ଟିରେ ଚାହିଁଲେ ବାହାରକୁ । ନା, କେହି କୁଆଡ଼େ ନାହାନ୍ତି ।

 

କାହିଁ ? ସେ ପ୍ରତୀକ୍ଷାରତ ସଫଳତା ନIହିଁ ? ସେ କେତେଦିନ ଆଉ ପ୍ରତୀକ୍ଷା କରିବେ-? କେତେ ମାସ...କେତେ ବର୍ଷ.... ? ହୁଏତ ବା ସାରା ଜୀବନ ।

 

ଯେଉଁ ଜଣକ କି ହୋଇଥାନ୍ତେ ତାଙ୍କର ଜୀବନ ମରଣର ସାଥି-ଯେକି ତାଙ୍କ ଯୌବନର ପହିଲି ବସନ୍ତରେ ଦିନେ ମଳୟାନିଳ ବୁହାଇଥିଲେ ଅତି ଗୋପନରେ—ତାଙ୍କର ପ୍ରତାରଣା ତାଙ୍କୁ ଆଜି ଟିକ ଟିକ କରି କାଟିଛି । ତେବେ ନିଜର ଅଜଣାରେ କାହିଁକି ତାଙ୍କୁ ସେ ଭଲପାଇ ବସିଲେ ? ନାରୀ ଜୀବନର ପ୍ରଥମ ପ୍ରଭାତରେ ସେହି ଜଣକ ପାଖରେ କାହିଁକି ସେ ନିଜକୁ ଉଜାଡ଼ି ଦେଲେ ?

 

ହଁ, ଦୁଇଟା ବର୍ଷ ନ ପୁରୁଣୁ ଦେଖା ଦେଇଥିଲା ସେହି ପ୍ରେମ ମଝିରେ ଗୋଟାଏ ଫାଟ । ଆସିଥିଲା ତାଙ୍କ ଜୀବନର ଅଭିଶାପ । ଆରମ୍ଭ ହୋଇଥିଲା କାନ୍ଦିବାର ଦିନ । ତିକ୍ତତାରେ ଭରି ଉଠିଥିଲା ତାଙ୍କର ଜୀବନ । ନିଜ ଭୁଲ୍‌ର ନିଆଁରେ ନିଜେ ପୋଡ଼ି ଛାରଖାର ହେଲେ । ବୁଝିଲେ ଦୋଷ ତାଙ୍କରି । ସେହି ଅଭିଶାପ ଚରମ ଆଘାତ ରୂପରେ ଦେଖାଦେଲା ତାଙ୍କର ଜୀବନରେ । ସେହି ଅପରାଧର ବୋଝକୁ ତାଙ୍କୁ ମୁଣ୍ଡେଇବାକୁ ପଡ଼ିଲା ସାରାଜୀବନ । ସତେ ପୁରୁଷ ଜାତିଟା ଏମିତି ?

 

ତାଙ୍କର ଚକ୍ଷୁ ଦୁଇଟି ସଜଳ ହୋଇ ଉଠେ । ହଠାତ୍ ଏ କଣ ? ହେଡ ମିଷ୍ଟ୍ରେସ୍ ସୁଚିତ୍ରା ଦାସଙ୍କ ଆଖିରେ ଲୁହ ?

 

କେତେଦିନ ହେଲା ମନରେ ତାଙ୍କର ଝଡ଼ ଉଠିଛି । ଆଉ ସେ ସଂଯତ କରି ପାରୁନାହାନ୍ତି ନିଜକୁ । ସକାଳରୁ ଦିପହର-ଦିପହରରୁ ଏହି ସାଢ଼େ ପାଞ୍ଚଟା ଯାଏ । ତଥାପି ତାଙ୍କର ଆଉ ଚାଲିବାକୁ ବଳ ପାଉନି । ଚେୟାର ଉପରୁ ଉଠି ପାରୁନାହାନ୍ତି । ଅଳସ ଭାଙ୍ଗୁଛନ୍ତି ଚେୟାର ଉପରେ ଆଉଜି ପଡ଼ି । ଭାବୁଛନ୍ତି ଟିକିଏ ଶୋଇ ପଡ଼ିଲେ କିଛି କ୍ଷତି ନାହିଁତ ? ନରମ ବହଳ ମଧୁର ନିଦ ଯେପରି ସେ ଏହି ଆଠବର୍ଷ ମଧ୍ୟରେ ଆଦୌ ପାଇ ନାହାନ୍ତି ।

 

ସେ ଅଦିନ ତଳର କଥା । ଯେଉଁଦିନ ତାଙ୍କର ପ୍ରଥମ ସାକ୍ଷାତ୍‌ ହୁଏ ସୁଧୀର ବାବୁଙ୍କ ସହିତ କଲେଜରେ ସେହି କମନ୍ ରୁମ୍‌ରେ । ଗତ ହୋଇ ଯାଇଥିବା ଆଠବର୍ଷ ତଳର କଥା ମନେ ଆସେ ସୁଚିତ୍ରାଙ୍କର । ଜୀବନର ପ୍ରତିଟି ଘଟଣା ଛାୟାଛବି ପରି ଆଖି ଆଗରେ ଭାସିଉଠେ ଗୋଟି ଗୋଟି ହୋଇ । ଯାହାଙ୍କ ସହିତ ସେ ହସିଛନ୍ତି, ଖେଳିଛନ୍ତି, କାନ୍ଦିଛନ୍ତି ସେ ସ୍ମୃତି କଣ ଏତେ ଶୀଘ୍ର ଭୁଲି ହୁଏ ? ହଁ, ଅପରିସୀମ ଭଲ ପାଇବା ଭିତରେ ସେ ନିଜକୁ ଭୁଲି ଯାଉଥିଲେ ସେତେବେଳେ ।

 

ଅନ୍ୟ ମିଷ୍ଟ୍ରେସ୍ ମାନେ ବେଳେ ବେଳେ ପ୍ରେମ କଥା ପକେଇଲେ ବଡ଼ ଘୃଣା କରନ୍ତି ସୁଚିତ୍ରା । କହନ୍ତି ଧର୍ମ, ସମାଜ, ସଂସ୍କାର, ଦେଶ ବିଦେଶ ବିଷୟରେ କିଛି ନ କହି ଏହି ଯୁବକ ଯୁବତୀ ପ୍ରେମ, ଟୋକା ଟୋକୀ ପ୍ରେମ ଯେତେ ସବୁ ଖରାପ କଥା । ଛି..... ।

 

ଏ ପ୍ରକାର ମନ୍ତବ୍ୟ ଶୁଣି ସେମାନେ ଅବାକ୍‌ ହୋଇଯାନ୍ତି । ପୁଣି ସେ କଥା ପକେଇବାକୁ ଆଦୌ ସାହସ କରନ୍ତିନି ତାଙ୍କ ଆଗରେ ।

 

ପଶ୍ଚିମ ଓଡ଼ିଶାର ଗୋଟିଏ ଛୋଟ ସହର । ତାରି ଛାତି ଉପରେ ଗୋଟାଏ ଜୀର୍ଣ୍ଣ ପୁରାତନ କୋଠା । ପାଚେରୀର ଚୂନ ବାଲି ପଲସ୍ତରା ଖସି ଯାଇଛି । ଯାଗାଏ ଦି ଯାଗା ଇଟା ବାହାରି ପଡ଼ି ଖତେଇ ହେଉଛି ଯେପରି । ସେହି ଦୋତାଲା କୋଠାର ମାଲିକ ହେଉଛନ୍ତି ସୁଚିତ୍ରାଙ୍କ ପିତା ଚିତ୍ତରଞ୍ଜନ ଦାସ । ସେକ୍ରେଟେରୀଏଟ୍ ର ରିଟାୟର୍ଡ ହେଡ ଆସିଷ୍ଟାଣ୍ଟ୍ ।

 

ଚିତ୍ତରଞନ ବାବୁ ବହୁ ସନ୍ତାନର ପିତା । ପୁଅ ଝିଅ ପ୍ରାୟ ଆଠ ଦଶଟି । ବଡ଼ ଝିଅ ଦୁଇଟି ବିବାହିତା । ବଡ଼ ପୁଅ ଇଞ୍ଜିନିୟରିଂ ପଢ଼ନ୍ତି ମାନ୍ଦ୍ରାଜରେ । ସାନ ସାନ ପୁଅ ଝିଅ କଲେଜରେ-। ସବା ସାନ ଝିଅଟି ମାଇନର ସ୍କୁଲରେ ପଢ଼େ । ବୟସ ଷାଠିଏରୁ ବେଶୀ । ଶରୀରେ ଶକ୍ତି ନ ଥିଲେ ବି ମନର ବଳ ଯଥେଷ୍ଟ ।

 

ପେନସନ୍ ବେଶି ନୁହେଁ । ମୋଟେ ନବେ ଖଣ୍ଡେ ଟଙ୍କା । ଭୂସମ୍ପତ୍ତି ଯଥେଷ୍ଟ । କିନ୍ତୁ ବାର ବାର ବନ୍ୟାରେ ଫସଲ ଧୋଇଯାଏ । ପୁଣି କେବେ କେବେ ମରୁଡ଼ି । ଜମି ଭାଗ ଚାଷରେ । ବାର୍ଷିକ ଖଜଣା ପୁଣି ଶହ ଶହ ଟଙ୍କା ।

 

ସେହି ସହରର ବାଁ ପାଖରେ ଗୋଟିଏ ଗଳି । ତାରି ଭିତରେ ଗୋଟାଏ ଏକତାଲା ନାଲିଆ କୋଠା । ସାମନାରେ ଖୋଲା ଡ୍ରେନ୍‌ । ନଗ୍ନ ଇଟାର ଦିଆଲ ପଛ ପାଖରେ । ଏହି ଏକତାଲା ଭିତରେ ରହୁଥିଲେ ସୁଧୀର ମହାନ୍ତି ଏମ୍‌. ଏସ୍‌. ସି. ସ୍ଥାନୀୟ କଲେଜର କେମେଷ୍ଟ୍ରି ଲେକ୍‌ଚର୍‌ର ।

 

ସେତେବେଳେ ସୁଚିତ୍ରା ପଢ଼ୁଥାନ୍ତି ମୋଟେ ଆଇ. ଏସ୍. ସି. ଫାଷ୍ଟ୍‌ଇଅରରେ । ତାଙ୍କର ଇଚ୍ଛାଥାଏ ଡାକ୍ତରୀ ପଢ଼ିବା ପାଇଁ ।

 

ଚିତ୍ତରଞ୍ଜନ ବାବୁଙ୍କ ଅନୁରୋଧରେ ସୁଧୀର ବାବୁ ଟିଉସନ କରନ୍ତି ସନ୍ଧ୍ୟାରେ ସୁଚିତ୍ରାଙ୍କୁ ଏକଘଣ୍ଟା । ସମସ୍ତେ ଜାଣନ୍ତି ଟିଉସନ୍‌ ଫି ମାସକୁ ପଚାଶ ଟଙ୍କା । କିନ୍ତୁ ସେ ଟଙ୍କା ନିଅନ୍ତିନି । କହନ୍ତି ଆମ ଦେଶରେ ସ୍ତ୍ରୀ-ଶିକ୍ଷା ବହୁତ ପଛରେ—ଉନ୍ନତି ଦରକାର । ସମସ୍ତେ ସେବା ମନୋଭାବ ନେଇ ଆଗେଇ ଆସିବା ଉଚିତ । ଟଙ୍କାଟା ବଡ଼ କଥା ନୁହେଁ ।

 

ଦିନ ପରେ ଦିନ ଗଡ଼ି ଚାଲିଛି । ସୁଧୀର ବାବୁଙ୍କ ପାଖରୁ ସାଇନସ ପଢ଼ନ୍ତି ସୁଚିତ୍ରା । ଟିଉସନ୍‌ ଦିନେ ବନ୍ଦ ହୁଏ ବରଂ ଟିଉସନ୍‌ ସମୟର ପରିମାଣ ଦିନକୁ ଦିନ ବଢ଼ି ଚାଲିଛି । ସବୁ ଚାଲିଛି ମେସିନ୍‌ ପରି ।

 

ଜୀବନର କ୍ଷୁଦ୍ର ଚଲାପଥରେ ମିଶିବାର ସୁବିଧା ଓ ସୁଯୋଗ ପାଇଥିଲେ ଅନ୍ତରଙ୍ଗ ଭାବରେ ସୁଧୀର ଓ ସୁଚିତ୍ରା । ଜୁଆର ଆସିଥିଲା ସେମାନଙ୍କ ଜୀବନରେ ଯୌବନରେ । କେହି ପ୍ରତିବନ୍ଧକ ସୃଷ୍ଟି କରିନି କି କରି ପାରିନି । ନିତିଦିନିଆ ଗୋଟାଏ ରକମ କାମର ଫାଙ୍କରେ ମଣିଷ ଯଦି ଟିକିଏ ଆନନ୍ଦ ଉପଭୋଗ ଚାହେଁ ସେଇଟା କଣ ସମାଜ ସଂସ୍କାର ନିକିତିରେ ଓଜନ କରାଯିବା ଠିକ୍‌?

 

ଅନ୍ୟ ପାଞ୍ଚଟା କଲେଜ ଗାର୍ଲଙ୍କ ପରି ସେତେବେଳେ ସୁଚିତ୍ରାଙ୍କ ଦୀର୍ଘ କୃଷ୍ଣ ଚକ୍ଷୁ ଘେରି ନଇଁ ଆସୁଥାଏ ଅଜଣା ଭବିଷ୍ୟତ ଜୀବନର ନାନା ରଙ୍ଗିନ ସ୍ଵପ୍ନ । ପ୍ରେମ-ଯମୁନାର ନିର୍ମଳ ସ୍ରୋତରେ ଦୁହେଁ ଭାସି ଚାଲିଥାନ୍ତି ଶୁଭ୍ର ତାଜମହଲ ପାଖେ ପାଖେ ।

 

ଚିତ୍ତରଞନ ବାବୁ ଆଧୁନିକ ପନ୍ଥୀ । ବହୁ ବନ୍ଧୁ, ସାଥୀ ଆସନ୍ତି ତାଙ୍କ ପାଖକୁ । ବାଧା ନIହିଁ—ଆପତ୍ତି ନାହିଁ । ନାରୀ ସ୍ଵାଧିନତାର ଚରମ ପକ୍ଷପାତୀ । ସେ ଚାହାନ୍ତି ନି ଶତାବ୍ଦୀ ପଛକୁ ଫେରି ଯିବା ପାଇଁ ।

 

ସେଦିନ ସନ୍ଧ୍ୟାରେ ବୁଲି ବାହାରିଥିଲେ ସୁଚିତ୍ରା ଆଉ ସୁଧୀର । ଅଣ୍ଡା ଖୋଳପା ପରି ନୀଳ ନିର୍ମଳ ଆକାଶ । ପୁନେଇ ଜହ୍ନ ଉଇଁ ଆସୁଥାଏ । ସୁଲୁସୁଲିଆ ପବନ । ଆକାଶରେ ଗୋଟାଏ ଦୁଇଟା ସନ୍ଧ୍ୟା ତାରା ।

 

ଆସି ବସିଥିଲେ ମୃତ ମହାନଦୀର ନିର୍ଜନ ସୈକତ ଉପରେ । ଦୁଇଜଣ ମୁହାଁ ମୁହିଁ କାହାରି ତୁଣ୍ଡରେ କଥା ନIହିଁ ।

 

ସୁଚିତ୍ରାଙ୍କ ନରମ ଚିକ୍‌କଣ ଘନକୃଷ୍ଣ କେଶ ଉପରେ ନାଲି ରଙ୍ଗର ରିବନ୍‌ଟଣା ଟଣା ଆଖି-କୋମଳ ବାଲୁକା ଉପରେ ପରସ୍ପର ଈକ୍ଷିତ୍‌ସ୍ପର୍ଶ । ସୁଧୀର ପାଇଲେ ଏକ ଟଏଲେଟ୍ ପାଉଡ଼ରର ମୃଦୁ ସୁବାସ । ଠିକ୍ ମୃଗନାଭି କସ୍ତୁରୀ ପରି କୋମଳ ଆଉ ମଧୁର । ଗ୍ରୀଷ୍ମ ରାତିର ମାୟା ଯୌବନର ଶୀତଳ ସ୍ପର୍ଶ ଭିତରେ ଯେପରି ରୋମାଞ୍ଚ ଜଣାଇଦେଲା ।

କିଛି ସମୟ କଟିଗଲା । ଅସହିଷ୍ଣୁ ଭାବରେ ସୁଧୀର ବାବୁ କହିଲେ ଏତେବେଳେ ଯାଏ କ’ଣ ଭାବୁଛ ଚିତ୍ରା ! ମୁଁ କଣ ଚିରଦିନ ତୁମ ପାଖରେ ଦୂରର ମଣିଷ ହୋଇ ରହିଯିବି ? ଏତେ ଲଜ୍ଜା କାହିଁକି ? ଚମକି ପଡ଼ିଲେ ସୁଚିତ୍ରା । ସେ ଦୂର ଆକାଶର ସଂଧ୍ୟାତାରା ପରି ଉଜ୍ଜ୍ଵଳ ଚକ୍ଷୁ ଦୁଇଟି ସୁଧୀରଙ୍କ ମୁହଁ ଉପରେ ରଖିଲେ ।

କି ଚପଳ ଚରିତ୍ର ଏହି ସୁଚିତ୍ରାଙ୍କର ? ଚକ୍ଷୁର କଟାକ୍ଷରେ—ହାବ ଭାବରେ—ରହସ୍ୟର ଇଶାରାରେ ସେ ପ୍ରଲୁବ୍‍ଧ କରନ୍ତି ସୁଧୀର ବାବୁଙ୍କୁ । —ସୁଚିତ୍ରା ! ମତେ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ? ଆଜି କଣ ତୁମର ଦ୍ୱିଧା ଅଛି ?

ସୁଚିତ୍ରା ନିଜ ଭିତରେ ନିଜେ ବୁଡ଼ି ଯାଇଛନ୍ତି । ସେ ଆତ୍ମ ସମାହିତା । ଆସ୍ତେ ଆସ୍ତେ କବାବ ଦେଲେ । -କଣ କହିବି କହନ୍ତୁ ।

ପାଦତଳେ ପଡ଼ିଥିବା ବାଲିଗରଡ଼ାକୁ ତୋଳିଲେ ହାତରେ । ସେ ବାଲି ଗରଡା ଫିଙ୍ଗିଦେଇ ଡାହାଣ ହାତ ମୁଠାରେ ବାଲି ଆଣି ବାମ ହାତ ଆଙ୍ଗୁଠି ସନ୍ଧିରେ ଢାଳିଲେ । —ତୁମର କଣ କିଛି କହିବାର ନାହିଁ ? ମତେ କଣ ତୁମେ ଭଲ ପାଅନା ? ମୋର ଗୋଟିଏ କଥାର ଜବାବ୍‌ ଦେବାକୁ ତୁମକୁ ଏତେ ଭାବିବାକୁ ହୁଏ ?

ସୁଚିତ୍ରା ବାଧାଦେଲେ । କହିଲେ ଛି, ଏସବୁ କଥା କହନ୍ତୁନି ।

—ତେବେ ଚୁପ କାହିଁକି ?

କିଛି କହି ପାରିଲେନି ସୁଚିତ୍ରା । ଶାନ୍ତ ଆଖି ଦୁଇଟି ତାଙ୍କର ଯେପରି ସ୍ଥିର ପ୍ରଶାନ୍ତ ସରୋବର । ଗୋଟାଏ ଗଭୀର ଅଭିମାନର ଛାୟା ସେଠି ଜାଗି ଉଠିଛି । ସେ କେବଳ ଥରେ ନିଜର ମୁହଁ ଉଠାଇ ସୁଧୀର ବାବୁଙ୍କ ମୁହଁକୁ ଚାହିଁଲେ । ସଲ୍ଲୀଳ ହସଟିଏ ହସି ପୁଣି ଆଖି ତଳକୁ କଲେ ।

ସୁଚିତ୍ରାଙ୍କ ଆଙ୍ଗୁଠି ନିଜ ହାତରେ ଟାଣିନେଲେ ସୁଧୀର—ଚନ୍ଦ୍ରଆଡ଼େ ଚାହିଁ ରହିଲେ । ମନ ମଝିରେ ପୁଞ୍ଜିଭୂତ ବେଦନାର ଭାର ଜମି ଉଠିଲା । ତାପରେ ଅସହ୍ୟ ନୀରବତା । କୌଣସି ଉତ୍ତର ନାହିଁ ସୁଚିତ୍ରାଙ୍କର ।

ଅସୀମ ବିତୃଷ୍ଣାରେ ହାତ ଛାଡ଼ିଦେଇ ସୁଧୀର କହିଲେ, କଣ କହୁନା ତୁମର ଉତ୍ତର, ଚିତ୍ରା ?

—ନୂଆ ଆଉ କଣ କହିବି କୁହନ୍ତୁ ? ଆପଣ ଯେଉଁ ଉତ୍ତର ଆଶା କରନ୍ତି ତାହା ମୋ ମନ ଭିତରେ ଲେଖା ହୋଇରହିଛି । କିନ୍ତୁ— । ଗୋଟିଏ ଢୋକ ଗିଳିଗଲେ ସୁଚିତ୍ରା ।

—କିନ୍ତୁ କଣ ଚିତ୍ରା ?

—ମୁଁ ଯେ ଦରିଦ୍ର ଖ୍ରୀଷ୍ଟିଆନ୍‌ । ଆପଣ ଏପରି ଅବାଂଛିତ ବୋଝ ବୋହି ପାରିବେ ?

 

—ସେ କଥା ତୁମେ କହନା ଚିତ୍ରା । ସେ ଦାୟିତ୍ଵ ମୋର । ଆଉ ଆମ ଘରର କଥା ଭାବୁଛ ? ଘରେ ମତ ମିଳିବନି ବୋଲି ନିଶ୍ଚୟ ଜାଣେ ।

 

—ମତେ ବାହା ହୋଇ ଆପଣ ସୁଖି ହୋଇ ପରିବେନି ।

 

ସୁଚିତ୍ରାଙ୍କ କଣ୍ଠ ସ୍ଵରରେ ଟିକିଏ ବିଭ୍ରାନ୍ତ ହେଲେ ସୁଧୀର । ସେ ଚମକି ପଡ଼ି କହିଲେ, କିପରି ଏ କଥା ଉଚ୍ଚାରଣ କରୁଛ ଚିତ୍ରା ! ଏତେ ମିଳାମିଶା ଏତେ ମନ ଜଣାଜଣି ପରେ ବି ?

 

ହଁ, ସୁଚିତ୍ରା ଠିକ୍‌ କହିଥିଲେ । ବଡ଼ଲୋକିର ଅହମିକାରେ ଅତି ଅହଂକାରୀ ଥିଲେ ସୁଧୀରଙ୍କ ବାପା । ବଡ଼ କଡ଼ା ମଣିଷ । ଯାହା ବୁଝିଥିବେ ସେଇୟା । ବିରୁଦ୍ଧରେ ଗଲେ ରକ୍ଷା ନାହିଁ-। ସବୁଦିନେ ସେମିତି । କେହି ବୁଝେଇବାକୁ ଗଲେ ନାହିଁ । ଆଜିକାଲିକାର ଧରଣ ତାଙ୍କର ପସନ୍ଦ ହୁଏନି । ତାଙ୍କର ଖାନଦାନ ଘର । ବଡ଼ ଘରୁ ବୋହୂ ଆଣିବେ । ଜାଣୁ ଜାଣୁ କିରାଣୀ ଘରେ ବନ୍ଧୁ ବାନ୍ଧିବେ । ତହିଁରେ ପୁଣି ସୁଚିତ୍ରା ଖ୍ରୀଷ୍ଟିଆନ ।

 

ଆଜିକାଲି ଯୁଗରେ ବାସ୍ତବିକ୍‌ ଯୁବକ ଯୁବତୀଙ୍କ ଅନ୍ତରର ମିଳନ ହେଲା ଅସଲ କଥା । ସେଠି ଧନୀ ଦରିଦ୍ର, ଜାତି ସମାଜ, ହିନ୍ଦୁ ଖ୍ରୀଷ୍ଟିଆନ ପ୍ରଶ୍ନ ସବୁ ଅବାନ୍ତର—ବାଜେ ।

 

ତଥାପି ସୁଧୀର ବାବୁ ଭରସା ଦେଇଥିଲେ ସୁଚିତ୍ରାଙ୍କୁ । କହିଥିଲେ ତୁମର ଓ ମୋର ଏ ବିବାହ ସ୍ଵତଃସିଦ୍ଧ । କେହି ନ ଜାଣିଲେ ବି ସେହି ଯୀଶୁ ଜାଣନ୍ତି ସବୁ । କିଛି ସନ୍ଦେହ କରନା ଚିତ୍ରା । ବାପା ହୁଏତ ତେଜ୍ୟପୁତ୍ର କରିଦେବେ । କରନ୍ତୁ ।

 

ସୁଚିତ୍ରାଙ୍କର ଆଖି ଦୁଇଟା ଅଶ୍ରୁରେ ଭରି ଉଠିଥିଲା ସେତେବେଳେ ।

 

—ତୁମେ କାନ୍ଦୁଛ ଚିତ୍ରା ?

 

ସୁଚିତ୍ରା ନୀରବ । ଦୁଇ ଆଖିରେ ତାଙ୍କର ତରଳ ମୁକ୍ତାର ଝରଣା । ମ୍ଲାନ ମୁଖରେ ଚାହିଁ ରହିଲେ ସୁଧୀରଙ୍କ ଆଡ଼େ । ସୁଧୀର ସମ୍ଭାଳି ନ ପାରି ରୁମାଲରେ ମୁହଁ ପୋଛିଦେଲେ ସୁଚିତ୍ରାଙ୍କର-

 

—ମୋର ନିଜର ଗୋଟିଏ କଥା କହିବାର ଅଛି, ଚିତ୍ରା । ଆଜି କହିବାକୁ ପଡ଼ୁଛି । ତୁମର ମା ମତେ ଯଥେଷ୍ଟ ସ୍ନେହ କରନ୍ତି । ତାଙ୍କ ପାଖକୁ ଯାଇ ମୁଁ ଯଦି ସେ କଥା... ।

 

—ଆଜି ଥାଉ । ଏତେ ବ୍ୟସ୍ତ କାହିଁକି ?

 

ସବୁ ବୁଝିପାରିଲି ଚିତ୍ରା । ତୁମର ସେହି ଗୀତଟା ଟିକିଏ ବୋଲ ଆଜି । ଭାରି ଭଲ ଲାଗୁଛି ଶୁଣିବାକୁ ।

 

—କି ଏମିତି ଗୀତଟାଏ ଯେ ? ଆଚ୍ଛା, ଗାଉଛି । ଶୁଣନ୍ତୁ ।

 

ଅନୁଚ୍ଚ ସ୍ଵରରେ ଗାଇଲେ,“ଏଇ ରାତିର ସୁରେ ସୁରେ ମୋର ମନ କପୋତ ଝୁରେ” ଗୀତଟି ।

 

ଆହା ! କି ସୁନ୍ଦର ସୁଚିତ୍ରଙ୍କର କଣ୍ଠସ୍ଵର ? କି ମିଠା ? ଭାବଧାରା ଯେପରି ଗୀତରେ ମୂର୍ତ୍ତିମନ୍ତ ହୋଇ ଉଠୁଛି । ତାର ଯନ୍ତ୍ରରେ ଯେପରି ଏ ବେଦନାର ଝଙ୍କାର ।

 

ସୁଧୀର କହିଲେ—ବାସ୍ତବିକ ତୁମର କଣ୍ଠ ଓ ଗାଇବାର ଭଙ୍ଗୀ ବଡ଼ ଚମତ୍କାର । ତୁମ ଗୀତ ଶୁଣିଲେ ଯେ କେହି ଆତ୍ମହରା ହୋଇ ଉଠିବ ।

 

ପ୍ରଶଂସାରେ ପୂରି ଉଠିଲା ସୁଚିତ୍ରାଙ୍କ ଛାତିଟା । ସେ ୱ୍ୟାଚ୍‌କୁ ଦେଖିଲେ । ସାଢ଼େ ସାତଟା ବାଜି ଯାଇଛି । କହିଲେ, ଚଲାନ୍ତୁ ଏଥର ଫେରିବା ।

 

କଲେଜ୍‌ର କମନ୍‌ ରୁମ୍‌ । ସର୍ବଦା ବିଚିତ୍ର ଆଲୋଚନାର ଝଡ଼ । ଦିନେ ଦିନେ ବହୁତ ଯୁବକ କମନ୍‍ରୁମ୍‍କୁ ଆସନ୍ତି—ଟିକିଏ ବସନ୍ତି ପୁଣି ଚାଲିଯାନ୍ତି । ଯୁବତୀ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହୁଏ । ବହିର ଆଦାନ ପ୍ରଦାନ ଚାଲେ—ହସ ଥଟ୍ଟାବି ଚାଲେ ।

 

ଆଜି କିନ୍ତୁ କମନ୍‌ରୁମ୍‍ ସ୍ଥିର ପୁଷ୍କରିଣୀ ଜଳପରି ସ୍ପନ୍ଦନହୀନ । ସୁଧୀର ବାବୁ ଦୈବାତ୍‌ ଆସି ଏକା ବସିଛନ୍ତି ଏଇ କମନ୍‍ରୁମ୍‍ରେ । ଟେବୁଲ୍‌ ଉପରେ ଗୋଟିଏ ଇଂଲିଶ୍ ନିଉଜ୍‍ପେପର । ତଳକୁ ମୁହଁ କରି ଭିତରକୁ ପଶି ଆସିଲେ ସୁଚିତ୍ରା । ଚାହିଁଲେ ମୁଣ୍ଡଟେକି । ହସର ଢେଉକୁ ଚାପି ରଖି ନମସ୍କାର କଲେ ।

 

ସୁଧୀରବାବୁ ପ୍ରଶ୍ନକଲେ—ନେକ୍‌ଷ୍ଟ ପିରିଅଡ୍‌ଟା ତୁମର ଅଫ୍‌ ନା ସୁଚିତ୍ରା ?

 

ସୁଚିତ୍ରା ଉତ୍ତର ଦେଲେ,—ହଁ ସାର୍ ।

 

—ତେବେ ଟିକିଏ ବସ ।

 

ସୁଚିତ୍ରା ବସିଲେ ।

 

—ସାର୍ ମୁଣ୍ଡର ବାଳ ବଢ଼ି ଯାଇଛି—କାଟି ପକାନ୍ତୁ । ଦାଢ଼ି ବି କମାନ୍ତୁ ।

 

ସୁଧୀର ବାବୁ ମୁହଁରେ ହାତ ବୁଲେଇ ନେଇ ଟିକିଏ ହସିଲେ ।

 

ତା ପରେ ଆସି ପହଞ୍ଚିଗଲା ନଳିନୀପ୍ରଭା ହସି ହସି—ତା ପଛକୁ ସରୋଜିନୀ, ଚନ୍ଦ୍ରିକା-। କଥା ଅନ୍ୟଆଡ଼େ ଚାଲିଲା । ସମସ୍ତେ ଚେୟାରଟିମାନ ଦଖଲ କଲେ ।

 

ସୁଧୀର ବାବୁ ପଚାରିଲେ, ହସିଲୁ କାହିଁକି ନଳିନୀ ?

 

କୋମଳ ପ୍ରତିବାଦ ସ୍ଵରରେ ଉତ୍ତର ଦେଲା ସରୋଜିନୀ । ବାଃ ! ସେ କାହିଁକି ହସିବ ? ତାର ଖାଲି କ୍ଳାସ୍‌, ଲାଇବ୍ରେରୀଘର, କମନ୍‌ରୁମ୍‌ ।

 

ନଳିନୀ ମନେ ମନେ କହି ଉଠିଲା, ଆହା ! କେହି ଜାଣନ୍ତିନି ଯେମିତି ସେ କଥା । ବୟସ ହୋଇଛି ନା ? ବାହାଘରଟା ଖାଲି ଯାହା ବାକି ।

 

ସରୋଜିନୀର ଉତ୍ତର ଶୁଣି ସୁଧୀର ବାବୁ ଅପ୍ରସ୍ତୁତ ହୋଇପଡ଼ନ୍ତି । ମନକୁ ସେକଥା ତାଙ୍କର ପାଏ ନା । ସେ ଅସହାୟ ହୋଇ ପଡ଼ନ୍ତି ଏପରି ଥଟ୍ଟା କଥାରେ ।

ସୁଚିତ୍ରାଙ୍କର ଅନୁକମ୍ପା ଜାଗେ । ଆଦର୍ଶବାଦୀ ପିତାମାତାଙ୍କ ପାଖରେ ବଢ଼ି ସେ ମଣିଷ ହୋଇଛନ୍ତି ।

ସୁଚିତ୍ରାଙ୍କର କେବେ ଲେକ୍‌ଚର୍‌ ସର୍ଟ୍‌ ହୁଏନା । ନିୟମିତ କ୍ଲାସରେ ଯୋଗ ଦିଅନ୍ତି । ସୁଧୀରବାବୁଙ୍କ କ୍ଲାସରେ ସେ ଭାରି ଚଞ୍ଚଳ—ଉତ୍‌ଫୁଲ । ସନ୍ଦେହ ହେଲେ ତାଙ୍କୁ ହିଁ ବେଶି ପ୍ରଶ୍ନ କରନ୍ତି—ଅନ୍ୟ ପ୍ରଫେସରଙ୍କୁ ନୁହେଁ ।

ସୁଧୀର ବି କ୍ଲାସକୁ ଆସିଲେ ମନେ ମନେ ଖୋଜନ୍ତି ସୁଚିତ୍ରାଙ୍କୁ । ଦେଖନ୍ତି ସେ ଆଜି ଆସିଛନ୍ତି କି ନା ?

ବେଲ୍‌ ବାଜିଲା । ଯେ ଯାହାର କ୍ଲାସ୍‍କୁ ଚାଲିଗଲେ ।

ଲୋକଙ୍କ ଆଗରେ କଲେଜ୍‌ ଆଉଆର୍‌ରେ ସୁଚିତ୍ରା ବଡ଼ ସାବଧାନ । ବଡ଼ ଚାଲାକ-ବଡ଼ କାଇଦା ଦୋରସ୍ତ । ସ୍ଵାଧୀନ ହୋଇ ପଡ଼ନ୍ତି ଯେତେବେଳେ କଲେଜ ଛୁଟି ହୁଏ ।

ସୁଧୀରବାବୁ ଏହି କଲେଜକୁ ଆସିଛନ୍ତି ମୋଟେ ବର୍ଷେ ହେଲା । ବୟସ ବେଶି କିମ୍ବା ପଚିଶି । ସବୁବେଳେ ପିଲାଳିଆ ସ୍ଵଭାବ । ଦରମା ଟଙ୍କା ପାଣି ପରି ଖର୍ଚ୍ଚ କରନ୍ତି । ପ୍ରତି ମାସରେ ଘରୁ ଟଙ୍କା ଆସେ । ଚାକିରିଟା ତାଙ୍କର ଗୋଟାଏ ସଉକ ।

କଲେଜ୍‌ରେ ରୂପସୀ ଥିଲେ ସୁଚିତ୍ରା । ସେହି ସୁନ୍ଦର ରୂପ ଆକର୍ଷଣ କରିଥିଲା ଧନୀକର ଏକମାତ୍ର ଶିକ୍ଷିତ ପୁତ୍ର, ଲେକ୍‌ଚର୍‌ର ସୁଧୀର ବାବୁଙ୍କୁ । ସୁଧୀରଙ୍କ ଭିତରେ ବି କିଛି ଗୋଟାଏ ଦେଖିଥିଲେ ସୁଚିତ୍ରା । ଆଉ ସେହି କିଛି ନେଇ କେଉଁ ଏକ ସରସ ସୁନ୍ଦର ଅଥଚ ଦୁର୍ବଳ ମୁହୂର୍ତ୍ତରେ ଯେ ସେ ସୁଧୀରଙ୍କ ପାଖରେ ହାର ମାନିଛନ୍ତି ସେ କଥା ସେ ନିଜେ ବି ଜାଣନ୍ତିନି ।

ସୁଚିତ୍ରା ଦାମିକା ଶାଢ଼ି ପିନ୍ଧନ୍ତି । ଗୋଡ଼ରେ ହାଇହିଲ୍‌ ଯୋତା । ଦିନେ ଦିନେ ପିନ୍ଧନ୍ତି ଶାଲୱାର । ନାଇଲନ୍‌ ପଞ୍ଜାବୀ ଉପରେ ଚାରିହାତ ଲମ୍ବର ଖଣ୍ଡିଏ ଫାଇନ୍‌ ସିଲିକ୍‌ ସ୍କାର୍ଫ । କ୍ଲିପ୍‌ ଗୁନ୍ଥା କେଶଗୁଡ଼ିକ କାନର ଦୁଇ ପାଖରେ ।

ତାଙ୍କର ଶରୀରର ରଙ୍ଗ ଓଡ଼ିଆ ନାରୀ ମଧ୍ୟରେ ଦୁର୍ଲଭ । ଆଖି, ନାକ, କେଶ ନିଖୁଣ ନ ହେଲେ ବି ଗୋଟାଏ ଆଶ୍ଚର୍ଯ୍ୟ ରକମର ସୌନ୍ଦର୍ଯ୍ୟ ନିହିତ ଅଛି ସେଥିରେ । ସ୍ୱାସ୍ଥ୍ୟ-ଉଜ୍ଜ୍ଵଳ ଚେହେରା । ଯେ କୌଣସି ଯୁବକର ଆଖିରେ ସୁଚିତ୍ରା ଥିଲେ ପରମ ବାଂଛିତା ।

ସୁଧୀର ହେଉଛନ୍ତି କିନ୍ତୁ ଗୋଟିଏ ଭିନ୍ନ ସ୍ଵଭାବର ଲୋକ । ଏସ୍. ଏସ୍. ସି. ପାସ୍ ପରେ କଣ ଗୋଟାଏ ଥିସିସ୍ ଲେଖୁଛନ୍ତି । ଶୁଣାଯାଏ ପି. ଏଚ. ଡ଼ି . ହେବା ପାଇଁ ଉଦ୍ୟମ ଚଳାଇଛନ୍ତି । ପଢ଼ାଶୁଣIରେ ତାଙ୍କର ଝୁଙ୍କ ବେଶୀ ।

ଅନୁପମା ଦେବୀ ଆଜିକି ପନ୍ଦର କୋଡ଼ିଏ ଦିନ ହେଲା ରୋଗଶଯ୍ୟାରେ । ଜର ଆଉ କାଶ । ଦି ପଦ କଥା ଜୋରରେ କହିଲେ ଧଇଁ ସଇଁ ହୋଇ ଉଠୁଛନ୍ତି । ବଡ଼ ଦୁର୍ବଳ ।

ସେ ମୁଣ୍ଡକୁ ଧୀରେ ଧୀରେ ହଲେଇ ଶାନ୍ତ ଅଥଚ ସ୍ନିଗ୍‌ଧ କଣ୍ଠରେ କହିଲେ, ଆହା ! ଜୀବଦ୍ଦଶା ଭିତରେ ଝିଅଟିର ବିବାହ ପାରିଲି ନି ?

 

ନିଜର ଅକ୍ଷମତା ତାଙ୍କୁ ବେଶ୍ ଗୋଟାଏ ଆଘାତ ଦେଲା । କଫ ଗଳାରେ ଅଣ-ନିଶ୍ୱାସୀ ହୋଇ କମ୍ପି ଉଠିଲେ ସେ ।

 

ଚିତ୍ତରଞ୍ଜନ ବାବୁ ସହାନୁଭୂତି ଜଡ଼ିତ କଣ୍ଠରେ କହିଲେ, ଲୋକ ଅପବାଦ ମୁଁ କେତେ ସହିବି ? ସେମାନଙ୍କୁ ତ ଲାଜ ସରମ ନIହିଁ । ସେମାନେ କଣ ମଣିଷ ? ଏବେ ବି ସେମାନେ ସେହି ପୁରୁଣା ଯୁଗରେ ।

 

ଅନୁପମା ଦେବୀ କାଶି କାଶି ଗଳା ପରିଷ୍କାର କଲେ । କହିଲେ, ଲୋକଙ୍କ କଥାରେ ଯାଏ ଆସେ କଣ ? ଶୁଣି ସହିବାଟା ବଡ଼କଥା । ସୁଚିତ୍ରା ମୋର ସେମିତି ଝିଅ ନୁହେଁ ।

 

ଚିତ୍ତରଞନ ବାବୁ ସ୍ଥିର ହୋଇ ଛିଡ଼ା ହେଲେ । ଦୃଷ୍ଟି ତାଙ୍କର ବହୁ ଦୂରରେ । ଆକାଶ ଓ ମାଟି ଯେଉଁଠି ମିଶି ଯାଇଛି ସେଇଠି ।

 

ସ୍ୱାମୀଙ୍କ ମୁହଁ ଆଡ଼କୁ ଚାହିଁ ଅନୁପମା କହିଲେ, ଯଦି ସୁଧୀରଙ୍କ ବାପ ମା ଏ ବିବାହରେ ନାରାଜ ତେବେ ଆମର ଉପାୟ କଣ ? ସେଇଟା ଆମ ଭାଗ୍ୟର ଦୋଷ ।

 

ସେ ଗୋଟିଏ ଦୀର୍ଘନିଶ୍ୱାସ ଛାଡ଼ିଲେ । ଦୁଇହାତ ମୁଣ୍ଡରେ ମାରି ଯୀଶୁଙ୍କୁ ପ୍ରଣାମ କଲେ ମନେ ମନେ । ଚକ୍ଷୁ ଦୁଇଟି ତାଙ୍କର ବାଷ୍ପରେ ଭରି ଉଠିଲା । ଶତ ସହସ୍ର ଚିନ୍ତା ପୁଷମାସର କୁହୁଡ଼ି ପରି ଝରି ପଡ଼ିଲା ମନ ଅଗଣାରେ । ଅନ୍ତର ଭିତରେ କିଏ ଯେପରି ବାର ବାର ଆଘାତ ଦେଲା ସୁଚିତ୍ରାଙ୍କ ପାଇଁ ।

 

ସେ ଆଜି ସାରାଦିନ କିଛି ଖାଇନାହାନ୍ତି । ପାଣି ଟୋପାଏ ବି ଛୁଇଁ ନାହାନ୍ତି । ସଞ୍ଜ ହେବା ସଙ୍ଗେ ସଙ୍ଗେ ଦୁର୍ବଳ ଶୀର୍ଣ୍ଣ ଦେହ ତାଙ୍କର ଖଇଫୁଟା ତାତିରେ ଜଳି ଉଠିଲା । ତଥାପି ସେ ସେହି ଅସୁସ୍ଥ ଦେହରେ ଉଠିବାକୁ ଚେଷ୍ଟା କଲେ, କିନ୍ତୁ ପାରିଲେନି ।

 

ଗୋଟିଏ ରେଜେଇ ଆଣି ଶରୀର ଉପରେ ଢାଙ୍କିଦେଲେ ଚିତ୍ତରଞ୍ଜନ ବାବୁ । ଅଳ୍ପ ଟିକିଏ ରାଗି କହିଲେ, ଜର ତ ହୋଇଛି ଔଷଧ ଖାଉନା କାହିଁକି ? ରୋଗ ଯଦି ବଢ଼ିଯାଏ କଣ ହେବ କହିଲ ? ଟଙ୍କା ପଇସାତ ଅଛି । ଦୁଃଖକଣ ?

 

ଅନୁପମା ରେଜେଇଟାକୁ ଜୋରରେ ଚାପିଧରି କହିଲେ, ଆଉ ହେବ କଣ ? ଯୀଶୁଙ୍କ ମନରେ ଯାହା ଅଛି ତାହାଠାରୁ ଆଉ ଅଧିକ କିଛି କରି ହେବନି । ହେଇପାରିବ ନି ।

 

ଯୀଶୁଙ୍କ ପ୍ରତି ତାଙ୍କର ଭକ୍ତି ଶ୍ରଦ୍ଧା ଓ ବିଶ୍ୱାସ କମ୍ ନୁହଁ । ତଥାପି ସେ ମନେ ମନେ ବଡ଼ ଦୁର୍ବଳ । ସେ ନିର୍ନିମେଷ ନୟନରେ ଚାହିଁ ରହିଲେ କାନ୍ଥରେ ଝୁଲୁଥିବା ଯୀଶୁଙ୍କ ଫଟୋ ଆଡ଼କୁ । ଆଖିରୁ ଝର ଝର ହୋଇ ଝରି ପଡ଼ିଲା ଅମାନିଆ ଅଶ୍ରୁଧାରା । ଅନ୍ତରଟା ଭୟ ଓ ଅନୁଶୋଚନାରେ ଭରି ଉଠିଲା । ସେ ଆଉ କିଛି କହିପାରିଲେ ନି । ଦକ୍ଷିଣା ପବନ ସିରି ସିରି ହୋଇ ବହିଗଲା ତାଙ୍କ କାନ ପାଖ ଦେଇ ।

 

ସେ ଶୋଇଲେ ସିନା, ମୋଟେ ଶାନ୍ତି ପାଇଲେନି । ତାଙ୍କ ମନ ଉପରେ ଯେପରି କିଏ ଗୋଟାଏ ପାହାଡ଼ ଚପେଇ ଦେଇଛି । ସେ ଯେପରି ସତରେ ହାରି ଯାଇଛନ୍ତି ।

 

ସୁଧୀର ବାବୁ ନିତି ଆସନ୍ତି ସୁଚିତ୍ରାଙ୍କ ଘରକୁ । ଦିନେ ଦିନେ ସୁଚିତ୍ରା ବି ରିକ୍‌ସାରେ ଯାଆନ୍ତି ସୁଧୀରଙ୍କ ବସାକୁ । ସଂପର୍କ ଘନୀଭୂତ ହୋଇଉଠିଛି । ଉଭୟଙ୍କ ଦେହ ମନରେ ଉନ୍ମାଦନାର ତରଙ୍ଗ ।

 

ପ୍ରଥମ ବର୍ଷଟା ଏହିପରି ନିବିଡ଼ତା ମଝିରେ ଚାଲିଗଲା ଖରା । ବର୍ଷଟା ଶୀତ କାକର ପରି । ଚାଲିଗଲା କାଳବୈଶାଖୀ ଆଉ ମଧୁର ମଳୟ । କୃତ୍ରିମ ମତଭେଦ ଆଉ ଆନ୍ତରିକତା । ଜୀବନଟା ଯେପରି ଗୋଟାଏ ଖାଲି ରୋମାଣ୍ଟିକ୍ ନଭେଲ—ଆଧୁନିକ ସିନେମାର ଗୋଟାଏ ରଙ୍ଗୀନ୍‌ ଛବି ।

 

ସୁଧୀର ଅଧୀର ହୋଇ ପଡ଼ନ୍ତି । ମନଟା ତାଙ୍କର ବିଦ୍ରୋହୀ ହୋଇଉଠେ । ବିଷୟର ଗୋଟିଏ ସମାଧାନ ଦରକାର ।

 

ସୁଚିତ୍ରାଙ୍କ ରିଡ଼ିଂରୁମ୍‌ । କୋଣରେ ଅର୍ଗାନ୍ ହIରମୋନିଅମ୍ । ସେଲ୍‌ଫରେ ବଡ଼ ବଡ଼ ଇଂଲିଶ୍ ବହି । କାନ୍ଥକୁ ଲାଗି ଟେବୁଲ୍ । ଗୋଟିଏ ପାଖରେ ବମ୍ବେ ପାଟର୍ଣ୍ଣ ଖଟ । ଟେବୁଲ୍ ଉପରେ ଟାଇମ୍ ପିସ୍‌ଟା ଟିକ୍‌ଟିକ୍ କରି ଚାଲିଛି ।

 

ଇଲେକ୍‌ଟ୍ରିକ୍‌ ସୁଇଚ୍‌ ଟିପି ଦେଇଛନ୍ତି ସୁଚିତ୍ରା । ଘରେ ବିଜୁଳି ଆଲୁଅର ଲହଡ଼ି । ବାହାରେ ମେଘ ଝର ଝର ହୋଇ ଝରୁଛି । ସୁଗନ୍ଧ ଧୂପକାଠିର ସୌରଭ ମନକୁ ମାତାଲ କରି ଦେଉଛି ।

 

ପଢ଼ାଘରକୁ ଲାଗି ମା’ଙ୍କ ଶୋଇବା ଘର । ସୁଧୀରଙ୍କ ସହିତ ଘନିଷ୍ଠତା ଆସିବା ଦିନଠାରୁ ମଝି କାନ୍ଥ ଦରଜାଟି ବନ୍ଦ କରି ଦେଇଛନ୍ତି ସୁଚିତ୍ରା । ପଚାରିଲେ କୁହନ୍ତି ପଢ଼ାରେ ସୁବିଧା ହେଉନି ।

 

କାରଣଟା ସେମିତି କିଛି ନୁହେଁ । ଅସଲ କଥାଟା ହେଉଛି ଏକା ଗୋଟାଏ ଅଲଗା ସୁଖ, ଅଲଗା ରୋମାଞ୍ଚ ଦରଜା ଖୋଲାଥିଲେ ସବୁ କଥା ଚିନ୍ତା କୁଆଡ଼େ ମା’ଙ୍କ ପାଖକୁ ଚାଲିଯାଏ-। ଅନୁପମIଙ୍କ ଆଖି ଯେପରି ତାଙ୍କର ନିଭୃତ ହୃଦୟ କନ୍ଦରରେ ବାରମ୍ବାର ଦୃଷ୍ଟିପାତ କରେ-। ଦରଜାର ଶିକୁଳି ବନ୍ଦ କରିଦେଲେ ସଂପୂର୍ଣ ସ୍ଵାଧୀନ ହୋଇ ପଡ଼ନ୍ତି ସେ ।

 

ସୁଚିତ୍ରା ଚଉକି ଉପରେ ବସି ମନ ଆନନ୍ଦରେ ଗୁଣୁଗୁଣୁ ହୋଇ ଗୀତ ଗେଉଛନ୍ତି, ‘ସେ କେଉଁ ଫଗୁଣେ ଆସିଥିଲ ତୁମେ’ । ଏହାତ ଗୀତ ନୁହେଁ ? ଗାୟିକା ଯେପରି ହୃଦୟ ଅଜାଡ଼ି ମନର କାତର ନିବେଦନ ଜଣାଇ ଯାଉଛନ୍ତି ସଙ୍ଗୀତ ମାଧ୍ୟମରେ । ତାଙ୍କର ହୃଦୟ ତନ୍ତ୍ରୀରେ ଯେଉଁ ସ୍ଵରଟା ବାଜୁଛି ଏହା ତାହାର ବହିଃପ୍ରକାଶ ମାତ୍ର ।

 

ସୁଧୀର ବାବୁଙ୍କ ଚଟି ଶବ୍ଦ ଶୁଣି ହଠାତ୍‌ ଗୀତ ବନ୍ଦ କରିଦେଲେ ସୁଚିତ୍ରା । ବହିଟିଏ ଟାଣି ଆଣୁ ଆଣୁ ଫିଲ୍ମଫେୟାର ଉପରେ ତାଙ୍କର ହାତଟା ପଡ଼ିଗଲା । ସୁଧୀର ଆସି ଢୁକିଗଲେ ଘରେ ।

 

ଓଃ, ଏ ଯେ ସିନେମା ବହି ପଢ଼ା ଚାଲିଛି ?

 

ଆପଣ କାହିଁକି ଏତେ ଡେରି କଲେ ? ଭାବିଲି ଆପଣ ଆଜି ଆଉ ଆସିବେନି । ତେଣୁ ସିନେମା ବହିଟିଏ ଧରିଛି ।

 

ଖୁବ୍‌ ସୁନ୍ଦର ବହିଟାଏତ ?

 

ପାଖରେ ବସି ପଡ଼ିଲେ ସୁଧୀର । ଆଉ ଖଣ୍ଡେ ବହି ଖୋଲି ତହିଁ ଉପରେ ଆଖି ବୁଲେଇ ନେଲେ । ହଠାତ୍ ଗୋଟାଏ ଅଜଣା ଅଶାନ୍ତିରେ ସୁଚିତ୍ରା ସୁଧୀରଙ୍କ ଆଡ଼କୁ ଚାହିଁଦେଲେ । ଯାହା ସେ ମନରେ ଭାବୁଥିଲେ ଠିକ୍ ସେଇଆ । ସୁଧୀରଙ୍କ ମନ ବହି ପୃଷ୍ଠାରେ ନIହିଁ । ଆଖି ତାଙ୍କରି ଆଡ଼େ । ସେ ଆଖିର ଦୃଷ୍ଟିରେ ସ୍ନେହ ଛଡ଼ା ଆଉ ଯେପରି ଗୋଟାଏ କିଛି ରହିଛି । ସୁଚିତ୍ରା ଭୟାନକ ଲାଜ ପାଇଲେ । କୃତ୍ରିମ ରାଗରେ କହିଲେ, ମୋ ଆଡ଼କୁ ଚାହିଁ ରହିଛନ୍ତି କାହିଁକି ? ବହିଟା ପଢ଼ୁନାହାନ୍ତି ?

 

ସୁଧୀର ଫିସ୍‌ଫିସ୍‌ କରି କହିଲେ, ବହିଠାରୁ ତୁମେ ଅଧିକ ସୁନ୍ଦର—ଠିକ୍‌ ଯେପରି ଚନ୍ଦ୍ର ଦେଶର କନ୍ୟା । ତୁମକୁ ମତେ ଖୁବ୍ ଭଲଲାଗେ, ଚିତ୍ରା ।

 

—ଯାଆନ୍ତୁ । ଏ ସବୁ କଥା କହିବେନି କହୁଛି ।

 

—କଣ କରିବି କହ ? ତୁମକୁ ଦେଖିଲେ ଆଜିକାଲି ଏ ସବୁକଥା ବେଶି ମନରେ ଆସେ ।

 

କିଛି କ୍ଷଣ ଚୁପ୍‌ଚାପ୍‍ ।

 

ସୁଚିତ୍ରା କଥା ଆରମ୍ଭ କରି କହିଲେ, ଆଜି ଆଉ ପଢ଼ିବାକୁ ମନ ଲାଗୁନି । ଗୋଟିଏ ଷ୍ଟୋରି କହନ୍ତୁ । ଶୁଣିବି ।

 

ପାଖକୁ ଝୁଙ୍କି ଆସିଲେ ସୁଧୀର । ବର୍ତ୍ତମାନ ସୁଚିତ୍ରାଙ୍କ ହାତ ସୁଧୀରଙ୍କ ହାତମୁଠା ଭିତରେ । ହେଜଲିନି୍ ସ୍ନୋ, କିଉଟିକିଉରା ପାଉଡର ସମ୍ମିଶ୍ରଣରେ ଏକ ଅପୂର୍ବ ସୁଗନ୍ଧ ଅନୁଭବ କଲେ ସୁଧୀର ।

 

—ଚିତ୍ରା ! ତୁମେ ପାଖରେ ଥିଲେ ବି ମନେହୁଏ ଅନେକ ଦୂରରେ ଗୋଟିଏ ସୁଦୂର ତାରକା ପରି । ନୀଳାଭ ଶୂନ୍ୟତାରେ ଯେପରି ଜଳି ଉଠିଛି ବଡ଼ ବେଶୀ ଉଜ୍ଵଳ ହୋଇ ।

 

ଚିତ୍ରା ଅନେକଙ୍କ ମୁଖରୁ ଏପରି ପ୍ରଶଂସା ଶୁଣିଛନ୍ତି । ସେ କିଛି ଉତ୍ତର ନ ଦେଇ ସୁଧୀରଙ୍କ ଗଳାକୁ ଯାବୁଡ଼ି ଧରିଲେ । ଦୂର ଚକ୍ରବାଳ ଆର ପାରିରେ କୃଷ୍ଣପକ୍ଷରୁ ଦ୍ଵିତୀୟାଚାନ୍ଦ ହସି ଉଠିଲା ।

 

ସୁଧୀର ଡାକିଲେ, ସୁଚିତ୍ରା !

 

—କହନ୍ତୁ ।

 

ଏଥର ହାତ ଖୋଲି ଆଣିଲେ ସୁଚିତ୍ରା । ହଠାତ୍ ତାଙ୍କ ମୁଖମଣ୍ଡଳରେ ଏକ ବିଷାଦର ଛାୟା । ସେ ଯେପରି ଅନ୍ୟମନସ୍କ ହୋଇ ପଡ଼ିଲେ ।

 

—ଏତେ ଆନନ୍ଦ ମଝିରେ ପୁଣି ମନଟା ଏପରି ବିରସ କାହିଁକି, ଚିତ୍ରା ?

 

ଓଠରେ ଧାରେ ହସ ଲହରେଇ ଦେଇ ସୁଚିତ୍ରା କହିଲେ, ଯଦି ବା ସର୍ବଦା ଆପଣଙ୍କ ପାଇଁ ମନଟା ଛଟପଟ ହୁଏ କିନ୍ତୁ ନିଜ ପାଇଁ ସମୟ ଟିକେ ପାଏନା । ଦେଖୁଛନ୍ତି ତ ମା’ଙ୍କ ଦେହ ଆଜିକାଲି କିପରି ଖରାପ । ତେଣୁ ମୋ ମନରେ ଶାନ୍ତି ଆସିବ କେଉଁଠୁଁ ।

 

—ହଁ, ମୁଁ ବି ଦେଖୁଛି ତାଙ୍କର ଦେହ ଦିନକୁ ଦିନ ବଡ଼ ଖରାପ ଆଡ଼କୁ ଗତି କରୁଛି ।

 

ଘର ଭିତରୁ ଅନୁପମାଙ୍କ ଡାକ ଆସିଲା । ସୁଚିତ୍ରାଙ୍କ ସ୍ଵପ୍ନଜାଲ ଛିଡିଗଲା । ସେ ଉଠି ପଡ଼ିଲେ । କହିଲେ ଯାଉଛି । ମା’ଙ୍କୁ ଔଷଧଟା ଖାଇବାକୁ ଦେଇ ଆସେ ।

 

ସୁଚିତ୍ରା ଚାଲିଗଲେ । ପଛେ ପଛେ ଉଠିଲେ ସୁଧୀରବାବୁ । ଦେଖିଲେ ଅନୁପମା ଦେବୀ ବସିଛନ୍ତି ଝରକା ପାଖରେ । ତଳକୁ ମୁହଁ କରି ଥର୍ ଥର୍ ହୋଇ କମ୍ପୁଛନ୍ତି ।

 

ଅନୁପମା ଦେବୀଙ୍କୁ ନମସ୍କାର କଲେ ସୁଧୀର ।

 

—ଏ କଣ ମାଉସୀ ତୁମେ ପବନ ମୁହଁରେ ବସି ଦେହରେ ଥଣ୍ଡା ଲଗାଉଛ ?

 

ଅନୁପମା ଧୀର ଓ କ୍ଷୀଣ ଗଳାରେ କହିଲେ, କିଏ ସୁଧୀର ! ଆ ବାପା ! କୋଟି ପରମାୟୁ ହେଉ ତୋର । କେତେଦିନ ହେଲା ଦେଖାନIହିଁ ଯେ । ଭଲମନ୍ଦ ଦି ଚାରିକଥା ପଚାରି ଗଲେ ।

 

ସମୟ ହେଉନି ମାଉସୀ । କାମର ବଡ଼ ଚାପ । ସେଥି ପାଇଁ ତିନି ଦିନ ହେଲା ଆସି ପାରିନି ।

 

ଏହି ସୁଧୀରଙ୍କ ସହିତ ମାଉସୀଙ୍କର ପ୍ରଥମ ସାକ୍ଷାତ୍ ଟ୍ରେନରେ । ତା ପରେ ଘରେ ଟିଉସନ୍ ବେଳେ । ସେ ସୁଧୀରଙ୍କୁ ଖୁବ୍‌ ଭଲ ପାଆନ୍ତି । ଭାରି ପସନ୍ଦ କରନ୍ତି । କହନ୍ତି ପିଲାଟି ବଡ଼ ଭଲ । ନିଜ ଚେଷ୍ଟାରେ ଜୀବନରେ ଉନ୍ନତି କରିବ । ପୁଣି ମନେ ମନେ ଭାବନ୍ତି ସୁଧୀର ବଡ଼ଲୋକର ପୁଅ । ଆମେ ସିନା ଗରିବ-ଟଙ୍କା ପଇସା ନାହିଁ ଆମର । କିନ୍ତୁ ସୁଧୀର ପରି ପୁଅ ପୁଣି ଆମପରି ଗୋଟାଏ ଗରିବର ଝିଅକୁ ବାହା ହେବ ? ସମସ୍ତେ କହିବେ ସୁଚିତ୍ରାର ମା ଭୁଲେଇ ଭାଲେଇ— । ଏହି କଥାଟା ମନ ଭିତରେ ଆସିବା ସଙ୍ଗେ ସଙ୍ଗେ ସେ ବିଚଳିତ ହୋଇ ପଡ଼ିଲେ ।

 

ସୁଚିତ୍ରା ଆଣି କପ୍‌ ଓ ପିଆଲା ଦେଲେ ସୁଧୀରଙ୍କ ହାତରେ । ଗରମ କଫିରୁ ବାମ୍ଫ ବାହାରୁଛି ।

 

ସୁଧୀର କଫି ଧରି ମନ ଆନନ୍ଦରେ ଭାବି ଯାଉଛନ୍ତି ଆକାଶ ପାତାଳ କେତେ କଣ ।

 

—କଫି ତେଣେ ଥଣ୍ଡା ହୋଇ ଯାଉଛି ଯେ । ସୁଚିତ୍ରା କୋମଳଭାବରେ ଆଦେଶ ଦେଲେ ସୁଧୀରଙ୍କୁ ।

 

କଫି ସେତେକ ନିଃଶେଷ କରିଦେଲେ ସୁଧୀରବାବୁ । ପକେଟରୁ ସିଗାରେଟ୍ ପ୍ୟାକେଟ୍‌ଟି କାଢ଼ି ଲଗାଇଲେ । ଧୂଆଁ ଢୋକେ ପିଇ ଜଳନ୍ତା ଦିଆସିଲି କାଠିଟା ଫୁଙ୍କି ଫିଙ୍ଗି ଦେଲେ ଝରକା ସେ ପାଖକୁ ।

 

ନିତିଦିନର ମିଳାମିଶାର ଫାଙ୍କେ ଫାଙ୍କେ ସୁଧୀରବାବୁ ସୁଚିତ୍ରାଙ୍କୁ ବ୍ୟକ୍ତିଗତ ଜୀବନର ନାଡ଼ୀ-ନକ୍ଷତ୍ର ସବୁ ଜାଣି ନେଇଛନ୍ତି । ଅକୁହା କଥାକୁ ଅନ୍ଦାଜ କରି ବୁଝିବାକୁ ତାଙ୍କର ଆଉ ଅସୁବିଧା ନIହିଁ । ସୁଧୀର ଜାଣନ୍ତି ସୁଚିତ୍ରା ଶତଦଳ କମଳିନୀ ପରି ଗୋଟିଏ ନୁତନ ବିସ୍ମୟର ପାଖୁଡ଼ା ମେଲି ଅଭିଭୂତ କରୁଛନ୍ତି ତାଙ୍କୁ । ପରିଚୟ ଯେତେ ଘନିଷ୍ଠ ହେଉଛି ତାଙ୍କୁ ସେ ସେତେ ବିସ୍ମିତ ବିମୁଢ଼ କରି ତୋଳୁଛନ୍ତି । ସୁଚିତ୍ରା ଯେପରି ତାଙ୍କ ଜୀବନର ଗୋଟିଏ ସ୍ଵର୍ଣ୍ଣ ପ୍ରହେଳିକା ।

 

ଦେଖୁ ଦେଖୁ କଟିଗଲା ଆହୁରି କେତେଟା ମାସ । ତା ପରେ ଆସିଗଲା ଅକସ୍ମାତ ବ୍ୟବଧାନ । ତାହା ସୁଧୀର ବାବୁଙ୍କ ଇଚ୍ଛାକୃତ । ଆଗରୁ ସେ ତାର ରାସ୍ତା କରିଥିଲେ । ସମସ୍ତେ ବଡ଼ ହେବାକୁ ଚାହାନ୍ତି । ସେ ଚାହିଁଥିଲେ ? ମନ୍ଦ କଣ ? ବରଂ ତାହାତ ସୁଚିତ୍ରାଙ୍କ ପାଇଁ ଶୁଭ ସମ୍ବାଦ ।

 

ସେ ଦିନ ସୁଚିତ୍ରାଙ୍କ ପଢ଼ାଘରେ ଗୋଟାଏ ଇଂଲିଶ୍‌ ମ୍ୟାଗାଜିନ୍‌ ଦେଖୁଛନ୍ତି ସୁଧୀର ବାବୁ-। ଦଶ ପନ୍ଦର ମିନିଟ୍ ଗତ ହୋଇ ଗଲାଣି । ତଥାପି ସୁଚିତ୍ରାଙ୍କର ଦେଖାନIହିଁ ।

 

ସୁଚିତ୍ରା କୋଠା ଛାତ ଉପରେ ଏକୁଟିଆ । ବାହାରେ ନୀଳନିର୍ମଳ ଶରତ୍ ଆକାଶରେ ଚନ୍ଦ୍ରର ରଜତ ଜ୍ୟୋତ୍ସ୍ନା । ଗଛପତ୍ର ଲତା ଫୁଲରେ ବିଚିତ୍ର ଶୋଭା । ନୂତନ ଅନୁଭୂତି । ହୃଦୟ ବୀଣାର ଗୋପନ ତାର ବାଜି ଉଠୁଛି ନବୀନ ଛନ୍ଦରେ । ଆଉ ମନ ତଳେ ତଳେ କେତେ ଅବାସ୍ତବ କଳ୍ପନା ।

 

ଦୁଇ ଦିନ ହେଲା ସୁଧୀର ବାବୁ ଆସି ନଥିଲେ ଟିଉସନ୍‌କୁ । ଯାଇଥିଲେ କଣ ଗୋଟେ କାମରେ ଭୁବନେଶ୍ଵର ।

 

ସୁଚିତ୍ରା ଗୋଡ଼ ଟିପି ଟିପି ସିଡ଼ିର ସୋପାନ ଅତିକ୍ରମ କରି ଧୀରେ ଧୀରେ ତଳକୁ ଆସିଲେ । ସୁଧୀରବାବୁଙ୍କୁ ଈଷତ୍ ହଲେଇ ଦେଇ କହିଲେ, ଶୁଣୁଛନ୍ତି ?

 

—‘‘ଉଁ’’, କିଛି ନ ଜାଣିଲା ପରି ଅଭିନୟ କଲେ ସୁଧୀର ବାବୁ ।

 

—ଚାଲନ୍ତୁ ।

 

—କେଉଁଠିକି ?

 

ଏତେବେଳ ପର୍ଯ୍ୟନ୍ତ ସୁଧୀର ବାବୁଙ୍କ ଦୃଷ୍ଟି ମ୍ୟାଗାଜିନ୍ ଉପରେ ।

 

—ଓହୋ ! ଏତେ ପଢ଼ି ପାରନ୍ତି ପୁଣି ଆପଣ ? ରଖି ଦିଅନ୍ତୁ ନା ?

 

ସୁଚିତ୍ରା ଟାଣି ନେଇଗଲେ ବହିଟାକୁ ସୁଧୀରଙ୍କ ହାତରୁ । ତାଙ୍କର ପ୍ରଶସ୍ତ ଭ୍ରମର କଳା ଆଖିରେ କୌତୁକଭରା ଦୃଷ୍ଟି । ବିଜୁଳି ଆଲୁଅରେ ଅପରୂପ ଦେଖା ଯାଉଥିଲା ତାଙ୍କର ହାସ୍ୟୋଜ୍ଵଳ ମୁଖ ଖଣ୍ଡିକ । ସୁଧୀର ସହ୍ୟ କରି ପାରିଲେନି ସେ ଉଜ୍ଜ୍ଵଳତା । ସେ ମୁହଁ ତଳକୁ କଲେ । କିନ୍ତୁ ଅଳ୍ପ ସମୟ ପାଇଁ କିଛି କହି ପାରିଲେନି ।

 

ତାପରେ କୋମଳ ସ୍ୱରରେ ଡାକିଲେ ଚିତ୍ରା ! ଗୋଟିଏ କଥା କହିବାକୁ ଆସିଛି ।

 

—କଣ କହୁନାହାନ୍ତି ?

 

—ମୁଁ ଯାଉଛି କଲିକତା ।

 

—କଲିକତା ? ସୁଚିତ୍ରାଙ୍କ ଗଳାରୁ ଗୋଟାଏ ଆର୍ତ୍ତସ୍ଵର ବାହାରି ଆସିଲା ।

 

—ହଁ ।

 

—କାହିଁକି ?

 

—ରିଜିଓନାଲ କଲେଜେ୍କୁ ଭଲ ରକମ ଗୋଟାଏ ଲେକ୍‌ଚରର୍‌ ହୋଇ । ଷ୍ଟାର୍ଟିଂ ଚାରିଶହ-ନଅ ପଚାଶ ଟଙ୍କା ପର୍ଯ୍ୟନ୍ତ ବଢ଼ିବ । ବାର୍ଷିକ ଇନ୍‌କ୍ରିମେଣ୍ଟ ପଚାଶ ଟଙ୍କା । ଏପରି ଚାନ୍‌ସ କଣ ମୋର ଛାଡ଼ିବା ଉଚିତ ?

 

ପାଟି ଖନି ମାରିଗଲା ସୁଚିତ୍ରାଙ୍କର । ମନରେ ଭୀଷଣ ଦୁଃଖ ଓ ଅଭିମାନ । କିନ୍ତୁ ସୁଧୀର ବାବୁଙ୍କୁ ଛାଡ଼ି ସେ ରହି ପାରିବେତ ?

 

ସେ ପ୍ରକୃତିସ୍ଥ ହୋଇ କହିଲେ, ସତେ କଣ ଆପଣ ଏ ଜାଗା ଛାଡ଼ି ଚାଲିଯିବେ ?

 

ମନେ ମନେ ହସିଲେ ସୁଧୀର । ହଁ ଦୁର୍ବଳ ମନରେ ଏହିପରି ଖିଆଲ ଆସେ ।

 

ସେ ସହାନୁଭୂତି ଜଡ଼ିତ ଗଳାରେ କହିଲେ, ନିଶ୍ଚୟ ଚିତ୍ରା । ଚାକିରି ଯେତେବେଳେ କରିବି ଯେଉଁଠି ମୋଟା ଦରମା ପାଇବି ସେଇଠି କରିବି । କାଲି ଏ ଜାଗା ଛାଡ଼ୁଛି । ପହିଲା ହେଉଛି ମୋର ଜଏନିଂ ଡେଟ୍ ।

 

—ଏଁ ? ଚମକି ପଡ଼ିଲେ ସୁଚିତ୍ରା ।

 

—ସତେ ଆପଣ କାଲି ଚାଲିଯିବେ ?

 

—ନ ଯିବି କେମିତି ? ସବୁ ଯେ ରେଡ଼ି ।

 

ସୁଚିତ୍ରା କିଛି କହି ପାରିଲେନି । ଆଖିରୁ ତାଙ୍କର ଦୁଇଧାର ଲୁହ ଗଡ଼ି ପଡ଼ିଲା । କିଛିକ୍ଷଣ ପାଇଁ ସୁଧୀରବାବୁ ସୁଚିତ୍ରାଙ୍କ ହାତକୁ ତାଙ୍କର ଶକ୍ତ ମୁଠା ଭିତରେ ଧରି ରଖିଲେ । ଦୁହେଁ ଅନୁଭବ କଲେ ଗୋଟାଏ ମାୟାଭରା ଅପୂର୍ବ ଶିରହଣ । ସୀମାହୀନ ଆଶଙ୍କା ଆଉ ଅଫୁରନ୍ତ ଆନନ୍ଦର ଗୋଟିଏ ବିଚିତ୍ର ରୋମାଞ୍ଚ ବିଦ୍ୟୁତ୍ ଝଲକି ପରି ଖେଳିଗଲା ଶିରାରେ ଶିରାରେ-ପ୍ରତିଟି ଅଣୁ ପରମାଣୁରେ । ହାତଟା ଟାଣି ନେବାର ଉଚିତ ଥିଲା ସୁଚିତ୍ରାଙ୍କର । କିନ୍ତୁ ପାରିଲେନି ସେ । ମୁଠା ଭିତରେ ଉଷୁମ ହାତଟିକୁ ଟିକିଏ ଟିକିଏ ମୃଦୁ ଚାପ ଦେଇ ଛାଡ଼ିଦେଲେ ସୁଧୀର ।

 

କହିଲେ—ମନ ଦୁଃଖ କରନା ଚିତ୍ରା । ତୁମର ବାପା ଓ ମା'ଙ୍କର ତ ଇଚ୍ଛା ଅଛି ଆମର ଏ ବିବାହରେ । କେବଳ ମୋ ବାପା ମା'ଙ୍କ ଅମତ କଥା । ସେ ଦାୟିତ୍ଵ ମୋର । ସବୁ ସୁବିଧା କଲା ଉତ୍ତାରେ ତୁମକୁ କଲିକତା ଯିବାକୁ ପଡ଼ିବ । ଦେଖ, ପଢ଼ାପଢ଼ିରେ ଯେପରି ବ୍ୟାଘାତ ନ ଘଟେ ।

 

—ଯିବେ କେବେ ଠିକ୍ ?

 

—କହିଲି ପରା ସକାଳ ଟ୍ରେନ୍‌ରେ । ଆଜି ଆସିଥିଲି ବିଦାୟ ନେବା ପାଇଁ ।

 

—ମତେ କିଛି ଭଲ ଲାଗିବନି । ଆଶୀର୍ବାଦ କରନ୍ତୁ । ମୁଁ ଯେପରି ସାରା ଜୀବନ ପାଇଁ ଆପଣଙ୍କର ହୁଏ । ଦେଖନ୍ତୁ, ହତାଶ କରିବେନି ତ ?

 

ଗଳାର ସ୍ୱର କମ୍ପି ଉଠିଲା ସୁଚିତ୍ରାଙ୍କର । ସୁଧୀର ଛିଡ଼ା ହୋଇଥାନ୍ତି ଗୋଟିଏ ବିଜୁଳି ଖମ୍ବ ପରି ସେଇଠି ।

 

ସୁଚିତ୍ରା ସୁଧୀରଙ୍କ ପାଦସ୍ପର୍ଶ କଲେ । ପାଦଧୂଳି ନେଇ ମୁଣ୍ଡରେ ମାରିଲେ ।

 

ରାତିଯାଏ—ପୁଣି ଦିନ ଆସେ । ନିସ୍ତରଙ୍ଗ ଜୀବନରେ କ୍ଷଣକ ପାଇଁ ଢେଉ ଜାଗେ ।

 

ପରଦିନ ସକାଳ ।

 

ଷ୍ଟେସନରେ ଟ୍ରେନ୍ ଛିଡ଼ା ହୋଇଛି । ମେଲ୍ ପାସ୍ କରିବ । କ୍ରସିଂ ଅଛି ।

 

ମସ୍ତବଡ଼ ଟିନ୍ ଶେଡ଼୍‍ ଦିଆ ପ୍ଲାଟଫର୍ମ ଉପରେ ସୁଧୀର ଦଣ୍ଡାୟମାନ । ସୁଚିତ୍ରା ଓ ଦୁଲି ଆସିଛନ୍ତି ବିଦାୟ ଦେବାକୁ । ଏବେ ମଧ୍ୟ ନୂତନ ସୂର୍ଯ୍ୟର ପ୍ରଥମ ସୁନେଲି ଖରା ଓଭର ବ୍ରିଜ୍ ଉପରେ ପଡ଼ି ଝଲମଲ କରିନି ।

 

ଉଚ୍ଚ ପ୍ଲାଟଫର୍ମ ତଳେ କଙ୍କର ଓ ପଥର ଟୁକୁରା ଗଦା ଗଦା । ସେ ପାଖରେ ରେଲୱେ କ୍ରସିଂ ଗେଟ୍ ।

 

ଦୁଲି ଚାଲିଗଲା ହୁଇଲର ବୁକ୍‌ଷ୍ଟଲକୁ ମ୍ୟାଗାଜିନ୍ ଓ ସମ୍ବାଦ ପତ୍ର କିଣିବା ପାଇଁ ।

 

ସୁଚିତ୍ରା ପ୍ରଥମେ କଥା ଆରମ୍ଭ କରି କହିଲେ, କାଲି ଯେତେବେଳେ କଲିକତା ଯିବା କଥା ଶୁଣିଲି ଭାବିଲି ଏ ନିଶ୍ଚୟ ମିଛ । କାହିଁକି ଆପଣଙ୍କର ଏ ଖିଆଲ ?

 

—କାରଣ ତ ସବୁ ଆଗରୁ କହିଛି, ଚିତ୍ରା ।

 

—ଆପଣ ବଡ଼ ନିଷ୍ଠୁର । ନୁହେଁ ?

 

—ନା ତ ।

 

—ହେବ । ତୁମପାଇଁ ନିଶ୍ଚୟ କଷ୍ଟ ହେବ ।

 

ସାଶ୍ରୁ କଣ୍ଠରେ ସୁଚିତ୍ରା କହିଲେ, କିନ୍ତୁ ମୋର ତ ମନ ଫେରାଇବାର ଉପାୟ ନIହିଁ ?

 

—ନା, ନା, ଦୋଷୀ ମୁଁ । ତେବେ ଏ ବେଦନା ତୁମର ଏକା ନୁହେଁ ।

 

—ଆପଣ ଭୁଲିବେନି ତ ?

 

—ମଣିଷ କଣ ମଣିଷକୁ ଭୁଲିପାରେ ?

 

—ପୁଣି କେବେ ଦେଖାହବ କିଏ ଜାଣେ ?

 

—ଏତେ ସନ୍ଦେହ ?

 

—ସନ୍ଦେହ ଯେ ସ୍ଵାଭାବିକ ।

 

—ପହଞ୍ଚି ଆଡ଼୍ରେଶ୍‌ ଦେବି । ଚିଠି ପଠାଇବ ।

 

—ଆଉ ଆପଣ ?

 

—ଚିଠିର ଉତ୍ତର ଦେବି ।

 

କିଛି କ୍ଷଣି ନୀରବତା ଭିତରେ ଦୁଇଟି ଆତ୍ମାର ହାହାକାର ଗୁମୁରି ଉଠିଲା । ଦୁହେଁ ଦୁହିଁଙ୍କୁ ପ୍ରାଣଭରି ଭଲ ପାଉଥିଲେ । ଆଉ ନୀରବରେ ଚାଲି ଆସିଥିଲା ଦୁହିଙ୍କର ଭଲପାଇବାର ଦାନ ପ୍ରତିଦାନ ।

 

ଆଜି ତୁମେ ଅଦ୍ଭୁତ ସୁନ୍ଦର ଦିଶୁଛ ଚିତ୍ରା ! ଠିକ୍‌ ଯେପରି ସପନ ଦେଶର ରାଜକୁମାରୀ-

 

ସୁଚିତ୍ରା ସତକୁ ସତ ଲାଜ ପାଇଲେ । କେବଳ ଏହି କଥାରେ ନୁହେଁ—ସୁଧୀରଙ୍କ ଆଖିର ଦେଖାରେ, ଚାହାଣୀରେ ।

 

—ଆପଣ ଚାଲିଗଲେ ମୋର ମନଟା ଭାରି ଦୁଃଖ ହେବ ।

 

—ଦୁଃଖତ ହେବ । ଯାହାକୁ ଯିଏ ଭଲପାଏ ତା ପାଖରୁ ଦୂରକୁ ଚାଲିଯିବା କଣ କମ୍‌ ଦୁଃଖ ? କମ୍‌ ବେଦନା ? କିନ୍ତୁ ଉପାୟ କଣ ? ଚାଲିଯିବାକୁ ପଡ଼ିବ—ଛାଡ଼ିଯିବାକୁ ହେବ । ସବୁ କିଛି ଛାଡ଼ି ମଣିଷକୁ ଦିନେ ନା ଦିନେ ବିଚ୍ଛିନ୍ନ ହେବାକୁ ପଡ଼ିବ । ଯୌବନର ପ୍ରଖର ଆଲୋକ ଛାଡ଼ି ସ୍ତିମିତ ଜ୍ୟୋତି ବାର୍ଦ୍ଧକ୍ୟ ଆଡ଼କୁ—ତାପରେ ମୃତ୍ୟୁର ଶୀତଳ ହେମାଳ ଅନ୍ଧକାର । ଆମକୁ ଯିବାକୁ ପଡ଼ିବ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ—ଗୋଟିଏ ଜଗତରୁ ଅନ୍ୟ ଜଗତକୁ—ଗୋଟିଏ ପୃଥିବୀରୁ ଆଉ ଗୋଟିଏ ପୃଥିବୀକୁ ।

 

ଆଖି ଦୁଇଟା ସୁଧୀରଙ୍କର ଝାପସା ହୋଇ ଉଠିଥିଲା ସେତେବେଳେ । ସେ ଗୋଟିଏ ଦୀର୍ଘନିଶ୍ଵାସ ଛାଡ଼ିଲେ ।

 

—ତୁମ ଛଡ଼ା ଜୀବନରେ ଅନ୍ୟ ଝିଅକୁ ଭଲପାଇ ପାରିବିନି କେବେ । ଏ କଥା ମନେ ରଖ ଚିତ୍ରା । ତୁମେ ଖୁବ୍‌ ଭଲ ।

 

ଅନେକ ଦିନ ଧରି ସୁଚିତ୍ରାଙ୍କ ମନ ଭିତରେ ଯେଉଁ ସନ୍ଦେହ ବିନ୍ଦୁ ବିନ୍ଦୁ ହୋଇ ଜମି ଉଠିଥିଲା ବର୍ତ୍ତମାନ ତାହା ବରଫ ତରଳିଲା ପରି ଦୁଇ ଆଖିରୁ ବୋହିବା ଆରମ୍ଭ କରିଦେଲା ।

 

ଟିଂ ଟିଂ କରି ଗୋଟିଏ ନେଳିଆ ସାର୍ଟପିନ୍ଧା କୁଲି ଘଣ୍ଟା ବଜାଇ ଦେଲା । ଯଥା ସ୍ଥାନରେ ବେଡ଼ିଂ ଓ ଅନ୍ୟାନ୍ୟ ଜିନିଷ ପତ୍ର ରଖିଦେଇ ଗଲେ କୁଲିମାନେ ।

 

ସୁଧୀର ଗାଡ଼ିର ଦରଜା ଖୋଲି ଉପରକୁ ଉଠିଲେ । କହିଲେ—ଏଥର ଯାଉଛି ।

 

ସୁଚିତ୍ରା ହାତ ଉଠାଇ ନମସ୍କାର କଲେ । ସେ କାନ୍ଦ କାନ୍ଦ ହୋଇ କହିଲେ, ନ ଗଲେ ବା ଏତେ ଦୂରକୁ ? ଥାଆନ୍ତୁ ଏଇଠି । ଯାଅନ୍ତୁ ନି ।

 

ସୁଧୀର ଉଦ୍‌ବେଳିତ ହୋଇ କହିଲେ, ତାହା କଣ ହୋଇପାରେ ? ଆଉ ଯେ ଉପାୟ ନାହିଁ ।

 

ହୁଇସିଲ ବାଜିବା ସଙ୍ଗେ ସଙ୍ଗେ ଗାଡ଼ି ଛାଡ଼ିଲା । ଶେଷ ମୁହୂର୍ତ୍ତରେ ସୁଚିତ୍ରାଙ୍କ ହାତ ସହିତ ନିଜର ହାତକୁ ମିଶେଇ ଦେଲେ ସୁଧୀର । ସୁଚିତ୍ରାଙ୍କ ଦେହରେ ଶିହରଣ-ଆଖିରେ ଲୋତକ ବିନ୍ଦୁ-ମୁଖରେ ଯନ୍ତ୍ରଣା, କ୍ଳାନ୍ତ ଓ ବେଦାନର ଛାୟା ।

 

ଟ୍ରେନ୍‌ କେତେବାଟ ଚାଲି ଆସିଲାଣି । ଝରକା ବାଟେ ଅନେଇଥାନ୍ତି ସୁଧୀର ବାବୁ । ପଛରେ ରହିଗଲାଣି ଷ୍ଟେସନ୍‌, ବଜାର, ଛକ ଆଉ ରହିଗଲେଣି ସୁଚିତ୍ରା ।

 

ବହି ଓ କାଗଜ ଧରି ଦୌଡ଼ି ଦୌଡ଼ି ଆସିଲା ଦୁଲି । ହତାଶ ହୋଇ କହିଲା, ଏତେ ଶୀଘ୍ର ଗାଡ଼ିଟା ଚାଲିଗଲା ? ସାରଙ୍କୁ ବିଦାୟ ବେଳରେ ନମସ୍କାର ଟିଏ କରି ପାରିଲିନି । ଏ କାଗଜ ଗୁଡ଼ା ଆଉ ହେବ କଣ ?

 

ସୁଧୀର ଚାଲି ଯାଇଛନ୍ତି—ସୁଚିତ୍ରାଙ୍କଠାରୁ ବିଦାୟ ନେଇ ସେ ଚାଲି ଯାଇଛନ୍ତି କଲିକତା-। କିନ୍ତୁ ଦେଇ ଯାଇଛନ୍ତି ସୁଚିତ୍ରାଙ୍କ ମନ ଭିତରେ ଏକ ଗୁରୁ କଠିନ ଆଘାତ । ଆଜି ସେ ପ୍ରାଣେ ପ୍ରାଣେ ଅନୁଭବ କରୁଛନ୍ତି ସୁଧୀରଙ୍କ ଅଭାବ । ସବୁ ଓଲଟା ଲାଗୁଛି ତାଙ୍କୁ । ସେ ଖାଲି ଭାବୁଛନ୍ତି–ଘଟଣାଟାକୁ ମନେ ମନେ ବିଶ୍ଳେଷଣ କରୁଛନ୍ତି ।

 

ପଢ଼ା ଘରକୁ ଆସିଲେ । ବିଜୁଳି ଆଲୁଅ ଘର ଭିତରେ । ହୃଦୟ ଭିତର କିନ୍ତୁ ତାଙ୍କର ଆଜି ଅନ୍ଧକାର । ସେ ମନ ମାରି ଦେଇ ଚୌକି ଉପରେ ବସି ପଡ଼ିଲେ । ବହି ଗୁଡ଼ିକ ଖେଳେଇ ମେଲେଇ ହୋଇ ପଡ଼ିଛି । ପାଠରେ ମନ ନାହିଁ । ନା, ଆଉ କେବେ ବି ନୁହେଁ । ଆହା ! ଏହି ରୁମ୍‍କୁ ସେ ଆସୁଥିଲେ ନୀତି । କେତେ ଆନନ୍ଦା କେତେ ସୁଖର କଳ୍ପନା ବା କରି ନଥିଲେ ସେ । ଆଜି କିନ୍ତୁ କୋଠରୀଟି ତାଙ୍କୁ ଖାଇ ଗୋଡ଼ାଉଛି । ନାହିଁ ଜୀବନ ନାହଁ ବଞ୍ଚିବାର ଉପାଦାନ ଏଠି ।

 

ତାଙ୍କର ଗୋଟି ଗୋଟି ହୋଇ ମନପଡ଼ିଗଲା ଧୂସର ବସନ୍ତରେ ଘର ପଛଆଡ଼ ସେହି କଲମି ଆମ୍ବ ବଗିଚା—ପୁରୁଣା ଭଙ୍ଗା ପକ୍‌କାକୁଅର ଚାନ୍ଦିନୀ—ଆମ୍ବଗଛର କୋମଳ ପଲ୍ଲବ ଭିତରେ ଦେଇ ଜମାଟ ଅନ୍ଧକାର—ବାତାୟନ ଫାଙ୍କରେ ଗୃହର କୁଳନ୍ତ ରଙ୍ଗିନ ବିଦ୍ୟୁତାଲୋକ—ଅଧା ଅନ୍ଧାର ଅଧା ଆଲୁଅରେ ଓଠ କୋଣରେ ମଧୁର ଚୁମ୍ବନ । ତାରା ମିଳନ ଦିଶୁଥିଲେ ନଗ୍ନ ଆକାଶରେ ସେତେବେଳେ—ସେ ଚାଲି ଯାଇଥିଲେ କ୍ଷଣକ ପାଇଁ ନୂତନ ସାୟ ଭାର ସ୍ଵପ୍ନିଳ ଜଗତକୁ । ସେହି ତୋଟା, ସେହି ତାରକାର ଇଙ୍ଗିତ, ସେହି ମନୋହର ଶିଶିର ବିନ୍ଦୁ—କଷ୍ଟ, ଯନ୍ତ୍ରଣା ସବୁ ରହିଗଲା ଏ ପାଖରେ କେବଳ ।

 

ସେ ଖଟଉପରେ ଶୋଇପଡ଼ିଲେ । ତକିଆରେ ମୁହଁ ମାଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲେ । ପୁଣି ନିଜକୁ ସଂଯତ କରି ଉଠି ବସିଲେ । ମନେ ମନେ ତୁହାଏ ହସିଲେ । ହସିଲେ ନି ତ; ଯେପରି ଗୋଟାଏ ଅବ୍ୟକ୍ତ ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ । ମନରେ ଆସିଲେ ଏକ ଭୟଙ୍କର ଅଭିମାନ । ଏପରି ଭାବରେ ତାଙ୍କୁ ଛାଡ଼ି ସୁଧୀର ବାବୁ ଯାଇ ପାରି ନ ଥାନ୍ତେ ତ ? ଏତେ ଦିନ ପରେ ? କାହିଁକି ? ଭଲ ପାଇବାର ମଞ୍ଜ ପୋତି ଗଛରେ ଜଡ଼ ଫୁଲ ହେବା ବେଳକୁ ଚମ୍ପଟ ? ତାହା କଣ ଭଲ କଥା ?

 

ଛି, ଛି କଣଗୁଡ଼ାଏ ବାଜେ କଥା ସେ ଭାବୁଛନ୍ତି ? ପୁରୁଷ ପୁଅ । ଦେଶ ବିଦେଶ ଯିବାକୁ ବାଧ୍ୟ । ଉନ୍ନତି ପାଇଁ ସବୁ କିଛି କରିବାକୁ ପଡ଼ିବ ତାଙ୍କୁ ।

 

ଦରଜା ବନ୍ଦ କରି ବିଛଣାରେ ବସିଲେ । ମନ ଘୂରିଲା । ଡ୍ରୟାର ଭିତରୁ ବାହାର କଲେ ସୁଧୀରଙ୍କ ଫୋଟୋଟି । ଧରି ବସିଲେ ଦୀର୍ଘ ସମୟ । ଆଖିରେ ନିଦ ଆସୁନି । ଆଲୁଅଟା ଝାପ୍‌ସା ଲାଗୁଛି । ସୁଇଚ୍‌ ଅଫ୍ କରିଦେଲେ । ନ ଶୋଇ ବସି ରହିଲେ ସେମିତି ! ଗୋଟାଏ ଆଡ଼େ ନୂତନ ମାଦକତାର ସ୍ଵାଦପ୍ରାପ୍ତ ରୋମାଞ୍ଚିତଦେହ ମନର ଅତୃପ୍ତ କ୍ଷୁଧା ଯନ୍ତ୍ରଣା । ଅନ୍ୟ ଆଡ଼େ ଜୀର୍ଣ୍ଣ ବିଦୀର୍ଣ୍ଣ ହୃଦୟରେ ଭବିଷ୍ୟତର ଚରମ ଉନ୍ନତି ଓ ଆତ୍ମା ସନ୍ତୋଷର ପରିକଳ୍ପନା ।

 

ବସୁ ବସୁ କେତେବେଳେ ଶୋଇ ପଡ଼ିଛନ୍ତି ଜାଣନ୍ତି ନି ।

 

ତଥାପି ବାପା ତାଙ୍କୁ ଖାଇବାକୁ ଉଠେଇଲେନି । ପ୍ରାଣରେ ମାୟା ଆସିଲା ତାଙ୍କର । ଝିଅଟା ପଢ଼ାପଢ଼ି କରି ଟିକିଏ ଶୋଇ ପଡ଼ିଛି । ଶୋଉ । ଭୋକ ଲାଗିଲେ ଉଠିବ ଯେ ।

 

ଅନୁପମା ଦେବୀ ଖଟ ଉପରେ ସେମିତି ପଡ଼ି ରହିଛନ୍ତି । କଥା କହିବାର ଶକ୍ତି ନାହିଁ । ଚିରକାଳ ପାଇଁ ଯେପରି ସେ ନିଃସ୍ଵ ।

 

ମୁଣ୍ଡ ପାଖ ଛୋଟ ଟେବୁଲ୍‌ ଉପରେ ଥର୍ମୋମିଟର୍‌ ଇଞ୍ଜେକ୍‌ସନ୍‌, ମେଜର ଗ୍ଳାସ୍‌ ଓ ଅସଂଖ୍ୟ ଖାଲି ଔଷଧ ଶିଶି । ପ୍ଲେଟରେ ନାଗପୁରୀ କମଳା, ବେଦନା, ଲେମ୍ବୁ, ଅଙ୍ଗୁର ।

 

ଅନୁପମା ବେଳେ ବେଳେ ମୂର୍ଚ୍ଛା ଯାନ୍ତି । ସୁଚିତ୍ରା ମୁଣ୍ଡ ପାଖରେ ବସି ଆଉଁସି ଦିଅନ୍ତି । ଦୁଲି, ମଣ୍ଟ, ଜୟା, ନଳିନୀ, ପାଦ ପାଖରେ । ମୁହଁ ସେମାନଙ୍କର ନିସ୍ତେଜ ଓ ମଳିନ ।

 

ସୁଚିତ୍ରା ପଚାରିଲେ, କଣ ହେଉଛି ମା ?

 

ଅନୁପମା କିଛି ଉତ୍ତର ଦେଲେନି । ସେ ଯେପରି ମୁକ ହୋଇ ଯାଇଛନ୍ତି । ବୁକୁ ଭିତରେ ଗୋଟାଏ ଅବ୍ୟକ୍ତ ବେଦନା । କପାଳରେ ବିନ୍ଦୁ ବିନ୍ଦୁ ଝାଳ ।

 

ଅତି କଷ୍ଟରେ ଆତ୍ମ ସମ୍ବରଣ କରି କହିଲେ, ସେ କିଛି ନୁହେଁ, ଚିତ୍ରା ! ଆ ମା । ମୋ ପାଖକୁ ଆ ଥରେ । ବିଛଣାରେ ବସ୍‌ । ହାତରଖ କପାଳ ଉପରେ ମୁଁ ଟିକେ ଶାନ୍ତ ପାଏ । ନିଶ୍ଚିନ୍ତ ସୁଖର ଜୀବନ ଆଉ କେଉଁ ଦିନ ପାଇ ପାରିବି ନି । ଜୀବନରେ ଅସରନ୍ତ ଦିନଗୁଡ଼ାକ ଗୋଟାଏ ପରେ ଗୋଟାଏ ଠେଲା ମାରି ମାରି ଚାଲି ଯାଉଛି । ସେଥିରେ ସ୍ଵାଦନାହିଁ ଗନ୍ଧ ନାହିଁ ।

 

ସୁଚିତ୍ରା ସାନ୍ତ୍ଵନା ଦେଲେ । ଭଲ ହୋଇଯିବ । ଚିନ୍ତା କରନା ମା ।

 

ସମସ୍ତଙ୍କ ପରାମର୍ଶରେ ହସ୍‌ପିଟାଲକୁ ନିଆଗଲା । ମେଡିକାଲରେ‘ଏକ୍‌ସ୍‌-ରେ’ ହେଲା-। ରୋଗଟା ବ୍ଲଡ଼୍‌ପ୍ରେସର । ବାଁ ପାଖଟା ପୁଣି ପାରାଲିସିସ୍‌ ପରି ଜଣା ପଡୁଛି ।

 

ସିଭିଲସର୍ଜନ ଖଣ୍ଡିଏ କାଗଜରେ ଲେଖିଦେଲେ ପେସ୍‌କ୍ରି୍ପ୍‌ସନ୍ ଓ ଡାଏଟ୍‌ର ଗୋଟାଏ ଲମ୍ବା ଚଉଡ଼ା ଚାର୍ଟ । କହିଲେ, ଠିକ୍‍ ନିୟମରେ ଚଲେଇଲେ ରୋଗିଣୀ ଅନ୍ତତଃ କିଛିଦିନ ବଞ୍ଚିପାରେ ।

 

ଆହୁରି ଦଶ ପନ୍ଦର ଦିନ ପରେ—

 

କ୍ରମେ କ୍ରମେ ଦେଖାଦେଲା ସନ୍ନିପାତ । ଆରମ୍ଭ ହେଲା ପ୍ରଳାପ । ‘ସୁଧୀର’‘ସୁଧୀର’ ବୋଲି ଅନୁପମା ଦୁଇଥର ଉଚ୍ଚାରଣ କଲେ । କିନ୍ତୁ ସୁଧୀର କହନ୍ତି ସେଠି ?

 

ଗ୍ଲାସ୍‌ରେ ଔଷଧ ନେଇ ପିଆଇ ଦେଲେ ସୁଚିତ୍ରା ।

 

ଚିତ୍ତରଞ୍ଜନ ବାବୁ ପାଖରେ । ପୁଅଝିଅମାନଙ୍କ ମଧ୍ୟରୁ କିଏ ପଦ ଶେକୁଛି—କିଏ ରଖିଛି ବରଫବ୍ୟାଗ୍‌ ମୁଣ୍ଡ ଉପରେ ।

 

ସୁଚିତ୍ରା ! ସୁଚିତ୍ରା ! କ୍ଷୀଣକଣ୍ଠରେ ଡାକିଲେ ଅନୁପମା ଦେବୀ । ସୁଚିତ୍ରା ମା’ଙ୍କ ମୁହଁ ପାଖକୁ ନିଜର ମୁହଁ ନେଇ କହିଲେ, ମାଁ !

 

ସେ ସମ୍ଭାଳି ନ ପାରି ମା’କୁ କୁଣ୍ଢେଇ ଧରିଲେ । ଫୁଲି ଫୁଲି କାନ୍ଦି ଉଠିଲେ । ଅନୁପମା ଦେବୀଙ୍କ ମୁଣ୍ଡକୁ ଆଣି ରଖିଲେ ନିଜ ଜଙ୍ଘ ଉପରେ ।

 

ଅତି କଷ୍ଟରେ ଅନୁପମା ଖନି ଖନି ହୋଇ କହିଲେ, ମାଁ ଚିତ୍ରା ! ବଡ଼ ଭୟ ଲାଗୁଛି ମତେ । ନିରୁ ଆସିଲା ? ତୋ ବଡ଼ ଭାଇ ? ଔଷଧ ଆଉ କଣ ହେବ ?

 

ଯେପରି ବାକ୍‌ଶକ୍ତି ରହିତ ମୃତକଳ୍ପ ଶରୀରରେ ଏ ଆତ୍ମନିବେଦନ ।

 

–ହଁ, ସେମାନେ ଆସୁଛନ୍ତି ମା ।

 

ହାତ ହଲେଇ ଇଙ୍ଗିତ ଦେଲେ ଅନୁପମା । ଆଉ ହେବନି । ବୃଥାରେ ବ୍ୟସ୍ତ ହେବା ପ୍ରୟୋଜନ ନାହଁ । ସ୍ଵାମୀଙ୍କ ହାତଟା ଧରି ପକାଇ କହିଲେ, ପିଲାମାନେ...... ।

 

ଏତେ ଚେଷ୍ଟା ଏତେ ଯତ୍ନରେ ମଧ୍ୟ କିଛି ଫଳ ହେଲାନି । ଜୀବନ-ଦୀପ ନିଭିବାକୁ ଆଉ କେତେ କ୍ଷଣ ? କେହି ରଖିପାରିଲେନି ଅନୁପମା ଦେବୀଙ୍କୁ । ଯୀଶୁ ବି ରକ୍ଷା କରି ପାରିଲେନି ତାଙ୍କୁ । ଆସିଗଲା ଦୁଃଖର କାଳରାତ୍ରି । ଦୀପର ସଳିତା ଲିଭିଗଲା । ଅଶାନ୍ତ ଓ ଅବଶୋଷ ଭିତରେ ଚିରଦିନ ପାଇଁ ସେ ଆଖି ବୁଜିଦେଲେ । ମରିବ ଆଗରୁ ପଡେ ମାତ୍ର କହିଗଲେ ହେ ଯୀଶୁ-! ତୁମେ ଏଡେ ନିଷ୍ଠୁର ? ସୁଚିତ୍ରା ସୁଖ ଦେଖିବାକୁ ରଖିଲ ନାହିଁ ଆଉ କିଛି ଦିନ ।

 

କାନ୍ଦି ଉଠିଲା ସୁଚିତ୍ରା । କାନ୍ଦି ଉଠିଲେ ସମସ୍ତେ । ମୃତ୍ୟୁର ଶୀତଳ ଛାୟା ତାଙ୍କୁ ସ୍ପର୍ଶ କରିଛି । ପୁତ୍ର କନ୍ୟାଙ୍କ ବୃଥା ଚିତ୍କାର ବୃଥା କ୍ରନ୍ଦନ ନିକଟରେ ବ୍ୟର୍ଥ ।

 

ଜନ୍ମ ଆଉ ମୃତ୍ୟୁ ଜଗତର ନିୟମ । ତାକୁ ଏଡ଼େଇ ଯାଇ ହେବନି । ତାକୁ କେହି ଅସ୍ଵୀକାର କରି ପରିବେନି । ତେବେ ଅସମୟରେ ଚାଲିଯିବାଟା ନିଶ୍ଚୟ ଦୁଃଖର । ସେ ଦୁଃଖର କୌଣସି ଔଷଧ ନାହିଁ ।

 

ଚିରଦିନ କାହାର ସମାନ ଯାଏନା । ପରିବର୍ତ୍ତନ, ବୃଦ୍ଧି ଓ କ୍ଷୟ ପ୍ରକୃତିର ନିୟମ ।

 

ଅନୁପମାଙ୍କ ମୃତ୍ୟୁ ଦିନଠାରୁ ଘରେ ବନ୍ଦିନୀ ଜୀବନ କାଟିବାକୁ ପଡ଼ୁଛି ସୁଚିତ୍ରାଙ୍କୁ । ସକାଳେ ଚା ତିଆରି ନ ହେଲେ ବିଶୃଙ୍ଖଳା । ତାର ମାନେ ଖାନ ଓ ଦୁଲିର ଖଣ୍ଡ ପ୍ରଳୟ । ଚା ଟେବୁଲରେ ବଜ୍ରାଘାତ ।

 

ତା ପରେ ରୋଷେଇବାସ ସବୁ ଡିଉଟି ସୁଚିତ୍ରାଙ୍କର । ସ୍ଵେଚ୍ଛାରେ ସେ ସବୁ ଦାୟିତ୍ଵ ମୁଣ୍ଡକୁ ନେଇଛନ୍ତି । ଘରର କୁଟିବା, କାଟିବା, ଚା ଜଳଖିଆ ନାନା ରକମ କାମ । ସେ ଏଡେ ବଡ଼ ପରିବାରର ଜାହାଜୀ-ନୌକା ଟାଣି ଟାଣି ଚାଲିଛନ୍ତି । ସେଥିରେ ତାଙ୍କର ମୁକ୍ତି ନାହିଁ । ଆଉ ପାଠ ପଢ଼ିବାକୁ ସମୟ କାହିଁ ତାଙ୍କର ?

 

ଏହି ସୁଖ ଶାନ୍ତିଭାଗ ପରିବାର ଭିତରେ ଧୀରେ ଧୀରେ ଆସିଲା ପରିବର୍ତ୍ତନ । ଦେଖାଦେଲା ନିତ୍ୟ ଅଭାବ ଅନାଟନ ଓ ଦାରିଦ୍ର୍ୟ । ଅଳ୍ପ ପ୍ରାୟରେ ସଂସାର କୁଳାଏନି ।

 

ଅନୁପମା ଚାକିରି କରିନଥିଲେ । ଘର କିପରି ଚଳାଉଥିଲେ, ଟଙ୍କା କେଉଁଠୁ ଆଣୁଥିଲେ ସେ କଥା କେହି ଜାଣନ୍ତିନି । ଜାଣିବାକୁ ବି କେହି ଚାହିଁ ନାହାନ୍ତି ।

 

ବାପାଙ୍କ ପେନ୍‌ସନ୍‌ ବ କେତେଟା ଟଙ୍କା । ତହିଁ ଉପରେ ମହଙ୍ଗା ବଜାର । ସୁଚିତ୍ରା ବାଜେ ଖର୍ଚ୍ଚ ବହୁତ କମେଇ ଦେଲେଣି । ଚାକର ବାକର ନାହିଁ—ଘରଭଡ଼ା ପଡ଼ୁନି । ତଥାପି ଇଲେକ୍‌ଟ୍ରିକ୍‌ ଚାର୍ଜ, ଧୋବା ଭଣ୍ଡାର, ମଣ୍ଟୁ ନଳିନୀଙ୍କ କଲେଜ ଫିସ, ବହି କିଣା, ବେଶ ପୋଷାକ ଖର୍ଚରେ ଏଡେ ବଡ଼ ଗୋଟାଏ ପରିବାର ଚଳାଇବା ସହର ଜାଗାରେ ବଡ଼ କଷ୍ଟକର ।

 

ବଡ଼ ଭାଇ ମିଲିଟେରୀରେ । କେବେ ଦିନେ ଅଧେ ଟଙ୍କା ଆସେ । ତାହ ପୁଣି ଚାଳିଶଟା ପଚାଶଟା ଟଙ୍କା । ସେହି ଟଙ୍କା ଭରସାରେ ତ ଆଉ ରହି ହେବନି ?

 

ସୁଚିତ୍ରାଙ୍କୁ କିଛି ନା କିଛି ଗୋଟାଏ ଉପାୟ କରିବାକୁ ହେବା । ବାପାଙ୍କ ଉପରେ ସମସ୍ତ ଚାପଦେଇ କଲବଲ ହେବା ଭଲ ନୁହେଁ । ଯେ କୌଣସି ପ୍ରକାରେ ଆୟର ପନ୍ଥା ବାହାର କରିବାକୁ ପଡ଼ିବ । ଅତୀତର ଆଭିଜାତ୍ୟକୁ ବଞ୍ଚାଇ ରଖିବାକୁ ହେବ । ବାସ୍ତବ ଜଗତର କଠୋର ସଂଗ୍ରାମ ଭିତରକୁ ତାଙ୍କୁ ପସିବାକୁ ପଡ଼ିବ । ଜୀବନର ଦାୟିତ୍ଵବୋଧ ଅଉ ସ୍ଵାଧୀନତାର ମୂଲ୍ୟ ବୁଝିବାକୁ ହେବ । ବାସ୍ତବିକ୍‌ ଯିଏ ଜୀବନରେ ଆଘାତ ନ ପାଏ ସିଏ ମଣିଷ କଣ ?

 

ତେଣେ ଚିତ୍ତରଞ୍ଜନ ବାବୁ ସୁଚିତ୍ରାଙ୍କ ବିବାହ ପାଇଁ ବଡ଼ ବ୍ୟାକୁଳ । ବହୁ ଜାଗାରୁ ବହୁ ପ୍ରସ୍ତାବ ଆସିଛି । କିନ୍ତୁ ସୁଚିତ୍ରା ବିବାହ ନ କରିବା ପାଇଁ ନିଜ ସଙ୍କଳ୍ପରେ ଦୃଢ଼ । ସେ ଚାହାନ୍ତି ନି ବୁଢ଼ା ବାପାଙ୍କୁ ନୀରସ କରି ଛାଡ଼ି ଯିବାକୁ । ଆତ୍ମ ବିଶ୍ଵାସ ତାଙ୍କର ଅତୁଟ । ତାଙ୍କର କର୍ତ୍ତବ୍ୟ ସେ ସ୍ଥିର କରି ସାରିଲେଣି । ଆଉ ସେ କାହା କଥା ମାନିବେ ନି ।

 

ଯଦି ବିବାହ କରନ୍ତି ତ ସୁଧୀର ବାବୁଙ୍କୁ । ନଚେତ୍‌ ଆଜୀବନ ସେ ରହିବେ କୁମାରୀ ହୋଇ । ସେ ତ ପ୍ରତିଶ୍ରୁତି ଦେଇ ଯାଇଛନ୍ତି ତାଙ୍କ ଆଗରେ । ଏଡେ ବଡ଼ ଦାୟିତ୍ଵପୂର୍ଣ୍ଣ ଶିକ୍ଷିତ ମନୁଷ୍ୟ କଣ କେବେ ଅମଣିଷ ହୋଇ ପାରନ୍ତି ? ନା, ନା କେବେ ନୁହେଁ ।

 

ଦିନକୁ ଦିନ ବଢ଼ିଲା ଆର୍ଥିକ ଅଭାବର ଆହୁରୁ ଶୋଚନୀୟତା । ସୁଚିତ୍ରା ବାପାଙ୍କ ପାଖକୁ ଆସି ଚୁପି ଚୁପି କହିଲେ, ଗୋଟିଏ କଥା କହିବି ବାପା ! ରାଗିବ ନାହିଁ ତ ?

 

—କହ ଚିତ୍ରା ! ତୋ କଥାରେ ରାଗିବି କାହିଁକି ?

 

—ମୁଁ ଭାବୁଛି.... । ଟିକିଏ ଥମିଗଲେ ସୁଚିତ୍ରା ।

 

—ଆ, ପାଖରେ ବସ ।

 

ସୁଚିତ୍ରା ପାଖରେ ବସିଲେ । ପିଠିରେ ହାତମାରି ଚିତ୍ତରଞ୍ଜନ ବାବୁ କହିଲେ, କଣ କହିବୁ ପରା ? କହୁନୁ ?

 

ସୁଚିତ୍ରା ଧୀରେ ଧୀରେ କହିଲେ,“ଘରର ଯେତେବେଳେ ଦୂରବସ୍ଥା, ଭାବିଛି ଚାକିରି ହେଉ ବା ଟିଉସନ ହେଉ କିଛି ଗୋଟାଏ କରିବି । ମୋ ପାଠପଢ଼ା ଏତିକିରେ ଥାଉ” ସ୍ଵରରେ ତାଙ୍କର ଅସ୍ଵାଭାବିକ ଦୃଢ଼ତା ।

 

ଚିତ୍ତରଞ୍ଜନ ବାବୁ ବଡ଼ ଦୁଃଖ ଅନୁଭବ କଲେ । ମନେ ମନେ କହିଲେ, ହେ ଯୀଶୁ ! ଚିତ୍ରାକୁ ପୁଣି ଆଜି ଘରର ଦାୟିତ୍ଵ ବହନ କରିବାକୁ ପଡ଼ିଲା ? ଯଦି ତାର ମା ଆଜି ଥାଆନ୍ତା.....। ସେ କିଛି ଉତ୍ତର ଦେଇ ନ ପାରି ନୀରବ ରହିଲେ ।

 

ପୁଣି ସୁଚିତ୍ରା କହିଲେ, ବାପା ! ସେ ଦିନ ସମାଜରେ ଗୋଟାଏ ବିଜ୍ଞାପନ ଦେଖିଥିଲି । ଗୋଲ ବଜାର ଅଜୟ ବାବୁଙ୍କ ଝିଅ ପାଇଁ ଜଣେ ଟିଉଟ୍ରେସ୍‌ରକାର । ଯୋଗ୍ୟତା ମ୍ୟାଟ୍ରିକ୍ୟୁଲେଶନ୍‌ ପାସ୍‌ । ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୈନିକ ଦୁଇଘଣ୍ଟା ଇଂଲିଶ୍ ଟିଉସନ୍ । ମାସିକ ଫିସ୍ ପଚାଶ ଟଙ୍କା । ଚାକିରି ମିଳୁ ମିଳୁ ହୁଏତ ବିଳମ୍ବ ହୋଇପାରେ । ଆପାତତଃ ଏଇଟା ହିଁ ମୋ ପକ୍ଷରେ ଖୁବ୍‍ ଭଲ ।

 

—ଆଚ୍ଛା, ଗୋଟିଏ ଦରଖାସ୍ତ ଲେଖ ।

 

ଆପଣଙ୍କୁ ନ ଜଣାଇ ଦରଖାସ୍ତ ଆଗରୁ ପଠାଇ ଦେଇଥିଲି । ଆପଏଣ୍ଟ୍‌ମେଣ୍ଟ ଅର୍ଡ଼ରଟା ଆସିଯାଇଛି ।

 

ଚିତ୍ତରଞ୍ଜନ ବାବୁ ସୁଚିତ୍ରାଙ୍କ ଅନୁରୋଧକୁ ଏଡ଼ି ଦେଇ ନାହାନ୍ତି । ସେ ହାର ମାନିଛନ୍ତି । ତାଙ୍କ ଦୁର୍ବଳ ମନରେ ଦୁଃଖ ଲାଗିଛି ସତ କିନ୍ତୁ ପରିସ୍ଥତି ତାଙ୍କୁ ବାଧ୍ୟ କରିଛି । ସେ ଆଉ କଣ ବା ଉତ୍ତର ଦେବେ ? ପ୍ରାଣଟା ତାଙ୍କର କାନ୍ଦି ଉଠିଲା—ଗଳାଟା ଅଟକି ଗଲା ।

 

ଟାଉନ୍‌ର ପ୍ରଧାନ ବ୍ୟକ୍ତି ହେଉଛନ୍ତି ଅଜୟ ପଟ୍ଟନାୟକ । ସେ ମ୍ୟୁନିସିପାଲ୍‌ଟିର ଚେୟାରମ୍ୟାନ—ଓକିଲ ସଂଘର ପ୍ରେସିଡେଣ୍ଟ—ଅଖିଳ ଭାରତ ସର୍ବ ସେବାସଙ୍ଘ ଓଡ଼ିଶା ଶାଖାର ଟ୍ରେଜେରର୍‌ ମଧ୍ୟ । ସେଦିନ ଟଙ୍କା ଡ୍ରଇଂରୁମ୍‌ ଭିତରେ ଅଜୟ ବାବୁ ବସିଛନ୍ତି ଆମ ଚେୟାର ଉପରେ । ହାତରେ ତାଙ୍କର ଖଣ୍ଡିଏ ଦୈନିକ ଇଂରାଜୀ ଖବର କାଗଜ । ସ୍ତ୍ରୀ ନିହାରିକା ଛିଡ଼ା ହୋଇଛନ୍ତି ପାଖରେ । ଆଉ କେହି ତୃତୀୟ ବ୍ୟକ୍ତି ନାହାନ୍ତି । ଗୀତାର ଟିଉସନ୍‌ ସଂପର୍କରେ କଥାବାର୍ତ୍ତା ଚାଲିଛି-

 

ସୁଚିତ୍ରା ଆସି ପହଞ୍ଚିଗଲେ । ଅଜୟ ବାବୁଙ୍କୁ ନମସ୍କାର କରି ନିଯୁକ୍ତ ପତ୍ରଟି ବଢ଼େଇ ଦେଲେ ।

 

ନିହାରିକା ଦେବୀ ବିସ୍ମିତ ଦୃଷ୍ଟିରେ ସୁଚିତ୍ରାଙ୍କୁ ଚାହିଁ କହିଲେ, ଆପଣ ଆମ ଗୀତାକୁ ଟିଉସନ୍‌ କରିବେ-?

 

ସୁଚିତ୍ରା ମୁଣ୍ଡ ହଲେଇ ସମ୍ମତି ଦେଲେ ।

 

ହଉ, ବସନ୍ତୁ ।

 

ଅଜୟ ବାବୁ ଡାକି ଉଠିଲେ,—ଗୋପାଳ ! ଗୋପାଳ ! ଗୀତାକୁ ଏଠିକି ଡାକି ଆଣ ତ-?

 

ନୀଳ ରଙ୍ଗର ଫୁଲାପକା ଡେକ୍ରନ ସାଲୁଆର ସହିତ ନାଇଲନ ପଞ୍ଜାବୀ ଓ ସିଲ୍‌କ୍‌ ସ୍କାର୍ଫ ବେଶରେ ଗୀତା ଦୌଡ଼ି ଦୌଡ଼ି ଆସି ପହଞ୍ଚି ଗଲା । ଦୁଇ ପାଖରେ ଦୁଇଟା ବେଣୀ । ପାଦରେ ବାଟା ସିଲ୍‌ପର୍‌ । ଦଶ ବାର ବର୍ଷ ବୟସ ।

 

ଅଜୟ ବାବୁ କହିଲେ, ଏ ତୋର ନୂଆ ମିଷ୍ଟ୍ରେସ୍‌ । ତାଙ୍କୁ ନମସ୍କାର କର ।

 

ଗୀତା ନମସ୍କାର କଲା ।

 

ଅଜୟ ବାବୁ ସୁଚିତ୍ରାଙ୍କୁ କହିଲେ, ଆପଣ ପ୍ରତ୍ୟହ ସନ୍ଧ୍ୟା ସାତଟାରେ ଆସନ୍ତୁ । କାଲିଠାରୁ ନିୟମିତ ଟିଉସନ ଆରମ୍ଭ କରନ୍ତୁ ।

 

—ତେବେ ମୁଁ ଯାଉଛି । କାଲିଠାରୁ ଠିକ୍‌ ସମୟରେ ଆସିବି ।

 

ଉଠି ଛିଡ଼ା ହେଲେ ସୁଚିତ୍ରା ।

 

ଅଜୟ ବାବୁ ଅନୁରୋଧ କଲାପରି କହିଲେ, ନା ନା, ଆପଣ ଟିକିଏ ବସନ୍ତୁ । ଆଜି ପ୍ରଥମ ଥର ପାଇଁ ଆମ ଘରେ ପାଦ ପକେଇଲେ । ଅନ୍ତତଃ ଚା ଟିକେ ନ ଖାଇ ଚାଲିଯିବେ ?

 

ନୀହାରିକା ଦେବୀ ସ୍ଵାମୀଙ୍କ କଥାରେ ସମ୍ମତ ଦେଇ ଉଠିଗଲେ ଚା ବରାଦ କରିବାକୁ ।

 

ସୁଚିତ୍ରା ଅନୁନୟ କରି କହିଲେ, କ୍ଷମା ଦିଅନ୍ତୁ ସାର୍‌ । ମୋର ଚା ଖାଇବା ଅଭ୍ୟାସ ନାହିଁ । ମୋ ପାଇଁ କାହିଁକି ଏତେ କଷ୍ଟ କରିବେ ? ଆଚ୍ଛା, ଆସୁଛି ନମସ୍କାର ।

 

କୌଣସି ଆଡ଼େ ଦୃଷ୍ଟି ନ ଦେଇ ଚାଲିଗଲେ ସୁଚିତ୍ରା ।

 

ଏଥି ମଧ୍ୟରେ ସେ ଦୁଇ ତିନିଟା ଟିଉସନ୍‌ ପାଇଛନ୍ତି । ମାସିକ ଦେଢ଼ ଶହ ଟଙ୍କାର ସଂସ୍ଥାନ । ପରିବାରଟି ଚଳିଯାନ୍ତି ଆନନ୍ଦରେ । ଧାନ ସିନା ଜମିରୁ ଆସେ । ପୁଣି ଶିକ୍ଷିତ ଖାନ୍‌ଦାନ୍‌ଘରର ଅନ୍ୟାନ୍ୟ ଖର୍ଚ୍ଚତ ଅଛି ।

ସେଦିନ ରାତି ଆଠଟା ।

ଗୀତା ଇଂରାଜୀ ପଢ଼ୁଛି ।

ଅଜୟ ବାବୁ ଭିତରକୁ ପଶି ଆସିଲେ । ଚେୟାର ଛାଡ଼ି ଛିଡା ହୋଇଗଲେ ସୁଚିତ୍ରା ।

—ଗୁଡ଼୍ ନାଇଟ୍‌, ମିସ୍‌ ଦାସ ! ଗୀତା କିପରି ପଢ଼ୁଛି ? ସୁଚିତ୍ରା ତଳକୁ ମୁହଁ କରି ଉତ୍ତର ଦେଲେ “ମନ୍ଦନୁହେ” ।

ଅଜୟ ବାବୁ ହସି ହସି କହିଲେ, ଯେତେବେଳେ ସେ ଆପଣଙ୍କ ହାତରେ ପଡ଼ିଛି ସେଥିପାଇଁ ମୁଁ କିଛି ଚିନ୍ତା କରୁନି । ଠିଆଟା ହେଲେ ଯେ ? ବସନ୍ତୁ ।

ଗୋଟିଏ ଚେୟାର ଟାଣି ଆଣି ନିଜେ ବସି ପଡ଼ିଲେ । ତା ପରେ ପକେଟରୁ ବାହାରି କଲେ ସିଗାରେଟ୍‌ କେସ୍‌ ଓ ଲାଇଟର୍‌ ।

ପାଞ୍ଚ ମିନିଟ୍‌ଦଶ ମିନିଟି ଗତ ହୋଇଗଲା । ନିଜ ୱ୍ୟାଚ୍‌ ଦେଖି ସାରି ଅଜୟ ବାବୁ କହିଲେ, ଆଜି ଟିଉସନ ସେତିକି ଥାଉ । ଚାଲନ୍ତୁ ଯିବା ସିନେମା ଦେଖି । ଖୁବ୍‌ ଭଲ ଫିଲିମ୍‌ ଆସିଛି, ମିସ୍‌ଦାସ ।

ଗୀତା କହି ଉଠିଲା, ଦିଦି ! କାଲି ଆମେ ସେକେଣ୍ଡ ସୋ ଦେଖିବାକୁ ଯାଇଥିଲୁ । ଭାରି ଭଲ ସିନେମା ।

ଅଜୟ ବାବୁଙ୍କ ଗଭୀର ଚକ୍ଷୁରେ ଉତ୍ତେଜନାର ଛାୟା । ସେ କୋଣେଇ କୋଣେଇ ଚାହିଁ ରହିଲେ ସୁଚିତ୍ରାଙ୍କ ଆଡ଼କୁ ।

ସୁଚିତ୍ରା ବସିଛନ୍ତି ନିର୍ଲିପ୍ତ ମୁହଁରେ । ସାମନା କାନ୍ଥରେ ତାଙ୍କର ଦୃଷ୍ଟ ନିବଦ୍ଧ । ସେ ଚୁପ୍‌ ଚାପ୍‌ ।

ଅଜୟ ବାବୁ ନିଜକୁ ସମ୍ଭାଳି ନେବା ପ୍ରୟାସରେ ସପ୍ରତିଭ ଭାବରେ ଟିକେ ହସିଲେ । ପରେ କହିଲେ, ସେ ଦିନ ଅନୁରୋଧ କରିଥିଲେ ପରା ? ଭଲ ସିନେମା ଆସିଲେ ଦେଖିଯିବା ପାଇଁ ?

—ଏକ୍‌ସ୍‌କିଉଜ୍‌ମି, ସାର୍‌ ! କାଲି ଆମ ଘରେ ସମସ୍ତେ ମାଟିନ ସୋ ଦେଖି ଯିବାକୁ ସ୍ଥିର କରିଛୁ ।

କେଜାଣେ କାହିଁକି ଅଜୟ ବାବୁଙ୍କର ହଠାତ୍‌ ମୋହ ନିଦ୍ରା ଭାଙ୍ଗିଗଲା । କକ୍ଷ ମଧ୍ୟରେ ଖେଳିଗଲା ଟିକକ ପାଇଁ ନୀରବତା । ସେ ଆଉ କିଛି କହି ପାରିଲେନି । ସମ୍ବାଦ ପତ୍ରଟିଏ ଧରି କ’ଣ ଭାବିବାକୁ ଲାଗିଲେ ।

 

ହଠାତ୍‌ ତାଙ୍କର ଚିନ୍ତାଧାରାକୁ ବିଚ୍ଛିନ୍ନ କରି ଟେଲିଫୋନେଟା କ୍ରିଂ କ୍ରିଂ ହୋଇ ବାଜି ଉଠିଲା । ସେ ଏକାନ୍ତ ଅନିଚ୍ଛାସତ୍ଵେ ରିସିଭର ଟା ଉଠାଇ ନେଲେ ।

 

କାନରେ ଲଗାଇବା ମାତ୍ରେ ଆର ପାଖରୁ ଶୁଣିବାକୁ ମିଳିଲା, ହ୍ୟାଲୋ, ମି: ପଟ୍ଟନାୟକ-!

 

ହଁ, ମୁଁ ପଟ୍ଟନାୟକ କହୁଛି । ଓଃ... ଆପଣ ?

 

—ଶୀଘ୍ର ମ୍ୟୁନିସିପାଲଟି ଅଫିସକୁ ଆସନ୍ତୁ । ଭେରି ଅର୍ଜେଣ୍ଟ ।

 

—ଥ୍ୟାଙ୍କସ୍‌ ।

 

ରିସିଭରଟା ଯଥା ସ୍ଥାନରେ ରଖିଦେଇ ଅଜୟ ବାବୁ ସେଠୁ ଉଠି ପଡ଼ିଲେ ।

 

କଲିକତା ।

 

ମହାନଗରୀ କଲିକତା...ମାୟାର ସହର କଲିକତା । ସେଠି ସେଠି ଦିନ ରାତି ଗୋଟାଏ...ପୃଥିବୀର ସବୁ ଦେଶର ଲୋକ ଠୁଳ ସେଇଠି । ନୀତି ଅନିତି… ଧର୍ମ ଅଧର୍ମ...ପାପ ପୁଣ୍ୟ...ହତ୍ୟା ଲୁଣ୍ଠନ ସବୁ ଏକାଧାରରେ ସେଇଠି । ଧନୀର ସୀମା ନାହିଁ... ପୁଣି ଭିକାରିର ସଂଖ୍ୟା ନାହିଁ ।

 

ପ୍ରଥମେ ଆସି ସୁଧୀର ରହିଲେ ମାମୁଘରେ ବିଡନଷ୍ଟ୍ରିଟ୍‌ରେ । ମାମୁଁ ତାଙ୍କର କଲିକତାର ବଡ଼ ଡାକ୍ତର । ବୋନ୍‌ ସ୍ପେସାଲିଷ୍ଟ୍‌ । କାମ୍ପବେଲ୍‌ ହସପିଟାଲ୍‌ରେ ଚାକିରି କରିଛନ୍ତି ପଚିଶ ବର୍ଷ ହେଲା । ପ୍ରାଇଭେଟ୍‌ ପ୍ରାକ୍‌ଟିସ୍‌ରେ ପାଆନ୍ତି ହଜାର ଟଙ୍କା ।

 

ତାଙ୍କର ଉନ୍ନତି ଏହି କଲିକତାରେ । ମିସ୍‌ନେରୀ ସାହାଯ୍ୟରେ ପାଠ ପଢ଼ି ଆଜି ସେ ମଣିଷ ହୋଇଛନ୍ତି ।

 

ସୁଧୀର ରହିବା ପାଇଁ ପାଇଛନ୍ତି ସୁନ୍ଦର ଆଧୁନିକ ଡିଜାଇନ୍‌ର ଏକ ଦୋତାଲା ବିଲଡ଼ିଂ-। ସୁଚିତ୍ରାଙ୍କ ପାଖରୁ ବିଦାୟ ନେବା ପରଠାରୁ ଏକ ଦୁଇ କରି ବିତି ଗଲାଣି ଆଠ ଦଶଟା ମାସ-। ସେ ଦିନର ରେଲଷ୍ଟେସନ୍‌ ଦେଖାହିଁ ତାଙ୍କର ଶେଷ ଦେଖା ହୋଇଛି ।

 

ସେ ପ୍ରଥମ ଦୁଇ ଚାରିଖଣ୍ଡି ଚିଠି ଦେଇଥିଲେ ସୁଚିତ୍ରାଙ୍କୁ । ଉତ୍ତର ବି ପାଇଥିଲେ ଠିକ୍ ସମୟରେ । ତାପରେ ଯୋଗାଯୋଗ ପ୍ରାୟ ଛିନ୍ନ ।

 

ତେଣେ ସୁଚିତ୍ରା ଭାବନ୍ତି କୌଣସି କାରଣ ବଶତଃ ଯଦି ସୁଧୀରଙ୍କ ସହିତ ତାଙ୍କର ବିବାହ ନ ହୁଏ ? ତେବେ ସେ କଣ ଫାଙ୍କିଦେବେ ? ମନରେ ଯୁକ୍ତି କରନ୍ତି କାହିଁକି ବା ସେ ବିବାହ ନ କରିବେ ? ସୁଧୀର ବାବୁ ତାଙ୍କୁ ଭଲ ପାନ୍ତି । ସେ ମଧ୍ୟ ଭଲପାନ୍ତି ସୁଧୀରଙ୍କୁ । କେତେଥର ଦୁହେଁ ଦୁହିଁଙ୍କୁ କଥା ଦେଇଛନ୍ତି । ତାହା କଣ କେବେ ଭୁଲ ହୋଇ ପାରେ ?

 

ହଁ, ତାଙ୍କଠାରୁ ଯଦି ଆହୁରି ସୁନ୍ଦରୀ—ଆହୁରି ଶିକ୍ଷିତା ଯୋଗ୍ୟା ପ୍ରାର୍ଥିନୀ ମିଳନ୍ତି କାହିଁକି ବା ସେ ନାରାଜ ହେବେ ? ନା, ନା, ସେ କଦାପି ଶଠତା କରିବେନି । ସେ ବଡ଼ ସରଳ । ସେତ ପ୍ରଥମେ କେତେ ଥର ପ୍ରସ୍ତାବ କରିଥିଲେ ରେଜିଷ୍ଟର୍ଡ଼ ମ୍ୟାରେଜ କରିବା ପାଇଁ । ତାଙ୍କର ଯେତେବେଳେ ଏତେ ଆଗ୍ରହ ସେ ଠକିବେ କାହିଁକି ?

 

ସୁଧୀରଙ୍କ ଚେହେରାର ଆକର୍ଷଣରେ ଓ ସୁନ୍ଦର ସ୍ଵଭାବ ନେଇ କେତେ ଯେ କଲେଜ ଗାର୍ଲ ପ୍ରଣୟ ପ୍ରାର୍ଥିନୀ ହେଲେଣି ତାର ସୀମା ନାହିଁ । ଶେଷକୁ ପ୍ରତିଯୋଗିତାରେ ଜିଣିଲେ ବି.ଏସ୍‌.ସି. ଫାଇନାଲ ଇୟର ଛାତ୍ରୀ ମଳୟା ସାସମଲ ।

 

ସୁଧୀରଙ୍କ ବ୍ୟବହାର ଓ ଶିକ୍ଷାଦାନରେ ସମସ୍ତେ ପ୍ରୀତ । ନଚେତ୍ କଲିକତା ସହରର ବାଳିକା ସୁନ୍ଦର ଉତ୍କଳର ଗୋଟିଏ ଯୁବକ ପାଖରେ ଆତ୍ମ ସମର୍ପଣ କରିବ ବା କାହିଁକି ?

 

ମଳୟା ଥିଲେ ତନ୍ଵୀ ସ୍ୱାସ୍ଥ୍ୟବତୀ ସୁନ୍ଦରୀ ସରଳା ଯୁବତୀ । ନାରୀର ସମସ୍ତ ସଦ୍‌ଗୁଣ ଓ ମଧୁରତା ପୁରା ମାତ୍ରାରେ ଥିଲା ତାଙ୍କ ଦେହରେ । ବାପା ତାଙ୍କର କଲିକତାରେ ଜଣେ ବଡ଼ ବାରିଷ୍ଟର । ଘର ମେଦିନପୁର ଜିଲାର କାନ୍ଥି ସବ୍‌ଡିଭିଜନରେ । ଏବେ ବି କୁଜଙ୍ଗର ମଫସଲ ଗାଁ ମାନଙ୍କରେ ତାଙ୍କର ଜମିବାଡ଼ି ଅଛି । ବର୍ଷରେ ଥରେ ଦି ଥର ବି ଆସନ୍ତି ଚାଷ ଗାଁକୁ । ପୂର୍ବ ପୁରୁଷ ତାଙ୍କର ଓଡ଼ିଶାର ଏହି ସାମଲ ପରିବାରର ।

 

ଏଥି ମଧ୍ୟରେ ସୁଧୀରଙ୍କୁ ରିସର୍ଚ୍ଚ କରିବା ପାଇଁ ରୁଷିଆ ଯିବାକୁ ପଡ଼ୁଛି । ସେଥିପାଇଁ ସେ ପ୍ରସ୍ତୁତ ହେଉଛନ୍ତି । କେଉଁ ମୁହୂର୍ତ୍ତରେ ଅର୍ଡ଼ର ଆସି ଯାଇ ପାରେ କିଏ ଜାଣେ ?

 

ଘରୁ ମା ଲେଖିଛନ୍ତି, ବାପା ! ବାହାଟା ହୋଇଯା । ମଳୟାର ମା ବାପା ବଡ଼ ଆଶା କରିଛନ୍ତି । ଝିଅଟି ବେଶ୍ ଭଲ । ସମାନସ୍କନ୍ଧ ବନ୍ଧୁ । ଖାନଦାନ ଘର । ବାପାତ ବୁଢ଼ା ହୋଇ ଆସିଲେଣି । ମଳୟାର ବାପା ବି ବିପଦ ଆପଦରେ ଛିଡ଼ା ହେବେ । ତୋର ମତ କଣ ?

 

ମା’ଙ୍କ ଚିଠି ପଢ଼ି ସୁଧୀର କିଛି ଉତ୍ତର ଦେଇ ନାହାନ୍ତି ।

 

ଗ୍ରୀଷ୍ମ ଛୁଟିରେ ଘରକୁ ଆସିଲେ ସୁଧୀର । ମା ତାଙ୍କର ପୁନରାୟ ଉତ୍‌ଥାପନ କଲେ ସେ କଥା ।

 

ସବୁ ଶୁଣି ସୁଧୀର କହିଲେ, ମା ! ମୁଁ ମଳୟାକୁ ଆଗରୁ ଜାଣେ । ସେ ଖୁବ୍‌ ବଡ଼ ଘରର ଝିଅ । ଆମ ଘରେ ଠିକ୍‌ ଖାପ ଖାଇବାନି ।

 

ମା ଅଞ୍ଜଳି ଦେବୀ କହିଲେ, ତତେ ଜୋଇଁ କରିବାକୁ ସେମାନେ ବଡ଼ ବ୍ୟାକୁଳ । ବାପା-! ତୁ ସେ ସୁଚିତ୍ରା କଥା ମନରୁ ପୋଛି ପକା । ସେ କଣ ମଳୟାର ପାସଙ୍ଗରେ ପଡ଼ିବ ? ଆଉ ତୁ ରୁଷିଆ ଦେଶକୁ ଯାନା ଏଇଠି‘ଲ’ ଟା ପାସ କରି ଘରର ଜମି-ବାଡ଼ି, ମିଲ୍‌, ମହାଜନୀ ସବୁ ଦେଖା ଶୁଣା କର । ବାପଙ୍କର ବି ସେଇଆ ଇଚ୍ଛା । ଏହି ବୁଢ଼ା ବୟସରେ ତତେ ସେ ବିଦେଶ ପଠାଇବାକୁ ଏକାନ୍ତ ଅନିଛୁକ, ବୁଝିଲୁ ?

 

ସୁଧୀର ସେ କଥାର କିଛି ଜବାବ ଦେଲେନି । ମନେ ମନେ ଭାବିଲେ ଯେଉଁ ଦେଶର ଜନନୀମାନେ ନିଜର ସନ୍ତାନକୁ ଦୂର ବିଦେଶକୁ ପାଖରୁ ଛାଡ଼ିବାକୁ ନାରାଜ ସେ ଦେଶର ଉନ୍ନତି କାହିଁ ?

 

ଆଉ ଦିନକର ଘଟଣା ।

 

ସୁଚିତ୍ରା ପହଞ୍ଚିଲେ ଗୀତାଙ୍କ ପଢ଼ାଘରେ ।

 

ପାଞ୍ଚମିନିଟ୍, ଦଶମିନିଟ୍ ପନ୍ଦରମିନିଟ୍‌, ଗତ ହୋଇ ଗଲାଣି । ତଥାପି ଗୀତାର ଦେଖା ନାହିଁ । ଚାକରାଣୀଠାରୁ ଶୁଣିଲେ ଗୀତା ଓ ନୀହାରିକା ଦେବୀ କେତେବେଳୁ ଚାଲିଗଲେଣି ସର୍କସ ଦେଖି ।

 

ସୁଚିତ୍ରା ମନେ ମନେ ବଡ଼ ବିରକ୍ତ ହେଲେ । ଭାବିଲେ ଗୀତାର ମା ଯଦି ଏକଥା ଗତ କଲି କହି ଦେଇଥାନ୍ତେ ତେବେ ସେ କାହିଁକି ଆଜି ଆସନ୍ତେ ବୃଥାଟାରେ ।

 

କାନ୍ଥ ଘଣ୍ଟା ଟି ଟିକ୍‌ ଟିକ୍‌ କରି ଆଗେଇ ଚାଲିଛି ଆପଣା ମନେ ମନେ । ଏଥିର ସୁଚିତ୍ରାଙ୍କର ଫେରି ଫେରି ଯିବାର କଥା ।

 

ଅଜୟ ବାବୁ ଆସି ପହଞ୍ଚି ଗଲେ । ବେଶ ପୋଷାକ ବଡ଼ ଝଲମଲ । ମୁହଁରେ ସିଗାରେଟ୍‌ । ଟେବୁଲ୍‌ ପାଖରୁ ଖଣ୍ଡେ ଚେୟାର ଟାଣି ଆଣି ବସି ପଡ଼ିଲେ । ଆଖିରେ ତାଙ୍କର ଝଲସି ଉଠୁଥିଲା ପ୍ରେମ-ନିବେଦନର ସ୍ପଷ୍ଟ କାତରତା । ଅନ୍ତର ଭିତରେ ଯେଉଁ ବିଚିତ୍ର କମନାର ଅଗ୍ନିଗୋଲକ ଉଦଗ୍ର କ୍ଷୁଧାରେ ଜଳୁଛି ତାର ପରିମାପ କିଏ ଜାଣିବ ? ସୁଚିତ୍ରାଙ୍କ ସେହି ଦେହ ଛନ୍ଦ ଉପରେ ହିଂସ୍ର ବିଷାକ୍ତ ଶର ପରି ତାଙ୍କର ଦୁଇଟି ଆଖିର ବୃଷ୍ଟି ସ୍ଥିର । ଉତ୍ତେଜନାରେ ସେ ଅତିଷ୍ଟ ।

 

ହସି ହସି ସୁଚିତ୍ରାଙ୍କୁ କହିଲେ, ଘରକୁ ଯିବେ ପର ? ମୁଁ ବି ବଜାରକୁ ଯାଉଛି; ଚାଲନ୍ତୁ । କିଛି ବାଟ ସାଙ୍ଗ ହୋଇ ଯିବା । ସିଗାରେଟ୍‍ ରୁ ଜୋରରେ ଗୋଟିଏ ଦମ୍‌ଟାଣି ନାକବାଟେ ଧୂଆଁ ଛାଡ଼ିଲେ ଅଜୟ ବାବୁ ।

 

ପ୍ରତିବାଦ କଲା ପରି ସୁଚିତ୍ରା କହିଲେ, ନା, ନା, ଆପଣଙ୍କୁ ମୋ ପାଇଁ ବ୍ୟସ୍ତ ହେବାକୁ ପଡ଼ିବନି । ମୁଁ ରିକ୍‌ସାରେ ଚାଲିଯିବି ।

ଅଜୟ ବାବୁ ସିଗାରେଟ୍‌ଟା ତଳେ ଫିଙ୍ଗି ଦେଇ ବଡ଼ ବିନୟରେ କହିଲେ, ଦିନେ ନେଇ ଛାଡ଼ି ଦେଇ ଆସିବ । ସେଥି ପାଇଁ ମୋର ବ୍ୟସ୍ତ କଣ ? ଆଚ୍ଛା ଗାଡ଼ିଟା ରେଡ଼ି କରି ଆସୁଛି ।

ଅଜୟ ବାବୁ ଚାଲିଗଲେ । ଚଟାଣ ଉପରେ ପଡ଼ିଥିବା ଦରପୋଡ଼ା ସିଗାରେଟ୍‌ର ଧୂଆଁ ଅଙ୍କା ବଙ୍କା ହୋଇ ଉଠୁଥିଲା ଉପରକୁ ।

ସୁଚିତ୍ରା ଅଜଣା ଆତଙ୍କରେ ଶିହର ଉଠଲେ । ଭାବିଲେ କି ମୁସ୍କିଲରେ ପଡ଼ିଲି ଏଠିକି ଟିଉସନ୍‌ କରିବାକୁ ଆସି ।

ପାଞ୍ଚ ମିନିଟ୍‌ଭିତରେ ମଟର ରେଡ଼ି ।

—ଆସନ୍ତୁ ମିସ୍‌ ଦାସ । ଅଜୟ ବାବୁଙ୍କ କଣ୍ଠରେ ଆନ୍ତରିକତାର ଢେଉ ।

ଅନିଚ୍ଛା ସତ୍ୱେ ସୁଚିତ୍ରା ଗାଡ଼ିରେ ଉଠିଲେ । ବସିଲେ ସାମନା ସିଟ୍‌ରେ କୋଣ ପାଖକୁ ନିଜକୁ ସଙ୍କୁଚିତ କରି ।

ଷ୍ଟିଅରିଂ ପାଖରେ ବସି ଷ୍ଟାର୍ଟ ଦେଲେ ଅଜୟ ବାବୁ । ମୁଖରେ ତାଙ୍କର କାପ୍‍ଷ୍ଟାନ୍‌ ସିଗାରେଟ୍‌ । ଏକ୍‌ସଲରଏଟର୍ ଉପରେ ପାଦର ଚାପ କ୍ରମେ କ୍ରମେ ବଢ଼ିବାରେ ଲାଗିଲା । ସୁଚିତ୍ରା ନିର୍ବାକ ।

 

ମଟର ଫୁଲ୍ ସ୍ପିଡ଼୍‍ରେ ଚାଲିଛି । ଖୋଲା ପବନ-ଉନ୍ମୁକ୍ତ ପଥ । ଚାଲିଛି ଦୂରକୁ-ବହୁ ଦୂରକୁ-ଅଜୟ ବାବୁଙ୍କର ଆୟତ୍ତର ବାହାରରେ ।

କାର୍‌ର ସ୍ୱଳ୍ପ ପରିସର ମଧ୍ୟରେ ମୁହୁର୍ମୁହୁ ଶରୀର ସହିତ ଶରୀରର ମୃଦୁ ସଙ୍ଘାତ । ଅଜୟବାବୁଙ୍କ ଦେହରେ ବିଦ୍ୟୁତ୍‌ପ୍ରବାହ ।

ହଠାତ୍‌ ରାସ୍ତାର ମୋଡ଼ ପାଖରୁ ଜନଗହଳି ରାସ୍ତା ଛାଡ଼ି କାରଟି ଚାଲିଲା ଅନ୍ୟ ଆଡ଼କୁ-। ବିଜୁଳି ଆଲୁଅ ବଦଳରେ ସ୍ୱଳ୍ପ ଆଲୋକ ଥିବା ନିର୍ଜନ ରାସ୍ତାରେ । ମଧୁର ସୁରଟିଏ ଗୁଣୁ ଗୁଣୁ ହୋଇ ଗାଉଛନ୍ତି ଅଜୟ ବାବୁ ମନ ଖୁସିରେ ।

ସୁଚିତ୍ରା ବିଚଳିତ ହୋଇ କହିଲେ, ଆପଣ ୟାଡେ କୁଆଡ଼େ ଯାଉଛନ୍ତି ? ଏ ରାସ୍ତାରେ ତ ଆମ ଘର ନୁହେଁ ?

ଅଜୟ ବାବୁ ହସି ହସି କହିଲେ, ଭୟ କରୁଛନ୍ତି ମିସ୍ ଦାସ ? ଡରିବାର କୌଣସି କାରଣ ନାହିଁ ।

ବାଁ ହାତରେ ହଠାତ୍‌ ଟାଣିନେଲେ ସୁଚିତ୍ରାଙ୍କ ପାଖକୁ । ଡାହାଣ ହାତ ଷ୍ଟିଅରିଂ ଉପରେ-

କହିଲେ ନିଶ୍ଚୟ ପହଞ୍ଚାଇ ଦେବି ଆପଣଙ୍କ ଘରେ । ତେବେ ପାଞ୍ଚ ଦଶ ମିନିଟ୍‌ ଡେରି ହେବ । ସାହାଣୀ କଣ୍ଟ୍ରାକ୍ଟର୍‌ସଙ୍କ ପାଖରେ ଗୋଟାଏ ଜରୁରୀ କାମ ଅଛି ।

ସୁଚିତ୍ରା ବିରକ୍ତ ହୋଇ ଜୋରରେ ଛଡ଼ାଇ ନେଲେ ନିଜକୁ । ସେ ଏ କଣ କଲେ ? କାହିଁକି ଗାଡ଼ିରେ ଉଠିଲେ ଆଗ ପଛ ବିବେଚନା ନ କରି ? ମନ ତାଙ୍କର ଘୃଣାରେ ଭରି ଉଠିଲା ।

ମଟର ଦୌଡ଼ୁଛି । ସ୍ପିଡ଼୍‍ ମିଟରର ନିଡ଼ଲ୍‌ ପଚାଶରୁ ଷାଠିଏ କିଲୋ ମିଟର ମଧ୍ୟରେ ।

ପୁଣି ଅଜୟ ବାବୁ ଲାଗି ଆସିଲେ ସୁଚିତ୍ରାଙ୍କ ପାଖକୁ । ଛାତି ଉପରକୁ ଟାଣିନେଲେ ।

ସୁଚିତ୍ରା ଆଉ ସମ୍ଭାଳି ପାରିଲେ ନି । ରାଗରେ ତମ ତମ ହୋଇ ପେଲିଦେଲେ ଅଜୟ ବାବୁଙ୍କୁ ।

ସେ ଏବେ କରିବେ କଣ ?ଯେପରି ଗୋଟାଏ ହିଂସ୍ର ଜନ୍ତୁର ପଂଝାରେ ପଡ଼ିଯାଇଛନ୍ତି । ନିଜକୁ ପ୍ରାଣ ପଣେ ଛଡ଼ାଇ ନେବାକୁ ଚେଷ୍ଟାକରି ପାରୁ ନାହାନ୍ତି ସେ ।

ଛି...ଛି....ଏଡେ ଅଭଦ୍ର, ହୀନା ଏହି ଭଦ୍ର ବେଶଧାରୀ ମଣିଷଗୁଡ଼ାକ ? ତେବେ କଣ ଆଜି ଚରିତ୍ର ହୀନ ହାତରେ ତାଙ୍କର ସର୍ବନାଶ ହେବ ? କିପରି ବଞ୍ଚାଇବେ ସେ ନିଜକୁ ?

ଅଜୟ ବାବୁ ନିଜକୁ ସଂଯତ କରି ନେଇ କହିଲେ, ଯଦି କିଛି ମନେ ନ କରନ୍ତି ତେବେ ଗୋଟିଏ କଥା... ।

ରାଗରେ ସୁଚିତ୍ରାଙ୍କ ଗୋଲାପି ଓଠ ଥରିଉଠିଲା—କଣ୍ଠରେ ବିଦ୍ରୁପ ଫୁଟୁଥିଲା । ସେ ବର୍ତ୍ତମାନ ଦିଗହରା । ବିବର୍ଣ୍ଣ ଓ ପାଣ୍ଡୁର ମୁଖରେ ଚାହିଁଲେ ଏ ପାଖ ସେ ପାଖ । ମନେ ମନେ ଡାକିଲେ ଯୀଶୁଙ୍କୁ । ହଠାତ୍‌ ମସ୍ତିସ୍କରେ ମୁକ୍ତ ପାଇ ବାର ଗୋଟାଏ ମାର୍ଗ ।

 

ସେ ଚିତ୍‌କାର କରି ଡାକି ଉଠିଲେ କାର ଶୀଘ୍ର ବନ୍ଦ କରନ୍ତୁ ମିଷ୍ଟର ପଟ୍ଟନାୟକ । ମୋ ଭ୍ୟାନିଟି ବ୍ୟାଗ୍‌ଟି ତଳେ ଖସି ପଡ଼ିଲା । କଣ୍ଠରେ ତାଙ୍କର ପାଷାଣର ଦୃଢ଼ତା ।

 

କାର୍‌ଟା ହଠାତ୍‌ ବନ୍ଦ ହୋଇଗଲା । ସୁଚିତ୍ରା ଦରଜା ଖୋଲି ବାହାରି ପଡ଼ିଲେ ପଦାକୁ । ବିପରୀତ ଦିଗରୁ ଆସୁଥିବା ଟ୍ୟାକ୍‌ସିଟାକୁ ହାତ ଦେଖାଇଦେଲେ । ଉଠିଗଲେ ଟ୍ୟାକ୍‌ସି ଭିତରକୁ । ଝଲକାଏ ଥଣ୍ଡା ପବନ ବହିଗଲା ସଁ ସଁ କରି ତାଙ୍କ ପାଖ ଦେଇ ।

 

ନିଃସଙ୍ଗ ଅଜୟ ବାବୁ ସେଇଠି ଠିଆ ହୋଇ ବିସ୍ପୋରିତ ନେତ୍ରରେ ଚାହିଁ ରହିଲେ । ଅପମାନରେ କଣ୍ଠ ତାଙ୍କର ରୁଦ୍ଧ ହୋଇ ଆସୁଥିଲା ।

 

ଟ୍ୟାକ୍‌ସିଟା ଚାଲିଗଲା କ୍ରମଶଃ ଦୂରକୁ ଆହୁରି ଦୂରକୁ । ଶେଷରେ ଆଉ ଦେଖା ଗଲାନି-

 

ସୁଚିତ୍ରା ପହଞ୍ଚିଲେ ଘରେ । ଦୁଃଖ ଓ ଅନୁଶୋଚନାରେ ମୁହଁ ତାଙ୍କର ଲାଲ ପଡି ଯାଇଛି-। ଘନ ଘନ ଶ୍ଵାସ ଉଠୁଛି । କବାଟ୍‌ଟା ବନ୍ଦ କରିଦେଲେ । ଚେୟାରଉପରେ ବସି ଟେବୁଲ୍‌ରେ ମୁଣ୍ଡ ରଖି ଭାବିଗଲେ ଆକାଶ ପାତଳ କେତେ କଣ ।

 

ବାସ୍ତବିକ ଶିକ୍ଷିତ ଯୁବତୀମାନଙ୍କର ଏହି ରକମ ସ୍ଵାଧୀନ ଜୀବିକା ପଥରେ ଆମ ଏ ଓଡ଼ିଶାରେ ସମ୍ମାନ ନାହିଁ, ଉତ୍ସାହ ନାହିଁ । ବଡ଼ ସଙ୍କୀର୍ଣ୍ଣ ବୃଷ୍ଟ କୋଣ । ନାରୀ ଜାତିର ଜାତିର ଏକ କୋମଳ ପ୍ରାଣରେ କେତେବେଳେ ଯେ କଣ ଘଟିଯିବ କିଏ ଜାଣେ ? ସେଇଥିପାଇଁ ଆମେ ଆମ ଓଡ଼ିଆ ସିନେମା ଜଗତ ଆଗେଇ ପାରୁନି । ସାଧାରଣ କର୍ମ କ୍ଷେତ୍ର ଭିତରକୁ ଆସିବା ପାଇଁ ନାରୀ ଭୟ ପାଉଛି । ଓଡ଼ିଆ ଘରେ କଣ ଶିକ୍ଷିତା ସୁନ୍ଦରୀ ଯୁବତୀର ଅଭାବ ଅଛି ?

 

ସୁଧୀରଙ୍କର ବାହାଘର ସରିଯାଇଛି । ଶେଷ ପର୍ଯ୍ୟନ୍ତ ସେ ସେହି ସପଥକୁ ରଖି ପରି ନାହାନ୍ତି କି ସେହି ଶପଥ ଭାଙ୍ଗିବାର ଅନୁମତି ଦେଇ ନାହାନ୍ତି ସୁଚିତ୍ରାଙ୍କୁ ।

 

ମଳୟା ତାଙ୍କର ମନ ମୁତାବିକ ଜୀବନ ସଙ୍ଗୀନୀ-ସହଧର୍ମିଣୀ । ବାପା ମା’ଙ୍କୁ ବୋହୂ ଭଲ ଲାଗିଛି । ସୁଧୀରଙ୍କୁ ତ ନିଶ୍ଚୟ ଭଲ ଲାଗିବା ।

 

ସୁଧୀର ଦିନ ରାତି ଜାଣୁ ନାହାନ୍ତି । ଆନନ୍ଦରେ ମସ୍‌ଗୁଲ । ଜୀବନ ନଦୀ ହସ ଖୁସିରେ ଉଛୁଳି ଉଠୁଛି ।

 

ମଳୟା ବି ସନ୍ତୁଷ୍ଟ ଏହି ଘରକୁ ବୋହୂ ହୋଇ ଆସି । ବିସ୍ତର ସଂପତ୍ତି । ବ୍ୟାଙ୍କ ବାଲାନ୍‌ସ୍‌ ବି ଯଥେଷ୍ଟ ।

 

ସୁଚିତ୍ରା ଅନୁତପ୍ତା ମର୍ମାହତା । ପର ପର ଏତେ ଗୁଡ଼ାଏ ଚିଠିର ଉତ୍ତର ନାହିଁ । ଖଣ୍ଡେ ନୁହେଁ-କେତେ ଖଣ୍ଡ ଚିଠି । ସବୁ ଚିଠି କରୁଣ । ଅସହାୟ ମିନତି ପୂର୍ଣ୍ଣ । ତାଙ୍କ ପାଖରୁ କ୍ଷମା ଭିକ୍ଷା-ଅପରାଧିନୀ ପରି ଜଳ ବୁହାଇ ଦେଇଥିବା ଚିଠି ଗୁଡ଼ାକ ସୁଧୀରଙ୍କ ମନକୁ ସ୍ପର୍ଶ କରିନି । ହାୟରେ କପାଳ !

 

ତିନିମାସ-ଛଅମାସ-ଏକବର୍ଷ କଟି ଗଲାଣି ।

 

ସେ ଦିନ ସକାଳେ ସୁଚିତ୍ରା ପାଇଲେ ଖଣ୍ଡିଏ ଚିଠି କଲିକତାରୁ । ଲେଖିଛନ୍ତି ତାଙ୍କ ସ୍କୁଲ ଜୀବନର ସହପାଠିନୀ ରଞ୍ଜନା ପାତ୍ର । ଯେଉଁ କଲେଜରେ ସୁଧୀର ବାବୁ ଲେକ୍‌ଚରର୍‌ ସେହି କଲେଜରେ ସେ ପଢ଼ନ୍ତି ବି. ଏସ୍‌. ସି. । ଚିଠିଟିର ସାରକଥା ହେଉଛି,“ତୋ ପାଇଁ ଅପେକ୍ଷା କରିବାକୁ ସୁଧୀରଙ୍କର ସମୟ ନଥିଲା । ସେ କଲେଜ ଛାତ୍ରୀ ମଳୟା ସାସମଲଙ୍କୁ ବାହା ହୋଇ ପଡ଼ିଛନ୍ତି’’।

 

ସେହି ଲେଖା ଧାଡ଼ିକ ଯେପରି ବହୁତ କଥା କହିଗଲା ସୁଚିତ୍ରା ଦାସଙ୍କୁ । ତାଙ୍କର ମନେ ହେଲା ଯେପରି ସେ କେତେ ହଜାର ଫୁଟ ଉପରୁ ତଳୁ ଖସି ପଡ଼ିଛନ୍ତି । ଝିମି ଝିମି କରି ଉଠିଲା ଶରୀରର ପ୍ରତି ରକ୍ତ କଣିକା । ଝଡ଼ ବିକ୍ଷୁବ୍‌ଧ ବହ୍ନି ଶିଖା ପରି କମ୍ପି ଉଠିଲା ସାରା ଶରୀରଟା ତାଙ୍କର । ଯେଉଁ ବୁଭୁକ୍ଷୁ ପ୍ରାଣ ତାଙ୍କର ଦିନେ ଚାହିଁଥିଲା ସାଗର ସଙ୍ଗମ-ସୃଷ୍ଟିର ଆବେ-ଦିନ ତାର ଫଳ କଣ ଏଇଆ ?

 

ଆହାଃ ! କେତେ ମଧୁର ମୁହୂର୍ତ୍ତର କେତେ ପ୍ରେମ କେତେ ପ୍ରତିଶ୍ରୁତି ଗୋଟିଏ ମୁହୂର୍ତ୍ତରେ ମିଳେଇ ଗଲା ଉତ୍ତାଳ ନଦୀ ବକ୍ଷରେ ଭାସମାନ ବୁଦ୍‌ବୁଦ ପରି । କେତେ ଆନ୍ତରିକତା, ରୋମାଞ୍ଚ, ଉତ୍ସୁକତା ନେଇ ଯେଉଁ ଚିଠି ଲେଖିଥିଲେ ତାର ପ୍ରତିଦାନ କଣ ସେ ଏଇଆ ଆଶା କରିଥିଲେ ?

 

ଲୋକେ ମୁହଁରେ ସତେ କେତେ ବଡ଼ ବଡ଼ କଥା ବା ନ କହନ୍ତି । ସମାଲୋଚନା ବା ନ କରନ୍ତି ? କିନ୍ତୁ ନିଜବେଳକୁ ସେ ସବୁ କଥା କାହିଁ ?

 

ଯେଉଁ ସୁଧୀରଙ୍କୁ କେନ୍ଦ୍ରକରି ସେ ଦେଖି ଆସିଥିଲେ ଅନେକ ସ୍ୱପ୍ନ ସେହି ସ୍ୱପ୍ନର ରଙ୍ଗ ବଦଳି ଗଲା । ମନ ଆକାଶରେ ପଡ଼ିଥିବା ଆଶାର ତାଜ ଭୁଷୁଡ଼ି ପଡ଼ିଲା—ଭଲ ପାଇବାର ମୀନାର ଗମ୍ବୁଜ ଖସି ପଡ଼ିଲା—ବିଶ୍ୱାସ ଓ ନିର୍ଭରତାର ରଙ୍ଗମହଲ ଧସି ପଡ଼ିଲା । ମନର ଅନ୍ତରାଳରେ ଭୟଙ୍କର ଝଡ଼ । ସେହି ଝଡ଼ରେ ତାଙ୍କର ଆଶାକାନନର ଜୀବନ ଲତାଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା ।

 

ସେ ଅଭିମାନ ରେ ଫାଟି ପଡ଼ିଲେ । ପାଗଳୀ ପରି ଡାକି ଉଠିଲେ । ସୁଧୀର ବାବୁ ! କଣ ନ କଲେ ଆପଣ ? ଆପଣଙ୍କ ଅତି ଆଦରର ଚିତ୍ରାକୁ ନିଜ ହାତରେ ମାରିଦେଲେ ?

 

ଏହି ଅଳ୍ପ କେତୋଟି ମିନିଟ୍‌ ଭିତରେ ସୁଚିତ୍ରାଙ୍କର ଜୀବନ ଓଲଟ ପାଲଟ ହୋଇଗଲା । ଅନୁଭୂତିର ତୀବ୍ରତାରେ ବାସ୍ତବିକ୍‌ ଗୋଟିଏ ଗୋଟିଏ ମୁହୂର୍ତ୍ତ ଜୀବନର ଅନେକ ବର୍ଷକୁ ଡେଇଁଯାଏ-

 

ଚିତ୍ତରଞ୍ଜନ ବାବୁ ଏ କଥା ଶୁଣି ଦୁଃଖରେ ଅଶ୍ରୁ ଢାଳିଲେ । ମନରେ ତାଙ୍କର ଅଶାନ୍ତି ବାଦଲର ଘନଛାୟା !

 

ସୁଚିତ୍ରାଙ୍କ ମନର ମେଘ କଟିଲାନ....ଆକାଶରେ ପୁଣି ହସି ଉଠିଲାଣି ସୁନେଲି ଖରା....ଆଉ ଚିକ୍‌ଚିକ୍‌ କଲାଣି ସପ୍ତରଙ୍ଗ ଇନ୍ଦ୍ରଧନୁ ସେଠି ।

 

ସେ ଦିନ ରାତିରେ ସୁଚିତ୍ରା ଆଉ ଶୋଇ ପାରିଲେନି । ସୁଧୀରଙ୍କ ଲାଞ୍ଛନା, ଅପମାନ, ଆଘାତ, ସବ୍ୟ ମୃତପ୍ରାୟ କରିଦେଲା ତାଙ୍କୁ । ଯେଉଁ ସୁଧୀରଙ୍କ ପାଇଁ ତାଙ୍କ ହୃଦୟ ଭିତରେ ଥିଲା ଏକ ସୁବୃତ ଆସନ, ତାହା ଯଦି ଗ୍ରହଣ ନ କଲେ ତେବେ ସୁଚିତ୍ରା କରିବେ କଣ ? ବରଂ ସେ ଆସନ ଶୂନ୍ୟ ହୋଇ ରହିଯିବ ସାରା ଜୀବନ ପାଇଁ । କିନ୍ତୁ ଆଉ କେହି ସେ ଆସନ ପାଇ ପରିବେନି କେଉଁଦିନ ।

 

କବାଟ ଝରକା ବନ୍ଦ କରିଦେଲେ ଭିତରପଟୁ । ବିଜୁଳି ଆଲୁଅ ଅଫ୍ କରିଦେଲେ । ଘର ଭିତରେ ଅନ୍ଧକାରର ରାଜତ୍ଵ । ଭୟଙ୍କର ଗରମ—ଶୋଇ ହେଉନି । ଉଠି ସୁଇଚ୍ ଟିପି ଫ୍ୟାନଟାକୁ ଫୁଲ୍ ସ୍ପିଡ଼୍‍ରେ ଘୂରାଇ ଦେଲେ । ରେଜଇଟା ଟାଣିଆଣି ଘୋଡ଼ାଇ ହୋଇ ପଡ଼ିଲେ ଆପଦ ମସ୍ତକ । ସେଥିରେ କଣ ନିଦ ଆସେ ? ସେଇମିତି ପଡ଼ି ରହିଲେ ଖଟ ଉପରେ ।

 

ବାହାରେ ଅଦିନିଆ ବର୍ଷା । ଆକାଶରେ ବିଜୁଳିର ଝଲକ । ବର୍ଷାର ଝର ଝର ଶବ୍ଦ କାନରେ ବାଜୁଛି । ମନ ଦୁର୍ବଳତାରେ ଭାଙ୍ଗି ପଡ଼ୁଛି । ତଥାପି ଏହି ଅଳ୍ପ କେତୋଟି ମାସର ସୁଖ ଦୁଃଖ ହସ କାନ୍ଦର ହିସାବ ନିକାଶ ତାଙ୍କୁ କରିବାକୁ ପଡ଼ିବ ।

 

ତେଣେ ବାହାର ଦରଜାରେ ଘନ ଘନ କରାଘାତ ।

 

ଦିଦି ! ଦିଦି ! ଦିଦି !

 

ଶୋଇବାର ବାଧା ପଡ଼ିଲା ସୁଚିତ୍ରାଙ୍କର । ସାନ ଭଉଣୀ ଦୁଲି ଡାକୁଛି । ଉଠିବାକୁ ଇଚ୍ଛାନାହିଁ । ବଡ଼ ବିରକ୍ତି ହୋଇ କହିଲେ, ଆଜି ମୁଁ ଖାଇବି ନି, ଦୁଲି ।

 

କାହିଁକି ? କଣ ହେଲା ?

 

ତୁ ମୋ ପାଖରୁ କୈଫିୟତ୍‌ ନେବୁ ନା କଣ ?

 

ଦୁଲି ଚୁପ୍ ହୋଇ ରହିଗଲା ।

 

ୟାପରେ ଆହୁରି ଛଅମାସ କଟିଗଲାଣି । ସୁଧୀରଙ୍କ ମନ ଭିତରକୁ ସୁଚିତ୍ରାଙ୍କ ସ୍ମୃତି କ୍ଷୀଣ ହୋଇ ଆସିଲାଣି । କାମର ଚାପରେ ନାନା ରକମ ଝାମେଲା ଭିତରେ ମନ ରଖିବା ସମ୍ଭବ ହୋଇନି ।

 

ତାଙ୍କର ରୁଷିଆ ଯିବା ପାଇଁ ସବୁ ଠିକ୍‌ ଠାକ୍‌ । ମୋଟେ ଆଉ ତିନିଦିନି ବାକୀ । କଲେଜରୁ ଫେରି ଦେଖିଲେ ଖଟ ଉପରେ ସୁଚିତ୍ରାଙ୍କ ଚିଠିକୁ ।

 

ସମ୍ବଲପୁର

୫ । ୧ । ୫୮

 

ସୁଧୀର ବାବୁ,

 

ଅଭାଗିନୀର ପ୍ରଣାମ ନେବେ ।

 

ଆଜି ପୁଣି ଆପଣଙ୍କ ନିକଟକୁ ଲେଖୁଛି । ବହୁତ ଆଶା କରିକି ଲେଖୁଛି । ବାଧ୍ୟ ହୋଇ ଲେଖୁଛି । ନିରୁପାୟ ହୋଇ ଲେଖୁଛି ।

 

ମାସେ ହେଲା ମୋର ଶରୀର ଖୁବ୍‌ ଖରାପ । ଦିନକୁ ଦିନ ଶରୀର ଦୁର୍ବଳ ତହିଁରେ ପୁଣି ରକ୍ତହୀନତା ।

 

ଆପଣଙ୍କୁ ଥରେ ଦେଖିବାକୁ ଇଛା । କେତେ ଦିନ ହେଲା ଦେଖିନି । ଆଜିକି ପ୍ରାୟ ଦେଢ଼ ବର୍ଷ ।

 

କାହିଁ ଆପଣ ଆସିଲେ ନାହିଁତ ? ଆପଣଙ୍କର କଣ ଇଚ୍ଛା ହୁଏ ନା ଥରେ ଆସି ଚିତ୍ରାକୁ ଦେଖି ଯିବାକୁ ? କାଲି ରାତିରେ ଆପଣଙ୍କୁ ସ୍ଵପ୍ନରେ ଦେଖିଲି । ସାରା ଜୀବନ କଣ ଆପଣ ସ୍ଵପ୍ନରେ ରହିଯିବେ ?

 

ହଁ, ଆପଣଙ୍କୁ ପାଇବି ବୋଲି କୋଟି ଯୁଗର ସ୍ଵପ୍ନ ନେଇ ପ୍ରତୀକ୍ଷା କରିଥିଲି । ଆପଣଙ୍କୁ ନେଇ ସୁଖର ନୀଡ ବାନ୍ଧିବି ବୋଲି ଅନେକ କିଛି କଳ୍ପନା କରିଥିଲି । କିନ୍ତୁ ଏ ଜୀବନରେ ତାହା ସମ୍ଭବ ହେଲାନି ।

 

ସୁଧୀର ବାବୁ, କଣ ନ କହିଥିଲେ ଆପଣ ? ସେହି ମହାନଦୀ ବାଲିର ପ୍ରତିଜ୍ଞା କଥା ଆପଣଙ୍କର ମାନେ ପଡ଼େନା ? ସେହି ଭଲ ପାଇବାର ଅନ୍ତରାଳରେ ଏତେ ବିଷ ଭରି ରଖିଥିଲେ-? କଣ ଉପଦେଶ ବା ନ ଦେଇଥିଲେ ମତେ ? ଆଜି ଆଉ ସେ ଉପଦେଶ ଭିତରେ ସ୍ନେହର ସ୍ପର୍ଶ କାହିଁ ? ଜୀବନୋତ୍ସର୍ଗ ସାଧନାର କଣ ଏହି ଫସଲ ଫଳିଲା ?

 

ହଁ, ଆପଣ ବିବାହିତ । ଧନୀର ଦୁଲାଳୀ ଶିକ୍ଷିତା ମଳୟା ଆଜି ଆପଣଙ୍କ ଜୀବନ ସଂଗିନୀ । ଯାହା କରିଛନ୍ତି ଖୁବ୍ ଭଲ କରିଛନ୍ତି । ଯଦି ଆପଣ ସେଥିରେ ଖୁସି ଓ ତୃପ୍ତ ମୋର କିଛି କହିବାର ନାହିଁ । ମୁଁ ବର୍ତ୍ତମାନ ଦୁଃଖ, କଷ୍ଟ ଓ ବେଦନାର ଶେଷ ସୀମାରେ ! ହୃଦୟ ଚିରି ଦେଖେଇ ଦେବାର ଶକ୍ତି ଥିଲେ ଦେଖେଇ ଦିଅନ୍ତି ସେଠି କିପରି ଶୂନ୍ୟତା ଓ ଦୈନ୍ୟର ରାଜତ୍ଵ । ନାହିଁ ଶିହରଣ, ନାହିଁ ରୋମାଞ୍ଚ-ନାହିଁ ମେଘ ନାହିଁ ଖରା-ନାହିଁ ଝଡ଼ ବତାସ ନାହିଁ ଚାନ୍ଦର ଜ୍ୟୋତ୍ସ୍ନା । ଅଛି କେବଳ କୁହେଳିକା....ଜୀବନ ଘେରା କୁହେଳିକା ।

 

ଏଣିକି କୌଣସି ଆଘାତ ସ୍ପର୍ଶ କରିବନି ମତେ । ମୁଁ ଆଉ ଆପଣଙ୍କ ହତାଶ ପ୍ରେମର ଆଶ୍ରୟ ଖୋଜିବିନି । କାରଣ ମୁଁ ତାର ଅଯୋଗ୍ୟା । ପ୍ରକୃତରେ ମୁଁ ହାରିଯାଇଛି...ତିଳ ତିଳ ହୋଇ ମରି ଯାଇଛି—ଆପଣଙ୍କ ପାଖରେ ଅଲୋଡ଼ା ହୋଇ ରହି ଯାଇଛି । ଆପଣ ଘୃଣା କଲେବି ମୁଁ ମୋର ସ୍ନେହ ମମତା ଭକ୍ତି ରଖିଥିବି ଆପଣଙ୍କ ଉପରେ । ଲକ୍ଷ କିଲୋମିଟର ଦୂରରେ ଥିଲେ ବି ତାହା ଥିବା ସେହିପରି ଅକ୍ଷୟ ଆମର ହୋଇ ।

 

ମା’ ଙ୍କର ବ୍ଲଡ୍ ପ୍ରେସର ଦିନକୁ ଦିନ ବଢ଼ି ଲାଗିଲା । ସେ ରୋଗ ଶଯ୍ୟାରେ ଆପଣଙ୍କୁ କେତେ ବା ନ ଖୋଜିଛନ୍ତି ? ସୁଧୀର ବାବୁ, ସତରେ ଆପଣ ଏଡ଼େ ନିଷ୍ଠୁର ? ଚିଠି ପାଇ ବ ଟିକିଏ ଆସିଲେନି ? ଝୁରି ଝୁରି ସେ ବି ଚାଲିଗଲେ ।

 

ଆପଣଙ୍କ କଥା ମାନି ବି. ଏସ୍‌. ସି. ପାସ୍‌ କରିବା ପର୍ଯ୍ୟନ୍ତ ପଢ଼ିଥାନ୍ତି । କିନ୍ତୁ ଆଇ. ଏସ୍‌. ସି. ସେକଣ୍ଡ ଇୟର୍‌ରେ ପୋଥିରେ ଡୋର ବନ୍ଧାଗଲା । ଘରର ଆର୍ଥିକ ପରିସ୍ଥିତି ଅନୁକୂଳ ହେଲାନି । ତହିଁରେ ହଜାର ହଜାର ଟଙ୍କା ଦେଣା ।

 

କିଛି ଦିନ ଟିଉସନ୍‌ କରି ତାକୁ ଛାଡ଼ିଲି । ଯଦି ବଞ୍ଚେ ଯିବି ସେକେଣ୍ଡାରୀ ଟ୍ରେନି୍ଂ।

 

ଆଜି ମନର ସମସ୍ତ କଥା ଖୋଲା ଖୋଲି ଭାବେ ଲେଖି ଦେଲି । ବିରକ୍ତ ହେବେନି । ରାଗ କରିବେନି ।

 

ମୋର ଆପଣଙ୍କୁ ଅନେକ କଥା କହିବାର ଅଛି । ଯେ କୌଣସି ପ୍ରକାରେ ଥରେ ଆସନ୍ତୁ । ଆପଣଙ୍କୁ ଦେଖିବି । କିଛି ଚାହିଁବିନି ଆପଣଙ୍କ ପାଖରୁ । ଏଇ ଆଶାରେ ରହିଲି ।

 

ମଳୟା ଦିଦିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇ ଦେବେ ।

 

ଚିର ଉପେକ୍ଷିତା

ସୁଚିତ୍ରା

 

ସୁଧୀର ସୁଚିତ୍ରାଙ୍କ ଚିଠି ଖଣ୍ଡିକ ପଢ଼ୁଥିଲେ...ଚିଠିର ଭାଷା ମନେ ମନେ ବିଶ୍ଳେଷଣ କରୁଥିଲେ...ଶରୀରରୁ ଝାଳ ଗମ୍‌ଗମ୍‌ ହୋଇ ବୋହି ଆସୁଥିଲା । ଆଉ ମନେ ମନେ ଶୁଣିବାକୁ ପାଉଥିଲେ ଗୋଟିଏ ନିରିହା ସରଳା ବାଳିକାର ଅତୃପ୍ତ ଆତ୍ମାର କରୁଣ ଦୀର୍ଘଶ୍ଵାସ । ବାସ୍ତବିକ ସେ ଅନ୍ୟାୟ କରିଛନ୍ତି । ସୁଚିତ୍ରାଙ୍କର ସେହି ଉପବାସୀ ଆତ୍ମାକୁ ଖାଦ୍ୟ ନ ଦେଇ ଚିରଦିନ ଉପବାସ ରେ ରଖିଦେଇ ଆସିଛନ୍ତି । ତାଙ୍କ ତୃଷାତ ପ୍ରାଣର ଆହ୍ୱାନ ବ୍ୟର୍ଥ ହୋଇଛି ।

 

ଦୀର୍ଘ ମାସ ତଳର କଥା ତାଙ୍କର ଆାଖି ଆଗରେ ଭାସି ଉଠିଲା । ଅତୀତର ସେହି ଅଭୁଲା ସ୍ମୃତିର ବ୍ୟଥା ପ୍ରାଣକୁ ହଲ୍‌ଚଲ୍‌ କରିଦେଲା । ସାରା ଶରୀରେ ତାଙ୍କର ଅସମ୍ଭବ କମ୍ପନ ମନରେ ଅସ୍ଥିରତା ।

 

ଏହି ଦୀର୍ଘଦିନର ବ୍ୟବଧାନରେ ସେ ମଳୟା, ଶାନ୍ତା, ଚନ୍ଦନା, ଓ ଅନନ୍ୟା ଅପ୍‌ଟୁଡେଟ୍ ଗାର୍ଲମାନଙ୍କ ସଂସ୍ପର୍ଶରେ ଆସି ଭୁଲି ଯାଇଥିଲେ ସୁଚିତ୍ରାଙ୍କୁ ଓ ନିଜର ପ୍ରତିଶ୍ରୁତିକୁ । ଏକାବେଳେକେ ଯେ ଭୁଲିଯାଇଥିଲେ ତାହା ନୁହେଁ । ମଝିରେ ମଝିରେ ମନର ଗଭୀରତମ ପ୍ରଦେଶରେ ଦେଖାଦିଏ ସୁଚିତ୍ରାଙ୍କର ସେହି ଛଳ ଛଳ ଆଖି ନୀରବ ମଉନ ଭାଷା କେବେ କେବେ ।

 

ସେ କିନ୍ତୁ ଆଜି ତାଙ୍କଠାରୁ ବହୁ ଦୂରରେ ସସ୍ତ୍ରୀକ ଜୀବନଯାପନ କରୁଛନ୍ତି ଏଠି । ଏହି ଆଶା ହତାଶା ଆନନ୍ଦ ଅଶ୍ରୁ ଭିତରେ ସେ ସେହି ପୁରୁଣା ଦିନର ରଙ୍ଗିନ ସ୍ଵପ୍ନ ଭିତରକୁ ଫେରିଗଲେ-

 

ଏହି ଘଟଣା ହେଉଛି ତାଙ୍କ ନିଜ ଜୀବନର । ତେଣୁ ସେ ଏତେ ଉଦ୍‌ଭ୍ରାନ୍ତ ଏତେ ଅସମ୍ଭାଳ...ଏତେ ବିପନ୍ନ...ଏତେ ବିଧ୍ୱସ୍ତ । ଏପରି ଗୁରୁତର ଘଟଣା ଯେ ଏ ନୂଆ ଦୁନିଆରେ ନ ଘଟୁଛି ତାହା ନୁହେଁ । ଯୁବକ ଯୁବତୀଙ୍କ ଜୀବନରେ ଏଭଳି ହଜାର ହଜାର, ଲକ୍ଷ ଲକ୍ଷ ଘଟଣା ଆବହମାନ କାଳରୁ ଘଟି ଆସୁଛି । ବର୍ତ୍ତମାନ କେଉଁଠି ଘଟି ସାରିଛି...ଆଇନ୍‌ ଅଦାଲତରେ ଘଟୁଛି....ଖବର କାଗଜରେ ବାହାରିଛି । ଏଇଟା ଅତି ସମ୍ଭବ....ଅତି ସ୍ୱାଭାବିକ...ଅତି ସାଧାରଣ ।

 

ତଥାପି ? ତଥାପି ସୁଚିତ୍ରାଙ୍କ କଥା ଭାବିବା ବେଳକୁ ସେ ଅନୁତପ୍ତ ହୋଇ ଉଠିଲେ । ଗୋଟାଏ ଅନ୍ୟାୟ ଅପରାଧ ଜାଗି ଉଠିଲା ତାଙ୍କ ମନ ଭିତରେ । କିନ୍ତୁ ସେହି ଅନ୍ୟାୟ ଓ ବିଶ୍ଵାସଘାତକତା ଯେ ଏଡେ ବଡ଼ ଦାରୁଣ ଆଗରୁ କେବେ ସେ କଥା ମନରେ ତାଙ୍କର ଆସିନଥିଲା-। ବର୍ତ୍ତମାନ ଦୁଃଖ ଓ ଲଜ୍ଜା ମର୍ମେ ମର୍ମେ ଅନୁଭବ କଲେ ସୁଚିତ୍ରାଙ୍କ ସେହି ହତାଶ ଅବଶୋଷଭରା ଚିଠିଟି ପଢ଼ି । ଯେତେ ସେ ଭାବି ବସିଲେ ସେତେ ଅନ୍ତର ତାଙ୍କର ବ୍ୟର୍ଥତାରେ ହାହାକାର କରି ଉଠିଲା । ସେତ ଦିନେ ପୁଣି ସୁବର୍ଣ୍ଣ ପ୍ରତିମା ପରି ସୁଚିତ୍ରାଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ ହୃଦୟ ଭିତରେ ଦେହ ଓ ମନର ଅର୍ଘ୍ୟ ଦେଇ !

 

ସେ ଖୋଜି ବସିଲେ ମଳୟାଙ୍କ ଭିତରେ ସୁଚିତ୍ରାଙ୍କୁ । ନା, ଚିତ୍ରା କଣ ପାଇଛନ୍ତି ? ଯାହା ଚାହିଁଛନ୍ତି ତାହା ସେ ପାଇ ନାହାନ୍ତି ।

 

ସୁଚିତ୍ରା ଆଜି ରୋଗ ଶଯ୍ୟାରେ । କଣ କରିବେ ସେ ? ସମ୍ବଲପୁର ଯାଇ ଫେରି ଆସିବାକୁ ଅନ୍ତତଃ ତିନି ଦିନ ଲାଗିଯିବ । ତେଣେ ରୁଷ ଯିବାପାଇଁ ସମସ୍ତ ଆୟୋଜନ ସରିଛି-ବେଡ଼ିଂ ପତ୍ର ବନ୍ଧାବନ୍ଧି । ପାସପୋର୍ଟ ମଧ୍ୟ ହସ୍ତଗତ । ଏପରିକି ଏରୋପ୍ଲେନ୍‌ରେ ସିଟ୍ ରିଜର୍ଭ । ଗଲେ ଠିକ୍‌ ସମୟରେ ଫେରି ଆସି ହବନି । ତେବେ ଉପାୟ ?

 

ଚିଠିଟି ଡ଼୍ରୟାର ଭିତରେ ରଖିଦେଲେ । ସଙ୍ଗେ ସଙ୍ଗେ ଉତ୍ତର ଲେଖି ବସିଲେ ।

 

କଲିକତା

୭ । ୧୧ । ୬୮

 

ଚିତ୍ରା,

 

ତୁମେ ଭାବୁଛ ମୁଁ ନିଷ୍ଠୁର । ନା, ନା, ମୁଁ କେବେ ନିଷ୍ଠୁର ନୁହେଁ । ଅବସ୍ଥାର ଘୂର୍ଣ୍ଣିରେ ପଡ଼ି ତୁମକୁ ଭୁଲି ଯାଇଛି । ନିଜର କରି ପାରିନି । କ୍ଷମା ଦେବ । ଯାହା ହେବାର ହୋଇ ଯାଇଛି । ଆଉ ଅତୀତକୁ ଭାବିବାରେ ଲାଭ ନାହିଁ ।

 

ତଥାପି ମନ କହେ ତୁମେ ମୋର । ତୁମେ ଶୀଘ୍ର ସୁସ୍ଥ ହୋଇଯାଅ ।

 

ମାଉସୀଙ୍କର ଶେଷ ଦର୍ଶନ କରି ପାରିଲିନି । ତାଙ୍କର ଇଚ୍ଛା ପୂର୍ଣ୍ଣ କରି ପାରିଲିନି । ମନରେ ଅବଶୋଷ ରହିଗଲା । ଆହା ! କେତେ ସ୍ନେହ ବା କରୁଥିଲେ ମତେ ।

 

ରୁଷ୍‍ ଯିବାପାଇଁ ସବୁ ରେଡ଼ି । ତେଣୁ ହଠାତ୍‌ ଯାଇ ପାରୁନି ।

 

ଚିଠିରୁ ଘରର ଅସୁବିଧା ବୁଝି ପାରୁଛି । ଔଷଧ ଓ ପଥ୍ୟ ପାଇଁ କିଛି ପଠାଇଲି । ଗ୍ରହଣ କରିବ ।

 

ମଳୟାର ଶୁଭେଚ୍ଛା ନେବ ।

 

ତୁମର

ସୁଧୀର ବାବୁ

 

ଠିକ୍‌ ଚାରିଦିନ ପରେ—

 

ଜଣେ ମୁସଲମାନ ଡାକ ପିଅନ୍‌ଚିଠି ଓ ଟଙ୍କା ଡ଼େଲିଭରୀ ପାଇଁ ଆସି ପହଞ୍ଚିଲା ସୁଚିତ୍ରାଙ୍କ ଘରେ ।

 

ଦୁଇଶହ ଟଙ୍କା ମନିଅର୍ଡ଼ର ଫର୍ମଟି ଦୁର୍ବଳ ହାତରେ ଧରି ଟିକିଏ ଏ ପାଖ ସେ ପାଖ କଲେ ସୁଚିତ୍ରା । ମନରେ ଭାବିଲେ, ନା, ସୁଧୀର ବାବୁ ସେ ଟଙ୍କା ମୋର ଦରକାର ନାହିଁ । ସେ ଧନ ପ୍ରତି ମୋର ଆଦୌ ଲୋଭ ନାହିଁ । ହେଲେ ବା ଆମେ ନିଃସ୍ୱ-ରିକ୍ତ-ଗରୀବ । ମନରେ ବି ଟିକିଏ ରାଗ ଆସିଗଲା ସୁଧୀରଙ୍କ ଉପରେ । ସେ ବ୍ଳାଉଶ୍ ଭିତରୁ ଫାଉଣ୍ଟେନ୍‌ ପେନ୍ ଟା କାଢ଼ିଲେ-। ବଡ଼ ବଡ଼ ବ୍ଲକ୍ ଲେଟର୍‌ରେ ଲେଖିଦେଲେ‘ରିଫ୍‌ଉଜ୍‌ଡ’ ।

 

ପୋଷ୍ଟମ୍ୟାନ୍ ଚାଲିଗଲା ।

 

ଏକଥା ଜାଣିଗଲେ ସୁଚିତ୍ରାଙ୍କ ବୃଦ୍ଧାପିତା ଚିତ୍ତରଞ୍ଜନ ବାବୁ । ତାଙ୍କ ମନରେ ଆସିଗଲା ସୁଧୀରଙ୍କ ଉପରେ ଗୋଟାଏ ଭୀଷଣ ଅଭିମାନ । ଆଉ ସୁଧୀର ତାଙ୍କର କେହି ନୁହନ୍ତି । ସେ ପର-ସାତ ପର । ସେ ଟଙ୍କା ଗ୍ରହଣ କରିବାର ଅଧିକାର ତାଙ୍କର ନାହିଁ । ଯେଉଁ ସୁଧୀର ସୁଚିତ୍ରାଙ୍କୁ ଗ୍ରହଣ ନ କରି ଅନ୍ୟକୁ ବିବାହ କଲେ ତାଙ୍କୁ ସେ ଜାମାତା ବୋଲି ସ୍ଵୀକାର କରିବେ କେମିତି ?

 

ସେ ଭଲ ଭାବରେ ଜାଣନ୍ତି ତାଙ୍କ ଘରର ବର୍ତ୍ତମାନ ଦୂରବସ୍ଥା । କେମିତି ସେ ଚଳୁଛନ୍ତି ଆଉ ସୁଚିତ୍ରା କିପରି ଜୀବନକୁ ତିଳ ତିଳ ଉତ୍ସର୍ଗ କରି ଏତେ ବଡ଼ ଥାଟ ସମ୍ଭାଳିଛି ।

 

ସେ ସୁଚିତ୍ରାଙ୍କୁ ଡାକି କହିଲେ—ତୁ ଠିକ୍‌ କରିଛୁ ଚିତ୍ରା । ଦେଖ୍ ତୁ କେବେ ଦିନେ କାହା ପାଖରେ ହାତ ପାତିବୁନୁ । ଭିକ୍ଷା ଗ୍ରହଣ ଆମ ଜାତକରେ ନାହିଁ । ଆମର ଶିକ୍ଷା, ଆମର ଆଦର୍ଶ କେବେ ଆମକୁ ଭୁଲ ପଥରେ ଚଲେଇନି ।

 

ସୁଚିତ୍ରା ଲେଟର ପ୍ୟାଡ୍‌ରୁ କାଗଜ ଖଣ୍ଡେ ଟାଣି ଆଣିଲେ । ବସିଲେ ଚିଠିର ଉତ୍ତର ଦେବାକୁ । ହାତରୁ କଲମ ଖସି ପଡ଼ିଲା । ଗୋଟାଏ ଅଦ୍ଭୁତ ଚିନ୍ତା ଆସିଗଲା ମନ ଭିତରେ । ହଁ, ମଣିଷ କଣ ଚାହେଁ ? କଣ ତାର ଦରକାର ? ଗାଲରେ ହାତ ଦେଇ ଚୁପ୍ ହୋଇ ବସି ରହିଲେ କିଛି ସମୟ । ତା ପରେ କଲମ ଉଠାଇ ଚିଠି ଲେଖି ଗଲେ ମନେ ମନେ ।

 

ବାପାଙ୍କର ହଠାତ୍‌ ଅସୁସ୍ଥତା ନେଇ ସୁଧୀରଙ୍କର ରୁଷ୍‌ ଯାତ୍ରା ସ୍ଥଗିତ ଅଛି ।

 

ସକାଳେ ପୋଷ୍ଟମ୍ୟାନ୍‌ ଆଣିଦେଲା ଫେରସ୍ତ ମନିଅର୍ଡ଼ରଟି ଓ ଖଣ୍ଡିଏ ଚିଠି-ଲଫାଫା ଚିଠି ।

 

ଆଶ୍ଚର୍ଯ୍ୟ ହୋଇ ଟଙ୍କାଟା ଗ୍ରହଣ କଲେ ସୁଧୀର । ପରେ ଖୋଲିଲେ ଚିଠିଟିକୁ । ଚିଠି ଦେଇଛନ୍ତି ସୁଚିତ୍ରା । ଚିଠିଟାକୁ ପଢ଼ୁ ପଢ଼ୁ ନିଜର ଅଜ୍ଞାତରେ ଭ୍ର ଯୁଗଳ କୁଞ୍ଚିତ ହୋଇ ଉଠିଲା ।

 

ସେ ଲେ‌ଖିଛନ୍ତି ।

 

ସମ୍ବଲପୁର

୧୦ । ୧୧ । ୫୮

 

ସୁଧୀର ବାବୁ,

 

ଛୋଟ ନମସ୍କାର ଟିଏ ଗ୍ରହଣ କରିବେ ।

 

ଆପଣଙ୍କ ଚିଠି ପାଇଲି । ପଢ଼ି ବଡ଼ ଖୁସି ହେଲି । ରୁଷ୍‍ ଯାଉଛନ୍ତି ଯାଆନ୍ତୁ । ଜୀବନରେ ଉନ୍ନତି କରନ୍ତୁ । ମୁଁ ତାହାହିଁ ଚାହେଁ ।

 

ଆପଣଙ୍କ ଅଯାଚିତ ସାହାଯ୍ୟ ପାଇଁ ମୁଁ ବଡ଼ କୃତଞ୍ଜ । କିନ୍ତୁ ସେ ଟଙ୍କା ସ୍ପର୍ଶ କରିବାର ଅଧିକାର ମୋର ନାହିଁ । ତେଣୁ ଗ୍ରହଣ କରି ପାରିନି । ସେଥିପାଇଁ କ୍ଷମାଦେବେ ।

 

ବାପାଙ୍କର ଅଦୃଶ୍ୟ ଆର୍ଶୀବାଦ ଓ ମଳୟା ଦିଦିଙ୍କୁ ମୋର ପ୍ରଣାମ ଦେବେ ।

 

ହତଭାଗିନୀ

ଚିତ୍ରା

 

ସୁଧୀର ବାବୁ ଚିଠିଟାକୁ ପରପର ଦୁଇଥର ପଢ଼ିସାରି ଉତ୍ତେଜିତ ହେରଇ ଉଠିଲେ । ଆଖି ଦୁଇଟିର ତାରା କ୍ରମଶଃ କ୍ଷୁଦ୍ରରି କ୍ଷୁଦ୍ରତର ହୋଇ ଉଠିଲା । କପାଳରେ ଫୁଟି ଉଠିଲା ସାନ ବଡ଼ ଅଗଣିତ କୁଞ୍ଚିତ ରେଖା । ନଖଠାରୁ ବ୍ରହ୍ମରନ୍ଧ୍ର ପର୍ଯ୍ୟନ୍ତ ସମସ୍ତ ଶରୀର ରାଗରେ ଜଳିଉଠିଲା । ମସ୍ତିଷ୍କ ଘୂରିଗଲା ସିଲିଂ ଫେନ୍ ଠାରୁ ଆହୁରି ଅଧିକ ଦ୍ରୁତ ଗତିରେ । ଚେହେରାରେ ଦେଖାଦେଲା ପ।କ୍ଷାଣର କଠୋରତା । ସେ ଚିଠିଟାକୁ ଟିକ ଟିକ କରି ଚିରି ଝରକା ବାଟେ ପବନରେ ଉଡ଼େଇ ଦେଲେ ।

 

ମୁହୂର୍ତ୍ତେ ଖଣ୍ଡେ କଣ ଭାବି, ପରେ ଗୋଟାଏ ତାଚ୍ଛଲ୍ୟ ହସ ହସିଦେଲେ । ମନେ ମନେ କହି ଉଠିଲେ, ଓଃ ! ତୁମର ଅଭିମାନ ? ରାଗ ? ପ୍ରତିଶ୍ରୁତି ପାଳନ କରିନି ବୋଲି ରାଗ ?

 

ତୁମେ ଜାଣନା ସୁଚିତ୍ରା । ତୁମପରୀ ଜଣେ ବିଧର୍ମୀ ଯୁବତୀ ସହିତ ଚିରସ୍ଥାୟୀ ସମ୍ବନ୍ଧ ରଖିବା ମୋ ପକ୍ଷରେ ପ୍ରାଣଦଣ୍ଡଠାରୁ ଅଧିକ । ସେପରି ଯୋଗସୁତ୍ରକୁ ମୁଁ ବୋଲି ଛଡ଼ାଇ ପାରିଛି ।

 

ମୋର ଜୀବନ ମନ୍ଦିର ଆଜି ମଳୟାର ରୂପ ଗନ୍ଧରେ ଜୀବନ୍ତ । ତାଙ୍କରି ପ୍ରେମରେ ମୁଁ ନିଜକୁ ହଜେଇ ଦେଇଛି ।

 

ତୁମେ ଭୁଲ ବୁଝିଛ ସୁଚିତ୍ରା । ମୁଁ ଜାଣେ ଚରିତ୍ରବତୀ । ହେଲେ ବା ? ଅତୀତ ଆଜି ମୃତ-। ମୁଁ ଚାହେଁ ଭବିଷ୍ୟତ—ମୋର ଉଜ୍ୱଳ ଭବିଷ୍ୟତ । ତାହା କଣ ଆଉ ତୁମଦ୍ୱାରା ସମ୍ଭବ-?

 

ମଣିଷର ଚଲାବାଟରେ ତୁମରି ପରି କେତେ ନାରୀ ଆସନ୍ତି କେତେ ଯାଆନ୍ତି । କେତେ ଘଟଣା ଘଟେ-କେତେ କଥା ଜୀବନର ପ୍ରଥମ ଯୌବନରେ ଦେଖଦିଏ । ମୁଁ ଚାହେଁ ଉପଭୋଗ । କାହିଁ କେବେ କରିଥିଲି ଗୋଟାଏ ଶପଥ....ପ୍ରତିଶ୍ରୁତି । ଏଇଆଡ଼େ ? ତାହା କଥାର କଥା । ସେଇଟାତ କିଛି ରେକର୍ଡ ହୋଇନି ?

 

ମୁଁ ମୋର ଭବିଷ୍ୟତ ଗଢ଼ୁଛି । ତୁମେ ବି ଗଢ଼ିପାର । ସେ ସ୍ୱାଧୀନତା ତୁମର ଅଛି । ମୁଁ ତ ତୁମ ଭବିଷ୍ୟତ ପଥ ଅବରୋଧ କରୁନି । ଆଜିର ସ୍ୱାଧୀନ ଯୁଗରେ ଯୁବକ ଯୁବତୀ ସମସ୍ତେ ସମାନ-ସ୍ୱାଧୀନ-ମୁକ୍ତ । ମୁକ୍ତ ଆକାଶର ବିହଙ୍ଗୀ । ତୁମେ ବି ତୁମର ମନର ମଣିଷ ଠିକ୍‌ କରି ପାରିବ । ସେଥିପାଇଁ ମତେ ଦାୟୀ ବା ଅପରାଧୀ କରି ପାରିବନି କେଉଁଦିନ । ଏହା ସଂପୂର୍ଣ୍ଣ ସ୍ଵତନ୍ତ୍ର ବ୍ୟକ୍ତିଗତ ମତ ।

 

ହଁ, ଦିନେ ତୁମ ସହିତ ମୋର ଭଲ ପାଇବା ଗଢ଼ି ଉଠିଥିଲା । ସେତେବେଳେ ତାହା ପ୍ରୟୋଜନ ଥିଲା । ବର୍ତ୍ତମାନ ସେ ମୋହ ତୁଟି ଯାଇଛି । ତୁମକୁ ବିବାହ କରି ମୁଁ ସୁଖୀ ହୋଇ ପାରି ନ ଥାନ୍ତି, ସୁଚିତ୍ରା ।

 

ପର ମୁହୁର୍ତ୍ତରେ ସେ ଭାବି ବସିଲେ ଠିକ୍‌ ତାର ଓଲଟା । ଚକ୍ଷୁର ଦୃଷ୍ଟି ହଠାତ୍ କେମିତି ଗୋଟାଏ ଆଚ୍ଛନ୍ନ ହୋଇ ପଡ଼ିଲା । ମୁଖ ଆରକ୍ତ-କଣ୍ଠସ୍ୱର ଜଡ଼-ମନ ଭିତରେ ନିଦାରିଣ ଭୟ । ଅସହନୀୟ ଦୁଃଖ ଓ ଅନୁତାପ ଏକ ସମୟରେ ଆଲୋଡ଼ିତ କଲା ତାଙ୍କୁ ।

 

ସେ ସ୍ତବ୍‌ଧ ହୋଇ ବସି ସିଗାରେଟ୍‍ ଟିଏ ଧରିଲେ । ସିଗାରେଟ୍‌ ଶେଷ ହେବା ଆଗରୁ ଯେପରି ସେ ଗୋଟାଏ ସମାଧାନ ଖୋଜି ବାହାର କରି ପାରିଛନ୍ତି । ଏହିଭାବରେ ସିଗାରେଟ୍‌ଟାକୁ ତଳେ ଫିଙ୍ଗିଦେଲେ ।

 

କଲମଟା ଧରି ଲେଖି ବସିଲେ ।

 

ସଚିତ୍ରା ! ତୁମ ଚିଠି ପାଇ ମର୍ମାହତ ହେଲି । ତୁମେ କଣ କଲ ? ଯାହା କରିଛ ଅନ୍ୟାୟ କରିଛ । ଆଉ ତୁମେ କେବେ ମୋ ପାଖରୁ ସହାନୁଭୁତି ପାଇ ପାରିବନି । ଆମର ଅଭିନୟ ଶେଷ ହୋଇଛି । ଏହି ପର୍ଯ୍ୟନ୍ତ ଲେଖି କଲମ ବନ୍ଦ କରି ଦେଲେ । ଚୁପ୍‌ ହୋଇ କିଛି ସମୟ ବସି ରହିଲେ-। କଲମଟା ଛାତି ପକେଟ୍‌ରେ ରଖି ଦେଲେ । ଚଷମାଟା ଖୋଲି ରଖିଲେ ଟେବୁଲ୍‌ ଉପରେ-। ଧୀରେ ଧୀରେ କାଗଜ୍‌ଟା ଉଠେଇ ନେଲେ । ଟିକ ଟିକ କରି ଛିଣ୍ଡାଇ ବାହାରକୁ ଫିଙ୍ଗି ଦେଲେ-। ନା, ଏ ଚିଠି ପଠାଯିବା ଦରକାର ନ।ହିଁ । ଆହୁରି ଟିକିଏ ଭାବି ବସିଲେ । ତାପରେ ମନକୁ ମନ କହି ଉଠିଲେ ମୁଁ ବୋଧହୁଏ ଗୋଟାଏ ଭୁଲ କରିଛି—ପ୍ରକାଣ୍ଡ ଏକ ଭୁଲ୍‌ ।

 

ଏଇ ସୁଧୀର ସେଦିନ ସୁଚିତ୍ରାଙ୍କ ସହିତ ହସ କୌତୁକରେ ମାତି କେତେ ସୁଖ-କେତେ ତୃପ୍ତି କେତେ ମଧୁରତାର ନିର୍ଯ୍ୟାସ ବା ନ ପାଇଛନ୍ତି ? ସେ ବା କେତେ ମାସ ଆଗର କଥା । ନା, ଖୁବ୍‌ ବେଶିଦିନ ନୁହେଁ । ଅଳ୍ପ କେତୋଟି ବର୍ଷର ଯାହା ବ୍ୟବଧାନ । କିନ୍ତୁ ଏହି ଅଳ୍ପ ଭିତରେ ଯାହା ଘଟିଗଲା ତାହା ବହୁତ....ବିରାଟ...ଅସରନ୍ତି.... ଅଫେରନ୍ତା ।

 

ସୁଯୋଗ ବି ଆସିଗଲା । ଟ୍ରେନିଂ ପାଇଁ ସିଲେକ୍ଟ ହେଲେ ସୁଚିତ୍ରା । ଯୋଗଦେଲେ କଟକର ଥମ୍ପସନ୍‌ଟ୍ରେନିଂ ସ୍କୁଲରେ । ଷ୍ଟାଇପେଣ୍ଡ୍‌ ପାଇଲେ ମାସିକ ପଞ୍ଚତିରିଶ ଟଙ୍କା । ଘରୁ ବାପା ବି କିଛି କିଛି ସାହାଯ୍ୟ କଲେ । ଟଙ୍କାର ଅଭାବ ରହିଲାନି ।

 

ଟ୍ରେନିଂ ଜୀବନ ବଡ଼ ଆନନ୍ଦ ଓ ମଉଜରେ କଟିଗଲା । ସହପାଠିନୀ ଓ ଶିକ୍ଷୟିତ୍ରୀମାନେ ତାଙ୍କ ସରଳ ବ୍ୟବହାରରେ ବଡ଼ ଖୁସୀ ହେଲେ । ଇନ୍ ଡୋର୍ ଓ ଆଉଟ୍ ଡୋର୍ ଗେମ୍ ସବୁଥିରେ ସେ ଥିଲେ ଆଗୁଆ । ସାଇକେଲ୍ ରେସ୍ ଓ ସନ୍ତରଣ ପ୍ରତିଯୋଗିତାରେ ପ୍ରଥମ ହୋଇ କପ୍ ପାଇଲେ ।

 

ଦୁଇବର୍ଷର ଟ୍ରେନିଂ ଶେଷ ହେଲା । ପାସ୍ କଲେ ଫାଷ୍ଟ ଡିଭିଜନ୍‌ରେ ପାଷ୍ଟ ହୋଇ ।

 

ଆମର ଏ ହତଭାଗା ଓଡ଼ିଶା । ସ୍ତ୍ରୀ ଶିକ୍ଷାର ବହୁତ ପଛରେ । ତଥାପି ଯେ କେତେଜଣ ଘର କୋଣ ଛାଡ଼ି ପଦାକୁ ଆଗେଇ ଆସିଲେ ତାଙ୍କର ହିନସ୍ତା ନାହିଁ ନ ସରେ । ପାଠର ମହତ୍ଵ କାହିଁ ? ବିଶ୍ଵ ବିଦ୍ୟାଳୟ ଡିଗ୍ରୀର ମୂଲ୍ୟ କାହିଁ ଏ ଦେଶରେ ?

 

ସୁଚିତ୍ରା ପ୍ରାୟ ବର୍ଷେ ହେଲା ବେକାର ହୋଇ ଘରେ ବସିଛନ୍ତି । ଦରଖାସ୍ତ ଉପରେ ଦରଖାସ୍ତ । ତଥାପି ଚାକିରି ଖଣ୍ଡେ ଜୁଟୁନି । ଅଥଚ ଅଣ ଓଡ଼ିଆଣୀମାନେ ପାଉଛନ୍ତି ଅବାଧ ଅସୁବିଧା ।

 

ଶେଷରେ ଆସିଲା ଇଣ୍ଟର୍‌ଭିଉ କାର୍ଡ଼ । ଗାର୍ଲ୍‌ସ ମାଇନର ସ୍କୁଲର ହେଡ଼୍ ମିଷ୍ଟ୍ରେସ୍‌ ଚାକିରି । ସ୍ଥାନ ଭୁବନେଶ୍ୱର ।

 

ଇଣ୍ଟର୍‌ଭିଉକୁ ଆସିଲେ ଓଡ଼ିଶାର ପାଞ୍ଚୋଟି ଜିଲ୍ଲାରୁ ଓଡ଼ିଆ, ତେଲୁଗୁ,ବଙ୍ଗାଳି ଅନେକ ମହିଳା । ଆବଶ୍ୟକୀୟ ଯୋଗ୍ୟତାର ବିଚାରରେ ସମସ୍ତେ ଯୋଗ୍ୟ ।

 

ସେଥି ଭିତରୁ କେତେ ଜଣ ମନ୍ତ୍ରୀ, ଉପମନ୍ତ୍ରୀ ଓ ଏମ. ଏଲ୍‌.ଏ.ଙ୍କ କାଣ୍ଡିଡେଟ୍‌ । କିନ୍ତୁ ସୁଚିତ୍ରା ? ତାଙ୍କ ପାଇଁତ ବ୍ୟାକିଂ କରିବାକୁ କେହି ନାହାନ୍ତି ? ସେ ତ ସିଧା ସଳଖ ମନ୍ତ୍ରୀଙ୍କ ପାଖକୁ ଯାଇ ପାରିବେ ନି ? ତାହା ଅବଶ୍ୟ ତାଙ୍କର ଦୁର୍ଭାଗ୍ୟ । ସେ ଯଦି କୌଣସି ବଡ଼ ଅଫିସରଙ୍କ ଦ୍ଵାରସ୍ଥ ହୁଅନ୍ତେ ଅବା କାମଟା ହାସଲ ହୋଇପାରନ୍ତା । କିନ୍ତୁ ସେ ସେପରି ସ୍ଵଭାବର ଯୁବତୀ ନୁହନ୍ତି । କାହାକୁ ତୋଷାମଦ୍‌ କରିବାକୁ ଚାହାନ୍ତି ନି । ଆଜି କାଲିତ ଦେଶରେ ନ୍ୟାୟ ନାହିଁ । କଣ କରିବେ ସେ ?

 

ଯୌବନର ବିଚିତ୍ର ଛନ୍ଦକୁ ଧରି ରଖିଛି ଯେଉଁ ଦେହ ସେହି ସୁନ୍ଦର ଶରୀର ଆଜି ସୁଚିତ୍ରାଙ୍କର ପରମ ଶତ୍ରୁ । ପୁରୁଷର କାମନା କଳୁଷିତ ଦୃଷ୍ଟି ନିବଦ୍ଧ ରହିଛି ନାରୀର ଦେହ ସୁଷମାରେ । ଆଉ ସେହି ନିୟମରେ ସୁଚିତ୍ରାଙ୍କ ରୂପ ଯୌବନରେ ମୁଗ୍‌ଧ ହୋଇ ପଡ଼ିଲେ ସେକ୍ରେଟେରୀଏଟ୍‌ ଉଚ୍ଚ ଦପ୍ତରର ଜଣେ ବଡ଼ବାବୁ ।

 

ସେ ସ୍ୱେଚ୍ଛାସେବକ ଭାବରେ ବାହାରି ଆସିଲେ ସୁଚିତ୍ରାଙ୍କୁ ସାହାଯ୍ୟ କରିବା ପାଇଁ ।

 

ବାବୁଙ୍କର ବୟସ ପଚାଶ ପାଖାପାଖି । ଗୌରବର୍ଣ୍ଣ....ଗୋଲଗାଲ ମୁହଁ....ସୁନ୍ଦର ଚେହେରା । ମୁଣ୍ଡର ଗୋଟିଏ ହେଲେ ବାଳ ପାଚିନି ।

 

ସୁଚିତ୍ରାଙ୍କୁ ଡାକିବାକୁ ବାବୁ କହିଲେ, କାଲି ଦଶ ଘଣ୍ଟାରେ ଇଣ୍ଟର୍‌ଭିଉ । ଲିଖିତ ମୌଖିକ ଦୁଇଟା ପରୀକ୍ଷା । ତୁମେ ଯଦି ଚାହ ମୁଁ ସାହାଯ୍ୟ କରିବାକୁ ପ୍ରସ୍ତୁତ । ଇଣ୍ଟର୍‌ଭିଉରେ ପଡ଼ିବା ପ୍ରଶ୍ନ ମୁଁ ନିଜେ ସେଟ୍‌ କରିଛି । ସବୁ ଗୋଟି ଗୋଟି କରି କହିଦେବି ।

 

ତୁମେ ଆଜି ରାତି ଆଠଟାରେ ଆମ କ୍ଵାର୍ଟରକୁ ଆସ । ଆମ ବସାଟା ହେଉଛି ଗଙ୍ଗନଗରର ଛଅ ନମ୍ବର ଇଉନିଟ୍‌ରେ । ରିକ୍‌ସାବାଲାକୁ କହିଲେ ସେ ନେଇ ଛାଡ଼ିଦେଇ ଆସିବ । ଖାଇବା ପିଇବା ରହିବାର ସବୁ ବ୍ୟବସ୍ଥା ସେଇଠି । କିଛି ଅସୁବିଧା ହେବନି । କଣ କହୁଛ ?

 

ସୁଚିତ୍ରା ବଡ଼ ବାବୁଙ୍କର ସହାନୁଭୂତିଭରା ମଧୁର କଥାଗୁଡ଼ିକ ନୀରବରେ ହଜମ କରିଗଲେ । ମନରେ ଭାବିଲେ ଏଇତ ଦୁନିଆ । ବାବୁଟି ଦରମା ପାଆନ୍ତି ମାସରେ ପାଞ୍ଚଶହ ଟଙ୍କା-କଥାବାର୍ତ୍ତା ବଡ଼ ଭଦ୍ର । ତଥାପି ପଶୁତ୍ଵ ପୁରି ରହିଛି ମନ ଭିତରେ ? ସେ ହେବେ ମୋର ପିତୃ ସ୍ଥାନୀୟ । ଅଥଚ ଯୌନ ପିପାସା ତାଙ୍କର ଯାଇନି ?

 

ସୁଚିତ୍ରା କୃତଜ୍ଞତାଭରା ସ୍ଵରରେ ବାବୁଙ୍କୁ ଉତ୍ତର ଦେଲେ, ଆପଣଙ୍କ ଅଯାଚିତ ଉପଦେଶ ପାଇଁ ଅଶେଷ ଧନ୍ୟବାଦ, ସାର୍‌ ! ଆସିବାକୁ ଚେଷ୍ଟା କରିବି ।

 

—ଚେଷ୍ଟା ନୁହେଁ । ନିଶ୍ଚୟ ଆସିବ । ହଁ, ତୁମର ବସାଘର ଏଠିକି କେତେ ଦୂର ? ଚାଲ, ପହଞ୍ଚାଇ ଦେଇ ଆସିବି । ରିକ୍‌ସା ଡାକିବି କି ?

 

ଦରକାର ନାହିଁ ସାର୍‌ । ମୁଁ ଏକା ଚାଲିଯିବି । ନମସ୍ତେ ।

 

—ଦେଖେ, ଆସିବାକୁ ଯେପରି ଭଲ ନ ଯାଅ ! ହଁ, କ୍ଵାର୍ଟର ନମ୍ବରଟା ନେଲ ନାହିଁ ଯେ-

 

—ନମ୍ବରଟା ନ ନେଲେ ମଧ୍ୟ ଚଳିଯିବ, ସାର !

 

ମଥାକୁ ସାମାନ୍ୟ ଅବନତ କରି ଦ୍ରୁତ ପଦରେ ବାହାରି ଗଲେ ସୁଚିତ୍ରା ।

 

ବାବୁ ଅପେକ୍ଷା କରି ବସିଛନ୍ତି । ଏହିପରି ଅପେକ୍ଷା କରିବା ତାଙ୍କ ଜୀବନରେ କିଛି ନୂଆକଥା ନୁହେଁ ।

 

ସେ ଏକା ଏକା ବସି ରହିଲେ ଅନେକ ସମୟ । ସେଠୁ ଉଠି ଯାଇ ଆଉ ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ ଚାହିଁ ବସିଲେ । ତଥାପି ସୁଚିତ୍ରାଙ୍କର ଦେଖା ନାହିଁ । ହାତ ଘଡ଼ିକୁ ଦେଖିଲେ । ବାରଟା ବାଜିବାକୁ ଆଉ ପନ୍ଦର ମିନିଟ୍ । ଦରପୋଡ଼ା ସିଗାରେଟ୍ ଟା ତଳେ ଫୋପାଡ଼ି ଦେଇ ନିର୍ଦ୍ଦୟଭାବରେ ଚାପିଦେଲେ ବୁଟ୍ ଜୋତାରେ ।

 

ମନେ ମନେ କହିଲେ, ନା ଆଉ ସେ ଆସିବ ନାହିଁ ବୋଧହୁଏ ।

 

ରାଗରେ ଖାଇବାକୁ ଉଠିଗଲେ ବାବୁ ।

 

ପରଦିନ ଇଣ୍ଟର୍‌ଭିଉରେ ସୁଚିତ୍ରା ହେଲେ ପ୍ରଥମ । ତାଙ୍କ ସହିତ ଆଉ ଦୁଇଜଣ ମଧ୍ୟ ସିଲେକ୍ଟ ହେଲେ । ଚାରିଟା ବେଳେ ନୋଟିସ୍ ବୋର୍ଡ଼ରେ ନାମ ତାଲିକା ଝୁଲାଇ ଦିଆଗଲା ।

 

ଡାଇରେକ୍ଟର୍‌ଙ୍କ ଆଦେଶ ସଙ୍ଗେ ସଙ୍ଗେ ଆପଏଣ୍ଟ୍‌ମେଣ୍ଟ ଅର୍ଡ଼ର ଇସୁ କରାଯିବ । ମାସ ମାସ ଧରି ସ୍ଥାନ ଖାଲି ପଡ଼ିଛି । ଆଉ ବିଳମ୍ବ ଅନାବଶ୍ୟକ ।

 

ତା ପରଦିନ—ଏଷ୍ଟାବି୍‌ଲିସ୍‌ମେଣ୍ଟ ସେକ୍‌ସନ୍‌ର ଡିଲିଂ ଆସିଷ୍ଟାଣ୍ଟ୍‌ଙ୍କୁ ନମସ୍କାର କଲେ ସୁଚିତ୍ରା । ଆପଏଣ୍ଟମେଣ୍ଟ ଅର୍ଡ଼ର ପାଇଁ ଅନୁରୋଧ କଲେ । କିଛି ଉତ୍ତର ନାହିଁ । ବାବୁ ପାନ ଖାଲି ପରେ ପାନ ଖିଲ ଚୋବେଇ ଚାଲିଛନ୍ତି ।

 

ଏହି ନିଯୁକ୍ତି ପତ୍ର ପାଇଁ ପୁଣି ତ ମାଲିସ ଦରକାର । ତାହା ନ ହେଲେ ବି ଦି ପଦ ପଦ ହସି ହସି କଥାତ ହେବାକୁ ପଡ଼ିବ ।

 

ଅନ୍ୟ ମହିଳା ଦୁଇଜଣ ଯାକ ଧରାଧରି କରି ସେମାନଙ୍କ ଆପଏଣ୍ଟ୍‌ମେଣ୍ଟ ଅର୍ଡ଼ର କେତେବେଳୁ ନେଇ ସାରିଲେଣି । ସୁଚିତ୍ରା ବାରବାର ଅନୁରୋଧ ସତ୍ତ୍ଵେ ପାଇ ପାରୁ ନାହାନ୍ତି । ତେଣେ ଅନ୍ୟଜଣେ ଆସିଷ୍ଟାଣ୍ଟ୍‌ ଲଗେଇଛନ୍ତି କେତେ ରକମ ଥଟ୍ଟା, ତାମସା । ପାର୍କକୁ ଯିବା, ସିନେମା ଦେଖିବା, ସେ ଅନେକ କଥା ।

 

ଆପଏଣ୍ଟମେଣ୍ଟ ଅର୍ଡ଼ର ମିଳିଲା ଦୁଇଟା ବେଳେ । ସୁଚିତ୍ରା ଫେରିଲେ ଗୃହ ଅଭିମୁଖେ ସମ୍ବଲପୁର । ଦୁଇଦିନ ପରେ ଛୁଟିଲେ ତାଙ୍କର ନୂତନ କର୍ମକ୍ଷେତ୍ର ବହଳଦାକୁ ।

 

ଜୀବନର ଗୋଟିଏ ନଦୀ ତୀର ଛାଡ଼ି ଚାଲିଲେ ଆଉ ଗୋଟିଏ ନଦୀ ତୀରକୁ । ଉତ୍ତର ଓଡ଼ିଶାର ପ୍ରାଚୀନ ଭଞ୍ଜଭୂମିର ଆଉ ଗୋଟିଏ ଶିକ୍ଷା କ୍ଷେତ୍ରକୁ ।

 

ଏହି ନୂତନ ଜାଗାରେ ତାଙ୍କ ଜୀବନର ଆଉ ଗୋଟିଏ ଅଧ୍ୟାୟ ଆରମ୍ଭ ହେଲା—ନୂତନ ମଞ୍ଚର ଯବନିକା ଉଠିଲା । ଗୋଟିଏ ଦରଜା ବନ୍ଦ ହୋଇ ଆଉ ଗୋଟିଏ ଦରଜା ଖୋଲିଲା । ତାରୁଣ୍ୟର ସୁନେଲି ସପନ ଭରା ଦିନଗୁଡ଼ିକ ଛାଡ଼ି ସେ ଆସି ଅନେକ ଦୂରରେ ଠିଆ ହେଲେଣି ।

 

ଯେଉଁ ସମୟରେ ମନଟା ତାଙ୍କର ଏକେବାରେ ତିକ୍ତ-ଦୁନିଆ ପ୍ରତି ବୀତଶ୍ରଦ୍ଧ ସେହି ସମୟରେ ପାଇଗଲେ ସେ ଏହି ସ୍କୁଲ ଚାକିରି । ବଞ୍ଚିଗଲେ ସୁଚିତ୍ରା ଦାସ । ସେହି ଅନୁଷ୍ଠାନ ଭିତରେ ରହି ଭୁଲିବାକୁ ଚେଷ୍ଟା କଲେ ଅଭୁଲା ଅତୀତର ସୃତିର ବ୍ୟଥାକୁ ।

 

କିନ୍ତୁ ତାଙ୍କୁ ଏ ଯାଗା ଭଲ ଲାଗୁନି । ସାଙ୍ଗ ସାଥିର ଅଭାବ । ଏହି ପ୍ରଥମ ଥର ସେ ଘରଛଡ଼ା । ଥରେ ଅଧେ କଲିକତା ଯାଇଥିଲେ । ଆଉ କଟକରେ ଟ୍ରେନିଂ । ସେଇଟା ତ ତାଙ୍କର ପୁରୁଣା ଜାଗା ।

 

ଦେଖୁ ଦେଖୁ କଲି ପରି ଦୁଇଟି ବର୍ଷ କଟି ଗଲାଣି ଏଠି । ଜଳବାୟୁ ଦେହରେ ଯାଉନି । ସର୍ବଦା ଅସୁସ୍ଥ । ମ୍ୟାଲେରିଆ ଭୋଗି ଭୋଗି ଦୁର୍ବଳ । ପେଟରେ ମସ୍ତବଡ଼ ଏକ ପ୍ଲୀହା ।

 

ଟ୍ରାନ୍‌ସଫର୍‌ ପାଇଁ କେତେ ଦରଖାସ୍ତ ଦେଲେଣି କିଛି ଫଳ ନାହିଁ । ଶେଷରେ ସ୍ଥିର କଲେ ଜିଲା ଅଫିସ୍‌କୁ ଯିବେ—ନିଜେ ସାହେବଙ୍କୁ ଅନୁରୋଧ କରିବେ ।

 

ପହଞ୍ଚିଲେ ଅଫିସ୍‌ରେ । ସାହେବଙ୍କର ଟୁର୍‌ରେ ଯିବାର କଥା । ଜିପ୍‌ ରେଡ଼ କରି ଅପେକ୍ଷା କରିଛି ଡ୍ରାଇଭର୍‌ ।

 

ସାହେବଙ୍କୁ ନମସ୍କାର କଲେ ସୁଚିତ୍ରା । ଜଣାଇଗଲେ ନିଜର ଅଭାବ ଅସୁବିଧା ଗୋଟି ଗୋଟି କରି ସାହେବଙ୍କ ଆଗରେ ।

 

ସାହେବ ସୁଚିତ୍ରାଙ୍କୁ ଦେଖି ମନେ ମନେ ବଡ଼ ମୁଗ୍‌ଧ ହେଲେ । ଚଷମା ଫାଙ୍କରେ କୋଣେଇ କୋଣେଇ ଚାହିଁ ଉପଭୋଗ । କରିଗଲେ ସୁଚିତ୍ରାଙ୍କୁ ଉଚ୍ଛୁଳା ଯୌବନର ମୁକୁଳା ସୌନ୍ଦର୍ଯ୍ୟକୁ ।

 

କହିଲେ ବର୍ତ୍ତମାନ ସମୟ ନାହିଁ । ପ୍ରୋଗ୍ରାମ ମୁତାବକ କାମ କରିବାକୁ ପଡ଼ୁଛି । ଫେରିବି ସନ୍ଧ୍ୟାରେ । ସାତଟା ବେଳକୁ ଆମ କ୍ୱାର୍ଟରକୁ ଆସ । ତୁମ ପାଇଁ ଯାହା କିଛି ଗୋଟାଏ କରିଦେବି । ଜିଲା ବଦଳି ଚାହିଁଲେ ବି ଏହି ମାସକ ମଧ୍ୟରେ ହୋଇଯିବ ।

 

ଏହି ଅଫିସରଙ୍କର ଚରିତ୍ର ସମ୍ବଦ୍ଧରେ ନାନା ପ୍ରକାର ଗୁଜବ-ନାନା ଜନରବ । ସେ ସବୁ ଅନେକ କଥା । ସାହସ କରି କହୁଛି କିଏ ?

 

ବୟସ ତାଙ୍କର ପଇଁଚାଳିଶିରୁ କମ ନୁହେଁ । ସେ ପାଞ୍ଚଟି ସନ୍ତାନର ପିତା । ଉପରେ ବଡ଼ ଭଦ୍ର ଓ ବିନୀତ । କିନ୍ତୁ ସଭ୍ୟତା ଓ ଭଦ୍ରତାର ଆବରଣ ତଳେ ପରିବିକତା ଯେ କିପରି ବସା ବାନ୍ଧିଛି ତାହା ଜାଣିବ କିଏ ?

 

ଠିକ୍ ସନ୍ଧ୍ୟା ସାତଟାରେ ସୁଚିତ୍ରା ଆସି ପହଞ୍ଚିଗଲେ ସାହେବଙ୍କ କୋଠିରେ । ପିଅନ୍ ଚେୟାର୍ ଆଣି ଦେଲା । ବୈଠକଖାନା ବାରଣ୍ଡାରେ ବସିଲେ ସୁଚିତ୍ରା ।

 

ବିଜୁଳି ଆଲୁଅ ଜଳୁଛି । ବସୁ ବସୁ ଆଠଟା ବାଜିଲାଣି । ତଥାପି ସାହେବ ଫେରି ନାହାନ୍ତି । ଉଠୁ ଉଠୁ ହେବା ବେଳକୁ ସାହେବଙ୍କ ଜିପ୍ ଆସି ହାଜର ହୋଇଗଲା ।

 

ସୁଚିତ୍ରା ବିନୀତ ଭାବରେ ନମସ୍କାରଟିଏ କଲେ ।

‘ଆସୁଛି’ ବୋଲି କହି ସାହେବ ହସି ହସି ଚାଲିଗଲେ ଘର ଭିତରକୁ । ଅଳ୍ପ ସମୟ ପରେ ବେଶ ପୋଷାକ ପରିବର୍ତ୍ତନ କରିସାରି ଫେରି ଆସିଲେ ବୈଠକଖାନାକୁ ।

 

ସୁଚିତ୍ରାଙ୍କୁ କହିଲେ, କଣ ଆପତ୍ତି ଅଛି, ମିସ୍ ଦାସ ? ଆଜି ରାତିଟା ଆମ ବସାରେ ରହିଯାଅ । କଲି ଅଫିସ୍ ଆରମ୍ଭରେ ତୁମ ଟ୍ରାନ୍‌ସଫର୍‌ ଅର୍ଡ଼ରଟା ନେଇଯିବ । ଆଉ ବିଳମ୍ବ ହେବନି-। ଆଗରୁ ଥରେ ଆସିଥିଲେ କେଉଁଦିନୁ ଅର୍ଡ଼ରଟା ପାଇ ସାରନ୍ତିଣି । ଜାଣତ, ଆମର ଏ ଅଫିସ୍‌ରେ କାମର କେତେ ଚାପ ।

 

ସୁଚିତ୍ରା ମୁହଁ ତଳକୁ କଲେ । ମୁଖରେ ତାଙ୍କର ଲଜ୍ଜାର ଅରୁଣିମା ।

 

ସାହେବ କହିଲେ, ତୁମେ ଭାବୁଛ ଆଉ କଣ ?

 

ସୁଚିତ୍ରା ଟିକିଏ ଇତଃସ୍ତତଃ ହେଲାପରି କହିଲେ, କ୍ଷମା ଦେବେ ସାର୍‌ ! କାଲି ଅଫିସରେ ଆସି ଦେଖା କରିବି ।

 

ତେବେ ଶୁଣ ସୁଚିତ୍ରା । ଆଜି ସେ ସବୁ ଆଲୋଚନା ଥାଉ । ତୁମେ ଅନେକ ବେଳ ହେଲା ଆସିଲାଣି । ଚା ଟିକେ ଖାଅ । ଆଉ କଥା ପରେ । ସାହେବ କଲିଂ ବେଲ୍ ଟିପିବା ମାନେ ପିଅନ୍ ଦି କପ୍ ଚା ଆଣି ରଖିଦେଇ ଗଲା ଟେବୁଲ୍ ଉପରେ ।

 

ସାହେବ ନିଜେ ଉଠି ଚା କପଟି ନେଇ ସୁଚିତ୍ରାଙ୍କ ହାତରେ ଦେଲେ ।

 

ସୁଚିତ୍ରା ଲାଜ ଲାଜ ହୋଇ ଚା ପିଇଲେ । ରଖିଦେଲେ କପ ଓ ପ୍ଲେଟ୍ ଟେବୁଲ୍ ତଳେ ।

 

ସାହେବ ଚା ଖାଇସାରି କୃତାର୍ଥ ହେଲା ପରି କହିଲେ, ଲାଜ କଣ ? ଆସ ପାଖରେ ବସ । ତୁମେ ତ ଠିକ୍‌ ମୋ ଝିଅ ସୁମିତା ପରି । ସେମିତି ଲାଜ କଲେ କଣ ଚଳିବ ?

 

ତାଙ୍କର ଚାହାଣିରେ ଫୁଟି ଉଠୁଥିଲା ହତାଶା ଓ ପ୍ରେମ ନିବେଦନର କାତରତା ।

 

ସୁଚିତ୍ରାଙ୍କ ମନରେ ରାଗ ଓ ବିରକ୍ତି ଦେଖାଦେଲା । ସେ ନିଜକୁ ସଂଯତ କରି ନେଇ ଯିବ ପାଇଁ ଛିଡ଼ା ହେଲେ ।

 

ସାହେବ ବଡ଼ ବିଚଳିତ ହୋଇ ଚେୟାର ଉପରୁ ଉଠି ଆସିଲେ । ସୁଚିତ୍ରାଙ୍କ ବାଁ ହାତଟା ଧରି ପକାଇ କହିଲେ, ନା, ନା, ଯିବ କାହିଁକି ? ବସ । କିଛି ଅସୁବିଧା ହେବନି । ମୁଁ ତୁମପାଇଁ ସବୁ ବନ୍ଦୋବସ୍ତ କରି ଦେଇଛି ।

 

ସୁଚିତ୍ରା ବିମର୍ଷ ଓ ଗମ୍ଭୀର ।

 

ସେ ବଡ଼ ବିନୟରେ କହିଲେ, ଏଠି ମୋର ମାମୁଁ ଅଛନ୍ତି ସାର ! ତାଙ୍କରି ଘରେ ରହିବି-। ମାଇଁ ଅପେକ୍ଷା କରିଥିବେ ।

 

ସାହେବ କହିଲେ, ମାଇଁ କଣ ଗାଳିଦେବେ ? ବିରକ୍ତ ହେବେ ? କହିଦେବ ଆମଘରେ ଥିଲ ବୋଲି ?

 

ସୁଚିତ୍ରା ଆଉ କଣ ଉତ୍ତର ଦେବେ ?

 

ପୁଣି ସାହେବ ନରମ ଗଳାରେ କହିଲେ, କିଛି ଭାବନା, ମିସ୍ ଦାସ । ସବୁ ଠିକ୍ ହୋଇଯିବ । ଟ୍ରାନସ୍‌ଫର୍‌ଟା ମୋ ହାତର କଥା । ବୁଝିଲ ?

 

ସୁଚିତ୍ରା ନିରୁତ୍ତର । ସେ କଣ କହିବେ ? କଣ କରିବେ ବର୍ତ୍ତମାନ ? ଭାବନାର ଘୂର୍ଣ୍ଣି ମଧ୍ୟରେ ପଡି ଦୀର୍ଘଶ୍ଵାସଟିଏ ଛାଡ଼ିଲେ ।

 

ସେ କାତର ସ୍ଵରରେ ପୁଣି କହିଲେ, ଯାଉଛି ସାର ! ଆଜି ମାମୁଁ ମାଇଁ କଣ ଭାବିବେ ?

 

ସାହେବ ମୃଦୁହସର ଧାରା ମୁହଁରେ ଭରି କହିଲେ, କର୍ମ କ୍ଳାନ୍ତ ଭିତରେ ସର୍ବଦା ବୁଡ଼ିରହି ବଡ଼ ନିରସ ଲାଗୁଛି ମତେ । ଟିକିଏ ଗଳ୍ପ କରି ମନର ଅବସାଦ ମେଣ୍ଟାଇବା ପାଇଁ ଚାହେଁ-। ଆଉ କିଛି ନୁହେଁ, ମିସ୍ ଦାସ । ହଉ, ନ ରହିଲେ ନାହିଁ । ଆଉ ଟିକେ ବସ । ଏତେ ବ୍ୟସ୍ତ କାହିଁକି-? ରାତି ସେମିତି ତ କିଛି ବେଶୀ ହେଇନି । ବର୍ତ୍ତମାନ ମୋଟେ ସାଢ଼େ ଆଠଟା-

 

କିନ୍ତୁ ସୁଚିତ୍ରା ବସିଲେଣି । ‘ଯାଉଛି ସାର’ କହି ନମସ୍କାରଟିଏ କଲେ । ତଳକୁ ମୁହଁ ପୋତି ଘରୁ ଧୀରେ ଧୀରେ ବାହାରି ଗଲେ ।

 

ସୁଚିତ୍ରା ବିଦାୟ ନେଇ ଚାଲିଗଲେ ସତ, କିନ୍ତୁ ଯେଉଁ ସୌରଭ ରଖିଗଲେ ଘରର ପବନରେ ତାହା କ’ଣ ସହଜରେ ବିଦାୟ ନିଏ ?

 

ସୁଧୀର ବାବୁ ବଦଳି ହୋଇଯିବ ପରଠାରୁ ପାଞ୍ଚ ଛଅ ବର୍ଷ ବିତି ଗଲାଣି ।

 

ସୁଚିତ୍ରାଙ୍କର ବୟସ ବଢ଼ିଛି—ପୁରୁଣା ପୃଥିବୀ ବଦଳିଛି—ବଦଳି ଯାଇଛି ଅନେକ କଥା-

 

ସେ ବି ଏଥି ମଧ୍ୟରେ ଟ୍ରାନସ୍‌ଫର ହୋଇ ଆସିଲେଣି ପାରଳାଖେମୁଣ୍ଡି ବାଳିକା ମାଇନର ସ୍କୁଲକୁ ।

 

କିନ୍ତୁ ମନର କ୍ଷତ ତାଙ୍କର ଶୁଖିନି—ଯନ୍ତ୍ରଣା କମିନି । ସେହି ଅଣନିଶ୍ଵାସୀ ଯନ୍ତ୍ରଣା କୁ ଛାତିରେ ବୋହି ନିଜକୁ ନିର୍ବାରଣ କରି ଦୂରେଇ ରଖିଛନ୍ତି ।

 

ତଥାପି ସେ କଣ ସୁଧୀରଙ୍କୁ ଭୁଲି ପାରିଲେ ? ସ୍କୁଲର କାର୍ଯ୍ୟବ୍ୟସ୍ତତା ଓ ବିଭିନ୍ନ ପ୍ରୋଗ୍ରାମ ମଧ୍ୟରେ ଭୁଲିଯିବା ତାଙ୍କର ସହଜ ହେଲାନି । ଛାତ୍ରୀମାନଙ୍କ କୋଳାହଳ ଭିତରେ ସେ ଚିନ୍ତାକୁ, ସେ ଭାବନାକୁ ସେ ଏଡ଼ାଇ ଦେଇ ପାରିଲେନି ।

 

ଯୌବନର ଶ୍ରେଷ୍ଠ ଦିନଗୁଡ଼ିକ କାଟିଦେଲେ ଏହି ସ୍କୁଲ କାନ୍ଥରେ ଅନ୍ତରାଳରେ । ଜୀବନ ମଧ୍ୟାହ୍ନରେ ବଞ୍ଚିତ କ୍ଷୁଧିତ ଯୌବନ ଆଉ ତାଙ୍କର ଉଦ୍‌ଗ୍ରୀବ ହୋଇଉଠୁନି—ଆଉ ପିଆଲା ଭର୍ତ୍ତିହୋଇ ଉପୁଚି ଉଠୁନି ସେ ଅମୃତର ଧାରା ।

 

କ୍ୱାର୍ଟର ପାଖରେ ଜଙ୍ଗଲ । ଟିକିଏ ଦୂରରେ ପାହାଡ଼ । ଆହୁରି ଦୂରରେ ଗଭୀର ଅରଣ୍ୟ-

 

ଗୋଟାଏ ଆଡ଼େ ଦୂରରେ ସଭ୍ୟଜଗତର ଉନ୍ନତ ବର୍ଦ୍ଧିଷ୍ଣୁ ବସତି, ଅନ୍ୟ ଆଡ଼େ ଆଦିବାସୀ କନ୍ଧ ସଉରାଙ୍କର ଯାଗାଏ ଲାଗି ଲାଗି ଦୁଇ ଚାରିଟା କୁଡ଼ିଆ ଘର । ସଭ୍ୟ ଅସଭ୍ୟର ମଧ୍ୟସ୍ଥଳରେ ସୁଚିତ୍ରାଙ୍କର ସ୍କୁଲ । ସଭ୍ୟ ଅସଭ୍ୟର ମଝିରେ ଯେପରି ଏ ଅଦୃଶ୍ୟ ସୀମାରେଖା । କିନ୍ତୁ ସତରେ କଣ ସଭ୍ୟ ଅସଭ୍ୟ ମଝିରେ ସୀମାରେଖା ଟାଣି ପାରିଛି ମଣିଷ ?

 

ସେ ଦିନ ଡାକ୍ତର ନାୟକ ଆସି ପହଞ୍ଚିଗଲେ । ମିସେନ ହସପିଟାଲର ନାମଜାଦା ଡାକ୍ତର ଏହି କମ୍ପାନୀ ନିବାରଣ ନାୟକ । ଘର ମହାରାଷ୍ଟ୍ର ପ୍ରଦେଶରେ । ଗତ ଯୁଦ୍ଧରେ ସେ ଥିଲେ ମିଲଟେରୀ ଡାକ୍ତର ।

 

ପ୍ରତି ମାସରେ ସେ ଆସନ୍ତି ଛାତ୍ରୀମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ । ତା ଛଡ଼ା କେବେ କେବେ କଲ୍‌ ପାଇ ବା ନିଜ ଇଚ୍ଛାରେ ।

 

ଦିନେ ସୁଚିତ୍ରା ଡାକ୍ତରଙ୍କୁ ତାଙ୍କ ରୋଗ କଥା କହିଲେ । ସେ କଥାରେ ନିବାରଣ ଡାକ୍ତର ଯାହା ଉତ୍ତର ଦେଲେ ତାହା ବାସ୍ତବିକ ବଡ଼ ଅଦ୍ଭୁତ । ସେ କହିଲେ, ଏ ରୋଗ ତୁମ ମନରୋଗ ଠାରୁ ଭୟଙ୍କର ନୁହେଁ ।

 

ସୁଚିତ୍ରା କହିଲେ, ଆପଣ କିପରି ଡାଇଗୋନାଇଜ୍‌ କଲେ ଯେ ମୋର ଏ ମନର ରୋଗ-

 

ହସି ହସି ନିବାରଣ ଡାକ୍ତର କହିଲେ, ମୁଁ ପରା ଡାକ୍ତର !

 

ସୁଚିତ୍ରା ଏହି ଡାକ୍ତରଙ୍କ ଠାରୁ କେତେ ଫରେନ୍ ମେଡ଼ିସିନ୍ ଖାଇ ସାରିଲେଣି । ନିବାରଣ ବାବୁଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ଉପରେ କେତେ ଇଞ୍ଜେକ୍‌ସନ୍‌ ନେଲେଣି । କିନ୍ତୁ ଫଳ କାହିଁ ?

 

ସୁଚିତ୍ରାଙ୍କ ସହିତ ଡାକ୍ତରଙ୍କ ପ୍ରଥମ ଦର୍ଶନ ପରେ ଦ୍ଵିତୀୟ ତୃତୀୟ, କେତେ ଥର ଦର୍ଶନ ହୋଇଗଲାଣି । ତଥାପି ସେ ଦେଖାର ସ୍ମୃତି ଡାକ୍ତରଙ୍କ ପାଖରେ ଯେପରି ବଡ଼ ଅସ୍ପଷ୍ଟ । ସେ ଦେଖା ଯେପରି ତାଙ୍କର ଆଖି ଭରିନି-ମନ ଭରିନି ।

 

ମାସକରେ କଣ ଅନ୍ତତଃ ସପ୍ତାହରେ ଥରେ ଦୁଇଥର ସ୍କୁଲକୁ ନ ଆସିଲେ ନିବାରଣ ଡାକ୍ତର ବ୍ୟସ୍ତ ହୋଇ ଉଠନ୍ତି । ସୁଚିତ୍ରାଙ୍କୁ ପାଇବାର ସହସ୍ର କଣ୍ଟା ରାତିଦିନ ତାଙ୍କ ମନରେ ବିନ୍ଧେ । ସାମାଜିକତା ଭିତରେ ସାଂସାରିକ କର୍ତ୍ତବ୍ୟ ମଧ୍ୟରେ ସୁଚିତ୍ରାଙ୍କ ମୋହ ନିତ୍ୟ ନୂତନ ରୂପରେ ତାଙ୍କୁ ଉଦ୍‌ଜୀବିତ କରେ । ମାୟାର ଆକର୍ଷଣ ପ୍ରବଳ ହୋଇ ଉଠେ । ସେ ମନରେ ଭାବିଲେ ଯେ କୌଣସି ଦିନ ଏହି ଅଳୀକ ସ୍ଵପ୍ନ ର ସଫଳତା ଆସିବ ହିଁ ଆସିବ ।

 

ସୁଚିତ୍ରା ! ଓଃ ! କି ପୁଲକ, କି ଶିହରଣ ଆଣିଦିଏ ଏହି ନାଆଁଟି ନିବାରଣ ଡାକ୍ତରଙ୍କ ମନରେ ! ସେ ତାଙ୍କ ଚାକିରି ଜୀବନରେ ବହୁତ ଯୁବତୀ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି, ମେଡିକାଲ ଷ୍ଟାଫ୍‌ର କେତେ ଲେଡ଼ି ଡାକ୍ତର, କେତେ ନର୍ସଙ୍କ ସହିତ ଏକାଠି ମିଶି କାମ କରିଛନ୍ତି; କିନ୍ତୁ ସୁଚିତ୍ରା ବାସ୍ତବିକ ସେ ସମସ୍ତଙ୍କ ଉପରେ । ନିବାରଣ ଡାକ୍ତରଙ୍କ ସୌନ୍ଦର୍ଯ୍ୟ ପିପାସୁମନ ବିଦ୍ରୋହୀ ହୋଇ ଉଠେ । ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବା ପାଇଁ ମନ ବଡ଼ ଚଞ୍ଚଳ ହୁଏ ।

 

ସ୍କୁଲଟା ସହରଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ । ମ୍ୟୁନିସିପାଲଟି ଏରିଆ ବାହାରେ । ଅଥଚ ନାମଟା ରଖାଯାଇଛି ସହର ନାଁ ରେ ।

 

ଆହୁରି କେତେ ଦିନ ପରେ

 

ଅପରାହ୍ନ ସାଢ଼େ ପାଞ୍ଚଟା । ଦିନର ଆଲୁଅ ଲିଭି ଗଲାଣି । ସ୍କୁଲ ବାରଣ୍ଡାରେ ସୁଚିତ୍ରା ଏକା ଛିଡ଼ା ହୋଇଛନ୍ତି । ଗୁଣୁଗୁଣୁ ହୋଇ ଗୋଟିଏ ଗୀତର ସ୍ଵର ଆପଣା ମନେ ମନେ ଭାଙ୍ଗୁଛନ୍ତି ସୁଚିତ୍ରା ।

 

ନିବାରଣ ଡାକ୍ତର ଆସି ହାଜର ହୋଇଗଲେ । ଆଖିରେ ତାଙ୍କର ମୋଟା ଲେନ୍‌ସର ଚଷମା ।

 

ହଠାତ୍‌ ସୁଚିତ୍ରାଙ୍କୁ ଚମକାଇ ଦେଇ କହିଲେ, ୱାଣ୍ଡର୍‌ଫୁଲ୍‌ !

 

ସୁଚିତ୍ରା ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ, ଗୁଡ୍‌ ଇଭିନିଂ, ଡାକ୍ତରବାବୁ । ମୋ ବେଶଭୂଷାରେ କିଛି ଖରାପ ଦେଖିଲେ ନା କଣ ?

 

—ନା, ନା, ନା—ଆପଣଙ୍କ ବେଶଭୂଷା ? କିଛି ଖରାପ ନାହିଁତ ?

 

—ତେବେ ଗୀତ ?

 

—ତା’ ତ ପୁରୁଣା ଗୋଟାଏ ସିନେମାର ବିରହ ସଙ୍ଗୀତ ।

 

—ତେବେ ?

 

—ଭେରିଗୁଡ୍, ମିସ୍‌ ଦାସ !

 

—ତାର ମାନେ ?

 

—ମାନେ କିଛି ନାହିଁ ।

 

Unknown

ହୋ ହୋ ହୋଇ ହସି ଉଠିଲେ ନିବାରଣ ଡାକ୍ତର ।

 

—ସତରେ ଆପଣଙ୍କ ଗୋଟିଏ ନାଁ ଅଛି, ମିସ୍‌ ଦାସ !

 

—ଥାଉ ସେ ସବୁ ବୃଥା ପ୍ରଶଂସା ଆପଣଙ୍କର ।

 

—ଇୟେସ୍‌, ଇୟେସ୍‌, । ଆପଣ ବାସ୍ତବିକ ପ୍ରତିଭାବତୀ । ଏଠି କିନ୍ତୁ ଆପଣଙ୍କ ପ୍ରତିଭାର ଅପରିଚିୟ ।

 

—ଏ ସବୁ କହିଲେ ବାସ୍ତବିକ ମୁଁ ଲଜ୍ଜିତା ।

 

ଜଣ ଜଣ ହୋଇ ମିଷ୍ଟ୍ରେସ୍‌ମାନେ ପହଞ୍ଚିଗଲେ । ଚାଲିଲା ଏଣୁ ତେଣୁ କେତେଆଡ଼ର କଥାବାର୍ତ୍ତା—ଶେଷରେ କଫି ସିଗାରେଟ୍‌ର ଅଭ୍ୟର୍ଥନା ।

 

ନିବାରଣ ଡାକ୍ତର ଫେରିଲେ ବସାକୁ । ବାଟରେ ଭାବିଲେ ମୋର ଏ ଉଦ୍ଦେଶ୍ୟମୂଳକ ଯାତ୍ରା କିଛି କମ୍‌ ନୁହେଁ ଏଠିକି । ଭବିଷ୍ୟତରେ ଏ ଯୋଜନା ସଫଳ ହେବ କି ନା କିଏ ଜଣେ ?

 

ସାରାଦିନର କ୍ଲାନ୍ତି ପରେ ଯେତେବେଳେ ଦିଗ ବିଦିଗ ଅନ୍ଧକାର କରି ରାତି ନଇଁ ଆସେ, ଗୃହସୀମାର ବନ୍ଧନ ଖୋଲି ଜାଗିଉଠେ ନିବାରଣ ଡାକ୍ତରଙ୍କର ଆଦିମଉଦ୍ଦାମ ମନ । ଆଇନ୍‌ କାନୁନ ଘୋରା ଜାଲ ତାଙ୍କର କୁଆଡ଼େ ଭାସିଯାଏ । ବଣର ହାଉଆ ତାଙ୍କୁ ପାଗଳ କରେ । ଜରା ପ୍ରାନ୍ତର ନିରୁଦ୍ଧ ଯୌବନ କଥା କହେ ।

 

ରାତି ସେତେବେଳକୁ ବାରଟା । ସିନେମା ହଲ୍‌ର ସେକଣ୍ଡ୍‌ ସୋ ବହୁ ଆଗରୁ ଭାଙ୍ଗି ଗଲାଣି । ରାତ୍ରର ଆପରିସୀମ ନିସ୍ତବତା ଭିତରେ ମନଟା ତାଙ୍କର ଅଭିସାର ରଚିବାକୁ ଉଚ୍ଛନ୍ନ ହେଲା ।

 

—ବାହାରି ପଡ଼ିଲେ । ହାତରେ ତାଙ୍କର ତିନି ସେଲିଆ ଏଭରେଡ଼ି ଟର୍ଚ୍ଚ ।

 

ଚାରିଆଡ଼େ ବିରାଟ ନୀରବତା । ମଝିରେ ମଝିରେ କେବଳ ଗୋଟାଏ ଦୁଇଟା କୁକୁରର ଘେଉ ଘେଉ ଶଦ୍ଦ ।

 

ହଠାତ୍‌ ସୁଚିତ୍ରାଙ୍କ କ୍ଵାର୍ଟରେ-ବାରଣ୍ଡା ଉପରେ ନିବାରଣ ଡାକ୍ତର ଛିଡ଼ା ହୋଇ ପଡ଼ିଲେ । ଯେପରି ସେ ଅନୁଷ୍ଠାନରେ ନିଯୁକ୍ତ ଜଣେ ନୀରବ ପ୍ରହରୀ ।

 

ରାତି ଅନେକ । ସ୍କୁଲ କାମ୍ପାଉଣ୍ଡ ଘୁମନ୍ତ ।

 

ଦରଜା ଭିତର ପଟୁବନ୍ଦ । ୱାଲ୍‌ ଲ୍ୟାମ୍ପଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଝରକା ଫାଙ୍କରେ ସେ କାନ ଦେଇ ଶୁଣିଲେ । କୋଠରୀ ଭିତରେ ନିସ୍ତବତା । ବୋଧହୁଏ ନିଦରେ ଶୋଇ ଯାଇଛନ୍ତି ସୁଚିତ୍ରା ଦାସ୍‌ ।

 

ଅଭ୍ୟାସବଶତଃ ନିଦ ଭାଙ୍ଗିଯାଏ ସୁଚିତ୍ରାଙ୍କର ବାରବାର । ପାଖରେ କଣ ଗୋଟାଏ ଆବାଜ ! ହୁଏତ ମନର ଭଲ । ସ୍ତବା ହୋଇଗଲେ ସୁଚିତ୍ରା । ଅନ୍ତରରେ ତାଙ୍କର ଶଙ୍କାର ଛାୟା । ସେ ଚମକି ଉଠିଲେ । ବିପଦର ସୁସ୍ପଷ୍ଟ ଧ୍ୱନି ହୃତପିଣ୍ଡରେ ବାଜି ଉଠିଲା ।

ସେ ଜାଣି ସାରିଲେଣି ନିଶ୍ଚୟ ଏ ମଣିଷର ପଦଚଲା ଶଦ୍ଦ । ସେ କାନ ଟେକି ଚୁପ ହୋଇ ତକେଇ ରହିଲେ । ନିର୍ଜନ ରାତିରେ ଏପରିଭାବରେ ମଣିଷର ହଠାତ୍‌ ଆବିର୍ଭାବ ? ତେବେ ବି ସେମାନଙ୍କର ଆକ୍ରମଣ ? ନିଜକୁ ଏତେଦୂରକୁ ସଂପୂର୍ଣ୍ଣ ଛିଣ୍ଡେଇ ଆଣିବି ? ଏଥିରେ ଯେ କୌଣସି ସାଧୁ ଉଦ୍ଦେଶ୍ୟ ନାହିଁ ସେ ବିଷୟରେ ସେ ସ୍ତିର ନିଶ୍ଚିତ ।

ଠକ୍ ଠକ୍ ଠକ୍ ।

କବାଟରେ ଆଙ୍ଗୁଠି ଟିପାର ଶଦ୍ଦ । ଦରଜା ପାଖରେ ଖସ୍‌ଖସ୍‌ ।

ଧଡ଼ପଡ଼ ହୋଇ ଖଟ ଉପରେ ଉଠି ବସିଲେ ସୁଚିତ୍ରା । ନିଜ ବସାଘରେ ବି ଟିକେ ତାଙ୍କର ସ୍ଵାଧୀନତା ନାହିଁ ?

ଭାବିଲେ କବାଟ ଖୋଲିବାକୁ । ଚୋର ନୁହେଁ ତ ? ଯଦି ଭଦ୍ର ଚୋର ହୋଇଥାଏ ?

ପ୍ରଶ୍ନ କଲେ—କିଏ ? କିଏ ତୁମେ ?

ବାହାରୁ ଉତ୍ତର ଆସିଲା, ଏହିଯେ ଆପଣଙ୍କ ନିଦ ଭାଙ୍ଗିଛି । ଗୁଡ୍‌ ନାଇଟ୍‌, ମିସ୍‌ ଦାସ, ଶରୀର ଭଲତ ?

ସୁଚିତ୍ରା ଭଲଭାବରେ ଜାଣି ସାରିଲେଣି ଏ ନିବାରଣ ବାବୁଙ୍କୁ କଣ୍ଠସ୍ଵର ବୋଲି ।

—ଆପଣଙ୍କର ପରିଚୟ ?

—ଆଇ ୟାମ୍‌ ସରି । ବର୍ତ୍ତମାନ ବି ମତେ ଚିହ୍ନି ପାରୁନାହାନ୍ତି ? ମୋ ସ୍ଵରରୁ ଠଉରେଇ ପାରୁ ନାହାନ୍ତି ମାଇ ଡିଅର୍ ମ୍ୟାଡାମ୍ ?

—ନା, ମୁଁ ଚିହ୍ନି ପାରୁନି ।

—ମୁଁ ଆପଣଙ୍କର ଜଣେ ଦୀର୍ଘ ଦିନର ଅକୃତ୍ରିମ ବନ୍ଧୁ ।

—ମୋର ଦୁନିଆରେ ଅକୃତ୍ରିମ ବନ୍ଧୁ କେହି ନାହାନ୍ତି ।

—ଭୁଲ, ଆପଣଙ୍କ ଭୁଲ ମିସ୍ ଦାସ ।

—ଅସମ୍ଭବ !

—ସମ୍ଭବ ଅସମ୍ଭବର ସମାଧାନ ଆପଣଙ୍କ ହାତରେ ।

—ଆପଣ କଣ ଚାହାନ୍ତି ?

—ବିଶେଷ କିଛି ନୁହେଁ । ଖାଲି ଟିକେ କବାଟ ଖୋଲନ୍ତୁ ।

—ଆପଣଙ୍କୁ ଏଠିକି ଆସିବାକୁ କିଏ ଅନୁମତି ଦେଲା ?

—ଆସିବା ପାଇଁ କାହାରି ଉପଦେଶ ବା ଅନୁମତି ଦରକାର ହୁଏନା ମିସ୍‌ ଦାସ !

 

—ଜାଣି ରଖନ୍ତୁ, ମତେ ଏପରି ଅସହାୟ ଅବସ୍ଥାରେ ଅପମାନିତ କରିବାର ପ୍ରଚେଷ୍ଟା ଆପଣଙ୍କର ଭଲ ନୁହେଁ ।

 

ସୁଚିତ୍ରାଙ୍କ କଣ୍ଠରେ ତୀବ୍ର ପ୍ରତିବାଦ । ଏହି ଅପ୍ରତ୍ୟାଶିତ କଠୋର ବ୍ୟବହାରରେ ନିବାରଣ ଡାକ୍ତର ଲଜ୍ଜିତ ହେଲେ ମନେ ମନେ । କିନ୍ତୁ ବିରକ୍ତ ପ୍ରକାଶ ନ କରି କହିଲେ, ଅପମାନ ନୁହେଁ ମିସ୍‌ ଦାସ୍‌—ଅଭ୍ୟର୍ଥନା ।

 

—କଥାବାର୍ତ୍ତାରୁ ତ ଆପଣ ବେଶ୍ ଶିକ୍ଷିତ ଜଣା ପଡ଼ୁଛନ୍ତି ।

 

ସଭ୍ୟ ଜଗତର ଲୋକ ହୋଇ ଦୂରକୁ ଚାଲି ଯାଉଛନ୍ତି ।

 

କାହିଁକି ?

 

ସୁଚିତ୍ରା ଏହି ଜନସେବକ ମେଡିକାଲ୍ ଅଫିସର ନିବାରଣ ନାୟକକଙ୍କ ଚରିତ୍ର କଥା ଭାବିଲେ ମନେ ମନେ । ସେ ଆଗରୁ ପାଇସାରିଛନ୍ତି ତାଙ୍କର ସ୍ଵଭାବ ଓ ଗୁଣଗ୍ରାମର ଅସଂଖ୍ୟ ରିପୋର୍ଟ ।

 

ସୁଚିତ୍ରା କର୍କଶ ଗଳାରେ କହିଲେ, ଏହାର ନାଁ ଶିକ୍ଷା ? ସଭ୍ୟତା ? ସଭ୍ୟତା ନା ପାଶବିକତା ! ସଭ୍ୟତା ନାମରେ ଚାଲିଛି ଆଜି ସାରା ପୃଥିବୀରେ ବିରାଟ ସ୍ଵାର୍ଥପରତା, ଆଉ ବ୍ୟଭଚାର । ଆପଣ ବା ବାଦ୍ ଯାଆନ୍ତେ କିପରି ?

 

ମିନିଟ୍ କେତୋଟିର ନୀରବତା । ବୋଧହୁଏ ନିବାରଣବାବୁ କଣ ଉତ୍ତର ଦେବେ ଭାବୁଥିଲେ ମନେ ମନେ ।

 

—ଟିକିଏ ଦୟା କରନ୍ତୁ । ଆପଣଙ୍କର କୋଣସି କ୍ଷତିର ଆଶଙ୍କା ନାହିଁ ।

 

—ଆପଣଙ୍କ ମନର କଥା ବୁଝିବାକୁ ମୋର ଆଉ କିଛି ବାକି ନାହିଁ । ଏ ବୃଥା ଚେଷ୍ଟା କାହିଁକି ଆପଣଙ୍କର ? ଦୟାକରି ଚାଲି ଯାଅନ୍ତୁ । ବିରକ୍ତ କରନ୍ତୁନି କହୁଛି ।

 

—ମୁଁ ଆପଣଙ୍କୁ ଭଲପାଏ । ନିର୍ବୋଧପରି ଆଗପଛ ନ ବିଚାରି ଖୁବ ଭଲପାଏ, ମିସ୍ ଦାସ ! ଖୋଲିବେ ନି ?

 

—‘ନା’ । ସୁଚିତ୍ରାଙ୍କ କଣ୍ଠସ୍ଵରରେ ଯେପରି ବମ୍ବାର୍ଡ଼ମେଣ୍ଟ୍‌ । ସେ ଉତ୍ତର ଦେଲେ ନି-ଧମକ ଦେଲେ ।

 

ଏହି ‘ନା’ ଶବ୍ଦ ଶୁଣି ନିବାରଣ ଡାକ୍ତର ସେହି ମୁହୂର୍ତ୍ତରେ ଆଲୋକିତ ସ୍ଵପ୍ନ ମୁଗ୍‌ଧ ସ୍ଵର୍ଗ ରାଜ୍ୟରୁ ଖସିପଡ଼ିଲେ ଏକ ନୈରାଶ୍ୟମୟ ଅର୍ଥହୀନ ସଂସାରର ଦରିଦ୍ର୍ୟ ଭିତରକୁ । ଆତ୍ମ ଅଭିମାନରେ ତାଙ୍କର ଆଘାତ ଲାଗିଲା ।

 

—ଆଚ୍ଛା, ବିଶ୍ରାମ କରନ୍ତୁ ମାଇଁ ଡିଅର ମିସ୍‌ ଦାସ୍‌ ! ଆସୁଛି, ମନସ୍କାର । ବୁଲୁ ବୁଲୁ ଏମିତି ଏଆଡ଼େ ଟିକେ ଚାଲି ଆସିଥିଲି । କିଛି ମନେ କରିବେ ନି ।

 

ନିବାରଣ ଡାକ୍ତର ଫେରିଲେ ବସାକୁ । ଚାଲିରେ ତାଙ୍କର ଫୁଟି ଉଠିଥାଏ ଅହମିକା । ନିଜ ମନକୁ ନିଜେ ଆଶାସନା ଦେଲେ । ସେ ଯାହା ଚାହାନ୍ତି ତାହା କରି ପାରିବେ । ସେ ବିଶ୍ଵାସ ତାଙ୍କର ଅତୁଟ । ଅର୍ଥ ନିକଟରେ ଜଗତ ହାର ମାନିଛି । ଏ ତ ଛାର ଯୁବତିଟାଏ ।

 

ନିବାରଣ ବାବୁ ଚାଲିଗଲେଣି । ଦୂରକୁ ଗୋଟିଏ ନୈଶ୍ୟ କୁକୁରର ଆର୍ତ୍ତନାଦ ପ୍ରତିଧ୍ଵନିତ ହୋଇ ପବନରେ ଭାସି ଆସୁଥିଲା ଭେଉ ଭେଉ ଭେଉ ।

 

ସୁଚିତ୍ରାଙ୍କର ଆଉ ନିଦ ନାହିଁ । ସେ ଯେପରି ତାଙ୍କ ବସା ଘରେ ବନ୍ଦିତ୍ଵ ଅନୁଭବ କରୁଛନ୍ତି । ଆଉ ଅନ୍ଧକାର ନିସ୍ତବ୍‌ଧ ରାତ୍ରି ଅତିକାୟ ଦାନବ ପରି ଯେପରି ତାଙ୍କ ଛାଇ ଉପରେ ଚାପି ବସିଛି ।

 

ରାତ୍ରି ଶେଷ ହେବାକୁ ଅଳ୍ପ ବାକି ଅଛି । ସମୟ କଟିଯାଉଛି । ସେକଣ୍ଡ ମିନିଟ ଘଣ୍ଟା ରାତ୍ରି— । ତା’ ପରେ ଆସିବ ସକାଳ—ନୂତନ ଆଗାମୀ ଦିନର ସଂକେତ ଧରି ।

 

ସେ ମନରେ ଭାବିଲେ ତାଙ୍କ ଜୀବନର ସୁଦୀର୍ଘ ସାଧନା କଣ ତିଳ ତିଳ ଏଇମିତି କ୍ଷୟ ହୋଇଯିବ ?

 

ସେହି ଦିନ ଠାରୁ ନିବାରଣ ଡାକ୍ତରଙ୍କ ଦୁଃସାହସର କଠିନତା ଚୂର୍ଣ୍ଣ ହୋଇ ଯାଇଛି—ଦିବା ସ୍ଵପ୍ନ ତାଙ୍କରି ଭାଙ୍ଗି ଯାଇଛି । ସେ ମନେ ମନେ ଲଜ୍ଜିତ ଓ ଅନୁତପ୍ତ । ତା ପରେ ସେ ଅନେକଥର ସ୍କୁଲକୁ ଆସିଛନ୍ତି, ଯାଇଛନ୍ତି; କିନ୍ତୁ ସୁଚିତ୍ରା ଥିବା ପର୍ଯ୍ୟନ୍ତ କେବେ ଦିନେ କୌଣସି ଅନ୍ୟାୟ କଥା କହିବାକୁ ଆଉ ସାହସ କରି ନାହାନ୍ତି ।

 

ସୁଚିତ୍ରାଙ୍କର ଅନ୍ତରଙ୍ଗ ବାନ୍ଧବୀ ହେଉଛି ଶାନ୍ତିଲତା ମହାନ୍ତି । ସମବୟସ୍କା । ସେ ବି ହେଉଛି ସେହି ଗାର୍ଲସ ସ୍କୁଲର ହିନ୍ଦି ମିଷ୍ଟ୍ରେସ୍ । ପ୍ରତିଦିନ ସ୍କୁଲଛୁଟି ପରେ ଦୁହିଙ୍କର ସମ୍ମିଳନୀ ବସେ-। ଦୁହେଁ ମାସିକ ପତ୍ରିକା ଓ ଡିଟେକ୍‌ଟିଭ୍‌ ନଭେଲ ପଢ଼ନ୍ତି । ବେଳେ ବେଳେ ବି ନିର୍ଜନ ବାରଣ୍ଡାରେ ସଙ୍ଗୀତାଳାପ ଚାଲେ । ସଙ୍ଗୀତ ହେଉଛି ଆପଣା ମନର ଭାବ ନେଇ, ଅନ୍ୟକୁ ଶୁଣାଇବା ପାଇଁ ନୁହେଁ । ଏହି ଦୁଇ ତରୁଣୀଙ୍କ, ଜୀବନସ୍ରୋତ ନିର୍ମଳ ସଲିଳା ମହାନଦୀର ସ୍ଵଚ୍ଛଧାର ପରି ବହିଚାଲିଛି । ଜାଣନ୍ତିନି କେବେ ଦିନେ ସେମାନଙ୍କ ଜୀବନରେ ବିଚ୍ଛେଦ ଆସିବ ବୋଲି ।

 

ସେଦିନ କଣ ଗୋଟାଏ ଛୁଟିଦିନ ।

 

ଦି ପହର ବେଳ ।

 

ଆସି ପହଞ୍ଚିଗଲେ ଶାନ୍ତିବୋଉ ମାଉସୀ ସିଧା ସିଧା ସୁଚିତ୍ରାଙ୍କ ବସା ଘରେ । ଶାନ୍ତିଲତା ସେଠୁ ଉଠିଗଲା ତାର କଣ ଗୋଟାଏ କାମରେ ।

 

ଏହି ମାଉସୀଙ୍କର ମୁଣ୍ଡଭର୍ତ୍ତି ପାଚିଲା ବାଳ । ବେଶୀ ବୟସ । କାମ ଧନ୍ଦା କରିବାର କ୍ଷମତା ନାହିଁ ।

 

ସେ କଥା ଆରମ୍ଭ କରି କହିଲେ, ସୁଚିତ୍ରା ! ଜାଣିଲୁ ନା ? ମୋର ଶାନ୍ତି ବରଘର ଠିକ୍‌ ହୋଇଗଲା । ମଉସା ତୋର ଚିଠି ଦେଇଛନ୍ତି— ।

 

ଆରମାସ ଦଶରେ ବାହାଘର ।

 

ସୁଚିତ୍ରା ଚମକି ପରି ଉତ୍ତର ଦେଲେ’ ଏଁ ? ଶାନ୍ତିଲତା ତେବେ ମତେ ଛାଡ଼ି ଚାଲି ଯାଉଛି, ମାଉସୀ !

 

—କଣ କରିବ କାହାନି ଭଲା ? ତୁ ତ ଜାଣୁ ଝିଅ ଜନମ ପରଘରକୁ— ।

 

ପ୍ରଥମେ ବାପ ତାର ମନା କରୁଥିଲେ । ମୁଁ ତାଙ୍କୁ ଚିଠି ଲେଖିଲି । ହେଲେ ବା ସେ ଅନ୍ୟ ଜାତି । ଶାନ୍ତି ଯେତେବେଳେ ତାଙ୍କୁ ଭଲପାଏ—ସେ ଯଦି ଏ ବିବାହରେ ସୁଖିନୀ ହୁଏ—ଆମର ଆପତ୍ତି କଣ ? ଅନେକ କଷ୍ଟରେ ତାଙ୍କୁ ରାଜି କରେଇଲେ ।

 

ସୁଚିତ୍ରା ମାଉସୀଙ୍କ ଆଡ଼କୁ ଆଖି ମେଲେଇ ଅନେଇ ରହିଲେ । ଆଖି ଦୁଇଟି ବଡ଼ କରୁଣ ।

 

ସୁଚିତ୍ରା ମଧୁର କଥା ଓ ମଧୁର ସ୍ଵଭାବ ନେଇ ତାଙ୍କୁ ବଡ଼ ଭଲ ପାଆନ୍ତି ମାଉସୀ । ରକ୍ତର ସଂପର୍କ ନାହିଁ କି ପେଟରୁ ଜନମ କରି ନାହାନ୍ତି ସତ କିନ୍ତୁ ବଡ଼ ମାୟା ଲାଗିଛି ସୁଚିତ୍ରାଙ୍କ ଉପରେ ମାଉସୀଙ୍କର ।

 

—ସୁଚିତ୍ରା ! ସ୍ନେହଭରା ମଧୁର ଡାକ ।

 

—କଣ ?

 

—ରାଗ କରିବୁନୁ ତ ?

 

—ରାଗ କରିବି କାହିଁକି, ମାଉସୀ ?

 

—ଆଚ୍ଛା, ଗୋଟାଏ କଥା ପଚାରିବି ତତେ । ଲାଜ ନ କରି ତାର ଉତ୍ତର ଦେବୁନା ?

 

ସୁଚିତ୍ରା ଗୋଟିଏ ଦୀର୍ଘନିଶ୍ଵାସ ଛାଡ଼ିଲେ । କହିଲେ ମୁଁ କଣ ଉତ୍ତର ଦେବାକୁ ମନା କରୁଛି ?

 

ଶାନ୍ତିବୋଉ ମାଉସୀ ଏଥର ସଳଖି ହୋଇ ବସିଲେ । ସୁଚିତ୍ରାଙ୍କ ମୁଁହକୁ ଅନେଇ କହିଲେ, ତୋର ଏ ଜୀବନଟା କଣ ଖାଲି ସବୁଦିନେ ଏହି ମାଷ୍ଟ୍ରିଆଣୀ ଭାବରେ କଟି ଯିବ ?

 

ସୁଚିତ୍ରା ହତାଶ ବ୍ୟଞ୍ଜକ ସ୍ଵରରେ କହିଲେ, ମୋ ପାଇଁ ଯେ ଅନ୍ୟ ବାଟ ଆଉ ନାହିଁ , ମାଉସୀ !

 

—ବାହା ହେବାକୁ କଣ ତୋର ଇଚ୍ଛା ନାହିଁ ? ମାଉସୀ ମୋତେ ତୋ କଥା ଅନେକଥର କହିଲେଣି । ଆଚ୍ଛା, ଏପରି ନିଃସଙ୍ଗ ଜୀବନ କାଟି ପାରିବୁତ ଚିରଦିନ ପାଇଁ ?

 

ସୁଚିତ୍ରା ଟିକିଏ ଗୁମ୍‌ମାରି ବସିଲେ ।

 

କହିଲେ, ହଁ ପାରିବି ମାଉସୀ । ଜୀବନର ସର୍ବଶ୍ରେଷ୍ଠ ସମୟଟା ଯଦି ନିରାପଦରେ କାଟିପରିଲି ତେବେ ବାକିଦିନ ଗୁଡ଼ିକ ନ ପାରିବି କାହିଁକି ? ନିୟତିର ବନ୍ଧନ, କପାଳ ଲିଖନ ଭଗବାନ ଖଣ୍ଡନ କରି ପାରନ୍ତି ନି ।

 

ସୁଚିତ୍ରାଙ୍କ ଆଖି ଦୁଇଟି ଜଳରେ ଭରିଗଲା । ଆଉ ସେ କିଛି କହି ପରିଲେଣି ନି । ଉଚ୍ଛ୍ଵସିତ ବାଷ୍ପାବେଗରେ ଗଳା ତାଙ୍କର ବୁକି ହୋଇ ଆସୁଥିଲା ।

 

—ଆଲୋ ଝିଅ ! ତୁ କାନ୍ଦୁଛୁ ?

 

ମାଉସୀ ନିଜ ପଣତକାନିରେ ସୁଚିତ୍ରାଙ୍କର ଆଖି ପୋଛିଦେଲେ ।

 

ସୁଚିତ୍ରା କାନ୍ଦ କାନ୍ଦ ହୋଇ କହିଲେ, ମାଉସୀ ! ଏ ଦୁନିଆ ଭେଜାଲ, ବେଦରଦୀ । ଯାହା କିଛି ମୁଁ ଏ ଦୁନିଆରେ ଦେଇଛି ତା ବଦଳରେ ପାଇଛ ରୂଢ଼ ଉପହାସ—ଆଉ ଉପେକ୍ଷା ।

 

ମାଉସୀ ଗମ୍ଭୀର ହୋଇ କିଛି ସମୟ ବସି ରହିଲେ । ସୁଚିତ୍ରାଙ୍କ ପାଇଁ ମନରେ କଷ୍ଟ ଆସିଲା । ଯୁବତୀ ଝିଅ—ସଂସାରର ପ୍ରକୃତ ରୂପ ଦେଖିନି—ବିଶେଷ କିଛି ଜାଣିନି ।

 

ସେ ପୁଣି କଥା ଆରମ୍ଭ କରି କହିଲେ, ତୋର ଜୀବନର ଲମ୍ବା ଚଳା ରାସ୍ତାରେ ଗୋଟାଏ ଆଶ୍ରୟ ଦରକାର । ତୁ ଭାବିଛିନ୍ତି ମନ ସ୍ତିର କରି କହ । ତୁ ଯଦି ନିର୍ଦ୍ଦିଷ୍ଟ ଭାବରେ କିଛି ନ କହୁ ତେବେ କଣ ବା କରାଯାଇ ପାରିବ ତୋ ପାଇଁ, କହିଲୁ ?

 

—ସେ ସବୁ ବଡ଼ ଲଜ୍ଜାର କଥା । ମୁଁ କହିପାରିବିନି ସେ କଥା ମାଉସୀ !

 

—କହ ଚିତ୍ରା ! ମୋ ପାଖରେ ତୋର ଲାଜ କଣ ? ତୁ କଣ ମୋ ଝୁଅ ନୋହୁ ?

 

ସୁଚିତ୍ରା ଆଖିପୋଛି ବିରସକଣ୍ଠରେ କହିଲେ, ଯଦି ପଚାରିଲା ଶୁଣ, ମାଉସୀ । ବୟସଟା ଯେତେବେଳେ ମୋର ବଢ଼ନ୍ତ ଓ କଞ୍ଚା ମୁଁ ଥିଲି ବୋଧହୁଏ ଗୋଟାଏ ବୋକା । ଭବିଷ୍ୟତଭାବନା ସେତେବେଳେ ଥରେ ହେଲେ ଭାବି ଦେଖିନି । ମୁ ଚାହିଁଥିଲି ଜଣଙ୍କୁ ଅବଲମ୍ବନ କରି ବଞ୍ଚିବାକୁ । ସେହି ଜଣକ ଛିଡା ହେଲେ ଆସି ମଝି ବାଟରେ । ଡାକିଲେ ମତେ । ସବୁ ଛାଡ଼ି ତାଙ୍କର ସାଙ୍ଗରେ ବାହାରି ଯିବାକୁ ଠିକ୍ କଲି । କିନ୍ତୁ ଯୀଶୁ କଲେନି । ସେ ବାଟରେ ବସେଇଦେଲେ ଅନ୍ୟ ବାଟରେ ଚାଲିଗଲେ । ଚାହିଁଲେ ଯେ ସବୁ ମିଳିଯିବ ୟାର ତ କିଛି ମାନେ ନାହିଁ ?

 

—ଚିତ୍ରା !

 

ସ୍ମୃତିର ଅତଳଗର୍ଭରେ ଡୁବିଗଲେ ସୁଚିତ୍ରା । ମାଉସୀଙ୍କ ମନ ଭିତରେ ବେଦନା ଓ ସହାନୁଭୁତି । ସେ ଅଧୀରା ହୋଇ ଉଠିଲେ । ମନେ ମନେ କହିଲେ ଝିଅଟା ଆବେଗ ସମ୍ଭାଳି ପାରୁନି । ଜୀବନରେ ସେ ଯେଉଁ ଠୋକ୍‌କର ଖାଇଛି ସେହି ଦୁର୍ବଳତା ପାଇଁ ମୋ ସାମନାରେ ଏମିତି ଝର ଝର ହୋଇ ଝରିପଡୁଛି ।

 

—ଚିତ୍ରା ! ତୁ କାନ୍ଦୁଛୁ ? ମଣିଷ ଯାହା ଚାହେଁ ସେ ତାହା ପାଏନି ସତ, ତଥାପି ତ ମନକୁ ସ୍ଥିର ରଖିବାକୁ ହେବ । କଣ ତୁ ବର୍ତ୍ତମାନ କରିବାକୁ ଚାହୁଁ କହ ?

 

କଂପିତ ହାତରେ ଶାଢ଼ି କାନିକୁ ଆଖିରେ ବୁଲେଇ ନେଇ ସୁଚିତ୍ରା କହିଲେ, ନା, ମାଉସୀ କିଛି ନାହିଁ ।

ଆଶ୍ଚର୍ଯ୍ୟ ହୋଇ ମାଉସୀ କହିଲେ, ତୋର ଆଜି ଏ କଣ ହୋଇଛି ଚିତ୍ରା ? କେବେ ତ ତୋର ମୁଁ ଏପରି ଲକ୍ଷ କରିନି ?

 

କୁତ୍ରିମ ହସଟିଏ ସୁଚିତ୍ରା କହିଲେ, ମୁଁ ଯେ କଣ ଥିଲି ଆଉ କଣ ହେବାକୁ ଚାହୁଁଥିଲି ତାହା କେହି ଜାଣିପାରିବେନି । କିଛି ପାଇନି ମାଉସୀ ! କିଛି ପାଇନି ।

 

—ସତ ?

 

—ସତରେ କିଛି ନାହିଁ ମାଉସୀ ! ନିଜର ରାସ୍ତା ନିଜ ହାତରେ ବନ୍ଦ କରି ଦେଇଛି । ମୁଁ କାହାର ସ୍ତ୍ରୀ ନୁହେଁ କି କାହାର ମା ନୁହେଁ । ମୋର ସଂସାର ନାହିଁ । ନାହିଁ ସାମାଜିକ ସମ୍ମାନ ଆଉ ପରିଚିତ । ନାରୀ ହିସାବରେ ମୁଁ ଗୋଟିଏ ବ୍ୟର୍ଥ ସୃଷ୍ଟି ।

 

ସୁଚିତ୍ରା ଉପରେ ମାଉସୀଙ୍କ ମନ ପ୍ରସନ୍ନ ହୋଇ ଉଠିଲା । ମନେ ମନେ କହିଲେ ସେ ଠିକ୍ କରିଛି । କିଛି ଅନ୍ୟାୟ କରିନିତ ?

 

—ହତାଶ ହୁଅନି ଚିତ୍ରା । ଆଜି ବି ସମୟ ଅଛି । ତୁତ କିଛି ବୁଢ଼ୀ ହୋଇ ଯାଇନୁ?

 

ସୁଚିତ୍ରା ଆଖି ଆଗରେ ନଇଁ ଆସିଲା ଘନକୁ ହେଳିକାର ଏକ ଦୀର୍ଘ ପରଦା । ଆଉ ସେହି ପରଦା ଭେଦ କରି ଯେପରି କେଉଁ ସୁଦୂରକୁ ଭାସି ଆସିଲା ସୁଧୀରଙ୍କର ଏକ ବିରାଟ ଉପହାସ । ସେ କଣ ଦୁଃସ୍ଵପ୍ନ ଦେଖିଛନ୍ତି ନା କଣ ? ସେ ନୀରବ । ମାଉସୀ ବି ଗଭୀର ଚିନ୍ତାମଗ୍ନ-। କିଛି ସମୟ କଟିଗଲା ନୀରବତା ଭିତରେ ।

 

ମାଉସୀ ଭାବିଲେ ଏହି ପ୍ରେମ କାହାଣୀ କିଛି ଅସାଧାରଣ ନୁହେଁ । ଏପରି ତ କେତେ ହୁଏ । ତେବେ ସେ କିପରି ପୁରୁଷ ମ ? ଏହି ଯୁବତୀଟାର ଜୀବନ ଏପରି ବ୍ୟର୍ଥ କରିବାର ତାଙ୍କର କି ଅଧିକାର ଥିଲା ? ଏ ଅନ୍ୟାୟ—ଭାରି ଅନ୍ୟାୟ ।

 

ଶାନ୍ତି ବୋଉ ମାଉସୀ ସହାନୁଭୂତିଭରା ଗଳାରେ କହିଲେ, ମଣିଷ ତା ଜୀବନରେ ଅନେକ କିଛି ହରାଏ—ପୁଣି ଆଶା କରେ । ଆକାଶରେ ମହଲ ଗଢ଼େ—ଭଗବାନ ତା ଭାଙ୍ଗେ । ଭଙ୍ଗା ଗଢ଼ା ଏ ଦୁନିଆର ରାତି । ଦିନକର ଗୋଟାଏ କଥାକୁ ଧରି ସାରା ଜୀବନ ହା ହୁତାଶ ଭିତରେ କଟାନା ତୁ ଚିତ୍ରା !

 

—ମତେ କ୍ଷମା ଦିଅ । ମତେ ଅଧୈର୍ଯ୍ୟରେ ଯେଉଁ ବଳ ସାହସ ଦେଉଛି ମୁଁ ସେଥିପାଇଁ ତୁମ ପାଖରେ ଋଣୀ । ମତେ ଆଉ ସେ ବିପଦରେ ପକାଅ ନା ମାଉସୀ !

 

ମନରେ ତାଙ୍କର ଶୂନ୍ୟତା । ଏହି ଶୂନ୍ୟତାର କୌଣସି ଭାଷା ନାହିଁ । ତାହା ଆଖିରେ ଦେଖାଯାଏନା.... ମୁହଁରେ କୁହାଯାଏନା... ଅଥଚ ଛାତିରେ ବଡ଼ ବାଧେ ।

 

—ବିପଦ ନୁହେ ଚିତ୍ରା ! ସଂପଦ । ମୁଁ ତତେ ସମୟ ଦେଉଛି । ଭବିଚିନ୍ତି କହିବୁ ମତେ-। ତୋ ଠାରୁ ଉତ୍ତର ପାଇବାପରେ ମାଉସୀଙ୍କୁ ଜଣାଇବି ସେ କଥା । ସେ ତୋର ବନ୍ଦୋବସ୍ତ କରିବେ ।

 

ମାଉସୀ ଯିବାପାଇଁ ଉଠିଲେ ।

 

ଗ୍ରୀଷ୍ମ ଛୁଟି । ସ୍କୁଲ ବନ୍ଦ ।

 

ବ୍ଲକ୍ ଅଫିସ୍‌ର ପି. ଏ. ଙ୍କ ସହିତ ଶାନ୍ତିଲତାର ଶୁଭ ପରିଣୟ ଜ୍ୟେଷ୍ଠ ସନ୍ଧ୍ୟାର ମଧୁର ଲଗ୍ନରେ ସଂପନ୍ନ ହୋଇଯାଇଛି । ଯୌତୁକର ପ୍ରଶ୍ନ ନାହିଁ । ଆଦର୍ଶ ବିବାହ । ପିତାମାତା କନ୍ୟା ଦାୟରୁ ମୁକ୍ତି ପାଇଛନ୍ତି ।

 

ଆଜି ବିଭାଘର ଭୋଜି ।

 

ଲାଉଡ ସ୍ପିକର୍‌ରୁ ଆଧୁନିକ ଓଡ଼ିଆ ସଙ୍ଗୀତର ମୂର୍ଚ୍ଛନା ଖେଳି ବୁଲୁଛି ।

 

କୃଷ୍ଣପକ୍ଷ ରାତି । ଜହ୍ନ ଉଠିବାକୁ ଡେରିଅଛି । ଉଠିଲେ ଉଠିବ ମଝି ରାତିରେ ।

 

ପେଟ୍ରୋମାକ୍‌ସ ଲାଇଟ୍ ଗଣ୍ଡା ଗଣ୍ଡା । ଆଲୁଅ ଝଲମଲ । ଛାମୁଣ୍ଡିଆ ତଳେ ଧାଡି ଧାଡି ଚୌକି । ଆଗରେ ଖୋଲା ପ୍ରଶସ୍ତ ଯାଗା । ମଲ୍ଲୀ, ହେନା, ସୁଗନ୍ଧରାଜ ଫୁଲରେ ସ୍ଥାନଟି ମହକି ଉଠୁଛି ।

 

ଅନେକ ଭଦ୍ରଲୋକଙ୍କ ସମାବେଶ । ବଡ଼ ବଡ଼ ମେଜଉପରେ ସୁନ୍ଦର ସୁନ୍ଦର ଡ଼ିଜାଇନ୍‌ର ଟେବୁଲ କ୍ଲଥ । ଚାଇନା ପ୍ଲେଟ୍‌ରେ ପାନ ସିଗାରେଟ୍‌ ମସଲା । ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ କିଏ ବି.ଡି.ଓ, କିଏ ତହସିଲଦାର, ଡାକ୍ତର, ରେଞ୍ଜର, ସ୍କୁଲଶିକ୍ଷକ ଓ କିରାଣୀ ।

 

ମଜଲିସ୍‌ ଚାଲିଛି । ଦଳେ ଯୁବକ ତାସଧରି ବ୍ରିଜ ଖେଳରେ । ଆଉ ଦଳେ ଗାଉଣା ବାଜଣାରେ ବ୍ୟସ୍ତ ।

 

ଭଲ ଗାଇବା ନେଇ ସୁଚିତ୍ରାକୁ ଗୀତ ବୋଲିବାକୁ ଅନୁରୋଧ କରାଗଲା । କିନ୍ତୁ ସେ ଗୀତ ଗାଇବାକୁ ରାଜି ହେଲେନି ।

 

କଣ ଗାଇବେ ସେ ଗୀତ ? ଗୀତର ସମସ୍ତ ଝରଣା ଶୁଖି ଯାଇଛି ତାଙ୍କର ।

 

ଜୀବନରେ ମରୁପଥରେ ସ୍ଵର ଆଜି ଆର୍ତ୍ତନାଦ କରୁଛି । ପ୍ରତିଧ୍ଵନିତ ହେଉଛି କେବଳ କ୍ଷୁଧିତ ଆତ୍ମା କରୁଣ କ୍ରନ୍ଦନ ।

 

ସୁଚିତ୍ରାଙ୍କର ଦିନ ଥିଲା ଯେତେବେଳେ ସେ ଏହି ସଙ୍ଗୀତ, ମଉଜ ମଜଲିସ୍‌—ଆଉ ଭୋଜିରେ ପାଉଥିଲେ ଖୁବ୍‌ ଆନନ୍ଦ, ଖୁବ୍‌ ସୁଖ । କିନ୍ତୁ ଆଜି ସେ ସବୁ କିଛି ଭଲ ଲାଗୁନି ତାଙ୍କୁ । ରେଡ଼ିଓ ଗୀତ, ବାଦ୍ୟ କାନରେ ବାଜୁଛି ସତ କିନ୍ତୁ ସେ ତାହା ଆଦୌ ଶୁଣି ପାରୁନାହାନ୍ତି । ତାଙ୍କର ନିଜ ଉପରେ ଆସିଛି ଗୋଟାଏ ଅସନ୍ତୋଷ, ଈର୍ଷ୍ୟା, ଅଶାନ୍ତି । ଅନ୍ତର ତଳେ ଏକ ଆକସ୍ମିକ କମ୍ପନ... ଛାତି ଉପରେ ଅବ୍ୟକ୍ତ ବେଦନା... ଉତ୍କଣ୍ଠା ଓ ଆବେଗରେ କଣ୍ଠରେ ଶୁଷ୍କତା.... ହୃଦୟଭିତରେ ଘନ ଘନ କାକୁତି ମିନତି । ସେ ଗମ୍ଭୀର । ଆନାମନା । କଥାର ସୁରେ ସୁରେ ସେହି ଉଛୁଳା ପ୍ରାଣ ପ୍ରାଚୁର୍ଯ୍ୟର ଯେପରି ଘୋର ଅଭାବ ।

 

ଏ ଦିନଟାକୁ ସେ ଭଲ ଭାବରେ ଉପଭୋଗ କରି ପାରୁନାହାନ୍ତି ତଥାପି ସବୁ ଦାୟିତ୍ଵ ତାଙ୍କୁ ତୁଲାଇବାକୁ ପଡ଼ିବ । ତାଙ୍କର ପରିଚାଳନାରେ ଯେ ଏ ସବୁ ହେଉଛି ।

 

ତାଙ୍କର ସାଙ୍ଗ ସାଥି ଭିତରୁ କେତେ ଝିଅ ବାହା ହୋଇଗଲେଣି । ତାଙ୍କ ଚାକିରୀ ଜୀବନରେ ସୁଶୀଳା, ଶୈଳ, ବସନ୍ତକୁମାରୀ ଗୋରିଆ ପ୍ରଭୃତି ମିଷ୍ଟ୍ରେସମାନେ ନୂତନ ସଂସାର ଗଢି ଗୋଟିଏ ଦୁଇଟି ସନ୍ତାନର ଜନନୀ ହେଲେଣି । ଆଜି ଶାନ୍ତିଲତା ବାହାହୋଇ ଯାଇଛି । ବର୍ଷେ ଦୁଇବର୍ଷ ପରେ ସେ ହେବ ସନ୍ତାନର ଜନନୀ । ଆଉ ସୁଚିତ୍ରା ? ସେ ରହିବେ ଚିରକୁମାରୀ ହୋଇ-? ମାତୃତ୍ଵରୁ ହେବେ ବଞ୍ଚିତ ? ବିବାହ କରିଥିଲେ ହୁଏତ ଛଅ ସାତ ବର୍ଷ ହୋଇ ଯାଆନ୍ତାଣି-

 

ଦିନୁ ଦିନ ବୟସ ତାଙ୍କର ବଢ଼ି ଚାଲିଛି । ଚକ୍ଷୁକୋଣରେ ଉଙ୍କିମାରୁଛି ମସୀ ବଳୟ । ସ୍ନୋ ପାଉଡର୍‌ର ପ୍ରଲେପ ଭିତରେ ସେ କଣ ଆଉ ଆତ୍ମଗୋପନ କରି ପାରିବ ?

 

ଖିଆ ପିଆ ଚାଲିଲା । ପଲାଉ, ମାଂସ ତରକାରୀ, ପାୟସ ଖାଇ ନିମନ୍ତ୍ରିତ ଅତିଥିମାନେ ବଡ଼ ସନ୍ତୁଷ୍ଟ ।

 

ଶେଷ ବ୍ୟାଚ୍ ବସିଲେ ପ୍ରାୟ ଏଗାରଟାରେ । ସୁଚିତ୍ରା ବାରଣ୍ଡାରେ ଛିଡ଼ା ହୋଇ ଚାରିଆଡ଼େ ଆଖି ବୁଲେଇ ନେଲେ ଯଦି କେହି ନ ଖାଇପାରି ରହି ଯାଇଥିବେ ।

 

ପ୍ରାୟ ଦେଢ ଶହ ଲୋକର ସମାଗମ । ଅନେକ ଲୋକ ଆସି ନାହାନ୍ତି । ଅନେକେ ଆସିବେନି ସେ ଜାଣନ୍ତି । ଏଥିରେ ସ୍ଥାନୀୟ ଲୋକଙ୍କର ଆଗ୍ରହ ନାହିଁ... ସହାନୁଭୁତି ନାହିଁ ।

 

ଭୋଜି ସରୁ ସରୁ ରାତି ବାର ।

 

ସେ ଦିନ ସୁଚିତ୍ରା କିଛି ଖାଇ ପାରିଲେନି । ମାଉସୀଙ୍କ ଅନୁରୋଧରେ ଖାଇବା ପାଖରେ ଟିକିଏ ବସି ଉଠିଗଲେ । ମୁଣ୍ଡଟା ତାଙ୍କର କିପରି ବିନ୍ଧ ଉଠୁଛି ।

 

ବସାଘର ଖଟ ଉପରେ ଆସି ବସି ପଡ଼ିଲେ । ତାଙ୍କ ପକ୍ଷରେ ସୁସମୟରେ ଦିନେ ଯାହା ସମମ୍ଭ ହୋଇନଥିଲେ ଆଜି ଜୀବନରେ ଏଇ ଅସମୟରେ ତାହା ବାସ୍ତବତାର ରୂପ ରେଖ ଧରି ଫୁଟି ଉଠିଲା ମନର ଗହିରିଆ ଖାଲ ଭିତରେ । ଅତୀତରେ ଯେଉଁ ବିବାହକୁ ସେ ହେୟ, ତୁଚ୍ଛ, ଅସାର ବୋଲି ମନେ କରୁଥିଲେ ଆଜିର ଦୃଷ୍ଟି କୋଣ କିନ୍ତୁ ଭିନ୍ନ ରକମର । ସେ ମର୍ମେ ମର୍ମେ ଅନୁଭବ କଲେ ସେଥିରେ ସତ୍ୟତା ଭୀଷଣ ଭାବରେ । ଆଗରୁ କେବେ କୌଣସି ଦିନ ଏତେ ଅନ୍ତଦୃଷ୍ଟି ଦେଇ ଦେଖି ନଥିଲେ ସେହି ଦୂର ଅତୀତଟାକୁ ।

 

ଦିନଗୁଡ଼ାକ ସିନା କଟିଯାଏ ନାନାରକମ କର୍ମବ୍ୟସ୍ତତା ଭିତରୁ କିନ୍ତୁ ରାତି ଗୁଡ଼ାକ ତାଙ୍କର କଟିବାକୁ ଚାହେଁନା । ରାତିପରେ ରାତି ଭୋର ହୋଇଛି ତନ୍ଦ୍ରାହୀନ ଚକ୍ଷୁରେ । ଆଉ ଉଷ୍ଣମସ୍ତିଷ୍କ ଓ ଚିନ୍ତାକ୍ଳିଷ୍ଟ ଦେହ ମନରେ ଦେଖା ଦେଇଛି ରୁଚିର ଅଭାବ ।

 

ସେ ସ୍ତବ୍‌ଧ ହୋଇ ଖିଡିକି ଭିତର ଦେଇ ଚାହିଁ ରହିଲେ ଦୂର ନୀଳ ନିର୍ମଳ ନିଶିଥ ଆକାଶକୁ । ଅଷ୍ଟମୀ ଚାନ୍ଦ ଉଇଁ ଆସୁଥିଲା । ନିଜର ପ୍ରକୃତି ଭିତରେ ତାଙ୍କ ଅବରୁଦ୍ଧ ମନର ଦରଜା ଧୀରେ ଧୀରେ ଖୋଲିଗଲା । ଓଠ ଦୁଇଟିରେ ମୃଦୁ ମୃଦୁ କମ୍ପନ । ଶୁଷ୍କ ବିସ୍ଫାରିତ ନୟନ ଯୁଗଳ କ୍ରମଶଃ ଅଶ୍ରୁ ସକଳ ହୋଇ ଉଠିଲା । ନିଶ୍ଚଳ ପ୍ରତିମା ସୁଚିନ୍ତା ହଠାତ୍‌ ଦୁଇ ହାତ ପାପୁଲିରେ ମୁହଁ ଢାଙ୍କି କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ହଁ, ଆଜି ତାଙ୍କର ଜୀବନ ପଥରେ ବିବାହିତ, ଅବିବାହିତ, ବହୁପ୍ରାର୍ଥୀ, ବହୁ ପ୍ରେମିକ ହାତ ବଢେଇ ଛଡ଼ା ହୋଇଛନ୍ତି । ସହର ଭିତରେ, ବଜାରରେ, ଟ୍ରେନ, ବସ, ସବୁଠି ତାଙ୍କ ଉପରେ ଲୋଲୁପ କଟାକ୍ଷ । ଆଉ ମସୃଣ ଲୌହ ଜଗତରେ ଗୁପ୍ତ କଣ୍ଟକର ଉତ୍ପୀଡନ ! କଣ କରିବେ ସେ-? ସୁଧୀରଙ୍କ ପ୍ରେମର ସ୍ମୃତି ସଜୀବ ଥାଉଁ ଥାଉଁ ସେ କଣ ଅନ୍ୟକୁ ଗ୍ରହଣ କରି ପାରିବେ ? ନା, ନା, କେବେ ନୁହେଁ । ସେ ତାଙ୍କ ଜୀବନର ସବୁ କିଛି ସୁଧୀରଙ୍କ ଦାନ କରିଛନ୍ତି । କିପରି ବା ସେ ଅନ୍ୟର ପରିଣୀତା ହେବେ? ନ ହେଲେ ବା ସେ ସତୀ ସାବିତ୍ରୀ, ଦମୟନ୍ତୀ । ଯଦିବା ଏପରି ଉଦାହରଣ ଆଜିର ଏ ସତ୍ୟ ସମାଜରେ ବିରଳ ନୁହେଁ । ତଥାପି ? ନା, ପାରିବେନି । ତାହା ତାଙ୍କ ପକ୍ଷରେ ଅସମ୍ଭବ...ସଂପୂର୍ଣ୍ଣ ଅସମ୍ଭବ ।

 

ମାସ ପରେ ମାସ ବିତିଗଲାଣି । ବିତିଗଲାଣି ଆହୁରି ଗୋଟିଏ ବର୍ଷ । ହଁ, ଆଉ କେତେଟା ଦିନ ? ତା ପରେ ଏ ଜାଗା ଛାଡ଼ି ସେ ଚାଲି ଯିବେ ନଦୀର ଭାସମାନ ନୌକାପରି ଆଉ ଏକ ଜାଗାକୁ । ଏହି ଘାଟ ଛାଡ଼ି ଅନ୍ୟ ଏକ ଘାଟକୁ । ସରକାରୀ ଚାକିରିଟା ସତେ ଏଇମିତି ।

 

ସୁଚିତ୍ରାଙ୍କର ବଦଳି ହେଲାଣି କୋରାପୁଟ ଜିଲ୍ଲାକୁ । ପୋଷ୍ଟିଂ ମୁନିଗୁଡ଼ା ଗାର୍ଲସ ସ୍କୁଲରେ ।

 

ମୁନିଗୁଡାରେ ଜଏନ୍‌ କଲେଣି ସୁଚିତ୍ରା ।

 

ଗୋଟି ଗୋଟି ହୋଇ ଦିନ ଚାଲିଯାଏ—ପୁଣି ସନ୍ଧ୍ୟା ଆସେ । ରାତି ବଢ଼େ—ଆକାଶରେ ଜହ୍ନ ଉଠେ—ଫିକା ଜହ୍ନ ଆଲୁଅରେ ବଣ ପର୍ବତ ପ୍ରାନ୍ତରେ ଭରିଯାଏ । ଆଦିବାସୀ ପଲ୍ଲୀରେ ମର୍ଦ୍ଦଳ ବାଜେ—ମହୁରି ବାଜେ—ନାଚ ଗୀତର ଆଖଡା ଜମେ—ମହୁଲ ମଦର ଗୋପନଖେଳା ଚାଲେ ।

 

ସେହି ଏକାରକମ ଜୀବନରେ ନା ଅଛି ମାୟା ନା ଅଛି ମମତାର ପରିଚୟ । ସ୍ନେହ ପ୍ରୀତି ତାଙ୍କ ନିକଟରେ କେବଳ ଛଳନା, କଳ୍ପନା ।

 

ସେଦିନ ଡାକ ଖୋଲୁ ଖୋଲୁ ଜିଲ୍ଲା ଅଫିସ୍‌ରୁ ପାଇଲେ ମାନ୍ୟବର ମିନିଷ୍ଟର ଏକ ଟୁର୍‌ ପ୍ରୋଗ୍ରାମ୍‌ । ଆଉ ତିନିଦିନ ପରେ ମିନିଷ୍ଟର୍‌ ଆସିବେ ଭିଜଟ୍‌କୁ ।

 

ମିନିଷ୍ଟର ଆସିଲେ । ସ୍କୁଲ୍‌ ଦେଖି ଭାରି ସନ୍ତୁଷ୍ଟ ହେଲେ । ଛାତ୍ରୀମାନେ ମିନିଷ୍ଟରଙ୍କ ପୁରାନାମ ଆଗକୁ ପାଣିପରି ଘୋଷି ରଖିଥିଲେ । ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ପଟା ପଟ ନିର୍ଭୁଲ ଉତ୍ତର ପାଇଗଲେ ମିନିଷ୍ଟର । କାରଣ ପ୍ରତି ଶିକ୍ଷାନୁଷ୍ଠାନରେ ନିଜର ନାମ ପ୍ରଶ୍ନ କରିବା ତାଙ୍କର ଗୋଟିଏ ବଦଭ୍ୟାସ ଓ ଗର୍ବର କଥା ।

 

ସୁଚିତ୍ରା ତାଙ୍କ ସହିତ ସେକ୍‌ ହ୍ୟାଣ୍ଡ୍‌ କରି ସାରି ମିନିଷ୍ଟର୍‌ ଚାଲିଲେ ଅନ୍ୟ କାମରେ । ବହୁତ ରକମର କାମ । କେଉଁଠି ବିଲିଡିଂଠାରେ ଶୁଭ ଦେବେ ତ କେଉଁଠି ଅଫିସ୍‌ବିଲ୍‌ଡିଂ ଉଦଘାଟନ—ଆଉ କେଉଁଠି କନ୍‌ଫିଡେନ୍‌ସିଏଲ୍‌ ଇନ୍‌କ୍ଵାରୀ । ଦେଶ ପାଇଁ ଯେତେ ଦରଦ ନାହିଁ ଟି. ଏ. ପାଇଁ ସେତେ ବେଶି । ତାଙ୍କ ବିଷୟରେ ନିଆଖୁଣ୍ଟା ଯେ କେତେ କଥା କହେ ତାର ସୀମା ନାହିଁ । ଫେରିଲେ ରାତି ନଅଟାରେ । ନାଇଟ୍‌ ହଲ୍‌ଟର ବ୍ୟବସ୍ଥା ନଥିଲା ମୁନିଗୁଡାରେ । କିନ୍ତୁ ତାଙ୍କୁ ରହିବାକୁ ପଡ଼ିଲା କେବଳ ସୁଚିତ୍ରାଙ୍କ ପାଇଁ ।

 

ମିନିଷ୍ଟରଙ୍କର ଭୋଗ ବିଳାସ ନୃତ୍ୟଗୀତ ଆମୋଦ ପ୍ରମୋଦ ନିହାତି ଦରକାର । ଜୀବନର ବାର୍ଦ୍ଧକ୍ୟରେ ଫଗୁଣର ଢେଉ ବଡ଼ ଯୋରରେ ଲାଗିଛି । ମନର ଅନ୍ତରାଳରେ ଜାଗି ଉଠିଛି ପଶୁବୃତ୍ତି ଆଉ ପ୍ରଗାଢ଼ କାମନର ମୃଦୁ ମଧୁର ଗୁଞ୍ଜରଣ । ନୂତନ ଶରୀର ଖୋଜୁଛନ୍ତି ମନ୍ତ୍ରୀ-

 

ମିନିଷ୍ଟର ଓ ଡ୍ରାଇଭର୍‌ ଦୁଇଜଣ । ଷ୍ଟେନୋ ନାହାନ୍ତି କି ପିଅନ୍‌ ନାହିଁ ।

 

ରାତ୍ରି ଭୋଜନ ଶେଷ ହେଲା । କିନ୍ତୁ ମିନିଷ୍ଟରଙ୍କର ମନର ଅବସାଦ କଟିଲାନି । ଭାବିଲେ ସୁଚିତ୍ରାଙ୍କୁ ଆସିବା ପାଇଁ କହି ଦେବେ । କିଛି ଲାଭ ନ ହେଲେ ବି କଥାବାର୍ତ୍ତାରେ ମନଟା ତ ଟିକେ ପରିବର୍ତ୍ତନ କରି ହେବ ।

 

ଖବର ପଠାଇଲେ । ସ୍କୁଲ ସମନ୍ଧରେ କେତେ କଥା ଡିସ୍‌କସନ୍‌ କରିବାକୁ ଅଛି । ଅଳ୍ପ ସମୟ ପାଇଁ ସୁଚିତ୍ରା ଆସନ୍ତୁ ।

 

ଚମତ୍‌କାର ବଙ୍ଗଳା । ସାମନା ବଗିଚାରେ ବହୁତରକମ ଫୁଲ ଗଛର ସମାରୋହ । ରାତି ଫୁଲର ମଧୁର ଗନ୍ଧ ମନ ଭିତରେ ସ୍ନିଗ୍‌ଧଶୀତଳତା ଓ ତୃପ୍ତି ଆଣି ଦେଉଛି । ସୁଚିତ୍ରାଙ୍କ ଯୌବନ ସୁଷମା ବହୁଦିନରୁ ମିନିଷ୍ଟରଙ୍କର ଦୃଷ୍ଟି ଆକର୍ଷଣ କରିଛି । ଯଥା ସମୟରେ ସେ ଆସିଛନ୍ତି-। କିନ୍ତୁ ଯଥା ସମୟରେ ମନର ଅଗ୍ନି ନିର୍ବାପିତ ହେବ କି ନି କିଏ ଜାଣେ ? ତଥାପି ସେ ଉତକଣ୍ଠିତ ହୋଇ ଅପେକ୍ଷା କରି ରହିଛନ୍ତି ।

 

ଜନସାଧାରଣ ଏ ବିଷୟରେ ସଚେତନ ହବା ଦରକାର । ନଚେତ ନାରୀ ଜାତିର ନିରପତ୍ତାର ମୂଲ୍ୟ ରହିବନି । ଯଦି ନିରାପତ୍ତାର ଅଭାବ ଘଟେ ସରକାର ପ୍ରତି ଜନତାର ଆସ୍ଥା ଆଉ କେତେ କାଳ ରହିବ ?

 

ମିନିଷ୍ଟର ଉଠି ଆସି ସୁଟ୍‌ କେଶ୍‌ ଖୋଲିଲେ । ବାହାରକଲେ ଗୋଟିଏ ଚକ୍‌ଚକିଆ ଚେପ୍‌ଟା ରୂପାର ବୋତଲ । କର୍କ ଖୋଲି ଢାଳିଦେଲେ ପାଟିରେ ତରଳ ପଦାର୍ଥରୁ କିଛି । ଟିକକ ପରେ ଗଳା ଭିତରଟା ତାଙ୍କର ଜଳି ଉଠିଲା । ତା ପରେ ଧଇଲେ ଖଣ୍ଡେ ସିଗାରେଟ୍‌ ।

 

ବଙ୍ଗଳା ୱାଚର୍‌ଟା ପାଖରେ ଛଡ଼ା ହୋଇ ସବୁ ଦେଖୁଛି । ଗନ୍ଧଟା କେଉଁଠି ଆସୁଛି ସେ ଜାଣିପାରୁନି । ପରେ ବୁଝିଲା, ଆଦିବାସୀଙ୍କ ନିଶାଠାରୁ ସାଇବଙ୍କ ନିଶାର ବାସନା ଖୁବ୍‌ ଭଲ । ତାର ଏ ପ୍ରଥମ ଅଭିଜ୍ଞତା ।

 

କାନ୍ଥ ଦର୍ପଣ ଆଗରେ ଆସି ଛିଡ଼ା ହେଲେ ମିନିଷ୍ଟର । ଭଲ କରି ଦେଖିଲେ ମୁହଁକୁ । ନା, ସାରାଦିନର କ୍ଳାନ୍ତି ଅବସାଦର ଛାପ ଆଉ କିଛି ନାହିଁ ଆଖିରେ, ମୁହଁରେ ।

 

ତା ପରେ ଚାଲିଲେ ଖିଡ଼ିକ ପାଖକୁ । ଅନ୍ଧକାର ରାତିରେ ଖଦ୍ୟୋତ ଜଳୁଛି । ତାରି କ୍ଷୀଣ ଆଲୋକରେ ଗଛପାଖର ଏକ ଛାୟା ମୂର୍ତ୍ତିପରି କଣ ଦିଶୁଚି । କିଏ, ସୁଚିତ୍ରା ? ଧୀରେ ଧୀରେ ଅନ୍ଧକାର ଚାଲିଯାଏ—ଜହ୍ନ ଉଠେ—କେହି ନାହିଁ । ଫେରି ଆସି ୱାଚର୍‌କୁ ଆଦେଶ ଦେଲେ ସେଠୁ ଚାଲିଯିବା ପାଇଁ ।

 

କେତେ ସମୟ, କେତେ ଘଣ୍ଟା ପାର ହୋଇ ଗଲାଣି । ସେପରି ଯୁଗ ପରେ ଯୁଗ କଟିଯାଉଛି । ସୁଚିତ୍ରା କାହାନ୍ତି ? ଆହା ! ଏହି ସଭ୍ୟତାର ଆବରଣ ତଳେ କି ପୈଶାଚିକ ନିର୍ମମ ବର୍ବରତା ଶାଣିତହୋଇ ବସା ବାନ୍ଧିଛି ମିନିଷ୍ଟରଙ୍କ ମନ ଭିତରେ ? ସୁଚିତ୍ରାଙ୍କର ସେହି କୋମଳ ଦେହଲତାର ର ଅଦୃଶ୍ୟ ଆକର୍ଷଣ ତୀର ରୂପରେ ତାଙ୍କ ଛାତିରେ ଆମୂଳ ବିଦ୍ଧି ହୋଇ ଯାଇଛି ।

 

ରାତି ବେଶିହେଉଛି । ନିଦ ଆସୁନି । ଯେପରି ତାଙ୍କ ନିଦକୁ ଲୁଚେଇ ଦେଇଛି ।

 

ହାତ ଉଠାଇ ଘଡ଼ିଟା ଦେଖିଲେ । ଠିକ୍‌ ବାରଟା । ତଥାପି ସେ କ୍ଳାନ୍ତ ହୋଇ ଚାହିଁ ରହିଛନ୍ତି ସେମିତି ।

 

ତେଲଙ୍ଗା ଡ୍ରାଇଭର୍‌ଟା କେତେ ବେଳୁ ଦିନରେ ଶୋଇପଡ଼ି ଯୋରରେ ଘୁଙ୍ଗୁଡ଼ି ମରୁଛି ।

 

ସୁଚିତ୍ରା ଜାଣନ୍ତି ମିନିଷ୍ଟରଙ୍କକଥା ନ ରଖିଲେ ପରିସ୍ଥିତି ଗୁରୁତର । ଅବସ୍ଥାଟା ରୀତିମତ ଆଶଙ୍କାର । ତଥାପି ତାଙ୍କ ନୀତିରେ ସ୍ଥିର, ଅଚଳ ।

 

ଜୀବନରେ ସେ ଅନେକ ଆଘାତ ପାଇଲେଣି । ତା ବୋଲି କଣ ଯେଉଁଟା ସତ୍ୟ ଓ ନ୍ୟାୟ ନୁହେଁ ତାହା ସେ କରିଯିବେ ? ମଣିଷ ଦିନେ ମରିବ । ଏହାଠାରୁ ବଡ଼ ସତ୍ୟ ଆଉ କିଛି ନାହିଁ । କିନ୍ତୁ ଯେ କେତେଟା ଦିନ ତାକୁ ବଞ୍ଚିରହିବାକୁ ହେବ ସମ୍ମାନର ସହିତ ତ ପୁଣି ବଞ୍ଚିବାକୁ ପଡ଼ିବ !

 

ସୁଚିତ୍ରା ଖବର ପଠାଇଲେ ଜ୍ଵର ଓ ମୁଣ୍ଡବଥା । ସକାଳେ ଯାଇ ଦେଖା କରିବେ ।

 

ମନେ ମନେ ରାଗି ଉଠିଲେ ମିନିଷ୍ଟର । ଆତ୍ମା ତାଙ୍କର ଆର୍ତ୍ତନାଦ କରି ଉଠିଲା । ଦାନ୍ତ ଚିପି ଚିପ ଅନୁଚ ସ୍ଵରରେ କହି ଉଠିଲେ, ଜାଣିନି ସେ ମୋ କ୍ଷମତାର ମୂଲ୍ୟ । ଆଚ୍ଛା, ଦେଖିବୀ ତାର ସେ ଦାମ୍ଭିକତା କେତେ ?

 

ସେ ତାଙ୍କ ମନ୍ତ୍ରୀ-ଜୀବନରେ କେଉଁଠି ହାରି ନାହାନ୍ତି । ମନ୍ତ୍ରୀତ୍ଵର ଶେଷ ଅଧାୟରେ ଏହିଠାରେ ହିଁ ତାଙ୍କ ପରାଜୟ ।

 

ଶେଷରେ କବାଟ ଝରକା ଭଲଭାବରେ ବନ୍ଦକରି ଶୋଇ ପଡ଼ିଲେ । ତଥାପି ଅନୁଭବ କଲେ ଗୋଟାଏ ପରେ ଗୋଟାଏ ଉତ୍ତେଜନାର ଦୀର୍ଘଶ୍ଵାସ ଯେପରି ତାଙ୍କୁ ଛୁଇଁ ଛୁଇଁ ଯାଉଛି ।

 

ପରଦିନ ଭୋର ପାଞ୍ଚଟା । ଡ୍ରାଇଭରକୁ କାର ରେଡି କରିବାକୁ କହି ମିନିଷ୍ଟର ପାଇଖିନା ଗଲେ । ରାତିଟା ତାଙ୍କର ବୃଥାରେ କଟିଗଲା । ସେଥିପାଇଁ ତାଙ୍କର ମନରେ ଭୟଙ୍କର ଦୁଃଖ ।

 

ଠିକ୍‌ ସପ୍ତାହକ ପରେ—

 

ସୁଚିତ୍ରା ପାଇଲେ ଏକ ଟେଲିଗ୍ରାଫିକ୍‌ ଟ୍ରାନ୍‌ସଫର୍‌ ଅର୍ଡ଼ର । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ । ମୁନିଗୁଡାରୁ ଜୁନାଗଡ ।

 

ଅର୍ଡ଼ରଟା ହାତରେ ପାଇ ଆଶ୍ଚର୍ଯ୍ୟ ହେଲେନି ସୁଚିତ୍ରାଦାସ । ହବାର କଥା ନୁହେଁ । ଏ ରକମ ଅର୍ଡ଼ର ଆସିବ ବୋଲି ସେ ଆଗରୁ ମନେ ମନେ ପ୍ରସ୍ତୁତ ଥିଲେ । ତାହା ଅଭାବିତ ବ ଅପ୍ରତ୍ୟାଶିତ ନ ଥିଲା ତାଙ୍କ ପାଖରେ ।

 

ମନେ ମନେ ଭାବିଲେ ଲମ୍ବା ଛୁଟି ନେବାପାଇଁ । ଦୀର୍ଘକାଳ ହେଲା ଘରକୁ ଯାଇ ନାହାନ୍ତି । ବାପା ଓ ଭାଇ ଭଉଣୀମାନଙ୍କୁ ଦେଖିବା ପାଇଁ ମନ ବଡ଼ ବ୍ୟସ୍ତ । ହଁ, ଛୁଟି କଣ ସତରେ ଆତ୍ମାକୁ ଶାନ୍ତି ଦେଇପାରେ ? ସମ୍ଭବତଃ ନୁହେଁ ।

କିନ୍ତୁ ଛୁଟି ନେବାକୁ ପଡ଼ିଲାନି ତାଙ୍କୁ । ଅର୍ଡ଼ର ଅନୁଯାୟୀ ଯିବାକୁ ହେଲା । ଜେନ ଆସିଷ୍ଟାଣ୍ଟ୍‌ ମିଷ୍ଟ୍ରେସ୍‌ଙ୍କୁ ଚାର୍ଜ ଦେଇ ବାହାରି ପଡ଼ିଲେ ଜୁନାଗଡକୁ ।

 

ଆଜି ଜୁନାଗଡ ହାଟ । ହଷ୍ଟେଲ ପାଇଁ ପନିପରିବା କିଣିବାକୁ ପଡ଼ିବ । ତେଣୁ ସୁଚିତ୍ରାଙ୍କର ଆଗମନ ହାଟକୁ ।

 

ସୁଚିତ୍ରାଙ୍କ ମଉସା ଏହି ଜୁନାଗଡର ଜଣେ ବିଖ୍ୟାତ କଣ୍ଟ୍ରାକ୍ଟର । ବାପାଙ୍କ ଚିଠି ପାଇ ତାଙ୍କୁ ଯେ ସେ ଦେଖିବାକୁ ଚାହାନ୍ତି ସେ କଥା ସୁଚିତ୍ରା ବା ଜାଣିବେ କେମିତି ?

 

ବୟସ ହେଲେ ମଣିଷର ଭୁଲହୁଏ... ସ୍ମୃତିଶକ୍ତି ନଷ୍ଟ ହୋଇଯାଏ । କିନ୍ତୁ ମଉସାଙ୍କର ତାହା ଓଲଟା । ଆଗଠାରୁ ତାଙ୍କର ଆଜିକାଲି ସବୁକଥା ବେଶି ମନେ ପଡ଼େ । ଯେତେ ମନେ ପଡ଼େ ସେତେ କଷ୍ଟ ବଢ଼େ... ଆଖି ପୋଡ଼େ... ଯନ୍ତ୍ରଣା ବଢ଼େ ।

 

ତେବେ ସୁଚିତ୍ରାଙ୍କୁ ଚିହ୍ନିବାରେ ତାଙ୍କର କିଛି ଅସୁବିଧା ହେଲାନି । ଅବିକଳ ତାର ମା ଚାଲିପାରି ହଂସ ଚାଲି ।

 

ଦୂରକୁ ସୁଚିତ୍ରାଙ୍କ ଚାଲିଦେଖି ମଉସା ଅପେକ୍ଷା କଲେ ଗୋଟିଏ ଲୁହା ଦୋକାନ ପାଖରେ । ଡାକିଲେ, କିରେ ସରେଜା ! ମୁଁ ଏଠାରେ ଥିବା ଖବର ପାଇଛୁନା ?

 

ସୁଚିତ୍ରା ‘ସରୋଜା’ ନାମ ଊଚାରଣରେ ଚମକି ପଡ଼ି ଠିଆ ହୋଇଗଲେ ହଠାତ୍‌ । ବିସ୍ମିତ ଭାବରେ ଚାରିଆଡ଼କୁ ଚାହିଁଲେ । ବହୁକାଳ ପରେ ଏ ଆଦରର ନାଁରେ ତାଙ୍କୁ ଡାକିଲା କିଏ ? ମଉସା ମାଉସୀଙ୍କ ଛଡ଼ା ଆଉ କେହି ତ କେବେ ଡାକନ୍ତି ନି ?

 

ତା ପରେ ଚିହ୍ନି ପରି ପାଖର ମଣିଷଙ୍କୁ ଠେଲି ପେଲି ଆଗେଇ ଆସିଲେ ସୁଚିତ୍ରା । ହସି ହସି ବଡ଼ ବଡ଼ ଆଖି କରି କହିଲେ, ମଉସା ! ଆପଣ ଏଠି ? ନମସ୍କାର !

 

ମଉସା ବଡ଼ ଖୁସି ହେଲେ ।

 

ଏହି ସୁଚିତ୍ରାଙ୍କ ମାଉସୀ ଘର ତାଙ୍କର ଗାଁରେ । ପିଲାବେଳେ ସେ ବହୁବାର ଆସିଛନ୍ତି ମାଉସୀଙ୍କ ଘରକୁ । ତେଣୁ ଅତି ଛୋଟ ବେଳୁ ସେ ଏହି ମଉସାଙ୍କୁ ଭଲଭାବରେ ଜାଣନ୍ତି ।

 

ମଉସା କହିଲେ, ତୋର ଖବର ବହୁତ ଦିନ ହେଲା ପାଇ ନଥିଲି । କଲି ବାପାଙ୍କ ଚିଠି ପାଇ ଟଟେ ଖୋଜୁଥିଲି । ଚଷମା ଉପରକୁ ଟେକି ସୁଚିତ୍ରାଙ୍କ ଆଡ଼େ ଚାହିଁ ରହିଲେ ମଉସା ।

 

—ଆଉ ସବୁ ଭଲ ମଉସା ?

 

—ତୁ ତ ଆମକୁ ଭୁଲି ଗଲୁଣି ?

 

—ଭୁଲିବି କେମିତି ? ଖୁବ୍‌ ମନେ ଅଛି ।

 

—ବାପା କିପରି ଅଛନ୍ତି ?

 

—ବୟସ ହେଲାଣି । ମଝିରେ ମଝିରେ ଟିକେ ଦେହ ଭଲ ରହୁନି । ଆଜି ସନ୍ଧ୍ୟାରେ ମୋ ବସାକୁ ଆସନ୍ତୁ, ମଉସା !

 

ମଉସା ହସିଲେ । ଆଉ କଣ କହିବେ କହିବେ ବୋଲି ହେଲେ । କିଛି ନ କହି ହସଟାକୁ ଆହୁରି ବିସ୍ତୁତ କରି କହିଲେ— ଆଜି ହାଟ ପାଳିରେ ଝଞ୍ଜଟ ବେଶି । ଆଉ କୋଉଦିନ ଦେଖି ତୋ ବସାକୁ ଯିବି । ଯଦି ପାରୁତ କାଲି ଆ । ଆମଘର ଏହି ହାଟର ଖୁବ୍‌ ପାଖରେ ।

 

ମଉସାଙ୍କର ବୟସ ହେବ ପଚାଶ କି ବାବନ । ଦୂରର ଜିନିଷ ସେ କିଛି ଦିନ ହେଲା ଭଲଭବାରେ ଦେଖି ପାରୁନାହାନ୍ତି । ମୁଣ୍ଡରେ ଧଳା ଓ କଳା କେଶ ମିଶା ମିଶି । ଆଗରେ ବାଳଗୁଡ଼ିକ ପାତଳ ହୋଇଯାଇଛି । ଆଖିରେ ପାୱାର ଦିଆ ମୋଟା ଗ୍ଲାସ୍‌ର ଚଷମା । ଜୀବନରେ ବହୁ ବିଚିତ୍ର ଅଭିଜ୍ଞତାର ସଡ଼କ ପାର ହୋଇ ଆସିଲେଣି ।

 

ଏହି ମଉସାଙ୍କ ନାମ ହୋଉଛି ମନମୋହନ ପଟ୍ଟନାୟକ । ସେ ପ୍ରଥମେ ଥିଲେ ହୀରାକୁଦ ଡ୍ୟାମ୍‌ର ଜଣେ ସେକ୍‌ସନାଲ୍‌ ଅଫିସର୍‌ । ଭଲକାମ ନେଇ ପ୍ରମୋସନ ପାଇଥିଲେ ଏସ୍‌.ଡି.ଓ. ପଦାକୁ । ଶେଷରେ ଚାକିରି ଛାଡ଼ି ହେଲେ ପ୍ରଥମ ଶ୍ରେଣୀ କଣ୍ଟ୍ରାକ୍ଟର ଜୁନାଗଡରେ । ତା ପଛକୁ ଖୋଲିଲେ ତେଜରାତି ଦୋକାନ, ଲୁଗା ଗୋଦାମ ଓ ରାଇସ୍‌ ମିଲ୍‌ ।

 

ପଇସା ଅକମ୍ପ । ମନଟା ବି ଛୋଟ ନୁହେଁ । ଗଣ୍ଡା ଗଣ୍ଡା ଲୋକ ଅଳ୍ପ ଦରମାରେ ଚାକର ରଖିଲେ । ଦିନୁ ଦିନ ଆୟ ବଢ଼ିଲା ।

 

ହାଟ ପଦାରେ ତାଙ୍କର ଏକ ବିରାଟ କୋଠା । ବାସ୍‍ ‍ଷ୍ଟାଣ୍ଡ୍‌ ପାଖରେ ଘର ତିଆରି ଚାଲିଛି । ସେ ଘରଟା ଭଡ଼ା ପାଇଁ ।

 

ଖଣ୍ଡିଏ କାର୍‌—ତିନି ଚାରିଟା ଟ୍ରକ । ଟ୍ରକଯାକ ଦିନରାତି ଫରେଷ୍ଟ କର୍ପୋରେସନ୍‌ର କାଠ ବୋହିବାରେ ଲାଗିଛି ।

 

ପ୍ରତି ପାଳିରେ ଦୋକାନରେ ବିକ୍ରୀ ହୁଏ ହଜାର ଟଙ୍କା । ଟିକିଏ ଫୁରସତ୍‌ ନାହିଁ । ବଡ଼ ପରିଶ୍ରମୀ ।

 

ମନମୋହନ ବାବୁ ସୁଚିତାଙ୍କୁ ଖୁବ୍‌ ଭଲ ପାଆନ୍ତି । କାରଣ ତେର ବର୍ଷ ବୟସ୍କା କନ୍ୟା ସରୋଜର ଅକାଳ ମୃତ୍ୟୁ ପରେ ତାଙ୍କର ଜାଗ୍ରତ ପିତୃସ୍ନେହ ଅଜାଡ଼ି ହୋଇ ପଡ଼ିଛି ଏଇ ସୁଚିତ୍ରାଙ୍କ ଉପରେ । ସରୋଜାର ଠିକ୍‌ ସୁଚିତାଙ୍କ ପରି ମୁହଁ, ତାଙ୍କରି ପରି ରୂପ । ତେଣୁ ସେ ସେହିଦିନ ଠାରୁ ପୂରଣ କରିଛନ୍ତି ସରୋଜାର ସ୍ଥାନ ମଉସାଙ୍କ ପାଖରେ ।

 

ଥରେ ଏହି ମଉସା ମୃଗଧ ଦୃଷ୍ଟିରେ ସୁଚିତ୍ରାଙ୍କୁ ଚାହିଁ ତାଙ୍କର ମା’ଙ୍କୁ କହିଥିଲେ, ମୋର ଝିଅ ନାହିଁ ଅନୁପମା ! ବଡ଼ ଇଚ୍ଛା ସୁଚିତ୍ରାକୁ ସରୋଜା ବୋଲି ଡାକିବାକୁ ।

 

କଥାର ସଙ୍କେତ ବୁଝିପାରି ଅନୁପମା କହିଥିଲେ, ଭାଇ, ସୁଚିତ୍ରା ସବୁଦିନେ ତୁମର ଝିଅ ସରୋଜା ପରି । ଆଜି ନୂତନଭାବରେ ତାକୁ ସରୋଜା ବୋଲି ଯଦି ଗ୍ରହଣ କରିବାକୁ ଚାହାନ୍ତି ତାହା ମୋର ପରମ ସୌଭାଗ୍ୟ ।

 

ସୁଚିତ୍ରାଙ୍କ ଉପରେ ମଉସାଙ୍କର ଲାଗିଛି ଅକୃତ୍ରିମ ମାୟା । ସେ ଥାନ୍ତି ଗଛପରି ତାଙ୍କ ପଛେ ପଛେ । ସୁଚିତ୍ରାଙ୍କୁ ସାହାର୍ଯ୍ୟ କରି ପାଆନ୍ତି ଯଥେଷ୍ଟ ଆନନ୍ଦ....... ଯଥେଷ୍ଟ ତୃପ୍ତି । କ୍ରେଡ଼ିଟ୍‌ରେ ହଷ୍ଟେଲର ଯାବତୀୟ ଜିନିଷ ଯୋଗାଇ ଦିଅନ୍ତି । ଦରକାର ବେଳେ ଧାରଉଧାର ବି ଚଳାନ୍ତି ଶହ ଶହ ଟଙ୍କା ।

 

ଏହି ଦୂର ବିଦେଶରେ ମଉସାଙ୍କ ଉପରେ ସୁଚିତ୍ରାଙ୍କର ବଡ଼ ଭକ୍ତି ଓ ବିଶ୍ଵାସ । ବିପଦ ଆପଦରେ ତାଙ୍କର ପରାମର୍ଶରେ ଚଳନ୍ତି । ସେ ତ ଆଜି କିଛି ମଉସାଙ୍କୁ ନୂଆଁ କରି ଚିହ୍ନି ନାହାନ୍ତି ।

 

ମଉସାଙ୍କ ସ୍ଵଭାବ ମିଷ୍ଟ ଗଳାରେ ସମସ୍ତେ ମୁଗ୍‌ଧ । ତାଙ୍କର ସରଳ ମମତାଭାରା ବ୍ୟବହାରରେ ଯେପରି ଗୋଟାଏ ଯାଦୁ ରହିଛି ।

 

ଛୁଟି ଦିନରେ ସୁଚିତ୍ରା ବେଳେ ବେଳେ ଆସନ୍ତି ମଉସା ମାଉସୀଙ୍କୁ ଦେଖିଯିବା ପାଇଁ । ମାଉସୀଙ୍କର ମଧ୍ୟ ସୁଚିତ୍ରାଙ୍କ ଉପରେ ବଡ଼ ଆଦର, ବଡ଼ ଶ୍ରଦ୍ଧା । କେବେ କେବେ ସୁଚିତ୍ରା ସେମାନଙ୍କ ଅନୁରୋଧ ଏଡ଼ି ନ ପରି ଗଣ୍ଡିଏ କଣ ଖାଇଦେଇ ଚାଲି ଯାଆନ୍ତି । ବେଳେ ବେଳେ ସ୍ଵେଚ୍ଛାରେ ଚାହା, ଜଳଖିଆ ତିଆରି କରି ମଉସା ମାଉସୀଙ୍କୁ ଖାଇବାକୁ ଦିଅନ୍ତି ।

 

ସୁଚିତ୍ରାଙ୍କ ବିବାହ ପାଇଁ ମଉସା ବଡ଼ କାତର । ତାଙ୍କର ଇଚ୍ଛା ସୁଚିତ୍ରା ଆସି ତାଙ୍କ ଘରେ ରୁହନ୍ତୁ । ସୁଚିତ୍ରା ସେ କଥା ସେ ଖୋଲି କହିଦେବେ । ତାଙ୍କର ଓଜର ଆପତ୍ତି ଶୁଣିବେନି ।

 

ଆସନ୍ତା ଛୁଟିରେ ଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଯେ କୁଆଡ଼ ଚାଲିଯିବେ । ସୁଚିତ୍ରା ରହିବେ ଏକା । ଆଉ ରହିଲେ ରହିବେ ଜଣେ ଦି ଜଣ ପିଅନ୍‌ । ସେ ଏହି ଛୁଟିଟା ମଉସା ମାଉସୀଙ୍କ ପାଖରେ କଟାଇଲେ କ୍ଷତି କଣ ? ଅନୁପମାଦେବୀ ମରିଯିବା ଦିନଠାରୁ ମଉସାଙ୍କର ସମସ୍ତ ସ୍ନେହ ଏହି ସୁଚିତ୍ରାଙ୍କ ଉପରେ ।

 

ଦିନକର କଥା । ସେ ଦିନ ସୁଚିତ୍ରା ମାଉସୀଙ୍କ ଘରେ ଗପ କରୁ କରୁ ରାତି ଆଠ । ତାଙ୍କୁ ଯେ କୌଣସି ମତେ ବସାକୁ ଫେରି ଯିବାକୁ ପଡ଼ିବ । ଉଠି ଛିଡ଼ା ହେଲେ ।

 

ମଉସା କାର୍‌ ଆଣି ରେଡ଼ି କଲେ ।

 

ମଟର ଚାଲିଲା ଧୀରେ ଧୀରେ । ତିନି କିଲୋମିଟର ବାଟା ତ । କେତେ ସମୟ ଅବା ଲାଗିବା ?

 

—ପଚାରନ୍ତୁ ।

 

—ମାଉସୀଙ୍କ କଥାର ଉତ୍ତର ଦେଲୁନି କାହିଁକି ? ତୁ କଣ ଏହିପରି ତିର କୁମାରୀ ହୋଇ ରହିବୁ ?

 

ଏ ରକମ ପ୍ରଶ୍ନ ସେ ମଉସାଙ୍କ ଠାରୁ ଶୁଣିବେ ବୋଲି କେବେ ପ୍ରତ୍ୟାଶା କରି ନ ଥିଲେ-। ଭୀଷଣ ଲଜ୍ଜା ଆସିଗଲା ତାଙ୍କର । ସେ କଣ ଚାହାନ୍ତି ଏବେ ବି ଠିକ୍‌ ଜାଣନ୍ତିନି । କେଉଁଦିନ ସ୍ଥିର କରି ନାହାନ୍ତି ତାଙ୍କର ଭବିଷ୍ୟତ କଣ । ତେବେ ସେ ମଉସାଙ୍କ ପ୍ରଶ୍ନର କଣ ଉତ୍ତର ଦେବେ ?

 

ମଉସା ସୁଚିତ୍ରାଙ୍କ ନୀରବତା ଦେଖି କହିଲେ, ମୋ କଥାର ଉତ୍ତର ତୁ କିଛି ଦେବୁନୁ ନା କଣ ?

 

ତଥାପି ସୁଚିତ୍ରା ନିରୁତ୍ତର ।

 

ମଉସା ହସି ହସି କହିଲେ, କଣ ଲାଜ କରୁଛୁ ? ବାପ ପାଖରେ ଝିଅର ଲାଜ କଣ ? ତୁ ଶିକ୍ଷିତା...... ତୋର ଭବିଷ୍ୟତ ତୋ ହାତରେ । ଏଥିରେ ସଙ୍କୋଚ ବା କଣ ଅଛି ? ମତେ ସେ କଥା କହିଲେ କିଛି କ୍ଷତି ତ ନାହିଁ ? ସେ ଦାୟିତ୍ଵ ମୋର । ତୋ କଥା ମତେ ସ୍ପଷ୍ଟ କରି କହ ।

 

ଅତି ବ୍ୟସ୍ତ ହେଲାପରି ମୁହଁ ତଳକୁ କରି ସୁଚିତ୍ରା କହିଲେ, ମୁଁ ସେ ସବୁ ଚାହେଁ ନା, ମଉସା ।

 

—ତୁ କଣ ବୁଢ଼ାବାପାଙ୍କ ମନରେ କଷ୍ଟ ଦେବାକୁ ଚାହୁଁ ? ତୋର କଥା ଭାବି ଭାବି ସ୍ୱାସ୍ଥ୍ୟ ଖରାପ ।

 

—ନା, ମଉସା ! ସେ ସବୁ ଅସୁବିଧା ତ ମୁଁ ବାପାଙ୍କୁ ଆଗରୁ ବୁଝାଇ ଦେଇଛି ?

 

ମଉସାଙ୍କ ଉଦ୍ୟମ କିନ୍ତୁ ବ୍ୟର୍ଥ ହେଲା ସୁଚିତ୍ରାଙ୍କ ପାଖରେ ।

 

ବାଟ ସରିଗଲା । କାର୍‌ ଆସି ପହଞ୍ଚିଗଲା ସୁଚିତ୍ରାଙ୍କ କ୍ଵାର୍ଟର ଆଗରେ ।

 

ସୁଚିତ୍ରା ବାହାରିଗଲେ ବାରଣ୍ଡା ଉପରକୁ । ଡାକିଲେ, ଭିତରକୁ ଆସନ୍ତୁ ମଉସା ! ଟିକିଏ ଚାହା ନଖାଇ ଏ ଥଣ୍ଡାଟାରେ— ।

 

ମଉସା ବସିଲେ ଗୋଟିଏ ଚୌକି ଟାଣିନେଇ ।

 

ସୁଚିତ୍ରା ବଡ଼ ଅନୁନୟ ସ୍ଵରରେ କହିଲେ, ରୋଷେଇ ସରିଲାଣି । ଦି’ଟା ଖାଇଦେଇ ଯାଆନ୍ତୁ । କେବେ ତ ମୋ ବସାଘରେ ଖାଇଲେନି, ଆପଣ ?

 

—କିଛି ଦୁଃଖ କରନା ମା । ମୋରି ଖାଇବା ସମୟ ରାତ୍ର ଦଶଟା । ବର୍ତ୍ତମାନ ଯାଇ ହିସାବ କିତାବ ଦେଖିବାକୁ ପଡ଼ିବ । ଟଙ୍କା ପଇସାର କଥା । ଗୁମାସ୍ତାମାନଙ୍କୁ ବିଶ୍ଵାସ ନାହିଁ ଆଜିକାଲି । ଚାହା କପେ ମୋ ପକ୍ଷରେ ଯଥେଷ୍ଟ ।

 

ସୁଚିତ୍ରା କୋମଳ ପ୍ରତିବାଦ ସ୍ଵରରେ କହିଲେ, ମୁଁ ତେବେ ଆଉ କେବେ ଆପଣ ଘରେ ଖାଇବିନି, ମଉସା ! ଆପଣଙ୍କ ଘରକୁ ଯିବା ମୋର ଏତିକି ।

 

—ସେମିତି ତୁ ଭାବନା ସରୋଜା । ସମୟ କଣ ଚାଲି ଯାଉଛି ? ହୁଏତ ମୁଁ ଓ ତୋ ମାଉସୀ ଦିନେ ସ୍ଵେଚ୍ଛାରେ ଆସି ଶାଗ ପେଜ ଯାହା ଥିବା ଖାଇଦେଇ ଯିବୁ ।

 

ଏକ୍‌ସ୍‌ମାସକୁ ନିମନ୍ତ୍ରଣ ରକ୍ଷା କରି ମଉସା ଯିବାକୁ ଉଠିଲେ । ସେ ଗଲାବେଳେ ଡାକି କହିଲେ, ଦେଖା ସରୋଜା ! ଝଡ଼ ବତାସ ସହିତ ଅରଣ୍ୟର ସଂଗ୍ରାମ ପରି ତୋର ଜୀବନନନ୍ଦୀ ସହିତ ଅବିରତ ସଂଗ୍ରାମ ଚାଲିଛି ଏଠି । ନଦୀ ସମୟେ ସମୟେ ଭସାଇନିଏ—ପାଣିରେ ସବୁ ବୁଡ଼େଇ ଦିଏ—କିନ୍ତୁ ପାଣି ଛାଡ଼ିଯାଏ—ନଦୀ ପଡ଼ିରହେ । ତୁ ବି ଠିକ୍‌ ସେମିତି, ସରୋଜା !

 

ହଁ, ଆଉ ଗୋଟିଏ କଥା । ମୋର ଉପଦେଶ ମାନି ଚଳିବୁ ନା ? ରାତିରେ ଗରମ ଦୁଧ... ସକାଳେ ଅଧା ସିଝା ଅଣ୍ଡା ଦୁଇଟି... ଆଉ ଭାତରେ ପାତଳା ଚାରୁ...ସପ୍ତାହରେ ଥରେ ପିତା-। ସେହି ନିଯମରେ ଚଳିଲେ ତୋର ସ୍ୱାସ୍ଥ୍ୟ ଭଲ ରହିବ ଏଠି ।

 

ସୁଚିତ୍ରା ମୁଣ୍ଡ ହଲେଇ ସମ୍ମତି ଜଣାଇଲେ ।

 

ଫେରି ଆସିବା ପଥରେ ସୁଚିତ୍ରାଙ୍କ କଥା ଭାବି ଭାବି ଅବାକ୍‍ ହୋଇ ଗଲେ ମନମୋହନବାବୁ । ଦଶ ବାର ବର୍ଷପରେ ଏ ଦେଖା । ସେତେବେଳେ ସେ ଥିଲା ଅଳ୍ପ ବୟସ୍କା ବାଳିକାଟିଏ । ଭାବ ଭଙ୍ଗିରେ—କଥା କାମରେ ଆବେଗ ଥିଲା, ଚଞ୍ଚଳତା ଥିଲା । ଆଉ ବର୍ତ୍ତମାନ-?

 

ସୁଚିତ୍ରାଙ୍କର ଜୁନାଗଡ ଆସିବା କାଲିପରି ଦୁଇମାସ ହୋଇ ଗଲାଣି । ଛାତ୍ରୀମାନଙ୍କର ସ୍ଥାନୀୟ ଭାଷା ଟଙ୍କା ପକ୍ଷରେ ବୁଝିବା ସହଜ ହେଉନି । ଛାତ୍ରୀମାନେ ବି ସୁଚିତ୍ରାଙ୍କ କଥା ବୁଝିପାରୁ ନାହାନ୍ତି ।

 

ଧୀରେ ଧୀରେ ଆସିଲା ପରିବର୍ତ୍ତନ । ଦମଦିଆ ଘଣ୍ଟା କଣ୍ଟା ପରି ଧରାବନ୍ଧା ରୁଟିନ୍‌ ୱ୍ୟାର୍କର ନିଶ୍ଚିନ୍ତ ପରିଧି ଭିତରେ ସେ ବ୍ୟସ୍ତ ରହିଲେ ।

 

ସେ କାମ ଭଲ ପାଆନ୍ତି । ଏହି କାମ ଭିତରେ ତାଙ୍କର ବିସ୍ମୃତି । ନିଷ୍ଠାପର ନାରୀ କର୍ମୀ ବୋଲି ଅଫିସ୍‌ରେ ନାଁ ଅଛି । ଦ୍ରୁତ ପ୍ରମୋସନର ମଧ୍ୟ ସମ୍ଭାବନା ।

 

ଫଳରେ ସ୍କୁଲର ଉନ୍ନତି ହେଲା । ତାଙ୍କର ଚେଷ୍ଟାରେ ଗୋଟିଏ ରେଡ଼ିଓ ଓ ଦୈନିକ ସମ୍ବାଦପତ୍ର ଆସିଲା । ଅଥାପି ସେ ଆଗେଇ ଚାଲିଲେ । ଏଠାକୁ ଆସିବା ଦିନଠାରୁ ନୂତନ ସଂକଳ୍ପ ଓ ନୂତନ ଉଦ୍ୟମରେ ଲାଗି ପଡ଼ିଛନ୍ତି । ଆହୁରି ଉନ୍ନତି ଦରକାର ।

 

ସମସ୍ତେ ଜାଣନ୍ତି ସୁଚିତ୍ରା ଜଣେ ସାଧାରଣ ମିଷ୍ଟ୍ରେସଖ—ପୁଣି ଖ୍ରୀଷ୍ଟିୟାନ୍‌ । ସେମାନେ କିନ୍ତୁ ତାଙ୍କର ପଢ଼ାଶୁଣା, ସାହିତ୍ୟ, ସଙ୍ଗୀତ ଓ ଅଭିନୟ ସମ୍ପର୍କରେ ଜାଣନ୍ତିନି କିଛି ।

ବେଳେ ବେଳେ ଦେଖାଯାଏ ସୁଚିତ୍ରାଙ୍କ ଚାରିପାଖରେ ବହି ଗଦା ଗଦା । ସେ ବସିଛନ୍ତି ଧ୍ୟାନମଗ୍ନା ତପସ୍ଵିନୀ ପରି । ସେ ହେଉଛନ୍ତି ପାଷାଣୀ କନ୍ୟା । ଦୁଃଖ, ବେଦନା ଯେତେ ଭୀଷଣ ହେଲେ ବି ତାକୁ ଉପେକ୍ଷା କରିବାର ସହଜ ମନ୍ତ୍ର ସେ ଶିଖିଛନ୍ତି ପିଲାଦିନରୁ । ଖୁବ ସ୍ଵାଭାବିକ । କେଉଁଠି କିଛି କୃତ୍ରିମତା ନାହିଁ ।

ହଠାତ୍‌ ଅପ୍ରତ୍ୟାଶିତ ଭାବରେ ସେଦିନ ମାଉସୀ ଆସି ପହଞ୍ଚି ଗଲେ । ସାଙ୍ଗରେ ତାଙ୍କର ଜଣେ ଆଦିବାସୀ ଚାକରାଣୀ ।

ମାଉସୀଙ୍କର ମୁଣ୍ଡବାଳ ପାଚିବା ଆରମ୍ଭ କଲାଣି । ପାଟିରେ ଚାରି ପାଞ୍ଚୋଟି ଦାନ୍ତ । ପାନଖିଆ ଅଭ୍ୟାସ ବେଶି ।

ମଥା ନୁଆଇଁ ମାଉସୀଙ୍କ ପାଦଧୂଳି ନେଲେ ସୁଚିତ୍ରା । ବସିବାକୁ ଚେୟାରଟିଏ ଟାଣି ଆଣି ଦେଇ କହିଲେ, ବସନ୍ତୁ ମାଉସୀ ! ମୋର ବଡ଼ ସୌଭାଗ୍ୟ ଯେ ଆପଣଙ୍କ ପାଦ ମୋ ବାସଘରେ ପଡ଼ିଲା ।

ନିଜେ ଚେୟାରଟିଏ ନେଇ ମାଉସୀଙ୍କ ପାଖରେ ବସିଲେ ।

ମାଉସୀ ବସୁ ବସୁ କହିଲେ, ନାନା ରକମ କାମର ଝାମେଲା । ମଉସାଙ୍କ ଭୁରୁତୁରିଆ କଥା ତ ତୁ ଜାଣୁ ? ଚବିଶ ଘଣ୍ଟା ଚୂଲିରେ କେଟ୍‌ଲି ବସିଛି । କ’ଣ ଭଦ୍ରଲୋକଙ୍କ ଆସିବାରେ ସୀମା ଅଛି ? ସେହି ଅତିଥି ଚର୍ଚ୍ଚାରେ ଚାପି ହୋଇ ତୋ ପାଖକୁ ଆସିବା ପାଇଁ ମନ ଥିଲେ ବି ଟିକିଏ ସମୟ ପାଏନି । ଆଜି ତୋର ଛୁଟିଦିନ ଜାଣି ଚାଲି ଆସିଲି ।

—ବସନ୍ତୁ ଟିକେ । ମୁଁ ଚା କରି ଆଣେ । ସୁଚିତ୍ରା ଉଠିଲେ ।

ମାଉସୀ ମନକଲେ ଚାହା କରିବାକୁ । କହିଲେ ନା, ନା, ମୁଁ ସେ ଚାହା ଫା କିଛି ଖାଇବିନି—ଖାଇ ଆସିଛି । ଦେବୁ ତ ପାନ ଖଣ୍ଡେ ଦେ । ବେଶି ଗୁଣ୍ଡି ଦେବୁନି ।

ସୁଚିତ୍ରା ଦୁଇଖଣ୍ଡି ପାନଖିଲ ଆଣି ପ୍ଲେଟ୍‌ରେ ରଖିଦେଲେ ।

ମାଉସୀ କହିଲେ, ମୁହଁଟା ଆଜି ତୋର ଏତେ ଶୁଖିଲା ଦିଶୁଛି କାହିଁକି ? କଣ କିଛି ଖାଇନାହୁଁ କି ? ସେ ସୁଚିତ୍ରାଙ୍କ ମୁହଁକୁ ଚାହିଁ ରହିଲେ ।

ମୁଣ୍ଡ ହଲେଇ ସୁଚିତ୍ରା କହିଲେ, ଖାଇଛି ତ ମାଉସୀ ।

ସୁଚିତ୍ରାଙ୍କ ମୁଣ୍ଡ ଉପରେ ହାତ ବୁଲାଇ ମାଉସୀ କହିଲେ, ମୁଣ୍ଡଟା ଏପରି ନୁଖୁରା କରିଛୁ କାହିଁକି ? କଣ ପାଠ ପଢ଼ି ଚାକିରି କଲେ ମୁଣ୍ଡ ଏମିତି ନୁଖୁରା ରଖିବାକୁ ପଡ଼େ ? ବସିଲୁ ମୁଣ୍ଡଟା କୁଣ୍ଡେଇ ଦିଏ ।

ଟେବୁଲ୍‌ ଉପରୁ ବାସନା ତେଲ ଓ ଚିରୁଣୀ ପାଇଁ ଉଠିଲେ ମାଉସୀ ।

ସୁଚିତ୍ରା ସାମାନ୍ୟ ହସି କହିଲେ, ନା, ମାଉସୀ ! ଥାଉ । ଆପଣ ଏତେ କଷ୍ଟ କରିବେ କାହିଁକି ? ଆପଣଙ୍କ କଥା ମାନି ମୁଁ ନିଜେ କୁଣ୍ଡଉଛି ।

 

ମନରେ ଭାବିଲେ ସୁଚିତ୍ରା । ମାଉସୀ ଜାଣନ୍ତି ସେ ସବୁ କିଛି । ସେ ବା କିପରି ଜାଣିବେ ମୋର ଏ ମନ ଗହନର ଗୋପନ କଥାକୁ । ସେ ମୁଣ୍ଡ କୁଣ୍ଡେଇ ଦେବେ.... କେଶ ବିନ୍ୟାସ କରିଦେବେ... ତରଙ୍ଗାୟିତ କେଶରେ ସୌନ୍ଦର୍ଯ୍ୟ-ବନ୍ୟାର ଧାର ଛୁଟାଇ ଦେବେ । କିନ୍ତୁ କାହାପାଇଁ-? କିଏ ଦେଖିବ ମୋର ଏ କେଶ ବିନ୍ୟାସର ପରିପାଟି ? କିଏ ମୁଗ୍‌ଧ ହେବ ମୋର ଏ ଲାବଣ୍ୟ ହୀନଶରୀରର କୃତ୍ରିମ ପ୍ରସାଧନରେ ? ବଣର ମାଲତୀ ପରି ବଣରେ ଝଡ଼ ପଡ଼ିବା ମୋର ସାର ହେବ ସିନା ।

 

ପୁଣି ସେଦିନର କଥା ଉଠାଇ ମାଉସୀ କହିଲେ, ମା’ର କଥା କଣ ଭୁଲିଗଲୁ ? ତାର ଶେଷ ଆଶା ପୂରଣ କର । ତେବେ ତାର ଆତ୍ମା ସ୍ଵର୍ଗରେ ଶାନ୍ତ ପାଇବ ।

 

ସୁଚିତ୍ରାଙ୍କର ସେହି ଗୋଟିଏ କଥା, ବାହା ହେବିନି । ମାଉସୀ ଆଉ ସେ କଥା ଉଠେଇଲେନି ।

 

ଇଆଡ଼ୁ ସିଆଡ଼ୁ ଦି ଚାରିପଦ କଥା ହେଲେ ମାଉସୀ । ହାଟଦିନକୁ ଯିବା ପାଇଁ କହି ମାଉସୀ ଉଠି ପଡ଼ିଲେ ।

 

ମାଉସୀଙ୍କୁ ଗେଟ୍‌ ପାଖରେ ଛାଡ଼ିଦେଇ ଆସି ସୁଚିତ୍ରା ଚେୟାର ଉପରେ ବସିଲେ । ମନକୁ ମନ ଦୀର୍ଘ ନିଶ୍ଵାସଟିଏ ବାହାରିଗଲା । ଆଜି ସେ ନିଜର ଦୁର୍ବଳ ମନକୁ ସାନ୍ତ୍ଵନା ଦେଇ ପାରୁ ନାହାନ୍ତି । କିନ୍ତୁ ତାଙ୍କୁ ଧୈର୍ଯ୍ୟର ସହିତ ଆଗକୁ ପାଦ ପକେଇ ଚାଲିବାକୁ ପଡ଼ିବା ।

 

ଜୀବନର କର୍ମବ୍ୟସ୍ତତା ଭିତରେ ଦିନ ଗଡ଼ି ଚାଲିଛି... ବୟସ ଖସି ଯାଉଛି... ମୁହଁରେ ମ୍ଳାନର ଛାୟା... କ୍ଷତବିକ୍ଷତ ମନରେ ହା ହତୋତ୍ସାହର ଛାପ । ନିଜର ଦୁର୍ବଳତା ପାଇଁ ନିଜ ମନ ଭିତରେ ଅନୁତାପ । ଲୋଭନୀୟ ସହର ଜୀବନର ଚଞ୍ଚଳତା ଛାଡ଼ି କୋଳାହଳହୀନ ମଫସଲର ଏହି ସବୁଜିମାର ତାରୁଣ୍ୟରେ ମନକୁ କାହିଁ ଭୁଲାଇ ପାରୁ ନାହାନ୍ତି ତ ସେ ? ସେ ଖାଲି ଜଳି ମରୁଛନ୍ତି...ପୋଡ଼ି ମରୁଛନ୍ତି...ସନ୍ତୁଳି ହୋଇ ମରୁଛନ୍ତି । କାହିଁଗଲା ସେହି ସ୍ନେହର ନିବିଡ଼ତା ? ପ୍ରାଣର ଆବେଗ, ଚଞ୍ଚଳ, ବ୍ୟାକୁଳତା ? ଅଶେଷ ସ୍ମୃତି ବିଜଡ଼ିତ ଅନ୍ତରର ହାହାକାର ବାରବାର ଜୀବନ୍ତ ହୋଇ ଉଠୁଛି । କିନ୍ତୁ ଲାଭ କଣ ସେଥିରେ ? ଖାଲି ମରିଚିକା...ଜୀବନ ଘେରା ମରିଚିକା ଜଳ ।

 

ସବୁଦିନ ପରି ସେଦିନ ବି ଠିକ୍‌ ସନ୍ଧ୍ୟା ପାଞ୍ଚଟାରେ ପଞ୍ଚାୟତ ସମିତି ଚେୟାରମେନ୍‌ ଜୟ ନାରାୟଣ ମହାପାତ୍ର ଆସି ହାଜର । ମଟର ସାଇକେଲଟି ବାରଣ୍ଡା ଆଗରେ ରଖିଦେଇ ଉପରକୁ ଉଠିଲେ ।

 

ସୁଚିତ୍ରା ନମସ୍କାର କଲେ । ବସିବାକୁ ଚେୟାରଟିଏ ଦେଖେଇ ଦେଲେ ଅଫିସ୍‌ ରୁମରେ-

 

ମହାପତ୍ର ବାବୁ ମଧ୍ୟମ ବୟସ୍କ—ପତଳା ଓ ହସ ହସ ମୁହଁ । ସର୍ବଦା ସାଜ ପୋଷାକରେ ଫିଟ୍‌ ଫାଟ୍‌ । ହାତ ଆଙ୍ଗୁଠିରେ ଷ୍ଟୋନ୍‌ ସେଟିଂ ରିଙ୍ଗ୍‌ ଦୁଇ ତିନୋଟି ।

 

କେତେ ଆଡ଼ର କେତେ କଥା ଚାଲିଛି । ଶେଷକୁ ଜୟନାରାୟଣ ବାବୁ କହିଲେ, ବାସ୍ତବିକ ଆପଣଙ୍କ ସେ ଆଡ଼ର ଲୋକମାନେ ଶିକ୍ଷିତ ଆଉ ବୁଦ୍ଧିମାନ୍‌ । ଆମର ଏ ଜିଲ୍ଲାଟା ଯାକ ଖାଲି ଅଶିକ୍ଷିତ । ଆଦିବାସୀଙ୍କ ପାଇଁ ଯେତେ ଉଦ୍ୟମ କଲେବି ସେମାନେ ପାଠ ପଢ଼ିବାକୁ ଆଗ୍ରହୀ ନୁହନ୍ତି । ଆପଣଙ୍କ ପରି ଶିକ୍ଷିତା ଯୁବତୀମାନେ ଆଗଭର ହୋଇ ନ ବାହାରିଲେ ନାରୀ ଶିକ୍ଷାର ଉନ୍ନତି ଅସମ୍ଭବ । ଶୁଣୁଛି ଆପଣ ନିଜ ହାତରେ କୁଆଡ଼େ ଝିଅ ପିଲାଙ୍କ ବେଣୀ ବାନ୍ଧୁଛନ୍ତି ମୁଣ୍ଡ କୁଣ୍ଡେଇ ଦେଉଛନ୍ତି ? ବାଃ ! ଏତ ଖୁବ ଭଲ କଥା ।

 

ସୁଚିତ୍ରା ନୀରବରେ ଶୁଣି ଯାଉଥାନ୍ତି ଜୟନାରାୟଣ ବାବୁଙ୍କ ସେହି ପୁରଣା ସ୍ତବ ସ୍ତୋତ୍ର-

 

ସେ ଉତ୍ତର ଦେଲେ, ହଁ, ସେଇଟାତ ଆମର ଡ଼ିଉଟି । ଯେତେବେଳେ ଦରମା ପାଇ ଏଇ କାମ କରିବାକୁ ଆସିଛୁ ନ କରିବୁ ବା କେମିତି ?

 

ଜୟନାରାୟଣ ବାବୁ ହସି ହସି କହିଲେ, ମୋର ଧାରଣ ଆପଣଙ୍କ ସମୟରେ ଏହି ଶିଶୁ ଅନୁଷ୍ଠାନଟି ନିଶ୍ଚୟ ଉନ୍ନତି କରିବା । ଡାଇରେକ୍ଟର ସାହେବଙ୍କୁ ସେ ଦିନ ସ୍କୁଲର ଅଭାବ ଅସୁବିଧାମାନ ଦର୍ଶାଇ ନିର୍ଭୟ ଭାବରେ ତାର ପ୍ରତିକାର ଦାବି କଲେ ଆମେମାନେ ଦେଖି ବଡ଼ କାବା ହୋଇଗଲୁ । ଆପଣଙ୍କ ଚରିତ୍ର, ରୁଚି ଓ କାର୍ଯ୍ୟ ପ୍ରଣାଳୀରେ ଏଠାକାର ସମସ୍ତେ ମୁଗ୍‌ଧ ।

 

ସୁଚିତ୍ରା କୋମଳ ଭାବରେ ଉତ୍ତର ଦେଲେ, ମତେ ଏପରି ପ୍ରଶଂସା କରିବା ମାନେ ଲଜ୍ଜା ଦେବା ନୁହେଁକି, ମହାପାତ୍ର ବାବୁ ! ଆପଣ ଭୁଲାନ୍ତୁନି ଯେ ଆପଣଙ୍କ ପରି ସଦାଶୟ ଓ ପରୋପକାରୀ ବ୍ୟକ୍ତିଙ୍କ ଉଦ୍ୟମ ଓ ଯତ୍ନରେ ଆଜି ଏ ଅନୁଷ୍ଠାନ ଯାହା କିଛି ଉନ୍ନତି ସମ୍ଭବ ହୋଇଛି-

 

ମହାପାତ୍ର ବାବୁ ଅଳ୍ପ ହସିଦେଲେ । ଯେପରି ସୁଚିତ୍ରାଙ୍କର ଏହି ମନ୍ତବ୍ୟରେ ସେ ଅପରିଣିତ ଆତ୍ମପ୍ରସାଦ ଅନୁଭବ କରୁଛନ୍ତି ।

 

ସେ ପୁଣି ସୁଚିତ୍ରାଙ୍କୁ ପ୍ରଶ୍ନ କଲେ, ଏ ଯାଗା ଆପଣଙ୍କୁ କିପରି ଲାଗୁଛି ?

 

ସୁଚିତ୍ରା ଜାଣନ୍ତି ପ୍ରଶ୍ନଟି ନିହାତି ଅବାନ୍ତର । ତଥାପି ଉତ୍ତର ବା ନଦେବେ କେମିତି ? କହିଲେ, ଆମର ଚାକିରି ତ ବଣ ଜଙ୍ଗଲରେ । ଅଭ୍ୟାସ କରି ନେବାକୁ ପଡ଼ିବ ଧୀରେ ଧୀରେ ।

 

—ହଁ, ଏଇଟା ତ ଆମର ବଣ ଜଙ୍ଗଲ ଦେଶ । ବାଘ ଭାଲୁଙ୍କର ଘର । କେତେ ସଭାସମିତି କଲେ ବି ଆଦିବାସୀମାନଙ୍କର ଆଗ୍ରହ ନାହିଁ । ସମସ୍ତେ ନିରକ୍ଷର । ସେଥି ପାଇଁ ଆମେ ମାନେ ସରପଞ୍ଚ, ଚେୟାରମ୍ୟାନ ଏମ୍‌, ଏଲ୍‌, ଏ, ସବୁକିଛି । ଯଦିବା ଜିଲାର ଅଜ୍ଞତା ଆମମାନଙ୍କ ପକ୍ଷରେ ଆଶୀର୍ବାଦ ତଥାପି ଗୋଟାଏ ଜାତି ଲକ୍ଷ ଲକ୍ଷ ସଂଖ୍ୟାରେ ଅଜ୍ଞାନ ଓ ଅଶିକ୍ଷା ଅନ୍ଧକାରରେ ଶତାବ୍ଦୀ ଶତାବ୍ଦୀ ଧରି ପଡ଼ି ରହିଥିବା ମୁଁ ପସନ୍ଦ କରେ ନା ।

 

ସୁଚିତ୍ରା ଧନ୍ୟବାଦ ଜଣାଇ କହିଲେ, ବାସ୍ତବିକ ସେହିଭଳି ଦରଦ ଦରକାର ।

 

ଜୟନାରାୟଣ ବାବୁ ପ୍ୟାଣ୍ଟ ପକେଟରୁ ସିଗାରେଟ୍‌ ପ୍ୟାକେଟ୍‌ଟି କାଢ଼ି ଗୋଟିଏ ସିଗାରେଟ୍‌ ମୁହଁରେ ଦେଲେ । ପ୍ୟାକେଟଟି ସୁଚିତ୍ରାଙ୍କ ଆଡ଼କୁ ବଢ଼େଇ ଦେଇ ଅନୁରୋଧ କଲାପରି କହିଲେ, ଖଣ୍ଡିଏ ସିଗାରେଟ୍‌, ପ୍ଳିଜ !

 

ସୁଚିତ୍ରା ସିଗାରେଟ୍‌ ଗ୍ରହଣ ନକରି କହିଲେ, ଏବେ ବି ମୋର ସିଗାରେଟ୍‌ ଖାଇବାର ସୌଭାଗ୍ୟ ଆସିନି ସାର୍‌ ! ମାଫ୍‌ କରନ୍ତୁ ମତେ ।

 

ମହାପାତ୍ର ବାବୁ ସିଗାରେଟ୍‌ରେ ଅଗ୍ନିସଂଯୋଗ କରି ଧୂଆଁର କୁଣ୍ଡଳୀ ଛାଡ଼ିଲେ ଉପରକୁ-

 

କହିଲେ, ଆପଣଙ୍କ ପରି ଶିକ୍ଷିତାଯୁବତିମାନଙ୍କର ଏହି ଜିଲ୍ଲା ହେଉଛି ପ୍ରକୃତ କର୍ମକ୍ଷେତ୍ର-। କଣ ଆପଣ ବିରକ୍ତ ହେଲେ କି ?

 

—ନା, ନା, ଏଥିରେ ବିରକ୍ତ ହେବାର କଣ ଅଛି ?

 

—ଆଉ ଆପଣଙ୍କର କଣ କଣ ଅସୁବିଧା ଜଣାଇଲେ ବାଧିତ ହେବି । ମୁଁ ଏଠାରେ ଥିବା ପର୍ଯ୍ୟନ୍ତ ଆପଣଙ୍କର କୌଣସି ଅସୁବିଧା ହେବିନି ।

 

—ଆପଣଙ୍କ ଉଦାରତା ପାଇଁ ଧନ୍ୟବାଦ । ଦରକାର ବେଳେ ଜଣାଇବେ ।

 

କିଛି ସମୟ ନୀରବତା ଭିତରେ କଟିଲା ।

 

ଜୟନାରାୟଣ ବାବୁ ମୁହଁରେ ଲଘୁ ହସଟିଏ ଫୁଟେଇ କହିଲେ, କାଲି ଆମ ଜିପ୍‌ ଭୁବନେଶ୍ଵର ଯାଉଛି । ଯଦି ରାଜି ହୁଅନ୍ତେ ମୁଁ ସାଙ୍ଗରେ ନେଇଯାନ୍ତି । ଟିକିଏ ବୁଲାବୁଲି କରି ଆସନ୍ତେ । ମନର ବି ପରିବର୍ତ୍ତନ ହୁଅନ୍ତା ।

 

ତାଙ୍କର ଏହିପରି ପାଲିସ୍‌ କଥା ବେଳେ ବେଳେ ବହିର ଭାଷାକୁ ପ୍ରତିହତ କରେ । ଏଭଳି କଥା କହିବାରେ ସେ ବଡ଼ ପାରିଲାର ।

 

ସୁଚିତ୍ରା ବିରକ୍ତ ହେଲେ ମନେ ମନେ । ଭଦ୍ରତା ଖାତିରିରେ ଟିକେ ହସି କହିଲେ, କ୍ଷମା ଦିଅନ୍ତୁ ମହାପାତ୍ର ବାବୁ । ଅନ୍ୟଥରକୁ ଚେଷ୍ଟା କରିବି । ଏଥିରେ ମୁଁ କୌଣସି ମତେ ଯାଇପାରିବିନି-। ନୂଆଁ ଅନୁଷ୍ଠାନ । ଛାତ୍ରୀମାନେ ଏବେ ବି ସ୍କୁଲ ମାଇଣ୍ଡେଡ୍‌ ହୋଇ ନାହାନ୍ତି ।

 

ମହାପାତ୍ରବାବୁ ଅଳ୍ପ ହସିଲେ । କିନ୍ତୁ ସୁଚିତ୍ରାଙ୍କ ଗାମ୍ଭୀର୍ଯ୍ୟ ଲକ୍ଷ୍ୟକରି ଟିକେ ସ୍ତବ୍‌ଧ ହୋଇଗଲେ ।

 

କଥାର ମୋଡ଼ ଘୂରାଇଦେଲେ ମହାପାତ୍ର ବାବୁ ଅନୁରାଗଭରା ସ୍ଵରରେ କହିଲେ, ଆପଣଙ୍କୁ ସବୁବେଳେ ତ ଏଠି ଭଲ ଲାଗୁନଥିବା । ଟିକିଏ ଆମ ଘରଆଡ଼େ ବୁଲି ଆସିଲେ ହୁଅନ୍ତା ନି ? ଛୁଟି ଦିନ ଦେଖି ଆସନ୍ତୁ । ମୋ ସ୍ତ୍ରୀ ମଧ୍ୟ ଆପଣକୁ ଦେଖିବାପାଇଁ କହିଛନ୍ତି ।

 

ସୁଚିତ୍ରା ଉତ୍ତର ଦେଲେ । ଦିନେ ସୁବିଧା ଦେଖି ନିଶ୍ଚୟ ଯିବି ।

 

ଜୟନାରାୟଣ ବାବୁ ଶେଷ ହୋଇ ଆସୁଥିବା ସିଗାରେଟ୍‌ଟି ଫୋପାଡ଼ିଦେଇ ଆଉ ଗୋଟିକର ଅଗ୍ନି ସଂଯୋଗ କଲେ । ଧୂଆଁର ମେଘ ଗୋଟିଏ ନାକପୁଡ଼ାରୁ ଛାଡ଼ିଲେ ।

 

ନମସ୍କାର ଆଦାନ ପ୍ରଦାନ ପରେ ଜୟନାରାୟଣ ବାବୁ ଧୀରେ ଧୀରେ ଅଫିସ ଘରୁ ବାହାରିଗଲେ ।

 

ସୁଚିତ୍ରା ନିଶ୍ଚିତ ଭାବରେ ଜାଣନ୍ତି ମହାପାତ୍ର ବାବୁ କଣ ଚାହାନ୍ତି ତାଙ୍କଠାରୁ । ତାଙ୍କର ଲୋଲୁପ ଦୃଷ୍ଟି ସେ ସବୁ ବୁଝିପାରନ୍ତି । ଏହି ଭଦ୍ରମୁଖାଧାରୀ ଜୟନାରାୟଣ ମହାପାତ୍ରଙ୍କ ଦୁର୍ବଳତାକୁ ସେ ଭଲ ଭାବରେ ଚିହ୍ନି ପାରିଛନ୍ତି । ଏହି ଅଭିଶପ୍ତ ଦୁନିଆର ଜାନୁଆର ଗୁଡ଼ା ସତେ ଏମିତି । ନିଜର ସ୍ଵାର୍ଥ ପାଇଁ କଣ ବା ସେମାନେ କରି ନ ପାରନ୍ତି ? ଯୁବତିମାନଙ୍କୁ ବିପଥକୁ ନେବାପାଇଁ କେଡେ ବଡ଼ ତତ୍ପର ସେମାନେ ! ତେଣୁ ମହାପାତ୍ରବାବୁଙ୍କ ଉପରେ ସୁଚିତ୍ରାଙ୍କର ଚରମଘୃଣା ଓ ବିକ୍ଷୋଭ । କିନ୍ତୁ ଲୋକପ୍ରତିନିଧି ହେତୁରୁ ସେ ମୁହଁରେ କିଛି କହିପାରନ୍ତି ନି ।

 

ସୁଚିତ୍ରା ହସି ହସି କଥା କହନ୍ତି । ଜୟନାରାୟଣ ବାବୁ ସେହି ସୁଯୋଗରେ ଟିକେ ବେସୀ ଅନ୍ତରଙ୍ଗ ହେବାର ଚେଷ୍ଟା କରନ୍ତି କିନ୍ତୁ ମଧୁର କଥାରେ ମନୋରମ କୌଶଳରେ ତାକୁ ଦୂରେଇ ରଖନ୍ତି ସୁଚିତ୍ରା ଦାସ । ଯେପରି ଭଦ୍ର ପ୍ରତିବାଦ ।

 

ଅନେକ ସଦ୍‌ଗୁଣର ଅଧିକାରିଣୀ ଏହି ସୁଚିତ୍ରାଙ୍କର କୌଣସିଟା ହୁଏତ ଅସଲ ପରିଚୟ ନୁହେଁ । ସେ ସମସ୍ତଙ୍କ ଅଲକ୍ଷ୍ୟରେ ଗୋଟିଏ ରହସ୍ୟମୟୀ । ନାରୀ ହିସାବରେ ସେ ଜଣେ ବହୁ ବାଞ୍ଛତା । ଗଳାର ମଧୁର ସ୍ଵର ଆଉ ଆଲୋକଝରା ହସ ପୁରୁଷମାନଙ୍କୁ ଯେପରି ହାତ ଠାରି ଡାକେ । ପଳ ପଳ ଯୁବକ ତାଙ୍କ ଆଡ଼କୁ ଛୁଟି ଆସନ୍ତି । ଯେପରି ଲୁହ ଚୁମ୍ବକ ପାଖକୁ ଆପେ ଆପେ ଟାଣି ହୋଇ ଆସେ । କିନ୍ତୁ ସେ ଘୁଞ୍ଚି ଯାନ୍ତି ଦୂରକୁ ଦୂରକୁ । ଖେଳିବାର ପ୍ରବୃତ୍ତି ନାହିଁ—ଖେଳାଇବାର ମନୋବୃତ୍ତି ନାହିଁ ।

 

ତାଙ୍କର ଏହି ସୁନୀଳ ଜୀବନାକାଶରେ ସାଂପ୍ରତିକ ଧୂମକେତୁ ହେଉଛନ୍ତି ଏକ ଜୟନାରାୟଣ ବାବୁ । ସୁଚିତ୍ରାଙ୍କ ଚୁମ୍ବକ ପ୍ରଭାତଙ୍କୁ ଟାଣୁଛି ସତ କିନ୍ତୁ ସେ ଆଦୌ ସ୍ପର୍ଶ କରିପାରୁନାହାନ୍ତି ସୁଚିତ୍ରାଙ୍କୁ । ଅତି ଆଶ୍ଚର୍ଯ୍ୟ ହେଉଛି ସୁଚିତ୍ରାଙ୍କର ଏହି ଅଭିନବ ଆତ୍ମ ନିୟନ୍ତ୍ରଣ କ୍ଷମତା । ଜୟନାରାୟଣ ବାବୁ ମିଛେ ମିଛେ ହାତ ବଢ଼ାନ୍ତି । ହାତ ପାଏନା । ଧରି ପାରନ୍ତିନି । ହାତ ଛାଏଁ ଛାଏଁ ଫେରି ଆସେ । ତଥାପି ଆଗାମୀ ଆଶାରେ ସେ ପୁଣି ଆସନ୍ତି ।

 

ସେ ଆଜିକାଲି ଦିନେ ଛଡ଼ା ଦିନେ, କେବେ ପ୍ରତିଦିନ ସ୍କୁଲକୁ ଆସନ୍ତି କିଛି ନା କିଛି ଗୋଟିଏ କାମର ବାହାନା ନେଇ । ହୁଏତ ସେ ଆସନ୍ତି ଆକି କୋଣରେ ଆମନ୍ତ୍ରଣର ଇସାରା ନେଇ । କିନ୍ତୁ ସାହସ କରି ଖୋଲି କହି ପାରନ୍ତିନି କିଛି । ସବୁ ନରର୍ଥକ ହୁଏ—ସବୁ କିଛି ମିଥ୍ୟାହୁଏ ।

 

ବେଳେ ବେଳେ ସୁଚିତ୍ରାଙ୍କ ମନରେ ଜାଗେ ସହାନୁଭୂତି । ରୋମାଣ୍ଟିକ ମନରେ ଲାଗେ ମୋହର ପରଶ । କିନ୍ତୁ କାହାରି କୋମଳ ବାହୁର ନିବିଡ଼ ଆଲିଙ୍ଗନ ଜନିତ ଉଷ୍ଣ ସାନ୍ନିଧ୍ୟ ଭୋଗ କରିବାକୁ ଚାହାନ୍ତିନି ସେ । ଆଉ ମଧ୍ୟ ଚାହାନ୍ତି ନି ନିଜ ଜୀବନର କରୁଣ ଇତିହାସ କାହା ଆଗରେ ଶୁଣାଇବାକୁ । ଯୌବନର ଯେଉଁ ଅତୃପ୍ତ ମୁହୂର୍ତ୍ତଗୁଡ଼ିକ ହତାସ ପବନରେ ଉଡ଼ି ଯାଉଛି ସେହି ସେହି ଯୌବନ ତୃଷ୍ଣାକୁ କାହା ପାଖରେ ମେଣ୍ଟାଇବାକୁ ସେ ଚାହାନ୍ତି ନି । ସେ ଭଲ ଭଲ କରି ଜାଣିଛନ୍ତି ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନେ ସମସ୍ତେ ଚାହାନ୍ତି ଉପଭୋଗ । ସମସ୍ତେ ବନ୍ୟରକ୍ତ ପିପାସୁ । ନିଜର ସ୍ଵାର୍ଥ ସାଧନ କରି ଫାଙ୍କି ଦେବାର ଚେଷ୍ଟା । କେବଳ ନିନ୍ଦା ଅପମାନ ଓ ନିର୍ଯ୍ୟାତନା ହିଁ ତାର ପରିଣତ ।

 

ସେ ସମାଜ ସଂସାର ଛାଡ଼ି—ବନ୍ଧୁବାନ୍ଧବଙ୍କ ଠାରୁ ଦୂରରେ ରହି ଏହି ନିର୍ଜନ କ୍ଵାର୍ଟର ଭିତରେ ଯେଉଁ ଟିକିକ ଶାନ୍ତି ପାଇଁ ନିଜକୁ କ୍ଷତି ବିକ୍ଷତ କରି ଦିନ କାଟୁଛନ୍ତି ସେହି ଟିକକ କଣ ଏମାନେ ଚୋରି କରି ନେବାକୁ ଚାହାନ୍ତି ? କେଉଁ ମମତାର ବନ୍ଧନରେ ସେ ଏହି ନିଷ୍ଠୁର ଜଗତରେ ବାସ କରିବେ ? ଯେଉଁଠି ନାରୀ ଧର୍ଷଣ ଓ ହତ୍ୟା ସାଧାରଣ କଥା—ଆଶା ଆକାଂକ୍ଷା ଭଲପାଇବା ସମସ୍ତ ମିଥ୍ୟା ।

 

ସେଦିନ ସାପ୍ତାହିକ ଛୁଟି । ସ୍କୁଲ ବନ୍ଦ । ଖିଅପିଆ ସରିଲା । ଅପରାହ୍ନ ତିନିଟା ବେଳ । ସୁଚିତ୍ରା ବାହାରିଲେ ଜୟନାରାୟଣ ବାବୁଙ୍କ ଘରକୁ । ସଙ୍ଗେ ହେଲେ ଅନ୍ୟ ମିଷ୍ଟ୍ରେସ୍‌ ଦୁଇଜଣ ।

 

ଉତ୍ତରା ପବନ ସୁଲୁ ସୁଲୁ ହୋଇ ବହିଯାଉଛି । ସୁଚିତ୍ରାଙ୍କ ଶରୀରରେ ଲାଗୁଛି ଶୀତଳ ସ୍ପର୍ଶ ।

 

ରାସ୍ତାରେ ଭିଡ଼ ନାହିଁ ସଦର ରାସ୍ତା ରୁ ବାହାରି ଯାଇଛି ସାନ ରାସ୍ତାଟିଏ ଗାଁ ଭିତର ଦେଇ ।

 

ପହଞ୍ଚିଲେ ଠିକ୍‌ ସମୟରେ । ମହାପାତ୍ରବାବୁ ଘରେ ନଥାନ୍ତି । ସ୍ତ୍ରୀ ତାଙ୍କର ଅତି ଆଦରରେ ଅଭ୍ୟର୍ଥନା କଲେ ସମସ୍ତଙ୍କୁ । ଭଦ୍ରତା ରକ୍ଷା କରିବାକୁ ଯାଇ ଚାହା ଓ ଜଳଖିଆର ବ୍ୟବସ୍ଥା କଲେ ।

 

କିନ୍ତୁ ବାବୁଆଣୀଙ୍କର ଅନ୍ତର ସ୍ଵାଗତ କଲାନି ସୁଚିତ୍ରାଙ୍କୁ । କାରଣ ହେଉଛି ବାବୁ ତାଙ୍କର ସଦା ସର୍ବଦା ସେହି ବାଳିକା ସ୍କୁଲରେ ଆଉ ଏହି ସୁଚିତ୍ରା କୁଆଡ଼େ ତାଙ୍କୁ ପାଲରେ ପକେଇଛନ୍ତି ।

 

ତାଙ୍କର ଭୀଷଣ ହିଂସା ସୁଚିତ୍ରାଙ୍କ ଉପରେ । କିନ୍ତୁ ମନ ଖୋଲି ସେ କଥା ତାଙ୍କୁ କହିବେ ବା କେମିତି ? ମନ ଦୁଃଖ ଓ ବିରକ୍ତ ଚାପି ରଖି କିଛି ସମୟ ଗଳ୍ପ କଲେ ।

 

ସରଳା ସୁଚିତ୍ରା ସେ କଥା ବା ଲକ୍ଷ୍ୟ କରିବେ କାହିଁକି ? ସେ ଆଜି ଦୁଇ ତରଫରୁ ଅପରାଧିନୀ । କିନ୍ତୁ ତାଙ୍କ ମନ ଭିତରେ ଯେ ପ୍ରଣୟର ପ୍ରତିଧ୍ଵନି ବାଜିବା ବହୁଦିନରୁ ବନ୍ଦ ହୋଇଯାଇଛି ସେ କଥା ଜାଣିବ କିଏ ?

 

ପାଖ କୋଠରୀରୁ ରେଡ଼ିଓର ସ୍ଵର ଭାସି ଆସିଲା ଆକାଶବାଣୀ କଟକ ଷ୍ଟେସନ୍‌ରୁ । ଚମକି ପଡ଼ି ସୁଚିତ୍ରା କହିଲେ, ଆମେ ଏଥର ଯାଉଛୁ । ଆପଣଙ୍କର ରୋଷେଇ ବେଳ ହୋଇଗଲାଣି । ଆପଣଙ୍କ ସହିତ ଆଳାପ ଆଲୋଚୋନା କରି ବେଶ୍‌ ହସ ଖୁସିରେ ସମୟଟା କଟିଗଲା ।

 

ଆସୁ ଆସୁ ବାଟରେ ବର୍ଷା ହେଲା ଝର ଝର ହୋଇ । ଅଦିନ ମେଘ । ଏଠି ଏମିତି କେବେ କେବେ ହୁଏ ।

 

ବସାକୁ ଫେରୁ ଫେରୁ ଛଅଟା ।

 

ହଷ୍ଟେଲ୍‌ରେ ରୋଷେଇବାସ ବନ୍ଦ । କଥା ନାହିଁ । ପିଅନ୍‌ମାନେ ଚୁପ୍‍ଚାପ୍‍ ବସିଛନ୍ତି । ନିଜେ ବାହାରିଲେ ଛାତ୍ରୀମାନଙ୍କୁ ଧରି ପାଖ ବଣକୁ । ଘୋଷାଡ଼ି ଘୋଷାଡ଼ି ଆଣିଲେ ଶାଳୁଆ ଡାଳକୁ ଧଇଁ ସଇଁ ହୋଇ ।

 

ସେତେବେଳକୁ ଚାରିଆଡ଼ ଅନ୍ଧାର ହୋଇ ଆସିଲାଣି ।

 

ଡିସେମ୍ବର ମାସ ଛବିଶ ତାରିଖ । ସମୟ ସାଢ଼େ ଚାରିଟା । ଟେବୁଲ୍‌ ଉପରେ କାଗଜପତ୍ର ବିଛେଇହୋଇ ପଡ଼ିଛି । ସରକାରୀ ଚିଠିର ଉତ୍ତର ଦେବାପାଇଁ ଫାଇଲ୍‌ ଦେଖୁଛନ୍ତି ସୁଚିତ୍ରା ।

 

ଜୟ ନାରାୟଣ ବାବୁ ପହଞ୍ଚି ଗଲେ । ସମ୍ମୁଖସ୍ଥ ଚୌକିଟାକୁ ଅଧିକାର କରି ବସି ବେକ ଓ ଟେରେଲିନ୍‌ ସାର୍ଟର କଲାର ମଝିରେ ହାତଟା ଟିକିଏ ବୁଲାଇ ନେଲେ । ମୁହଁରେ ତାଙ୍କର ମୃଦୁ ହସରେ ଝରଣା ।

 

ଶୀତଦିନ । ନାନାରକମ ଅବାନ୍ତର ଅନାବ୍ୟଶକ ଆଳାପ ଆଲୋଚନା । ସେ ସିଗାରେଟ୍‌ ପରେ ସିଗାରେଟ୍‌ ପୋଡ଼ି ଯାଉଥାନ୍ତି ସତ କିନ୍ତୁ ତାଙ୍କ ମସ୍ତିସ୍କ ଯେପରି କାମ କରୁଥିଲା ଅନ୍ୟ ଆଡେ ।

 

ସୁଚିତ୍ରା ବଡ଼ ଅଶ୍ଵସ୍ତି ଅନୁଭବ କରୁଛନ୍ତି । ବାଁ ହାତରେ ଥିବା ଛୋଟ ଘଡ଼ିକୁ ଦେଖିଲେ ନଅଟା ବାଜିଲାଣି । ଭଦ୍ରତା ଖାତିରରେ ସେ ଏକା ଛାଡ଼ି କୁଆଡ଼କୁ ଯାଇ ପାରୁନାହାନ୍ତି । କିପରି ବା ସେ ଜୟନାରାୟଣ ବାବୁଙ୍କୁ କହିବେ,‘ଯାଆନ୍ତୁ, ବୋଲି ।

 

ଏହି ଜୟନାରାୟଣ ବାବୁ ଭଲ ପାଇବାର ନିଦର୍ଶନ ସ୍ୱରୂପ ଦିନେ ଆଣି ସୁଚିତ୍ରାଙ୍କୁ ଉଦାହରଣ ଦେଇଥିଲେ ଏକ ଦାମିକା ପାର୍କର ଫାଉଣ୍ଟେନ୍‌ ପେନ୍‌ । କିନ୍ତୁ ବିନା ପଇସାରେ ସେହିଟି ରଖିନଥିଲେ ସୁଚିତ୍ରା ଦାସ । ତାଙ୍କର ତ ଟଙ୍କାର ଅଭାବ ନାହିଁ । ଦରମା ଦୁଇଶହରୁ ବେଶି । ତେଣୁ ଜୟ ନାରାୟଣ ବାବୁଙ୍କ ପକ୍ଷରେ ସୁଚିତ୍ରାଙ୍କ ମନସ୍ତତ୍ଵ ଅଧ୍ୟୟନ କରିବା ଆଦୌ ସମ୍ଭବ ହୋଇନଥିଲା । ତଥାପି ତାଙ୍କର ଆସକ୍ତି କମି ନ ଥାଏ ସୁଚିତ୍ରାଙ୍କ ଉପରୁ । ତାଙ୍କର ଚଳିବାର ଭଙ୍ଗୀ, ଛଳ ଛଳ କମ୍ରଦୃଷ୍ଟି

 

—କବରୀ ବିନ୍ୟାସର ଫାଙ୍କେ ଫାଙ୍କେ ଅବାଧ୍ୟ ଚୁର୍ଣ୍ଣ କୁନ୍ତଳ

 

—ଜୟନାରାୟଣ ବାବୁଙ୍କର ବହୁଦିନ ଧରି ଗୋଟାଏ ଧ୍ୟାନର ବସ୍ତୁ ହୋଇ ରହି ଯାଇଥାଏ ।

 

ତାଙ୍କର ଧାରଣା ସୁଚିତ୍ରା ଦିନେ ନା ଦିନେ ତାଙ୍କୁ ଭଲପାଇ ବସିବେ । ତାଙ୍କର ଅଭିଜାତ-ଧନ-ମାନ ନେଇ ନିଶ୍ଚୟ ସମ୍ମାନ ଦେବେ । କିନ୍ତୁ ସେ ଜାଣନ୍ତିନି ଯେ ତାଙ୍କପରି କାମକୁ ଓ ସ୍ଵାର୍ଥପର ମଣିଷଙ୍କ ପାଇଁ ସୁଚିତ୍ରାଙ୍କ ଅନ୍ତରରେ ଟିକେ ହେଲେ ସ୍ଥାନ ନାହିଁ । ସେ ଖାଲି ବୃଥାଟାରେ ଧନ୍ଦି ହେଉଛନ୍ତି ଯାହା ।

 

ସେହି ରୁମ୍‌ ଭିତରେ ଦୁଇଜଣଙ୍କ ଛଡ଼ା ଆଉ କେହି ନାହାନ୍ତି । ଲଣ୍ଠଣ ଆଲୁଅଟି ଜଳୁଛି ଯୋରରେ । ସୁଚିତ୍ରା କଥାବାର୍ତ୍ତା ଭିତରେ କାମ କରି ଚାଳିଥାନ୍ତି । ଅନେକ ଆଡ଼ର ଅନେକ ନିରର୍ଥକ କଥା କହିସାରି ଜୟନାରାୟଣ ବାବୁ ଉଠି ଛିଡ଼ା ହେଲେ ।

 

ସୁଚିତ୍ରାଙ୍କ ଆଡ଼େ ପରିପୂର୍ଣ୍ଣ ଦୃଷ୍ଟିରେ ଚାହିଁ କହିଲେ, ଏଥର ଯାଉଛି ? ସିଗାରେଟ୍‌ଟିଏ ପାଟିରେ ଧରି ଦରଜାରେ ଦୋଳାୟମାନ ପରଦା ପର୍ଯ୍ୟନ୍ତ ଗଲେ । ସାର୍ଟ କଲରରେ ହାତ ମାରି ମାରି ଫେରି ଆସିଲେ । ଆଖିର ଚାହାଣୀରୁ ଜଣାପଡ଼ୁଥିଲା ଯେପରି ସେ କିଛି କହିବାକୁ ଚାହାନ୍ତି ଅଥଚ କହିପାରୁ ନାହାନ୍ତି ।

 

ଗୋଟିଏ ଦୀର୍ଘନିଶ୍ଵାସ ଛାଡ଼ିଲେ । ମୁହଁରେ ତାଙ୍କର ଚିନ୍ତାର ଛାପ ।

 

ଟିକିଏ ଚୁପ୍‌ ରହି ଭୀତ ସ୍ଵରରେ କହିଲେ, ମୋର ଗୋଟିଏ ଅନୁରୋଧ ଅଛି ଦାସ । କହି ପାରିବି ?

 

ମହାପାତ୍ର ବାବୁଙ୍କ ସହିତ ଏଠି ଦୀର୍ଘ ତିନିମାସର ଦେଖା ସାକ୍ଷାତ୍‌ ସୁଚିତ୍ରାଙ୍କର । ସେ ଅନେକଥର ପାଇଛନ୍ତି ମହାପାତ୍ର ବାବୁଙ୍କ ତୀକ୍ଷ୍‌ଣ ବୁଦ୍ଧି ଓ ଚତୁରତାର ପରିଚୟ । କିନ୍ତୁ ଭବିଷ୍ୟତରେ ଯେ କେବେ ତାଙ୍କର ଏପରି ଗୋଟାଏ ଦୁର୍ବୁଦ୍ଧି ଓ ଦୁଃସାହସ ଆସିପାରେ ତାହା ସୁଚିତ୍ରା ବା କଳନା କରିବେ କାହିଁକି ? ଭାବିଲେ ସ୍କୁଲ ସମ୍ବନ୍ଧରେ ବୋଧହୁଏ ଜୟନାରାୟଣ ବାବୁ କଣ କିଛି କହିବେ ପରା । ଉତ୍ତର ଦେଲେ, କୁହନ୍ତୁ ।

 

ଉପରକୁ ଚାହିଁ କଣ ଟିକେ ଭାବିଗଲେ ମହାପାତ୍ର ବାବୁ । ମୁଖରେ ଦରପୋଡ଼ା କାପଷ୍ଟାନ୍‌ ସିଗାରେଟ୍‌ । ଧୂଆଁର କୁଣ୍ଡଳ ଉଠୁଛି ଉପରକୁ ଉପରକୁ ।

 

ସେ ଚୁପି ଚୁପି କରି କହିଲେ, ଯଦି ଆଜି ରାତି ଏଗାରଟାରେ ମୁଁ ଆପଣଙ୍କ ପାଖକୁ ଆସେ, କଣ ଆପତ୍ତି ଅଛି ?

 

ଚମକି ଉଠିଲେ ସୁଚିତ୍ରା । ମନ ହେଲା ସେ କଣ ଭୁଲ୍‍ ଶୁଣୁଛନ୍ତି ନା କଣ ? ବଡ଼ ବଡ଼ ଆଖିରେ ପ୍ରଶ୍ନକଲେ, କଣ କହିଲେ ?

 

ଜୟନାରାୟଣ ବାବୁଙ୍କର ପାଟି ଫିଟୁନି । ଜିଭ ଶୁଖି ଯାଉଛି । ସେଇଠି ସେ ସେମିତି ଛିଡ଼ା ହୋଇ ରହିଛନ୍ତି । ଆଖିର ଦୃଷ୍ଟି କୌଣସି ଏକ ଅନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥିର ନିବଦ୍ଧ ।

 

ରାଗରେ ସୁଚିତ୍ରାଙ୍କର ବକ୍ଷ ଫୁଲି ଉଠିଲା । ଆଖି ଜଳି ଉଠିଲା । ତୀବ୍ର ଘୃଣାରେ ଭୟଙ୍କର ହୋଇ ଉଠିଲା ତାଙ୍କର ସେହି ସୁନ୍ଦର କମନୀୟ ମୁଖମଣ୍ଡଳ । ଗୋଲାପି ଓଠ ଦୁଇଟା ଥରିଉଠିଥିଲା ସଙ୍ଗେ ସଙ୍ଗେ । ଉତ୍ତପ୍ତ ମସ୍ତିଷ୍କରେ ରକ୍ତ ସଞ୍ଚାଳନା ଦ୍ରୁତ ହୋଇଉଠିଲା । ସେ ଆଉ ସମ୍ଭାଳି ହୋଇ ପାରିଲେନି । ହଠାତ୍‌ ଛିଡ଼ା ହୋଇ ପଡ଼ିଲେ । ଟେବୁଲରେ ଧକା ବାଜି ଚା କପ୍‌ ଓ ପିଆଲା ଚଟାଣରେ ପଡ଼ି ଟୁକୁରା ଟୁକୁରା ହୋଇଗଲା ।

 

ସେ ଓଠରେ ଓଠ ଚାପି କମ୍ପିତ କଣ୍ଠରେ କହିଲେ, ନିଶ୍ଚୟ ଆପତ୍ତି ଅଛି । ଆପଣ କଣ ମାନେ କରନ୍ତି ମୁଁ ବେଶ୍ୟା ? ମୁଁ ଚାକିରି କଲି ବୋଲି କଣ ମୋର ବ୍ୟକ୍ତିଗତ ସମ୍ମାନ ନାହିଁ ? ଆପଣ ଏଡେ ଦୁର୍ବଳ ? ଏଡ଼େ ନୀଚ ? ଏଡ଼େ ସଂକୀର୍ଣ୍ଣ ମନୋଭାବ ଯେବେ ଆପଣକର ଏଠିକି ଆସନ୍ତି କାହିଁକି ? ଆପଣଙ୍କର ମନୁଷ୍ୟତ୍ଵ ନାହିଁ ! ଏପରିଭାବରେ ମତେ ଅପମାନିତ କରିବାର କି ଅଧିକାର ଅଛି ଆପଣଙ୍କର ? ଆପଣ ପୁଣି ଲୋକପ୍ରତିନିଧି ?

 

ଏ ରକମ ପାଟି ତୁଣ୍ଡରେ କକ୍ଷଟି ଥରି ଉଠିଲା । ଅନ୍ୟ ମିଷ୍ଟ୍ରେସ ଦୁଇଜଣ ଯାକ ଦୌଡ଼ି ଆସିଲେ । ଛାତ୍ରୀମାନେ ଜମା ପଡ଼ିଲେ । ସମସ୍ତେ ଜାଣିଗଲେ ଚେୟାରମ୍ୟାନ୍‌ ବାବୁଙ୍କ ମନର ସଙ୍କୀର୍ଣ୍ଣତା । ସେମାନେ ଆଶ୍ଚର୍ଯ୍ୟ ଓ ବିସ୍ଫାରିତ ନେତ୍ରରେ ଚାହିଁ ରହିଲେ ମହାପାତ୍ର ବାବୁଙ୍କ ମୁଖମଣ୍ଡଳକୁ ।

 

ଜୟନାରାୟଣ ବାବୁଙ୍କ ତଣ୍ଟି ଅଠା ଅଠା । କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଲାଜରେ ସେ କିଛି କହି ପାରିଲେନି । ସତେ ଯେପରି ସେ ସେଇଠି ପଡ଼ିଯିବେ । ସର୍ବାଙ୍ଗ ତାଙ୍କର ଥରି ଉଠିଲା । ଖୁବ୍‌ ନିଃସହାୟ ମନେକଲେ ନିଜକୁ । ଦୁଇ କାନ ଭିତରେ ତାଙ୍କର ଲକ୍ଷ ଲକ୍ଷ ଝିଙ୍କାର ପୋକର ଝଙ୍କାର ।

 

ପୁଣି ସୁଚିତ୍ରା କହିଲେ, ଦୁନିଆରେ ଶିଷ୍ଟାଚାର ବୋଲି ଗୋଟିଏ ଅଛି । ତାହା ବୋଧୁଏ ଆପଣ ଜାଣନ୍ତି ନି । ଗୋଟାଏ ମହିଳା ଅନୁଷ୍ଠାନ ଭିତରେ ରାତିଯାଏ ରହିବା ଯେ କେତେ ବଡ଼ ଅନ୍ୟାୟ ତାହା ବି ଜାଣନ୍ତି ନି ଆପଣ ? ଭଲ ଚାହାନ୍ତି ତ ଏହି ମୁହୂର୍ତ୍ତରେ ଏଠୁ ବାହାରି ଯାଆନ୍ତୁ । ନଚେତ ଯୋର ପୂର୍ବକ ପିଅନ୍‌ ଦ୍ଵାରା ଆପଣଙ୍କୁ ବାହାର କରି ଦେଇପାରେ ।

 

ଜୟନାରାୟଣ ବାବୁ ଖଣି ଖଣି ହୋଇ ବିନୟ ସ୍ଵରରେ କହିଲେ, ମୁଁ ... ମୁଁ ଭୁଲ କରିଛି-। ନି... ନିଶ୍ଚୟ ଭୁଲ୍‍ କରିଛି । ଆ...ଆପଣ ମତେ କ୍ଷମା ଦିଅନ୍ତୁ । ଆ...ଆଉ କେବେ ସେପରି କଥା କହିବିନି । ମୁଁ ଆଜି ଅନୁତପ୍ତ-ଭୀଷଣ ଅନୁତପ୍ତ ।

 

ସୁଚିତ୍ରା ରାଗର ଆହୁରି ଗୋଟିଏ ପରଦା ବଢ଼ାଇ କହିଲେ, ମୋର ଅନେକ ଉଚ୍ଚ ଧାରଣ ଥିଲା ଆପଣଙ୍କ ଉପରେ । ମତେ ଆଉ ଭୁଲେଇବାକୁ ଚେଷ୍ଟା କରନ୍ତୁନି । ଜାଣି ରଖନ୍ତୁ ମୁଁ ଭୁଲିଯିବା ଭଳି ଏଡ଼େ ନିର୍ବୋଧ ନୁହେଁ । ଚାହେଁ ନି ମୁଁ ଆପଣଙ୍କର ସେ ବାଜେ କୈଫିୟତ ।

 

ମହାପାତ୍ର ବାବୁ ବିଷର୍ଣ୍ଣ ମନରେ ଚୁପ୍‌ ହୋଇ କିଛି ସମୟ ଠିଆ ହୋଇ ରହିଲେ ସେଇଠି । ସବୁ କିଛି ଶୂନ୍ୟ ମାନେ ହେଲା ତାଙ୍କର । ଚାପରେ ତଳକୁ ମୁହଁ ପୋତି ଆସ୍ତେ ଆସ୍ତେ ବାହାରି ଗଲେ ଅଫିସ ରୁମ୍‌ ଭିତରୁ । ମଟର ସାଇକେଲ ଆଣିଥିବା କଥା ତାଙ୍କର ଆଉ ମନେ ନହିଁ-

 

ଅନ୍ୟମନସ୍କ ଭାବରେ ବାଟ ଚାଲୁଛନ୍ତି ଜୟନାରାୟଣ ବାବୁ । ନିସ୍ତବ୍ଧ ଜନହୀନ ପଥ । ବସ୍ତାର ଯାନ ବାହାନ ଶବ୍ଦ କାନରେ ବାଜୁନି । ହଠାତ୍‌ ଗୋଟାଏ ଟ୍ରକ୍‌ ଦାରୁଣ ଶବ୍ଦ କରି ତାଙ୍କ ପାଖ ଦେଇ ଚାଲିଗଲା । ସେ ଆତ୍ମଚିନ୍ତାରେ ଏତେ ବିଭୋର ଯେ କଣ ଘଟୁଛି କିଛି ଯାନୀ ପାରୁନାହାନ୍ତି ।

 

ସେ ବର୍ତ୍ତମାନ ବଡ଼ ଦୁର୍ବଳ ଓ ଲଜ୍ଜିତ । କିଛି ଦିନ ତାଙ୍କର ବିଶ୍ରାମର ପ୍ରୟୋଜନ । ଧନ ଗର୍ବରେ ମତ୍ତ ହୋଇ ନାରୀ ଜୀବନ ସହିତ ଖେଳିବାର କଳ୍ପନା ତାଙ୍କର ପାଣି ଫାଟି ଯାଇଛି ।

 

ଅମାବାସ୍ୟା ଶୀତରାତି । ମୁଣ୍ଡଉପରେ ମେଘ ଢଙ୍କା ପିଚୁକଳା ଅନ୍ଧକାର ଆକାଶ । ଗୋଟିଏ ତାର ବି ଆଖିରେ ପଡ଼ୁନି । ତାଙ୍କର ଏହି ନିର୍ଲଜ ଉଦ୍ୟମ ନେଇ ଆକାଶର ତାରାମନେ ବି ଯେପରି ମୁହଁ ଢାଙ୍କି ଦେଇଛନ୍ତି ।

 

ବାସ୍ତବିକ ସେହି ରାତିଟା ଥିଲା ଜୟନାରାୟଣ ବାବୁଙ୍କ ପକ୍ଷରେ ଏକ ଦୁର୍ଯୋଗମୟୀ ରଜନୀ । ଅନୁଭବ କଲେ ଯେପରି ବିଶାଳ ଦୁନିଆରେ ସେ ଏକ ନୀରବ ଅନ୍ଧକାର କୋଣରେ ବନ୍ଦୀ ହୋଇ ପଡ଼ିଛନ୍ତି । ବହୁ ଦିନୁ ସୁନେଲି କଳ୍ପନା ଭିତରେ ଅପେକ୍ଷା କରୁଥିଲେ ଗୋଟାଏ ବିରାଟ ଆଶା ଓ ଆନନ୍ଦର ସନ୍ଧନ ପାଇଁ । କିନ୍ତୁ ପ୍ରକୃତରେ ଏ ହେଲା ତାଙ୍କ ପକ୍ଷରେ ଏକ ଶୋଚନୀୟ ପରାଜୟ ।

 

ରାସ୍ତାରେ ଆଲୋକ ନାହିଁ । ମଫସଲ ଗାଁର ଏହି ଚେହେରା । ଯାହା ସବୁଦିନେ ଥିଲା ଆଜି ବି ସେଇଆ । ପଞ୍ଚାୟତ ଶାସନର ନାମ ଗନ୍ଧ ନାହିଁ ସେ ବାଟରେ ଯାଗାଏ ଦିଯାଗା ବି ଝୁଣ୍ଟି ପଡ଼ିଲେଣି ।

 

ରାସ୍ତା ଛକରେ ଦେଖା ହେଲେ ନାଇଟ୍‌ ପୋଲିସ ସହିତ । ସେ ତ ବାବୁଙ୍କ ରାତ୍ରୀ ଅଭିସାର କଥା ଭଲ ଜାଣେ । ସଲାମ୍‌ କରି ପ୍ରଶ୍ନକଲା, ଆଜ୍ଞା, ଆପଣ ଏତେ ରାତିରେ ?

 

ଗୋଟାଏ ମ୍ଳାନ ହସ ହସିଦେଲେ । ଅନ୍ଧକାର ଭିତରେ ଜୟନାରାୟଣ ବାବୁ । କିଛି ଉତ୍ତର ଦେଲନି ।

 

—ଜଲଦି ଯାଆନ୍ତୁ । ବର୍ଷା ଆସିପାରେ ।

 

ସୁଚିତ୍ରାଙ୍କୁ ଆଉ କିଛି ଭଲ ଲାଗିଲାନି । ଟେବୁଲ୍ ଉପରୁ ପର୍ସନାଲ ଡାଇରି ବହିଟା ଉଠାଇ ଆଣିଲେ । ବହିଟା କଳା ଦାମିକା ଚମଡ଼ାରେ ବନ୍ଧା । ମଲାଟ ଉପରେ ସୁନେଲି ଅକ୍ଷରରେ ଲେଖାଯାଇଛି ୧୯୬୫ । ବହିର ପୃଷ୍ଠା ଲେଉଟାଇ ଗଲେ । ଏତେ ନାମ ? ଏତେ ଠିକଣା ? ଏତେ ଲୋକଙ୍କ ସହିତ ତାଙ୍କର ପରିଚୟ ?

 

ଭାବି ଭାବି ଅବାକ ହୋଇଗଲେ । ମନେପଡ଼ିଲା ପରିଚିତ, ଅର୍ଦ୍ଧ ପରିଚିତ ଅନେକଙ୍କର ମୁଖ । କାହାରି ସହିତ ଆଉ ତାଙ୍କର ସେ ଆନ୍ତରିକତା ନାହିଁ । ସେଥି ମଧ୍ୟରୁ ଜଣେ କେହି ଆଜି କେନ୍ଦ୍ରରେ ନାହାନ୍ତି । ସମସ୍ତେ ପରିଧିରେ ।

 

ସେ ଚେୟାର ଉପରୁ ଉଠି ପଡ଼ି ବାହାରକୁ ଆସିଲେ । ବାହାରେ ଘନ ଅନ୍ଧକାର । ଅସୀମ ଆକାଶଟା ସତେ ଯେପରି ଭାଙ୍ଗିପଡ଼ୁଛି । ଚାହିଁଲେ ମେଘଭରା ଆକାଶକୁ । ଆଜି ମନଟା ତାଙ୍କର ଆକାଶଠାରୁ ଆହୁରି ଭାରାକ୍ରାନ୍ତ ହୋଇ ଉଠିଛି । ଟର୍ଚ୍ଚ ଆଲୋକରେ ଘଡ଼ିକି ଦେଖିଲେ । ଦଶଟା ବାଜିବାକୁ ପଚିଶ ମିନିଟ୍‌ ବାକି ।

 

ବାଥ୍‌ରୁମକୁ ଗଲେ ସ୍ନାନ କରିବାକୁ । ଦୁଇବେଳା ସ୍ନାନ କରିବା ତାଙ୍କର ବହୁ ଦିନର ଅଭ୍ୟାସ ।

 

ସେ ଦିନ ଫେଲ୍‌ ମାରିଗଲେ ଜୟନାରାୟଣ ବାବୁ । କିନ୍ତୁ ତାଙ୍କ ମନରେ ଜଳିଲା ପ୍ରତିଶୋଧ ବହ୍ନି ହୁ ହୁ ହୋଇ ।

 

ଲାଜରେ ସପ୍ତାହେ ଖଣ୍ଡେ ସେ ଆଉ ବାଳିକା ସ୍କୁଲକୁ ଆସି ନାହାନ୍ତି । ସେ ଭଲ ଭାବରେ ହୃଦୟଙ୍ଗମ କଲେ ଯେ କଣ୍ଟକର ଅଗ୍ରଭାଗରେ ପଦାଘାତ କରିବା ଦୁଷ୍କର । ଆଉ ସୁଚିତ୍ରାଙ୍କ ପରି ଲୁହାକୁ ତାଙ୍କ ପରି ପ୍ରୌଢ଼ରୂପୀ ଚୁମ୍ବକ ଟାଣିବା ପାଇଁ ଏକବାରେ ଦୁର୍ବଳ, ଶକ୍ତିହୀନ-

 

ତଥାପି ଜୟନାରାୟଣ ଗାର୍ଲସ୍‌ ସ୍କୁଲ ଆସିବା ଛାଡ଼ିଲେନି । ଏଣିକି ତିନିଦିନ ବଦଳରେ ସପ୍ତାହରେ ଥରେ ବା ଦୁଇଥର ସ୍କୁଲକୁ ଆସନ୍ତି ବିନା କାରଣରେ । ବି.ଡି.ଓ. ଆସନ୍ତି—ଡାକ୍ତର ଆସନ୍ତି—ପୋଷ୍ଟ ମାଷ୍ଟର ବି କେବେ କେବେ । ସେମାନେ ବସି ବୃଥାରେ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରନ୍ତି । ସୁଚିତ୍ରା ସେମାନଙ୍କ ଉପସ୍ଥିତ ଚାହାନ୍ତି ନି ମୋଟେ । କିନ୍ତୁ କିପରି ବା ସେ ଭଦ୍ରଲୋକମାନକୁ ଆସିବା ପାଇଁ ମନା କରିବେ ?

 

ସୁଚିତ୍ରା ସବୁ ଜାଣନ୍ତି, ସବୁ ବୁଝନ୍ତି । ବୟସ ତୁଳନାରେ ତାଙ୍କର ଅଭିଜ୍ଞତା ଯଥେଷ୍ଟ ବେଶି । ପୁରୁଷ ଜାତିଙ୍କୁ ଚିହ୍ନିବାକୁ ତାଙ୍କର କଣ କଣ ଆଉ ବାକି ଅଛି ? କିନ୍ତୁ କଣ କରିବେ ସେ ? ସେହିମାନଙ୍କ ସହିତ ସମ୍ପର୍କ ରଖି ତାଙ୍କୁ ଚାକିରି ଜୀବନ କଟାଇବାକୁ ପଡ଼ିବ । ଘରକୋଣରେ ରହିବାର ଥିଲେ ସେ ଏଠାକୁ ଆସନ୍ତେ ବା କାହିଁକି ?

 

ସେ କାହାର ମନରେ ଦୁଃଖ ଦେବାକୁ ଚାହାନ୍ତି ନି । ଖାଇବାବେଳେ, ବିଶ୍ରାମବେଳେ କେହି ନା କେହି ଆସି ହାଜର । ତାଙ୍କର ଧୈର୍ଯ୍ୟର ସୀମା କିଏ ଜାଣିବା ? ରାଗ ତାଙ୍କଠାରେ ସ୍ଵପ୍ନ-। ସେ ଆଜି ଏ ମହିଳା ଶିକ୍ଷାନୁଷ୍ଠାନ ଭିତରେ ରହି ମନରେ ଯେ କଣ ଭାବୁଛନ୍ତି ତାହାର ଖବର କେହି ରଖିନାହାନ୍ତି । ରଖିଛନ୍ତି କେବଳ ସେହି ମଉସା ମନମୋହନ ବାବୁ ତାର କଡ଼ା କ୍ରାନ୍ତିର ହିସାବ ।

 

ଓଃ ! କି ବିସ୍ମୟକର ପରିସ୍ଥିତି ?

 

ତେଣେ ଜୟନାରାୟଣ ବାବୁଙ୍କର ଗାର୍ଲସ୍‌ ସ୍କୁଲକୁ ଆସିବା କଥା ନେଇ ଚାରିଆଡ଼େ ଟୁପ୍‌ ଟାପ୍‌ ଫୁସ୍‌ଫାସ୍‌ । କାନ୍ଥରେ ଗଛରେ ପୋଷ୍ଟର୍‌ ମାରିବା ପର୍ଯ୍ୟନ୍ତ ମସୁଧା । ହୁଏତେ ପୋଷ୍ଟର୍‌ ମରାଯାଇ ସରନ୍ତାଣି । ମଉସାଙ୍କ ଅଦୃଶ୍ୟ ହସ୍ତର ଚାଳନା ନେଇ ସେ ସବୁ ବନ୍ଦ ରହିଛି । ସୁଚିତ୍ରା ମଧ୍ୟ ଏ ପ୍ରକାର ଦୁର୍ନାମ ନେଇ ମର୍ମାହତ ହୋଇ ପଡ଼ିଲେଣି । ତେବେ ସୁଦ୍ଧା ଜୟନାରାୟଣ ବାବୁଙ୍କର ଆସିବା ବନ୍ଦ ନାହିଁ ।

 

ସେ ଦିନ ଜୟନାରାୟଣ ବାବୁଙ୍କ ବସିବା ପାଇଁ ଆସନ ଦେଲେନି । ବାରଣ୍ଡାରେ ଠିଆ ଠିଆ ଦୁଇ ଚାରିପଦ ପଦ ଉପର ଠାଉରିଆ କଥାବାର୍ତ୍ତା । ଆଗପରି ଚା’ର ବ୍ୟବସ୍ଥା ମଧ୍ୟ ନାହିଁ ।

 

ଜୟନାରାୟଣ ବାବୁ ସୁଚିତ୍ରାଙ୍କ ମନର ଭାବ ବୁଝିପାରିଲେ । ସେ ନରମ ଗଳାରେ କହିଲେ, ଆପଣଙ୍କ ମନ ଆଜି କାହିଁକି ଭଲ ନାହିଁ ?

 

ମନେ ମନେ ବିରକ୍ତ ହେଲେ ସୁଚିତ୍ରା । କହିଲେ ଭଲ ରହିବ କେମିତି ? ଆପଣଙ୍କ ପାଇଁ ମୋର ଏ ଦୂରବସ୍ଥା । ଆପଣଙ୍କର ମନ ସମ୍ମାନ ନାହିଁ ବୋଲି କଣ ମୋର ମାନସମ୍ମାନ ନାହିଁ-? ସେ ଦିନ ପରା ଆସିବାକୁ ମନା କରିଥିଲି ଆପଣଙ୍କୁ ? ଏତେ ଶୀଘ୍ର ଭୁଲିଗଲେ ସେ କଥା-?

 

ଜୟନାରାୟଣ ବାବୁ ଟିକିଏ ଦବିଗଲେ । ମୁହଁ ତାଙ୍କର ସେତା ପଡ଼ିଗଲା । ମିଥ୍ୟା ସହାନୁଭୂତିସୂଚକ ସ୍ଵରରେ କହିଲେ ହଁ, ମୁଁ ମଧ୍ୟ ସେ ସବୁ ଶୁଣି ଭୀଷଣ ମର୍ମାହତ । କିନ୍ତୁ ମୋ ପାଇଁ ମୁଁ ଯେତେ ଦୁଃଖିତ ନୁହେଁ ଆପଣଙ୍କ ପାଇଁ ମୋର ଦୁଃଖ ବେଶି । ଏଥର ଆପଣଙ୍କ କଥାମାନି ଆସିବା ବନ୍ଦ କରିଦେଉଛି । ଆଚ୍ଛା, ସପ୍ତାହରେ ଥରେ ଏଠିକି ଆସିଲେ କ୍ଷତି କଣ ?

 

ସୁଚିତ୍ରାଙ୍କ ଗୋରା ମୁହଁ ଲାଲ ହୋଇ ଉଠିଲା—ଆଖି ଓ ମୁହଁର ଚେହେରାରେ ଗାମ୍ଭୀର୍ଯ୍ୟ ଦେଖାଦେଲା । ସେ ରାଗିଉଠି କହିଲେ, ନା, ଥରେ ମଧ୍ୟ ନୁହେଁ । ଦେଖୁଛି, ଆପଣଙ୍କର ସାଧାରଣ ଜ୍ଞାନର ବି ଅଭାବ ।

 

ଜୟନାରାୟଣ ବାବୁ ଶଙ୍କିତ ହୋଇ ଉଠିଲେ ମନେ ମନେ । ସେ ଲଜ୍ଜିତ ହୋଇ ନୀରବରେ ଚାଲିଗଲେ ଖଣ୍ଡେ ଦୂର । ଯାଇ ପୁଣି ଅଟକି ଗଲେ । ଗୋଟାଏ ଦୀର୍ଘନିଶ୍ଵାସ ଛାଡ଼ି ଅନ୍ୟମନସ୍କ ଭାବରେ କଣ ଗୋଟାଏ ଭାବି ଗଲେ । ତା ପରେ ଥଙ୍ଗ ଥଙ୍ଗ ହୋଇ ଅଶ୍ରୁଜଡ଼ିତ କଣ୍ଠରେ କହିଲେ, ଆପଣଙ୍କ ସହିତ ଟେର୍ମ ଭଲ ରହିଲେ ଆଗପରି ପାଖରେ ବସିବି । ନଚେତ ରାସ୍ତା ଉପରେ ଠିଆ ହୋଇ ହୋଇ ଚାଲିଯିବି ।

 

ସୁଚିତ୍ରା ଥଟ୍ଟା କରି କହିଲେ, ଆପଣଙ୍କର ଏତେ ବଡ଼ ଉଚ୍ଚ ଆଶା କଣ ହାସ୍ୟାସ୍ପଦ ନୁହେଁ ? ମାୟା ହରିଣୀ ପଛରେ ଧାଇଁ ଗୋଡ଼ ହାତ ଛିଡ଼ାଇବା ଅପେକ୍ଷା ଫେରି ଯିବା କଣ ଭଲ ନୁହେଁ, ମିଃ ମହାପାତ୍ର ?

 

ଜୟନାରାୟଣ ବାବୁ ସେ କଥାରେ କୌଣସି ଜବାବ ନଦେଇ ମୁହଁକୁ ଶୁଖାଇଦେଲେ । ‘ସରି’ ଅଭ୍ୟାସର କଥାଟି ବାହାରି ପଡ଼ିଲା ତାଙ୍କ ପାଟି ଭିତରୁ । କହିଲେ, ଆପଣ ପ୍ରଶ୍ନର ଉତ୍ତର ଦେଇ ନ ପାରି ଦୁଃଖିତ ।

 

ଯିବାପାଇଁ ମଟର ସାଇକେଲ୍‌ରେ ଷ୍ଟାର୍ଟ ଦେଲେ ।

 

ଜୟନାରାୟଣ ବାବୁ ଜାଣନ୍ତିନି ଯେ ପ୍ରେମ ଜିନିଷଟା ଜବରଦସ୍ତି ଆସେନା । ସେଥିରେ ଉଭୟପକ୍ଷର ସମ୍ମତି ଦରକାର । ତାହା ହେଉଛି ମନର ସଉଦା । ସେ ଆପେ ଆପେ ଆସେ । ମାଡ଼ି ମକଚି ଟାଣିଓଟାରି କେହି କେବେ ପ୍ରେମ ଆଉ ଭଲ ପାଇବାକୁ ଆଣି ପାରେ ନା ।

 

ସେହିଦିନ ଠାରୁ ଜୟନାରାୟଣ ବାବୁଙ୍କର ଗାର୍ଲସ ସ୍କୁଲକୁ ଆସିବା ବାଟରେ କଣ୍ଟା ପଡ଼ିଲା । ବିଧିତାଙ୍କ ଡାଇରୀ ବହିଲେ ଏହି ବିଚିତ୍ର କାହାଣୀ ଲେଖାହୋଇ ରହିଗଲା ଚିରଦିନ ପାଇଁ-। ସରଳତାର ସୁଯୋଗ ଗ୍ରହଣ କରିବାର ସୌଭାଗ୍ୟ ହୁଏ ତ ଆଉ ଆସିବ ନି କେଉଁ ଦିନ ।

 

ଏହି ଖଦଡ଼ ବେଶଧାରୀ ଜୟ ନାରାୟଣବାବୁ ବାହାରେ ଦେଖେଇ ହୁଅନ୍ତ ଦେଶ ସେବକ, ପରୋପକାରୀ, ନିସ୍ଵାର୍ଥପର । କିନ୍ତୁ ପ୍ରକୃତରେ ସେ ତାହା ନୁହନ୍ତି । ସେ ଅନେକ ଚଲାକ–ଅନେକ ଚତୁର । ବାସ୍ତବ ଜଗତର ଅନେକଙ୍କ ଠାରୁ ସେ ଅନେକ ଧୁରନ୍ଧର । ଅର୍ଥ ଉପରେ ତାଙ୍କର ମାୟା ବେଶି । ଟଙ୍କା ବଢ଼ାଇବା ନିଶା ପ୍ରଚୁର ।

 

ଭିତରେ ଭିତରେ ଲାଞ୍ଚ, ମିଛ, ବ୍ୟଭିଚାର ପୁରା ମାତ୍ରାରେ ଚାଲିଛି । ସେ ହେଉଛନ୍ତି ଏକ ନମ୍ବର ଚରିତ୍ରହୀନ । ତାଙ୍କର ଜାତି ଅଜାତି-ଧର୍ମ ଅଧର୍ମ ଜ୍ଞାନ ନାହିଁ । କେତେ ଯେ ଶିକ୍ଷିତା ତରୁଣୀ ତାଙ୍କର ଶିକାର ହେଲେଣି ତାର ସୀମା ନାହିଁ—ଭ୍ରୁଣହତ୍ୟାର ହିସାବ ନାହିଁ । ଦଳେ ଲୋକ ବ ଅଛନ୍ତି ଏହି ନିଚ କାମରେ ତାଙ୍କୁ ସାହାଯ୍ୟ କରିବା ପାଇଁ । ଏ ସବୁ ଦିଗରେ ଅଜସ୍ର ଧନ ଖର୍ଚ କରିବାରେ ତାଙ୍କର ଆପତ୍ତି ନାହିଁ । ତାଙ୍କର ଚକ୍ରାନ୍ତର ଇନ୍ଦ୍ରଜାଲ ଏପରି ବିଚିତ୍ର ଯେ କୌଣସି ନାରୀର ରୂପ ଯୌବନ ତାଙ୍କ ଚରଣ ତଳେ ଲୁଣ୍ଠିତ ତ ହେବ ହିଁ ହେବ । ସେଥିପାଇଁ ସ୍ଥାନୀଯ ଶିକ୍ଷିତ ମହଲ ତାଙ୍କ ଉପରେ କ୍ଷୁବ୍‌ଧ, ଉତ୍ତପ୍ତ । ସେ ପୁଣି କୁଆଡ଼େ ଉଚ୍ଚ ଶିକ୍ଷିତ ? ବି.ଏ. ପାସ୍‌ ବାଲା ?

 

ଏହି ସୁବିଧାବାଦୀ ଜୟନାରାୟଣ ବାବୁ ମଧ୍ୟ ହେଉଛନ୍ତି ଗ୍ରାମ୍ୟ ରାଜନୀତିରେ ବଡ଼ ଓସ୍ତାଦ୍‌ । ସେ ଏମ୍‌. ଏଲ୍‌. ଏ. ହେବ ଆଶାରେ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ତଥାପି ତୁଙ୍ଗନେତାଙ୍କର ବିଶ୍ଵାସ ନାହିଁ ତାଙ୍କ ଉପରେ । କାରଣ ସେ ହେଉଛନ୍ତି ବୋରଝଞ୍ଜି । ଯୁଆଡ଼କୁ ପବନ ହେଲା ସେହି ଆଡ଼େ ଆଉଜି ଯିବେ ।

 

ଏହି ଆଦିବାସୀ ବହୁଳ ଅଞ୍ଚଳରେ ସେ ଜେନ ବଡ଼ ପୁଞ୍ଜିପତି । ଆଗରୁ ଥିଲେ ପି.ଡବଲିଉ. ଡି.ର ‘ଏ’ କ୍ଳାସ୍‌ କଣ୍ଟ୍ରାକ୍ଟର । ଖଇଚାକାମ କରି ଓ ସିମେଣ୍ଟ ଚୋରାରେ ବିକି ହଜାର ହଜାର ଟଙ୍କା କମେଇଛନ୍ତି । ଏବେ ବି ସେ ନୀତି ଯାଇନି । ଶ୍ରମିକ ସହଯୋଗ ସମିତି ଗଢ଼ି ସେଥିରେ ସେ ପ୍ରେସିଡେଣ୍ଟ । ନିଜର ଭାଇ ହେଇଛନ୍ତି ସେକ୍ରେଟରୀ । ଲକ୍ଷ ଲକ୍ଷ ଟଙ୍କାର କାମ ଏବେ ବି ହାତରେ ।

 

ମନମୋହନ ବାବୁ ଓ ସୁଚିତ୍ରାଙ୍କର ଘନିଷ୍ଠ ଆତ୍ମୀୟତା ଓ ସାହାଯ୍ୟ ଆଦାନ ପ୍ରଦାନ ଜୟନାରାୟଣଙ୍କ ମନରେ ଆସିଗଲା ଭୀଷଣ ହିଂସା ଓ ପରଶ୍ରୀକାତରତା । ସୁଚିତ୍ରାଙ୍କର ସେ ସମ୍ୱନ୍ଧକୁ ଭାଙ୍ଗିଦେବା ପାଇଁ ପ୍ରାଣପଣେ ଉଦ୍ୟମ ଚଲେଇଲେ ଜୟନାରାୟଣ ବାବୁ । ତାଙ୍କର ଏତିକି କାଣ୍ଡଜ୍ଞାନ ନଥିଲା ଯେ ବାପ ଝିଅ, ଭାଇ ଭଉଣୀ, ମାମୁଁ ଭାଣିଜୀ, ମଉସା ଝିଆରି ପ୍ରଭୃତି ସାମାଜିକ ସମ୍ବନ୍ଧକୁ ସରକାରୀ ଆଇନ ଭାଙ୍ଗି ପାରେ ନା । ତାହା ଈଶ୍ଵରଦତ୍ତ ଏପରି କି ଜର୍ମାନୀ, ଆମେରିକା ଦେଶରେ ରହିଲେ ବି ସେ ସମ୍ବନ୍ଧ ଥିବା ସେହି ପାରି ଉଜ୍ଜ୍ଵଳ ନିର୍ମଳ ଆଉ ସୁଦୃଢ଼ ହୋଇ ।

ମିଥ୍ୟା ଅପବାଦ ପ୍ରଚାର କରିବା ଓ ସ୍ଥାନୀୟ ଟିକି ସଂବାଦ ପତ୍ରକୁ ମିଥ୍ୟା ସଂବାଦ ଯୋଗାଇବାକୁ ପଛ ଘୁଞ୍ଚା ଦେଲେଣି ଜୟନାରାୟଣ ବାବୁ । ତାଙ୍କର ମତଲବ ମଉସା ଓ ସୁଚିତ୍ରାଙ୍କ ସମ୍ମାନ ତଳକୁ ଯାଉ । ସେମାନଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କକୁ ତୁଟେଇ ଦେଲେ ସେ ବୋଧୁଏ କେଳିକୁଞ୍ଜ ଖୋଳିବେ ଗାର୍ଲସ୍‌ ମାଇନର ସ୍କୁଲରେ ।

 

ଷଡଯନ୍ତ୍ର ଚରମ ଶିଖରକୁ ଉଠିଲା । ଅପଦାର୍ଥ ବି.ଡି.ଓ. ମଧ୍ୟ ମଧ୍ୟସ୍ଥ ହେଲେ । କାହିଁରେ କିଛି ଫଳ ହେଲାନି । ଏପରିକି ସୁଚିତ୍ରାଙ୍କୁ ଜବତ୍‌ କରିବା ପାଇଁ ଜୟନାରାୟଣ ବାବୁ ରାତି ରାତି ଗୁଣ୍ଡା ପଠାଇ କବାଟ ଓ ଝରକାରେ ଧକା ମାରିଲେ—ଭୟ ଦେଖେଇଲେ । ଟେକା ପଥର ଫିଙ୍ଗିଲେ । ଉଦ୍ଦେଶ୍ୟ ସୁଚିତ୍ରା ଆସନ୍ତୁ ଗୋଡ଼ତଳକୁ ବଶ୍ୟତା ସ୍ଵୀକାରକରି । କିନ୍ତୁ ସେ ଯେ ନଛୋଡ଼ବନ୍ଦା । ଯୀଶୁ ସହାୟ ହେଲେ । ଜାନୁଆରମାନେ କିଛି କରି ପାରିଲେନି ।

 

ତଥାପି ଜୟନାରାୟଣ ବାବୁ ବରାବର ଚେଷ୍ଟାକଲେ ମନମୋହନ ବାବୁଙ୍କ ବ୍ୟବସାୟକୁ ଡାଉନ୍‌ କରିବା ପାଇଁ । ଦଳ ସୃଷ୍ଟି କଲେ—ଜିଲା ଭେଦ ପ୍ରଚାର କଲେ । ସ୍ଥାନୀୟ କର୍ମଚାରୀ ମାନଙ୍କୁ ବଦଳିର ଯୋଗାଡ଼ କଲେ । କିନ୍ତୁ ହେଲେ ନିଷ୍ଫଳ । ଶେଷକୁ ଔଷଧ ନପିଇ ରାଗରେ ତାଟିଆ କୁମୁଡ଼ିଲା ପରି ସୁଚିତ୍ରାଙ୍କ ବିରୁଦ୍ଧରେ ଜିଲା ଅଫିସ ଓ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ସ୍ଥାନୀୟ ଏମ.ଏଲ.ଏ. ଓ କେତେଜଣ ଟାଉଟରଙ୍କୁ ପ୍ରବର୍ତ୍ତାଇ ଦରଖାସ୍ତ କଲେ । ଦରଖାସ୍ତ ଉପରେ ଦରଖାସ୍ତର ସୀମା ନାହିଁ ।

 

ଏ ସବୁ କାଣ୍ଡ ଦେଖି ସୁଚିତ୍ରା ଅସ୍ଥିର ହେଲେ । ବାର ବାର ଭାବି ବସିଲେ ଜୟନାରାୟଣ ବାବୁଙ୍କ ଅପକର୍ମର କଥା । ବାସ୍ତବିକ ନ୍ୟାୟ, ସତ୍ୟ ଦେଶରୁ ବିଦାୟ ନେଇଛି । ଏ ମିଥ୍ୟା ଅଭିନୟର ଶେଷ କେବେ ?

 

ସୁଚିତ୍ରା ଭଲଭାବରେ ଜାଣନ୍ତି ଯାଗାଟା ଖରାପ ଓ ଗୋଳମାଳିଆ ସବୁଦିନେ । ସଂକୀର୍ଣ୍ଣତା ଯାଇନି । ପରକୁତ୍ସା, ପରିନିନ୍ଦା, ସମାଲୋଚନା କରିବାରେ ଯାଗାଟା ସାରା ଓଡ଼ିଶା ପ୍ରସିଦ୍ଧ । ଏପରି ଯାଗାକୁ ଆସି ସେ କେଡ଼େ ବଡ଼ ଭୁଲ ବା ନ କରିଛନ୍ତି ?

 

ଆଉ ସମୟ ନଷ୍ଟ କରିବାରେ ଲାଭ ନାହିଁ । ଚିନ୍ତା କରିବାର ବେଳ ନାହିଁ । ସେ ଏଣିକି ଆଉ ଅଶାନ୍ତ ଭିତରେ ରହିପାରିବେନି । ବଡ଼ ବିରକ୍ତ ଲାଗିଲାଣି ତାଙ୍କୁ । ସେ ଏଥର ଚାକିରି ଛାଡ଼ିଦେବେ । ବାପା ଓ ଭାଇ ଅନେକ ଥର ଲେଖିଲେଣି । ମଉସା ବି ବାରବାର ଲଗେଇଛନ୍ତି । ଏତେ ଦୂରରେ ଆଉ ଏକ ଚାକିରି ନ କରି ରିଜାଇନ୍‌ ଦେଇଦେବାକୁ । ସେ ନିଶ୍ଚୟ ତାହାହିଁ କରିବେ-

 

ସଙ୍ଗେ ସଙ୍ଗେ ଇସ୍ତଫା ପତ୍ର ଲେଖି ବସିଲେ । ତା ପରେ ସେଇଟାକୁ ଭାଙ୍ଗି ଲଫାଫାରେ ବନ୍ଦକରି ପିଅନ୍‌କୁ ଦେଲେ ଲେଟର୍‌ ବକ୍‌ସରେ ପକାଇ ଦେବାକୁ ।

 

ପିଅନ୍‌ ଚିଠି ନେଇ ବାହାରି ଗଲା । ସୁଚିତ୍ରା ଶାନ୍ତ ପାଇଲେ । ଗୋଟାଏ ପଥର ବୋଝ ଯେପରି ତାଙ୍କ ଉପରୁ ଖସିଗଲା । ସେ ଝରକା ପାଖରେ ଛିଡ଼ା ହୋଇ ଶାନ୍ତିର ନିଶ୍ଵାସ ଛାଡ଼ିଲେ ।

 

କିନ୍ତୁ ବିଭାଗରେ ସୁଚିତ୍ରାଙ୍କର କାର୍ଯ୍ୟ ଦକ୍ଷତା ଓ ଚରିତ୍ର ସମ୍ବନ୍ଧରେ ଭୁଲ ଧାରଣା ଏତେ ବେଶି ଯେ ତାଙ୍କ ବିରୁଦ୍ଧରେ ଦିଆଯାଇଥିବା ପିଟିସନ୍‌ ଗୁଡ଼ାକ କିଛି କାମ ଦେଲାନି । ଫଳରେ ସୁଚିତ୍ରାଙ୍କ ଇସ୍ତଫା ପତ୍ର ଗୃହିତ ହେଲାନି । ଚେୟାରମ୍ୟାନ୍ ବାବୁଙ୍କ ଦୂରଭିସନ୍ଧ ପଦରେ ପଡ଼ିଲା । ନିନ୍ଦା ଓ ଅପମାନରେ ସେ ମୁଣ୍ଡଟେକି ବାଟ ଚାଲି ପାରିଲେନି ।

 

ମଳୟା ଆଉ ସୁଧୀର । ଗୋଟିଏ ବୃନ୍ତର ଦୁଇଟି ଫୁଲ । ମଧୁର ଜୀବନ-ଅନୁଭୂତମୟ ଜୀବନ । ବନ୍ଧ ଗତିରେ ଚାଲିଛି ସେମାନଙ୍କ ଚଳମାନ ଜୀବନ ସ୍ରୋତ ।

 

କିନ୍ତୁ ସେ ଦିନ ଏକ ଘୂର୍ଣ୍ଣିବାତରେ—ଭଙ୍ଗା ଗଢ଼ା ଖେଳ ଭିତରେ—ମଳୟାଙ୍କର ସବୁ କିଛି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଛି । ସେ କଣ ଗୋଟାଏ ଦରକାରୀ କାଗଜ ଖୋଜୁ ଖୋଜୁ ଟେବୁଲ୍‌ ଡ୍ରୟାର କୋଣରୁ ପାଇଲେ ସୁଚିତ୍ରାଙ୍କର ଖଣ୍ଡିଏ ପୁରୁଣା ଚିଠି । ସେହିଦିନ ଠାରୁ ମଳୟାଙ୍କ ମନ ରାଇଜରେ ଏକ ଗୋଳମାଳର ସୃଷ୍ଟି । ମନ ଭିତରେ ଅସୁମାରି ପ୍ରଶ୍ନ । ସେ ଯେପରି ଭାସିଯାଉଛନ୍ତି ଏକ ଅଶାନ୍ତ ଦୁଃଖ ପ୍ରବାହରେ ଅଗାଧସାଗର ସଙ୍ଗମରେ ମିଶି ଯିବାକୁ । ହୃଦୟରେ ତାଙ୍କର ଜାଗି ଉଠିଲା ହିଂସା ବଦଳରେ ସହାନୁଭୂତି—ଶିକ୍ଷିତ ସମାଜର ନିର୍ଲଜ ଦୁର୍ବଳତା ବିରୁଦ୍ଧରେ ଘୃଣା ନାରୀ ଚରିତ୍ରର ଅଧଃପତନ ପାଇଁ ପୁରୁଷର ମାୟା ଖେଳପ୍ରତି ବିଦ୍ରୋହ ।

 

ବିଷୟଟା ଉତ୍‌ଥାପନ କରିବେ କରିବେ ବୋଲି ଥରେ ଦୁଇଥର ଚେଷ୍ଟା କଲେଣି । କିନ୍ତୁ ସୁଧୀରଙ୍କୁ କିଛି କହିପାରୁ ନାହାନ୍ତି । ସେ ରହିଛନ୍ତି ସୁଯୋଗରେ ପ୍ରତୀକ୍ଷାରେ ।

 

ସୁଧୀର ଚାକିରି ଦାୟିତ୍ଵ ନେଇ ସର୍ବଦା ଏଆଡ଼େ ସେଆଡ଼େ ବ୍ୟସ୍ତ । ଦିନରେ କଣ ଗଣ୍ଡାଏ ଖାଇଦେଇ ଯାଆନ୍ତି ଯେ ଫେରୁ ଫେରୁ ରାତି ୮ଟା । ଦିନେ ଦିନେ ଦଶଟା ଏଗାରଟା ।

 

ସେ ଦିନ ସମୟ ହେଲା ରାତିର ଖାଇବାବେଳେ । ଟେବୁଲ ଉପରେ ଖାଦ୍ୟ ଜିନିଷ ସଜେଇ ରଖି ମଳୟା ଆଡ଼ ଆଖିରେ ଚାହିଁ ରହିଲେ ସୁଧୀରଙ୍କ ମୁହଁକୁ କିଛି ସମୟ । ତା ପରେ ସେ କହିଲେ ସୁଚିତ୍ରାଙ୍କ ଖବର ଆଉ କଣ ?

 

ସୁଧୀର ଚମକିପଡ଼ି ଉତ୍ତରଦେଲେ, ସୁଚିତ୍ରା ?

 

—ହଁ, ତୁମର ପ୍ରଥମ ପ୍ରଣୟିନୀ ।

 

କପାଳରେ କେତୋଟି ରେଖା ଫୁଟି ଉଠିଲା ସୁଧୀରଙ୍କର । ଅତୀତର ଶୋଚନୀୟ ସ୍ମୃତି ହୃଦୟ ସାଗରରେ ଭାସି ଉଠିଲା ।

 

—ପ୍ରଥମ ପ୍ରଣୟନୀ ? ଓଃ, ଏଥର ମନେ ପଡ଼ିଲା । ହଁ କଣ ହେଲା ?

 

ମଳୟାଟିକେ ରାଗି ଉଠିଲେ । ମୁହଁର ରଙ୍ଗ ତାଙ୍କର ବଦଳିଗଲା ।

 

—ମୁଁ ବର୍ତ୍ତମାନ ଦେଖୁଛି ତୁମେ ତାଙ୍କୁ ଏକେବାରେ ଭୁଲି ଯାଇଛ ? ବାସ୍ତବିକ କିପରି ଯେ ଏପରି ଭୁଲି ପାରିବ ଭାବି ପାରୁନି । ନାରୀ ହୋଇ ମୁଁ କିନ୍ତୁ ସେ ସବୁ କିଛି ସହ୍ୟ କରି ପାରୁନି-। ତୁମେ ତାଙ୍କୁ ଏତେ ପ୍ରତାରଣା କଲ ? ବେମାରବେଳେ ଟିକିଏ ଦେଖିବାକୁ ଗଲ ନି ?

 

ସୁଧୀର ଅନ୍ୟ ମନସ୍କ । ସେ ମଳୟାଙ୍କ ପ୍ରଶ୍ନର ଜବାବ ଦେଇ ନ ପାରି ଅପ୍ରସ୍ତୁତ ହୋଇପଡ଼ିଲେ ।

 

—ଚିଠିର ଉତ୍ତର ଦେଇଥିଲ ତ ?

 

—ବୋଧହୁଏ ନା ।

 

—ତାଙ୍କର ମା ମରିଯାଇଛନ୍ତି । ଏ ଖବର ଜାଣନା ?

 

ବର୍ତ୍ତମାନ ସୁଧୀରଙ୍କ ଗଳାରେ ଭାତ ଓ ତରକାରି ଅଟକି ଗଲା । ସୁଚିତ୍ରାଙ୍କ ଶେଷ ଚିଠି କଥା ମନ ପଡ଼ିଲା । ଯାହାକୁ ସେ ଟିକି ଟିକି କରି ଚିରି ସେ ଦିନ ଝରକା ବାଟେ ପବନରେ ଉଡ଼େଇ ଦେଇଥିଲେ । ତା ପରେ ସେ ଖଣ୍ଡେ ଦେଲେ ଚିଠି ଲେଖି ନାହାନ୍ତି ।

 

ସୁଧୀର ନିରୁତ୍ତର ରହିବାର ଦେଖି ମଳୟା ପୁଣି କହିଲେ, ଶୁଣୁଛ ? ମା ମଲା ପରେ ତାଙ୍କର କଲେଜ ଶିକ୍ଷା ବନ୍ଦ—ଟିଉସନ ଯାଇଛି—ବହୁତ ଗୁଡ଼ାଏ ଟଙ୍କା ଦେଣା । ପୁଣି ବଞ୍ଚିବାକୁ ହେବ ତ ? ଶୁଣୁଛି ଦଣ୍ଡକାରଣ୍ୟ ଏରିଆର କୌଣସି ଏକ ଗାର୍ଲସ୍‌ ହାଇ ସ୍କୁଲରେ ସେ ହେଡ୍‌ ମିଷ୍ଟ୍ରେସ୍‌ ।

 

ଚେୟାର ଠେଲି ଉଠି ପଡ଼ିଲେ ସୁଧୀର । ଅଧାଖିଆ ଭାତ ଥାଳୀ, ମାଛ ପ୍ଲେଟ, ଅଣ୍ଡାଭଜା ପଡ଼ି ରହିଲା ସେଇଠି ।

 

ସୁଧୀରଙ୍କ ଉଠିଯିବା ନେଇ ମଳୟାଙ୍କର ଭ୍ରୂକ୍ଷେପ ନାହିଁ । ନାରୀ ପ୍ରତି ନାରୀର ଯେ ସମବେଦନା ତାହା ତାଙ୍କ ଶରୀରର ପ୍ରତି ରକ୍ତକଣିକାରେ ଜାଗି ଉଠିଲା । ସେ କେତେ ଦିନ ଆଉ ଅନ୍ୟଙ୍କ ପ୍ରେମକୁ ଚୋରି କରି ଉପଭୋଗ କରୁଥିବେ ?

 

—ମୋ କାନ ପାଖରେ ସେ କଥାଗୁଡ଼ିକ ଶୁଣାଅ ନା ତୁମେ ? କିଏ ନା କିଏ ? ତାହା ସହିତ ମୋର ସମ୍ପର୍କ କଣ ଶୁଣେ ?

 

—କଣ ପ୍ରମାଣ ଚାହଁ ତୁମେ ?

 

ମଳୟା ଝଡ଼ବେଗରେ ଭିତରକୁ ଯାଇ ଚିଠିଟି ଧରି ଫେରି ଆସିଲେ ସୁଧୀରଙ୍କ ପାଖକୁ-

 

ଚିଠି ଦେଖାଇ କହିଲେ, ଏଇଟା ସୁଚିତ୍ରାଙ୍କ ଚିଠି ନୁହେଁ ? ଆଉ ଅସ୍ଵୀକାର କରିବାର ବାଟ ନାହିଁ । ଏହି କାଗଜ ଖଣ୍ଡିକ ହେଉଛି ସମସ୍ତ ଗୋପନ କଥାର ପ୍ରମାଣ ।

 

ସୁଧୀର ସୁଚିତ୍ରାଙ୍କ ପୁରୁଣା ଚିଠିଟି ଦେଖି ଟିକିଏ ଶଙ୍କିଗଲେ । ଲାଜରେ ମୁହଁ ତଳକୁ ହୋଇଗଲା । ଉତ୍ତର ଦେଇପାରିଲେନି କିଛି । ମନରେ ସମସ୍ତ ପ୍ରତିକ୍ରିୟାକୁ ଚାପିରଖି ସେ ବସି ରହିଲେ ।

 

ମଳୟା କହିଲେ, ଭଲ ଝିଅଟିଏ ବୋଲି ଜଣାପଡ଼ୁଛି । ତୁମର ଏତେ ବଡ଼ ଭୁଲ ?

 

—ସେତିକି ଥାଉ । ଆଉ ବେଶି ଲେକ୍‌ଚର ଦିଅନି ।

 

ତଥାପି ମଳୟା ବନ୍ଦ ହେଲେ ନି ।

 

କହିଲେ, ଲେକ୍‌ଚର ଦେବାର ଥିଲେ ମୁଁ ଏତେ ସହାନୁଭୂତି ଦେଖାନ୍ତି ନି । ଜାଣ ତ ? ଲେକ୍‌ଚରରଙ୍କ ସ୍ତ୍ରୀ ପକ୍ଷରେ ଲେକ୍‌ଚର ଦେବା କିଛି ବିଚିତ୍ର ନୁହେଁ । ମୁଁ ଛୋଟ ପିଲା ନୁହେଁ । ମତେ ଏଣୁ ତେଣୁ କହି ଆଉ ଅନ୍ଧପୁଟୁଳି ବାନ୍ଧିପାରିବନି ତୁମେ ?

 

ସୁଧୀର ଆବାକ୍ ହୋଇ ଆଶ୍ଚର୍ଯ୍ୟ ଆଖିରେ ଚାହିଁ ରହିଲେ ମଳୟାଙ୍କ ମୁହଁକୁ ।

 

ମଳୟାଙ୍କ ମନ ଭିଜି ଯାଇଛି । କାରଣ ସେ ନାରୀ । ନାରୀ ମନର ଗୋପନ କଥା ଜାଣନ୍ତି ସିଏ । କିନ୍ତୁ ସୁଧୀରଙ୍କ ହୃଦୟ ସେତେ ନରମ ନୁହେଁ । ଦିନେ ଥିଲା—ବର୍ତ୍ତମାନ ପଥର ହୋଇଯାଇଛି ।

 

ମଳୟା, କିନ୍ତୁ ସମ୍ଭାଳି ପାରିଲେନି । ସେ କାନ୍ଦ କାନ୍ଦ ହୋଇ କହିଲେ, ତୁମେ ସେହି ନିରୀହା ସରଳା ଝିଅଟା ପ୍ରତି ଏଡ଼େ ବଡ଼ ଅନ୍ୟାୟ କଲ ? ତାକୁ ଚିର ଅନ୍ଧକାର ଭିତରେ ଠେଲି ଦେଇ ପୁରୁଷତ୍ଵର ବାହାଦୁରୀ ଦେଖାଉଛ ? କେଡ଼େ ବଡ଼ ଭୁଲ୍‍ ତୁମର ଏ !

 

ସୁଧୀର ଚାହିଁ ରହିଛନ୍ତି ମଳୟାଙ୍କ ମୁହଁକୁ । ଯେପରି ମଳୟାଙ୍କ ଯୁକ୍ତିରେ ହାରି ଯାଇଛନ୍ତି-। କଣ ବା କହିବେ ? କଣ ବା ଉତ୍ତର ଦେବେ ?

 

କଥାର ଖିଅ ବୁଲେଇ ଅନ୍ୟକଥା ପକେଇବାକୁ ଚେଷ୍ଟା କରୁଥିଲେ ସୁଧୀର ବାବୁ । କିନ୍ତୁ ପାରିଲେନି । ସେ ପାଷାଣ ମୂର୍ତ୍ତି ପରି ଅଚଳ ଓ ନିଶ୍ଚଳ । ସେ ଦିନର ଚରମ ସୁଖ ପାଇଁ ତାଙ୍କୁ ଆଜି ଚରମ ଦୁଃଖର ମୂଲ୍ୟ ଦେବାକୁ ପଡ଼ୁଛି ।

 

ନିଜକୁ ସଂଯତ କରି ମଳୟା କହିଲେ, ମତେ ତୁମେ ଭଲ ପାଅ ପରା ? ମୋର ଗୋଟିଏ ଅନୁରୋଧ ରଖି ପାରିବ ?

 

ସୁଧୀର ମସ୍ତକ ନିଚ କରି କହିଲେ, କଣ କହୁନା ?

 

—ରଖିବ ତ ?

 

—ନିଶ୍ଚୟ ରକ୍ଷା କରିବି ।

 

—ରାତି ପାହିଲେ ଯାଅ କୋରାପୁଟ । ସୁଚିତ୍ରାଙ୍କୁ ସାଙ୍ଗରେ ଧରି ଆଣିବ । ମୁଁ ଆଉ ବଞ୍ଚିବି ନି ।

 

ମଳୟା ଆସନ୍ନ ପ୍ରସବା । ଶରୀର ବଡ଼ ଦୁର୍ବଳ । ପ୍ରତିଦିନ ପେଟବଥା । ଅଣ୍ଟା ବିନ୍ଧା । କିଛି ନା କିଛି କମ୍ପଲେନ୍‌ । ଜାତକ ଦେଖି ଜ୍ୟୋତିଷୀ କହିଛନ୍ତି ମାରକ ଦଶା । ବଞ୍ଚିବା କଷ୍ଟ । ଯଦି ମାରକ ଥାଏ । ସୁଚିତ୍ରାଙ୍କ ଅଭିଶାପର ଫଳ ସେ ଭୋଗ କରିଛନ୍ତି ଯେମିତି ।

 

ସୁଧୀର ନିରବ ରହିଲେ କିଛି ସମୟ । ଭାବି ବସିଲେ ମୃତ ଅତୀତର ପଛରେ ଛାଡ଼ି ଆସିଥିବା କଥାଗୁଡ଼ିକ । କଣ ଦେଇଛନ୍ତି ସେ ଚିତ୍ରାଙ୍କୁ ? ତାଙ୍କୁ ଆଶା ନ ଦେଇଥିଲେ କଣ ବା କ୍ଷତି ହୋଇଥାନ୍ତା । ତାଙ୍କର ? ତେବେ କଣ ଚିତ୍ରା ଅନ୍ୟ ଶିକ୍ଷିତା ଯୁବତୀ ପରି ଏବେ ବି ବିବାହ କରିନାହାନ୍ତି ? ହୁଏତ ବା ସେ କରିଥିବେ । କଲେ କ୍ଷତି କଣ ? ନଚେତ୍‌ ଜୀବନାଟା କିପରି କଟାଇବେ ଚିତ୍ରା ?

 

ହଁ, ଦୁଇଟି ନାରୀ ଆସିଥିଲେ ତାଙ୍କ ଜୀବନରେ । ସେ ପ୍ରଥମାକୁ ଦୂରେଇଦେଇ ଦ୍ଵିତୀୟା ସହିତ ଆଗେଇ ଗଲେ ଅନେକଦୂର । ଯେଉଁ ପ୍ରଥମା ଦିନେ ତାଙ୍କ ଅନ୍ଧକାର ହୃଦୟରେ ପ୍ରେମ ପ୍ରଦୀପର ଆଲୋକ ଶିଖା ଜଳାଇଥିଲେ ସେ କିନ୍ତୁ ଆଜି ଅନ୍ଧକାରରେ । ପାଇଛନ୍ତି ପ୍ରେମ ବଦଳରେ ଘୃଣା ଓ ହତାଶା । ସେ ବିଶ୍ଵାସ ଘାତକତା କରି ନିଜର ସୁଖ ଖୋଜି ଦୂରରେ ଫୋପାଡ଼ି ଦେଇ ଆସିଛନ୍ତି ତାଙ୍କୁ । ବୁଡ଼େଇ ଦେଇଛନ୍ତି ଅସହାୟ ବୁଡ଼ନ୍ତ ମଣିଷ ପରି ସାତ ତାଳ ସମୁଦ୍ର ଭିତରେ । ସେ ବାରବାର ତାଙ୍କର ନରମ ହାତ ଦୁଇଟି ବଢ଼ାଇ କରୁଣ ମିନତିରେ ଭାଙ୍ଗି ପଡ଼ି ଅନୁରୋଧ କରିଥିଲେ ତାଙ୍କୁ । କିନ୍ତୁ ସେଇ ହାତ ଦୁଇଟିକୁ ଧରି ତାଙ୍କୁ ଉପରକୁ ଟାଣି ଆଣିବା ବଦଳରେ ସେ ଆହୁରି ଅତଳ ଜଳଧିକୁ ଠେଲି ଦେଇଛନ୍ତି । ଗୋଟାଏ ନର୍କକୁଣ୍ଡ ମଝିକୁ ଖସି ଯାଇଛନ୍ତି ସୁଚିତ୍ରା । ଗୋଟାଏ ସ୍ତବ୍ଧ ଅନ୍ଧ ଶୂନ୍ୟତାର ମଝିରେ ତଳକୁ ତଳକୁ ।

 

ରାତିପ୍ରାୟ ଦଶଟା ! କୋଳାହଳ ମୁଖରିତ ବିରାଟ୍‌ ନଗରୀ ଶାନ୍ତି ପଡ଼ି ଆସୁଥିଲା ଧୀରେ ଧୀରେ । ନିଜକୁ ସଞ୍ଜତ କରିବାକୁ ବ୍ୟର୍ଥ ଚେଷ୍ଟା କରୁଥିଲେ ସୁଧୀର ବାବୁ । ମୁଖ ମଣ୍ଡଳରେ ଘନେଇ ଆସୁଥିଲା ଚିନ୍ତାର ଏକ ଘନ କୃଷ୍ଣ ଛାୟା ।

 

ଚେୟାର ଉପରେ ନିଜର ଅବଶ ଶରୀରଟାକୁ ଆଶ୍ରୟ ଦେଲେ । ମସ୍ତିଷ୍କରେ ଖେଳି ଯାଉଥିଲା ଏକ ବିରାଟ ପ୍ରଶ୍ନବାଚୀ । ଗଡ଼େଇ ତୁଡ଼େଇ ହେଉଥିଲା ବୁଢ଼ିଆଣୀ ସୂତାପରି ମୁହୂର୍ତ୍ତକ ଭିତରେ ଗୁଡ଼ାଏ ଅସଂଲଗ୍ନ ଭାବନା ।

 

ସିଗାରେଟ୍‌ ଟାଣିବାରେ କିଛି ସମୟ କଟେଇ ଦେଲେ ସୁଧୀର ବାବୁ । କଳା ଅନ୍ଧକାର ପରଦାଟା ସାମନାରୁ ଧୀରେ ଧୀରେ ଅପସରି ଯାଉଥିଲା । ରୁମାଲ୍‌ ବାହାର କଲେ । ମୁଖମଣ୍ଡଳରେ ଏ ପାଖରୁ ସେ ପାଖକୁ ଦୁଇଥର ବୁଲେଇ ନେଲେ ।

 

ସେହି ରାତିରେ ମୋଟେ ଆସିଲାନି ସୁଧୀରଙ୍କର । ଗୋଟାଏ ଗଭୀର ହତାଶ । ଆଉ ଯନ୍ତ୍ରଣାର ତରଙ୍ଗ ତାଙ୍କୁ ଭସାଇ ନେଇଗଲା କେଉଁ ଏକ ଅନିଶ୍ଚିତତାର ଆବର୍ତ୍ତ ଭିତରକୁ। ସେ ଅସ୍ଥିରତାରେ ଚଞ୍ଚଳ ହୋଇଉଠିଲେ । ଯେପରି ସେ ଏକା ଏକା ନୀରବ ଶ୍ମଶାନରେ ବସି କାନ୍ଦି ଉଠୁଛନ୍ତି ।

 

ନିଦ୍ରା ଆଉ ଜାଗରଣର ମଧ୍ୟବର୍ତ୍ତୀ ଗୋଟାଏ ଅନୁଭୂତି ହୀନ ଆଚ୍ଛନ୍ନ ଅବସ୍ଥାରେ କଟିଗଲା ରାତ୍ରିର ଅଳସ ପ୍ରହର ଗୁଡ଼ିକ । ଭାସି ଉଠିଲା ସୁଚିତ୍ରାଙ୍କର ସେହି ପ୍ରସାନ୍ତ ଦ୍ଵିପ୍ତ ହାସ୍ୟମୟୀ ମୁଖ ବଦଳରେ ନିସ୍ତେଜ ମଳିନ ଶୁଷ୍କ ମୁଖଟିଏ । ଯେପରି ଜୀବନର ଅବସନ୍ନ ବେଳାରେ ନିଃସଙ୍ଗ କ୍ଳାନ୍ତ ବିମର୍ଷ ଗୋଟିଏ ପକ୍ଷୀ ଫାଙ୍କା ଶୂନ୍ୟ ଜୀବନ ଧରି ମୁକ୍ତନୀଳ ଆକାଶ ତଳେ ଉଡ଼ି ଯାଉଛି । ଡେଣାରେ ବଳ ନାହିଁ । ସତେ ଯେପରି ଥକି ଯାଇ ତଳେ ଖସି ପଡ଼ିବ ।

 

ସୁଧୀରଙ୍କ ମନ ଭିତରରେ କିଏ ଯେପରି କହି ଉଠିଲା, ସୁଧୀର ବାବୁ ! ତଥାପି ତୁମର ସୁଚିତ୍ରା ମନେ ପଡ଼ନ୍ତି ନି ? ଥରେ ଚାହିଁ ଦେଖ ସୁଚିତ୍ରାଙ୍କୁ । ଅନେକ ଗୁଡ଼ାଏ ବର୍ଷ କଟିଗଲାଣି । ସେ ଦିନର ସେଇ ମନ ସେଇ ଭଲ ପାଇବା ନେଇ ତୁମର ପାଇଁ ବ୍ୟାକୁଳ ପ୍ରତ୍ୟକ୍ଷୀରେ ସେ ଚାହିଁ ବସିଛନ୍ତି । ତୁମର ପାଇଁ ଯୌବନରେ ଯୋଗିନୀ ସାଜି ସବୁ ସୁଖ ସବୁ ଆଶା ସେ ବିସର୍ଜନ ଦେଇଛନ୍ତି । କେତେକାଳ ଆଉ ତାଙ୍କୁ କନ୍ଦାଉ ଥିବ ? ଯାଅ, ଫେରିଯାଅ ତାଙ୍କ ପାଖକୁ ।

 

ସେ ନିଶ୍ଚୟ ଯିବେ କୋରାପୁଟ । ସୁଚିତ୍ରାଙ୍କ ଉପସ୍ଥିତ ନିହାତି ଦରକାର । ସମସ୍ୟାର ସମାଧାନ ହୋଇଯିବ । ଲାଗିବ ମୋଟେ ଗୋଟିଏ ଦିନ । ପନ୍ଦର ଘଣ୍ଟାର ରାସ୍ତା । ପହଞ୍ଚିବେ କାଲି ସନ୍ଧ୍ୟାରେ ଯାଇ ସୁଚିତ୍ରାଙ୍କ ପାଖରେ । ସନ୍ଧ୍ୟା...ତା ପରେ ରାତି...ସାରା ରାତି...ତା ପରେ ସକାଳେ ପୁଣି ଫେରି ଆସିବେ କଲିକତା ।

 

ଏକା ଫେରିବେ ? ଏକା କାହିଁକି ? ଚିତ୍ରା ସହିତ । ଏବେ ଦିନର ବିସ୍ମୃତି ପାଇଁ ସେ ନିଶ୍ଚୟ ପ୍ରାୟଶ୍ଚିତ୍‌ କରିବେ ।

 

ସକାଳୁ ସକାଳୁ ଉଠି ପଡ଼ିଲେ । କାନ୍ଥ ଘଣ୍ଟାକୁ ଦେଖିଲେ ପାଞ୍ଚଟା ବାଜି କେତେ ମିନିଟ ଆଗେଇ ଯାଇଛି । ଅନ୍ଧକାର ନାହିଁ । ଶୁକ୍ରତାରା ଖଣ୍ଡେ ମେଘ ପଛରେ ଲୁଚି ଯାଇଛି । ଭୋରର ଆଲୁଅ ଆସି ପହଞ୍ଚିନି । ଗୋଟାଏ ହାଲୁକା କୁହୁଡ଼ି ଦୂର ନଦୀ ଉପରେ ଧୂଆଁ ପରି ଭାସି ବୁଲୁଛି, ଏପରି ସେପରି ଦେଖା ଯାଉନି । ପ୍ରଚଣ୍ଡ ଶୀତ ଓ ଛାତି ଥରା ପବନ ।

 

ତାରପରେ ? ତାରପରେ ହଠାତ୍‌ ଭାସି ଉଠିଲା ମଟର କାର୍‌ର ଏକ ଅସ୍ଥିର ଭୟଙ୍କର ଗର୍ଜନ । ଛୁଟିଲା ଡ଼ିଜେଲ ଇଞ୍ଜିନ୍‌ର ଆମ୍ବାସେଡ଼ର କାର୍‌ଟା ଷାଠିଏ କିଲୋମିଟର ବେଗରେ । ଅଟକି ଗଲା ଦମ୍‌ଦମ୍‌ ବିମାନ ଘାଟିରେ ।

 

ଆକାଶ ନିଳିମାକୁ ବେଖାତିର କରି ଭାସି ଚାଲିଛି ବିରାଟ ଏକ ପ୍ରାଇଭେଟ୍ ପାସେଞ୍ଜର ପ୍ଲେନ୍‌ । ମୁଣ୍ଡ ଉପରେ ଶୁଣାଯାଉଛି ଇଞ୍ଜିନ୍‌ର ଘର୍‌ଘର୍‌ ଆବାଜ । ଠିକ୍‌ ଯେପରି ଏ ଦିଗନ୍ତି ବିସ୍ତାରୀ ଜଳଧିର କଳ, କଳ ନିର୍ଘୋଷ ।

 

ସୁଧୀର ନୂତନ ପ୍ରେରଣା ନୂତନ ଉତ୍ସାହରେ ଅଗ୍ରସର ହେଉଥିଲେ ଲକ୍ଷ୍ୟସ୍ଥଳକୁ । ବିଶାଖାପାଟଣା ଏରୋଡ଼୍ରମ୍‌ରେ ପ୍ଲେନ ଅବତରଣ କଲାବେଳକୁ ଦିନ ଦଶଟା ।

 

ସାଙ୍ଗେ ସାଙ୍ଗେ ଖିଆ ପିଆ ସାରିଦେଲେ । କାର୍‌ଟିଏ ଭଡ଼ାକରି ସୁଧୀର ଚାଲିଲେ କୋରାପୁଟ । ପାହାଡ଼ ପର୍ବତ ଅରଣ୍ୟ ଭିତର ଦେଇ ରାସ୍ତାଟା ସର୍ପିଳ ଗତିରେ ଦୌଡ଼ିଛି । ଖାଲି ଅପ ଆଉ ଡାଉନ୍‌ । ମଝିରେ ତିରିଶି ମାଇଲ ଲମ୍ବର ଏକ ଅନନ୍ତଗିରି ଘାଟି । ଉଠାଣିଟା ଯେପରି ଉଚ୍ଚ ହୋଇ ଆକାଶ ଉପରକୁ ଉଠି ଯାଇଛି । ତାପରେ ପ୍ରସାରିତ ରୌଦ୍ର ଦୁଗ୍ଧ ଧୂଷର ରୁକ୍ଷ ପ୍ରାନ୍ତର ଅନାବୃଷ୍ଟି ଜନିତ ଫାଟ ଫାଟ ଭୂମି ।

 

ପଥ ଜନ ବିରଳ । କେବଳ ଲେଙ୍ଗୁଟି ପିନ୍ଧା କଳା କଳା କେତୋଟି କନ୍ଧ ବା ପରଜା ପିଲା । ଗୋରୁ ଛେଳି ଚରାଉଛନ୍ତି ବଣ ଭିତରେ । ସେ ଆଗରୁ କେବେ ଏପରି ରାସ୍ତା ନଥିଲେ । ତାଙ୍କର ଆଜି ଏ ପ୍ରଥମ ସାକ୍ଷାତ୍‌ଏଠି ।

 

କୋରାପୁଟରେ ପହଞ୍ଚି ହାତ ଘଡ଼ିକି ଦେଖିଲେ । କେତେ ବେଳୁ ଚାରିଟା ବାଜିଗଲାଣି । ଜିଲ୍ଲା ଅଫିସ୍‌କୁ ଗଲେ । ନୋଟ୍‌ବହିରେ । ସୁଚିତ୍ରାଙ୍କ ଆଡ୍ରେସ୍‌ ଚିପିରଖି ଗାଡ଼ି ଛାଡ଼ିଲେ ଅମରକୋଟ । ମନେ ମନେ ଭାବିଲେ ଏତେ ବାଟ ଆସିଲାଣି, ତଥାପି ବାଟ ସରୁନି ?

 

ପୃଥିବୀ ଭିତରେ ଓଡ଼ିଶାର ଅବହେଳିତ କୋରାପୁଟ । ଅସଭ୍ୟ ବନ୍ୟ ଆଦିମ ଅଧିବାସୀର ଦେଶ । ଆଜିକାଲି କିନ୍ତୁ ଶିକ୍ଷା ଦିଗରେ ଗଭର୍ନମେଣ୍ଟଙ୍କର ବିଶେଷ ନଜର ପଡିଛି ସେଠି ।

 

ସୁଚିତ୍ରାଙ୍କ ସ୍କୁଲ୍‌ ଯେତେ ନିକଟ ହେଉଥାଏ ସେତେ ଲଜ୍ଜା ବଢି ଚାଲିଥାଏ ସୁଧୀରଙ୍କର-। ପହଞ୍ଚି ସେ ସୁଚିତ୍ରାଙ୍କୁ ସତ କଥା ଖୋଲି କହିଦେବେ । ମିଛ ବଦଳରେ ସତ କହିଲେ କୁଆଡ଼େ ମନରେ ଅଧିକ ଶାନ୍ତି ମିଳେ ।

 

ସୁଚିତ୍ରା ବଦଳି ହୋଇ ଆସିଲେଣି ଅମରକୋଟ ଅଞ୍ଚଳର ଆଉ ଗୋଟିଏ ନୂଆଁ ହାଇସ୍କୁଲ ଗରୁଡ଼ାଗୁଡ଼ାକୁ ହେଡ଼୍‌ମିଷ୍ଟ୍ରେସ୍‌ ହୋଇ । ସେ ଏଥି ଭିତରେ ପ୍ରାଇଭେଟ୍‌ ପରୀକ୍ଷା ଦେଇ ଆଇ. ଏ. ଓ ବି. ଏ. ମଧ୍ୟ ପାସ କରିସାରିଲେଣି ।

 

କେତେଟା ମାସ ଭିତରେ ଯେପରି କୌଣସି ଏକ ଆଶ୍ଚର୍ଯ୍ୟ ବଶୀକରଣ ମନ୍ତ୍ରରେ ସେ ସମସ୍ତଙ୍କୁ ଆପଣାର କରିପାରିଛନ୍ତି । ସମସ୍ତଙ୍କ ସହିତ ସଦ୍‌ଭାବ ଓ ମଧୁର କଥାର ବିନିମୟ । ଛୋଟ ବଡ଼ ଭେଦାଭେଦ ନାହିଁ ।

 

ପବ୍‌ଲିକ୍‌ଏକ୍‌ଜାମିନେସନ୍‌ ପାଖେଇ ଆସିଲାଣି । ଆଉ ଦୁଇ ତିନି ମାସ । ସୁଚିତ୍ରାଙ୍କୁ ଦିନରାତି ଖଟିବାକୁ ପଡ଼ୁଛି ।

 

ଏଥି ମଧ୍ୟରେ ସେ ପାଇଛନ୍ତି ମଉସାଙ୍କ ପାଖରୁ ଖଣ୍ଡିଏ ଚିଠି । ମଉସା ଲେଖିଛନ୍ତି, ମାଉସୀ କୁଆଡ଼େ ତାଙ୍କୁ ଦେଖିବାକୁ ବଡ଼ ବ୍ୟାକୁଳ, ଆଉ ବିଜ୍‌ନେସ୍‌ରେ ତାଙ୍କର ଆଶାତୀତ ଉନ୍ନତି, ଚେୟାରମେନ୍‌ ନିର୍ବାଚନରେ ଜୟନାରାୟଣ ବାବୁଙ୍କର ଶୋଚନୀୟ ପରାଜୟ, ସେ ତିନିପାଞ୍ଜିରୁ ଯିବା ଓ ପୁନର୍ମୂଷିକ ପାଲଟିବା, ନୂଆଁରେ ଆଦିବାସୀ ଜେନ ଚେୟାରମେନ୍‌ ହେବା କଥା ଇତ୍ୟାଦି ଇତ୍ୟାଦି ।

 

ତଥାପି ଜୟନାରାୟଣ ବାବୁଙ୍କର ଏହି ଭାଗ୍ୟ ବିପର୍ଯ୍ୟୟ ଖବରରେ ସୁଚିତ୍ରା ଖୁସି ନୁହନ୍ତି କି ଦୁଃଖିତା ନୁହନ୍ତି । ଯେହେତୁ ସେ କେବେ କାହାର ଅମଙ୍ଗଳ କାମନା କରନ୍ତି ନି ।

 

ଯେଉଁଠି ମଉସା ମାଉସୀଙ୍କର ଏତେ ଆଦର ଏତେ ଆନ୍ତରିକତା ସେ ମାଉସୀଙ୍କୁ ଦେଖିବାକୁ ନ ଯିବେ କେମିତି ? ସେ ଗ୍ରୀଷ୍ମଛୁଟିରେ ନିଶ୍ଚୟ ଯିବେ ଜୁନାଗଡ । ସେହିଭଳି ସେ ମଉସାଙ୍କୁ ଚିଠି ଲେଖି ଦେବେ ।

 

ପ୍ରାୟ ସନ୍ଧ୍ୟା ଛଅଟା ।

 

ହଠାତ୍‌ ରୋଲ୍‌ସ ରୟେସ୍‌ କାରଟିଏ ଅଟକି ଗଲା ସ୍କୁଲ କମ୍ପାଉଣ୍ଡ୍‌ ମଝିରେ । ଛାତିଟା କମ୍ପି ଉଠିଲା ସୁଧୀରଙ୍କର ।

 

ସେ ମନରେ ଭାବିଲେ କି ଦରକାର ଥିଲା ତାଙ୍କର ଏଠିକି ଆସିବାକୁ ? କାହିକିଁ ତାଙ୍କର ଏ ଆଗମନ ? ସୁଚିତ୍ରାଙ୍କ ବିକ୍ଷତ ହୃଦୟରେ କଣ ପୁଣି ଅସ୍ତ୍ରୋପଚାର କରିବାକୁ ? ପୁଣି ସେହି ଯନ୍ତ୍ରଣାର ଆବର୍ତ୍ତ ମଧ୍ୟରେ ଠେଲିଦେଇ ଅଣନିଶ୍ଵାସୀ କରିବାକୁ ? ଯେଉଁ ଜଗତରେ ରୂପ, ଗନ୍ଧ, ସ୍ପର୍ଶ ଉତ୍ତାପ ଛାଡ଼ି—ଯେଉଁ ଜଗତକୁ ଅସ୍ୱୀକାର କରି ଦୂରକୁ ସେ ଚାଲି ଯାଇଥିଲେ । ପୁଣି ସେଠିକି ଫେରି ଆସିବାର ମାନେ ?

 

ତେବେ କଣ ସେ ଫେରି ଯିବେ ? ନା, କିପରି ଫେରିବେ ସେ ? ମଳୟାର ଅନୁରୋଧକୁ ସେ ଉପେକ୍ଷା କରିପାରିବେନି । ସେ ଆସିଛନ୍ତି ସୁଚିତ୍ରାଙ୍କୁ ନେଇ ଯିବାପାଇଁ । ସାଙ୍ଗରେ ନେଇ ଯିବା ପାଇଁ କଲିକତା । କିନ୍ତୁ ସୁଚିତ୍ରାଙ୍କୁ ସେ ତାଙ୍କର ନିର୍ଲଜ୍ଜ ମୁହଁ ଦେଖାଇବେ କେମିତି ?

 

ଗୋଟିଏ ପାଖରେ ଧାଡ଼ି ଧାଡ଼ି କ୍ଵାର୍ଟର । ଯେପରି ମିଲ୍‌ ବା ଫ୍ୟାକ୍‌ଟରୀର ଅଫିସର୍ସ କଲୋନି ।

 

ଜଣେ ମହିଳା କାଖରେ ଛୋଟ ପିଲାଟିଏ ଧରି ଘରୁ ବାହାରିବା ସଙ୍ଗେ ସଙ୍ଗେ ସୁଧୀର ଆଗେଇ ଆସି ପଚାରିଲେ ଏଠି ସୁଚିତ୍ରା ଦାସଙ୍କ କ୍ଵାର୍ଟରଟା କେଉଁଠି ଦୟାକରି ଜଣାଇବେ କି ?

 

ଭଦ୍ର ମହିଳା ଜଣକ ହସି ହିସ ଆଙ୍ଗୁଳି ନିର୍ଦ୍ଦେଶ କଲେ ସୁଚିତ୍ରାଙ୍କ କ୍ଵାର୍ଟର ଆଡ଼କୁ ।

 

ତେଣେ ମଟର୍‌ ଇଞ୍ଜିନ୍‌ଶବ୍ଦରେ କବାଟ ଖୋଲି ବାରଣ୍ଡାକୁ ବାହାରି ଆସିଲେ ସୁଚିତ୍ରା । ଦେଖିଲେ ସୁଟ୍‌ ପରିହିତ ଜଣେ ଭଦ୍ରଲୋକ ଦଣ୍ଡାୟମାନ । ଡିପାର୍ଟମେଣ୍ଟର କେହି ଅଫିସର ନୁହନ୍ତି ତ ?

 

ଅଳ୍ପ କେତେ ମିନିଟ୍‌ ସେ ସ୍ତମ୍ଭିତା ହୋଇ ଠିଆ ହେଲେ । ଏପରି ଭାବରେ ଏପରି ଅବସ୍ଥାରେ ଯେ ସେ କେବେ ସୁଧୀରବାବୁଙ୍କୁ ଦେଖିବେ କଳ୍ପନା କରି ନଥିଲେ । ସୁଧୀରଙ୍କ ଆକସ୍ମିକ ଉପସ୍ଥିତିର ଧକ୍‌କାରେ ତାଙ୍କର ଅବିସ୍ମରଣୀୟ ଅତୀତଟା ଉଜ୍ଜଳ ବିସ୍ଫୋରଣରେ ଝଲସି ଉଠିଲା । ଯେଉଁ ବିଦ୍ରୋହୀ ମନଟା ଉପରେ କୋରାପୁଟ ଜିଲାର ମନୋରମ ପ୍ରକୃତି ଆସ୍ତେ ଆସ୍ତେ ଶାନ୍ତ ପ୍ରଭାବ ବିସ୍ତାର କରି ଆସୁଥିଲା ଆଜି ପୁଣି ସେହି ମନଟା କିପରି ଚହଳି ଉଠିଲା । ଅନେକ ଦିନର ନିଶୁଳ ମନଟା ହଠାତ୍‍ କେମିତି ଗୋଟାଏ ହଲଚଲ ହୋଇଗଲା । ଅବସାଦଭରା ଜମାଟବନ୍ଧା ହୃଦୟଟା ହାହାକାର କରି ଉଠିଲା । ମୃତକଳ୍ପ ପରି ଲୁଗାକାନିଟାକୁ ମୁହଁରେ ଦେଇ ଭିତରକୁ ଚାଲିଗଲେ ସୁଚିତ୍ରା ଦାସ । କବାଟ ଆପେ ଆପେ ବନ୍ଦ ହୋଇଗଲା ।

 

ଦରଜାରେ ଆଘାତ କଲେ ସୁଧୀର ।

 

ଲମ୍ବା ଚୌଡ଼ା ଚେହରାର ପିଅନ୍‌ଟିଏ ସଲାମ୍‌ ଦେଇ ଆସି ସାମନାରେ ଛିଡ଼ା ହେଲା ।

 

ସୁଧୀର ପଚରିଲେ, ହେଡ଼୍‌ମିଷ୍ଟ୍ରେସ୍‌ ଅଛନ୍ତି କି ?

 

—ହଜୁର୍‌ ।

 

—ଏଇ ଚିଠିଟା ତାଙ୍କୁ ଦେଇ ଦିଅ ।

 

ବଢ଼େଇ ଦେଲେ ପକେଟ୍‌ରୁ କାଢ଼ି ମଳୟା ଦେଇଥିବା ବଡ଼ ଲଫାଫାଟି ।

 

ପିଅନ୍‌ ଚାଲିଗଲା ଭିତରକୁ ।

 

ବିତିଗଲା ଦୁଇଟା ତିନିଟା ମିନିଟ୍‌।

 

ସୁଚିତ୍ରା ଘରୁ ଚେୟାର ଛାଡ଼ି ବାହାରି ଆସିଲେ । ସୁଧୀରଙ୍କୁ ନମସ୍କାର କରି କହିଲେ, ଆ...ଆପଣ ?

 

—ହଁ, ମୁଁ...ମୁଁ ଆସିଛି । ବିଶେଷ ଗୋଟାଏ ପ୍ରୟୋଜନ । ଅବରୁଦ୍ଧ କଣ୍ଠରେ ସୁଚିତ୍ରା କହିଲେ, ଏତେ ଦିନ ପରେ ? ଏତେ ଦିନ ?

 

ଏଇତ ଆସିଛି ଚିତ୍ରା !

 

—ମୁଁ କେତେ ଚିଠି ଲେଖିଥିଲି । ଥରେ ଆସିଲ ନି ?

 

ସୁଧୀରଙ୍କ ମୁଖମଣ୍ଡଳରେ ଏକ ସଲ୍ଲଜ ବିଷର୍ଣ୍ଣ ପରିପ୍ରକାଶ । ଅପ୍ରସ୍ତୁତ ହୋଇ ଚୁପ୍‌ ରହିଲେ ।

 

ସୁଚିତ୍ରାଙ୍କ ମୁହଁରେ ଆନନ୍ଦ, ଖୁସି, ଉଲ୍ଲାସ କିଛି ନହିଁ । ଏତେ ଦିନର ହଜିଲା ଧନ ପାଖରେ ପାଇ ମଧ୍ୟ ଚରମ ଓ ପରମ ଆନନ୍ଦର ଅଭିବ୍ୟକ୍ତି ବଦଳରେ ମୁହଁଟା ତାଙ୍କର ହୋଇ ଉଠିଲା ନିଷ୍‌ପ୍ରାଣ-ବିବର୍ଣ୍ଣ-ମୃତ । କଥା କହିବାରେ ଆଉ ଇଚ୍ଛାନାହିଁ ଆଗ୍ରହ ନାହିଁ । ତେଣୁ ସେ ଚୁପ୍‌ ଚାପ୍‌ ।

 

ଅପଲକ ନୟନରେ ସୁଧୀର ଦେଖୁଛନ୍ତି ସୁଚିତ୍ରା ଦାସଙ୍କୁ । କି ଆଶ୍ଚର୍ଯ୍ୟ ! ସେ ସୁନ୍ଦର ସ୍ୱାସ୍ଥ୍ୟ ସେ ଚମତ୍‌କାର ଚେହେରା କାହିଁ ? କାହିଁଗଲା ସୁଚିତ୍ରଙ୍କର ସେହି ସୁନ୍ଦର ମୃନି ମନଲୋଭା ଅନିନ୍ଦ୍ୟ ରୂପ ଯୌବନ ?

 

ସୁଚିତ୍ରା । ସେହି କଲେଜ ଗାର୍ଲ ସୁଚିତ୍ରା । ଅନେକ ବଦଳି ଯାଇଛନ୍ତି ଚେହେରାରେ-ଅନେକ ସଂଯତ ହୋଇ ପଡ଼ିଛନ୍ତି ଚାଲିଚଳନରେ—ଅନେକ ସପ୍ରତିଭ ହୋଇଉଠିଛନ୍ତି ଭାବ ଭଙ୍ଗିରେ—ଅନେକ ସଚେତନା ହୋଇ ପଡ଼ିଛନ୍ତି ସାଜ ସଜାରେ । କିନ୍ତୁ ଯେଉଁ ମେଘ ଜମି ଉଠିଛି ତାଙ୍କ ମନ ଭିତରେ, ଦୁଇ ଆଖିରେ, ତାହା କଣ ସୁଧୀର ବାବୁ ଜାଣନ୍ତି ନି ?

 

ପିଅନ୍‌ ବେଡିଂଟା ଧରି ଆସିଲା । ପଛେ ପଛେ ଚାଲିଲେ ସୁଧୀର କ୍ଵାର୍ଟର ଭିତରକୁ ।

 

ସୁଚିତ୍ରା ଡ଼୍ରଇଂ ରୁମ୍‌ରେ ଗୋଟିଏ ନୂଆ ଫିତାଖଟ ଆଣି ରଖିଦେଲେ । ଚେୟାରଟିଏ ଅଫିସ ଘରୁ ଆଣିବା ପାଇଁ ଚାଲିଗଲା ପିଅନ୍‌ । କିପରି ବା ସେ ଏଡ଼ାଇ ଦେବେ ଜୀବନର ପ୍ରଥମ ଅତିଥିଙ୍କ ସତ୍‌କାର ନ କରି ?

 

ଏହି ସେହି ସୁଧୀର ବାବୁ ତାଙ୍କ ମନର ମଣିଷ ସୁଚିତ୍ରା ଦିନ ପରେ ଦିନ ରାତି ପରେ ରାତି ସେହି କୁମାରୀ ଜୀବନର ନିଷ୍ଠୁର ଅଭିଶାପ ବହନ କରି ଚାଲିଛନ୍ତି ତାଙ୍କର ଦୋଷରୁ । ଆଜି ବି ସେଇ ମମତାର କଜ୍ଵଳ ସୁଚିତ୍ରାଙ୍କ ଆଖିରୁ ଧୋଇ ଯାଇନି ।

 

ସୁଧୀର ବସିଲେ । ନିଜର ପାଦଉପରେ ତାଙ୍କର ଦୃଷ୍ଟି ନିବିଦ୍ଧ । ସେ ନୀରବ ବୁକୁଭିତରେ ଗୋଟାଏ ବ୍ୟଥା ଯେପରି କୋରି ପକାଉଛି । ଝାଳ ବୋହି ଆସିଲା ଶୀତ ଦିନଟାରେ-। ଗୋଟାଏ କ୍ଲାନ୍ତି ଓ ବିଶ୍ରାମ-ହୀନତାର ଛାପା ସର୍ବାଙ୍ଗରେ ଦୁର୍ବୋଧ ଭାବନା ତାଙ୍କର ମୁଖମଣ୍ଡଳକୁ ପ୍ରତି ମୁହୂର୍ତ୍ତରେ ଜଟିଳ କରି ଦେଉଛି । ପକେଟ୍‌ରୁ ରୁମାଲ୍‌ ବାହାର କରି ମୁହଁ ପୋଛିଲେ-

 

ତେଣେ ସୁଚିତ୍ରା ଭାବୁଥିଲେ ସୁଧୀର ବାବୁ ଆଉ କଣ ଚାହାନ୍ତି ତାଙ୍କଠାରୁ ? କାହିଁକି ବା ଏ ଦୀର୍ଘ ବର୍ଷ ପରେ ତାଙ୍କର ଆଗମନ ଏଠିକି ? କଣ ଲୋକହସା କରିବାକୁ ? ପୁଣି ନିନ୍ଦା ଅପମାନ ଦବାକୁ ? ସୁଧୀରଙ୍କ ସହିତ ତାଙ୍କର ବା ଆଉ କି ସମ୍ଭନ୍ଧ ?

 

ହଁ ସେ ପୁରୁଷ ଜାତି । ଗୋଟିଏ ମୁହୂର୍ତ୍ତରେ ନିଜର ହୃଦୟକୁ ବଦଳାଇ ପାରନ୍ତି । ମହୁମାଛି ପରି ଏ ଫୁଲରୁ ସେ ଫୁଲକୁ ଉଡ଼ି ଯାଅନ୍ତି । ରୂପାନ୍ତର କରି ପାରନ୍ତି ନିରୁତ୍ତାପ ଶୀତଳତାକୁ ଆଉ ଉଦାସୀନ ନିର୍ମମତାକୁ କାହିଁ ? ନାରୀମାନେ ତା ସେପରି ପାରନ୍ତି ନି ? ପୁରୁଷ ବାରବାର ତାର ହୃଦୟ ହଜାଏ । ତଥାପି ତାର ଶିକ୍ଷା ହୁଏ ନା ?

 

ସୁଧୀରବାବୁ ସୁଚିତ୍ରାଙ୍କ ସହିତ ନିର୍ଜନ ସାକ୍ଷାତ୍‌ପାଇଁ ଅଧୀର ଓ ବ୍ୟଥିତ କିନ୍ତୁ ପୋଡ଼ାଗଲା ତରକାରିରେ ସୁଆଦ ନ ଥିଲା ପରି ସୁଚିତ୍ରା ସୁଧୀରଙ୍କ ପାଖ ପଶନ୍ତିନି । ତଥାପି ସେ ହୃଦୟ ମନ୍ଦିରରେ ପୂଜା କରନ୍ତି ସୁଧୀର ବାବୁଙ୍କୁ । ତାଙ୍କୁ ହିଁ ସେ ପ୍ରଥମରୁ ଆତ୍ମସମର୍ପଣ କରିଛନ୍ତି । ତାଙ୍କର ହୃଦୟ ମରୁରେ ସୁଧୀର ବାବୁ ତୀର୍ଥ ପରି ରହିଯିବେ ସାରାଜୀବନ ।

 

ସୁଚିତ୍ରାଙ୍କ ଚରିତ୍ର ନିଷ୍କଳଙ୍କ । ଅନ୍ତରରେ ଟିକେ ହେଲେ ନାହିଁ କାମନା ଓ ବାସନାର ମୋହ ମାଦକତା । ସେ କୁମାରି । ଚିରକୁମାରୀ ହୋଇରହିବେ । ମନରେ ପୋଷି ନାହାନ୍ତି ଏତେଟିକେ ବିଳାସ ବ୍ୟସନ ଓ ପାର୍ଥିବ ଉପଭୋଗର ଲାଳସା । ତାଙ୍କର ଏହି ବିବେକ ଜ୍ଞାନ ଓ ଗଭୀର ଆତ୍ମ-ବିଶ୍ଳେଷଣ ରଖିଛି ତାଙ୍କୁ ପିଚ୍ଛିଳ ପଥରୁ ଅଲଗା କରି । ଯୌବନ କ୍ଷୁଧାର ସର୍ବନାଶୀ ଶକ୍ତି ତାଙ୍କୁ ଏବେ ବି ପରାସ୍ତ କରି ପାରିନି ।

 

ପିଅନ୍‌ ଚାଲିଗଲା କୌଣସି ଏକ କାମରେ ଅନ୍ୟ ଆଡ଼େ । ସମୟ ମିଳିଗଲା ସୁଧୀରଙ୍କୁ-। ଚାଲିଲେ କିଚିନ୍‌ ରୁମ୍‍କୁ । ସୁଚିତ୍ରା ଚା ଜଳଖିଆ ତିଆରି କରିବାରେ ବ୍ୟସ୍ତ ।

 

ଦରଜା ପାଖରେ କିଛି ସମୟ ନୀରବରେ ଛିଡ଼ା ହେଲେ ସୁଧୀର ବାବୁ । କୌଣସି କଥା ବାହାରିଲାନି ତାଙ୍କର ଗଲା ମଧ୍ୟ ଦେଇ ।

 

କେତେ ସମୟ ଯେ ହତାଶ ଭାବରେ ଠିଆ ହୋଇ ରହିଲେ ସେ ନିଜେ ବି ତାହା ଜାଣନ୍ତିନି । ଶରୀର ପରି ମନଟା ବି ତାଙ୍କର ଅଚଳ ନିଥର । ସେ କିଛି ଭାବି ପାରୁନାହାନ୍ତି—କିଛି ଜାଣି ପାରୁ ନାହାନ୍ତି । ଅନୁଭୂତି ବୋଧ ଶୂନ୍ୟ କରିଦେଇ କେବଳ ଠିଆ ହୋଇ ରହିଛନ୍ତି । କିଛିକ୍ଷଣ ପରେ ସଂବିତ ଫେରି ଆସିଲା ।

 

ମନରେ ଭାବିଲେ ମଳୟା କଥା । ମଳୟାର ଶରୀରରେ କେଉଁଠି କିଛି ତ କୋମଳତା ନାହିଁ ? ନାହିଁ କେଉଁଠି ନାରୀତ୍ଵର କୌଣସି ଉଚ୍ଚ ଘୋଷଣା ? ନାହିଁ ତାଙ୍କର ସୁଚିତ୍ରାଙ୍କପରି ମୁଖର ଗଠନ ? ମଳୟାଙ୍କ ଠାରୁ ଏହି ସୁଚିତ୍ରା କେତେବେଶି ସୁନ୍ଦରୀ ବା ସତେ ?

 

ଅତି ଆବେଗଭରା କଂପିତ କଣ୍ଠରେ ସେ କହି ଉଠିଲା, ଚିତ୍ରା ! ତୁମେ ନିଶ୍ଚୟ ରାଗିଛ ମୋ ଉପରେ । ମୋର କଥା କଣ ଶୁଣିବନି ?

 

ସୁଚିତ୍ରା ଜାଣନ୍ତି ନିରୋଳା ପାଇଲେ ସୁଧୀର ବାବୁ କିଛି ନା କିଛି ତାଙ୍କୁ ପ୍ରଶ୍ନ କରିବେ । ମନରେ ତାଙ୍କର ଦୁଃଖ ଓ ଅଭିମାନ । ଆଖିରେ ଲୋତକ । ସେ କଣ ବା ଉତ୍ତର ଦେବେ ? କିଛି ଜବାବ ନ ଦେଇ ଚୁପ୍‌ ହୋଇ ରହିଲେ ।

 

ପୁଣି ଅତି ବିନୟରେ ସୁଧୀର କହିଲେ, ରାଗ କରନା ଚିତ୍ରା ! ମୁଁ ଭଲ କରିଛି । ମୁଁ ଅପରାଧୀ । ସେ ମୋହ ମୋର ତୁଟି ଯାଇଛି । କଣ କଥା କହିବ ନି ? ତେବେ ସୁଦୀର୍ଘ ହଜାର କିଲୋମିଟର୍‌ ବାଟରୁ ଏଠିକି କାହିଁକି ଆସିଛି ଚିତ୍ରା ?

 

ସୁଚିତ୍ରା କି ଉତ୍ତର ଦେବେ ? ସେ କିଛି ଠିକ୍‌ କରି ପାରୁ ନାହାନ୍ତି । କାହିଁକି ସେ ସୁଚିତ୍ରାଙ୍କ ଉପରେ ରାଗିବେ ? ରାଗିବାର ଅଧିକାର ତ ତାଙ୍କର ଆଉ ନାହିଁ । ମୁଣ୍ଡ ତଳକୁ ପୋତି ଛିଡ଼ା ହେଲେ ।

 

ତଥାପି ସୁଧୀରଙ୍କ ବାରମ୍ବାର ଅନୁରୋଧରେ କଥା କହିବାକୁ ଚେଷ୍ଟାକଲେ ସୁଚିତ୍ରା । ଗଳାରୁ କିଛି କଥା ବାହାରିଲାନି । କେବଳ ଘଡ଼ ଘଡ଼ ଶବ୍ଦ । ଓଠ ଦୁଇଟିରେ ଥର ଥର କମ୍ପନ । ବିସ୍ଫାରିତ ଚକ୍ଷୁ ଦୁଇଟିରୁ ବାହାରି ଆସିଲା ଜଳର ଧାରା ଟପ୍‌ ଟପ୍‌ ହୋଇ । କିଛି କ୍ଷଣ ନୀରବ ଚକ୍ଷୁରୁ ଲୋତକ ବନ୍ୟା ବହିଯିବା ପରେ ଧୀରେ ଧୀରେ କଥା ଫୁଟିଲା ତାଙ୍କ ମୁଖ ଭିତରୁ ।

 

—ରାଗିବି କାହିଁକି ଆପଣଙ୍କ ଉପରେ । ସେ ଅଧିକାର ମୋର ନାହିଁ ।

 

କହୁଁ କହୁଁ ସୁଚିତ୍ରା ଅଜାଣତରେ ବସି ପଡ଼ିଲେ ସେଇଠି । ଶରୀରଟା ଆଉଜି ଗଲା କାନ୍ଥ ଦେହକୁ । ରୁଦ୍ଧ ବେଦନାରେ ସେ ଛଟପଟ ହୋଇ ଉଠିଲେ । ଦୁଇ ଆଖିରୁ ପାଣି ବୋହିଗଲା । ସର୍ଦ୍ଦି ଟାଣିନେଲେ ନାକ ଭିତରକୁ । ଉଠିବାର କ୍ଷମତା ନାହିଁ । ଅସହ୍ୟ ଅସ୍ଥିରତାର ତାଡ଼ନାରେ ସର୍ବାଙ୍ଗ ଫାଟି ପଡ଼ୁଛି ।

 

ସୁଧୀର ବିକଳ ହୋଇ କହିଲେ, ମୁଁ ଆଜି ଅନୁତପ୍ତ ଚିତ୍ରା ! ଯାହା ଯାଇଛି ଆଛ ଫେରିବନି । ତୁମେ ଏଣିକି ମୋ ଠାରୁ ଦୂରେଇ ରହି ପାରିବ ନି । ଅବସ୍ଥା ଚକ୍ରରେ ଏପରି ହୋଇ ଯାଇଛି ମୁଁ ତୁମକୁ ଖୁବ୍‌ ଭଲପାଏ । ତୁମକୁ ଛାଡ଼ି ଆଉ ମୁଁ ମୁହୂର୍ତ୍ତେ ବଞ୍ଚି ପାରିବିନି ।

 

ସୁଚିତ୍ରା ନୀରବ ଓ ଗମ୍ଭୀର । ଅନେକ ଅଭିଯୋଗ ଜମା ହୋଇ ରହିଛି ତାଙ୍କ ମନ ମଝିରେ ।

 

ପୁଣି ଆରମ୍ଭ କଲେ ସୁଧୀର ବାବୁ ।

 

—ଆଉ ପ୍ରତାରଣା କରିବିନି । ବିଶ୍ଵାସ କର, ଚିତ୍ରା ! ତୁମକୁ ସବୁଦିନ ପାଇଁ ପାଇବାକୁ ଚାହେଁ । ସବୁ ବିରୋଧ ସବୁ ପ୍ରତିବନ୍ଧକ ବିରୁଦ୍ଧରେ ଛିଡ଼ା ହେବାକୁ ଏଣିକି ମୁଁ ପ୍ରସ୍ତୁତ । ମୁଁ ଆଜି ଶପଥ କରୁଛି କାହିଁକି ଜାଣ ? ମଳୟା ଚାହେଁ ତୁମକୁ ତା ପାଖରେ । ତାର ଅନୁରୋଧ କଣ ରଖିବନି ତୁମେ ?

 

ସୁଚିତ୍ରାଙ୍କ ମୁଖମଣ୍ଡଳ ଆରକ୍ତ ହୋଇ ଉଠିଲା । କପାଳରୁ ସ୍ଵେଦବାରି ଧାର ଧାର ବହିଗଲା । ଆଉ ତା ସହିତ ଲୋତକର ଝରଣା ବି ମିଶିଗଲା ଅଫୁରନ୍ତ ଭାବରେ ।

 

ଯେଉଁ ଅନ୍ଧକାର ନିଃସଙ୍ଗ ଜଗତକୁ ସୁଧୀରବାବୁ ତାଙ୍କୁ ଏକ ମେଘ ମୁକ୍ତ ଉଜ୍ଜ୍ଵଳ ଜଗତକୁ ଆଣିବାର ପ୍ରତିଶ୍ରୁତି ଦେଇ ସେଠାରୁ ପୁଣି ଆକସ୍ମିକ ଏବଂ ପ୍ରଚଣ୍ଡ ଧକ୍‌କାରେ ବିବର୍ଣ୍ଣ ପାଂଶୁଳ ମରଣ ମୁହଁକୁ ଛିଟ୍‌କେଇ ଦେଇଛନ୍ତି ସେହି ଘୃଣା ସେହି ଅପବାଦ ସେହି ବିଶ୍ଵାସହୀନତାକୁ ସେ କିପରି ବୋହିବେ ? ସେ କାହିଁକି ବା ଆଉ ମିଛ କୁହୁଡ଼ିରେ ପହଁରି ପହଁରି ଅଣନିଶ୍ଵାସୀ ହୋଇ ମରିବେ ? ସମାଜ ତ ଆଜି ତାଙ୍କୁ ଧର୍ମପତ୍ନୀର ସମ୍ମାନ ଦେଇ ପାରିବନି ? ସମାଜ କହିବ ରକ୍ଷିତା-। ନା, ନା, ନା, ସେ କଦାପି ରକ୍ଷିତା ହୋଇ ପାରିବେ ନି ।

 

ମଳୟା ସୁଧୀରଙ୍କୁ ହୃଦୟ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ । ସେ ଚାହାନ୍ତି ସୁଚିତ୍ରାଙ୍କ ଆଗମନ—ସୁଚିତ୍ରାଙ୍କର ଉପସ୍ଥିତ ସବୁଦିନ ପାଇଁ ସେଥିପାଇଁ ସେ ଲେଖିଛନ୍ତି ଏକ ଅନୁରୋଧ ଚିଠି-। ସେ କୁଆଡ଼େ ଆସନ୍ନ ପ୍ରସବା—ବଞ୍ଚିବାର ଆଶା କମ୍‌ । ହୁଏତ ତାଙ୍କୁ ଦେଖିଲେ ବଞ୍ଚିଯିବେ ଏଥର-। ତେଣୁ ସ୍ଵାମୀଙ୍କୁ ପଠେଇଛନ୍ତି ତାଙ୍କୁ ନେଇଯିବା ପାଇଁ ।

 

ମଳୟାଙ୍କ ଅନୁରୋଧକୁ କଣ ସେ ଏଡ଼ିଦେଇ ପାରିବେ ହଁ, ତାଙ୍କୁ ଏଡ଼ିବାକୁ ପଡ଼ିବ । କେଉଁ ସାହାସରେ ଯାଇ ସେ ମୁହଁ ଦେଖାଇବେ ସେଠି ? ଦୁନିଆ କଣ କହିବ ? ସମାଜ କଣ କହିବ ? ତାଙ୍କର ସୁଧୀରଙ୍କ ସହିତ ବା ଆଉ କି ସମ୍ବନ୍ଧ ? ସେ ଯେ ଦଖଲ ହରାଇଛନ୍ତି । ଅନ୍ୟର ଜିନିଷକୁ ଆଉ କାହିଁକି ବା ଆଶା କରିବେ ? କାହିଁକି ବା ତାଙ୍କ ଘରକୁ ସମାଜର ଅଭିଶାପ ବହନ କରି ନେଇଯିବେ ? ସେ ହେଉଛନ୍ତି ଖ୍ରୀଷ୍ଟିଆନ । ତାଙ୍କ ବାପାଙ୍କ ଆଭିଜାତ୍ୟରେ କଳଙ୍କ ଲାଗିବ—ମାନ ମର୍ଯ୍ୟାଦାରେ ବାଧା ପଡ଼ିବ । ନା, ସେ ଯାଇପାରିବେନି ? ଯିବା ତାଙ୍କର କି ଦରକାର । ସେହି କଥା ସେ ସୁଧାର ବାବୁଙ୍କୁ କହିଦେବେ ।

 

ଦୋକାନରୁ କଣ କଣ ଜିନିଷ ଆଣି ପିଅନ୍‌ ପହଞ୍ଚିଗଲା । ସୁଧୀର ବାବୁ ଚାଲିଗଲେ ବୈଠକଖାନ ଭିତରକୁ ।

 

ଅଣ୍ଡା ଭଜା, ପୁରୀ, ତରକାରୀ ତିଆରି ହୋଇଗଲା ଅଳ୍ପ ସମୟ ଭିତରେ । ପିଅନ୍‌ ସଙ୍ଗେ ସଙ୍ଗେ ଟ୍ରେରେ ଜଳଖିଆ ନେଇ ଟେବୁଲ ଉପରେ ସଜାଇ ରଖିଦେଇ ଆସିଲା । ପଛରେ ଚାହିଁଲେ ସୁଚିତ୍ରା । ହାତରେ ତାଙ୍କର ଚା, କପ୍‌ ଓ ପ୍ଲେଟ୍‌ ।

 

ସୁଧୀର ଦେଖିଲେ ସେ ଦୃଶ୍ୟ କଣେଇ କଣେଇ ।

 

ସୁଚିତ୍ରାଙ୍କ ଅନ୍ତରରେ ପୁଞ୍ଜିଭୂତ ଦୁଃଖ । ତାଙ୍କରି ଅନ୍ୟାୟର ଫଳ ସୁଚିତ୍ରଙ୍କୁ ଭୋଗ କରିବାକୁ ପଡ଼ୁଛି । ସେ ଭୁଲ୍‍ କରିଛନ୍ତି । ବାସ୍ତବିକ ସେହି ଅନ୍ୟାୟର ଶେଷ ନ ହେଲେ ସୁଚିତ୍ରାଙ୍କ ଦୁଃଖର ଶେଷ ନାହିଁ । ସେ ବଡ଼ ବିବ୍ରତ ହୋଇ ପଡ଼ିଲେ ।

 

ଲଜ୍ୟାର ଆବରଣ ତଳେ ସୁଚିତ୍ରା ସୁଧୀରଙ୍କ ହାତକୁ ଚା କପଟି ବଢେଇ ଦେଲେ । ଚା କପଟା ହାତକୁ ଉଠାଇ ନେଲେ ଜଳଖିଆତକ ଘୁଞ୍ଚାଇ ଦେଲେ ସୁଧୀର ବାବୁ । ଏକାଥରକେ ଚା, ସେତକ ନିଶେଷ କରିଦେଇ କପ୍‌ ଓ ପ୍ଲେଟ୍‌ ଟେବୁଲ ଉପରେ ରଖିଦେଲେ ।

 

—ଏ କଣ ?

 

—ନା, ନା, ମୁଁ ଖାଇବିନି—ଖାଇ ପାରିବିନି ।

 

—ନ ଖାଇଲେ ମୁଁ ମନେ କରିବି ଆପଣ ଏବେ ବି ମୋ ଉପରେ ଅସନ୍ତୁଷ୍ଟ । ଆପଣ କିଛି ନ ହେଲେ ମୋର ଅତିଥି ତ ? ସେ ସବୁଖାଇ ଦିଅନ୍ତୁ—ନଚେତ୍‌ ଦୁଃଖ କରିବି ।

 

ସୁଧୀର ପୁରୀରୁ ଖଣ୍ଡିଏ ଧରି କହିଲେ, କିନ୍ତୁ ଗୋଟିଏ ସର୍ତ୍ତରେ । ରାଜି ?

 

ନା, ନା, ନା । ସୁଚିତ୍ରା ଆଉ ଭୁଲ୍‍ କରିବେନି । ସେ ସର୍ତ୍ତ ଫର୍ତ୍ତ କିଛି ଜାଣନ୍ତିନି । ତାଙ୍କ ପାଖରେ ସେହି ସତ୍ୟ—ସେହି ବେଦ ସେହି ମର୍ମବାଣୀ ହିଁ ଜୀବନ । ଆଉ ସେ ପଥରେ ନୁହେଁ । କୌଣସି ପୁରୁଷକୁ ନେଇ ଆଉ ସେ ତାଙ୍କ ଜୀବନ ଉପରେ ପ୍ରଭାବ ବିସ୍ତାର କରିବାକୁ ଦେବେନି । କେବେ ନୁହେଁ । କୌଣସି ଯୁବକକୁ ତାଙ୍କର କ୍ଷତ ବିକ୍ଷତ ହୃଦାୟ ଆଉ ସମପର୍ଣ କରିବେନି । ଯଥେଷ୍ଟ ଶିକ୍ଷା ପାଇଛନ୍ତି ସେ । ଯଥେଷ୍ଟ ଲାଞ୍ଛନା—ଆଉ କଳଙ୍କ ।

 

କିଛି ଉତ୍ତର ନା ଦେଇ ସେଠୁ ନୀରବରେ ଚାଲିଗଲେ ସୁଚିତ୍ରା ।

 

ହାତ ଧୋଇବାକୁ ବାରଣ୍ଡାକୁ ଆସିଲେ ସୁଧୀର ବାବୁ ଦେଖିଲେ ନିଜ ଶୋଇବା ଘରର ଦରଜା ଆଗରେ ମୁହଁ ତଳକୁ କରି ଠିଆ ହୋଇଛନ୍ତି ସୁଚିତ୍ରା । ମନଟା ତାଙ୍କର ଭାରୀହୋଇ ଉଠିଛି-। ଛାତି ଭିତରେ ଦୁଃଖର ଢେଉ । ସେ ନୀରବ ଓ ନିବାକ । ମନରେ ରାଗ ଓ ଅଭିମାନ । କେଶ ରାଶି ଫାଟି ପଡ଼ିଛି ପିଠି ଉପରେ ଏଣେ ତେଣେ ।

 

ସୁଧୀରଙ୍କର ଶେଷ କଥାର କଣ ବା ସେ ଉତ୍ତର ଦେବେ ? ମନରେ ଶଙ୍କା, ଅବିଶ୍ଵାସ, ସନ୍ଦେହ ପୁରୁଷଜାତି ଉପରେ । ସେହି ସୁଧୀର ବାବୁ ତାଙ୍କୁ ଠକିଛନ୍ତି—ତାଙ୍କର ସର୍ବନାଶ କରିଛନ୍ତି-। ଆତ୍ମସମ୍ମାନ ଉପରେ ସେ ଯେଉଁ ଆଘାତ ପାଇଛନ୍ତି ସେ ଆଘାତର କୌଣସି ଔଷଧ ନାହିଁ । ସେ କ୍ଷତ ଶୁଖିବନି କେବେ । ଦିନେତ ସେ ପୁଣି ସୁଧୀରଙ୍କ ମନ ଆକାଶରେ ସ୍ଥିର ମେଘ ପରି ଭାସି ଉଠିଥିଲେ । ଆଜି ସେ ଚଲା ମେଘ ପରି ବହୁଦୂରକୁ ଭାସିଯାଇଛନ୍ତି । ସେହି ଜାଗାରେ ଆଉ ଖଣ୍ଡିଏ ସ୍ଥିର ମେଘର ରାଜତ୍ଵ ।

 

ସେ ଠକ୍ ଠକ୍ ହୋଇ କମ୍ପି ଉଠିଲେ । ସତେ ଯେପରି ତଳେ ପଡ଼ିଯିବେ ମୂର୍ଚ୍ଛିତା ହୋଇ-

 

ସୁଚିତ୍ରାଙ୍କ ଥରଥର ଦେହଟାକୁ ହଠାତ୍‌ ଧରି ପକେଇ ଗଭୀର ସ୍ନେହରେ ସୁଧୀର କହିଲେ, ଚିତ୍ରା ! ପ୍ରକୃତିସ୍ଥ ହୁଅ ।

 

ଚମକି ପଡ଼ି ଅଳ୍ପ ଟିକିଏ ଘୁଞ୍ଚିଗଲେ ସୁଚିତ୍ରା । ଥରେ ସୁଧୀରଙ୍କ ଆଡ଼େ ଚାହିଁ ପୁଣି ଶାଢ଼ି ରେ ମୁହଁ ଢାଙ୍କିଲେ । କହିଲେ ଅନୁରୋଧ କରୁଛି, ମୋତେ ସ୍ପର୍ଶ କରନ୍ତୁନି ।

 

ସୁଧୀର ବାବୁ ପିଠି ଉପରୁ ହାତ ଖସାଇନେଲେ ।

 

ଦୁଇଗୁଣ ଥରି ଉଠିଲେ ବିକ୍ଷୁବଧା ସୁଚିତ୍ରା । କାନ୍ଥକୁ ଆଉଜିପଡ଼ି ବସି ପଡ଼ିଲେ । ଦୁଇ ହାତରେ ମୁହଁ ଲୁଚାଇ ଫୁଲି ଫୁଲି କାନ୍ଦି ଉଠିଲେ । ସେହି ଅଶ୍ରୁ ଅଭିମାନଭରା ବ୍ୟଥିତ କଣ୍ଠରେ ଗୁମୁରି ଉଠି ସୁଚିତ୍ରା କହିଲେ, କାହିଁକି ଆପଣ ମୋତେ ଏମିତି ଧପ୍‍ପା ଦେଲେ ? କାହିଁକି ଆପଣ ଏପରି ଅପମାନ ଦେଲେ? କାହିଁକି? କାହିଁକି ? କାହିଁକି ?

 

ଦୁଃଖ, ଅନୁତାପ ଓ ବିସ୍ମୟରେ ହତବାକ୍ ହୋଇଗଲେ ସୁଧୀର ।

 

—ଅପରାଧୀ କଣ କ୍ଷମା ପାଇପାରେନା ନା, ଚିତ୍ରା ?

 

ଶବ୍ଦ ନାହିଁ ।

 

—ଗୋଟିଏ ଜବାବ କଣ ଆଶା କରିବିନି ମୁଁ ତୁମ ଠାରୁ ?

 

ସୁଚିତ୍ରା ମୁହଁ ଟେକି କହିଲେ, ସେ କଥା ଉଠେଇ ମତେ ଆଉ ଲଜ୍ଜିତ କରନ୍ତୁନି ।

 

ପୁଣି ତଳକୁ ଚାହିଁଲେ ସୁଚିତ୍ରା । ଟଳ ଟଳ କରୁଛି ତାଙ୍କର ଆୟତ ଚକ୍ଷୁ ଦୁଇଟି—ଥରଥର କଣ୍ଠସ୍ଵର—କଣ୍ଠରେ ସ୍ପୁରିତ ବାଷ୍ପୋଚ୍ଛ୍ୱାସ ।

 

ସୁଧୀର ଶଙ୍କିତ ହୋଇ ଉଠିଲେ । ବାରଣ୍ଡାରେ ଦୁଇଚାରି ଥର ଏପାଖ ସେପାଖ ହେଲେ । ଗୋଟି ଗୋଟି କରି ଭାବି ଚାଲିଲେ ତାଙ୍କ ଅତୀତ ଜୀବନର ସାଲତମାମୀ ।

 

ଖଟ ଉପରେ ଧଡ଼୍‍କିନା ଯାଇ ପଡ଼ିଗଲେ ସୁଚିତ୍ରା । କଇଁ କଇଁ ହୋଇ କାନ୍ଦି ଉଠିଲେ । ଅବରୁଦ୍ଧ କ୍ରନ୍ଧନର ଆବେଗରେ କମ୍ପି ଉଠିଲା ସମସ୍ତ ଶରୀରଟା ।

 

ସୁଧୀର ଖଟର ଆବାଜ ଶୁଣି କୋଠରି ଭିତରକୁ ଦୌଡ଼ି ଗଲେ । ଅନେକ ଥର ଡାକିବା ପରେ ଧୀରେ ଧୀରେ ମୁହଁ ଉଠାଇଲେ ସୁଚିତ୍ରା । ଯେପରି ଗୋଟିଏ ଅସହାୟ ଶିଶୁ ମୁଖ । ଅଶ୍ରୁ ବନ୍ୟାରେ ଛଳ ଛଳ ଦୁଇ ଆଖିରେ ହାହାକାର ।

 

–କଣ ହେଲା ତୁମର, ଚିତ୍ରା ! ପୁଣି ପ୍ରଶ୍ନକଲେ ସୁଧୀର ।

 

ଆଖିର ଲୁହ ପୋଛି କହିଲେ,ସବୁ ଶେଷ ହୋଇ ଯାଇଛି । ମୁଁ ବି ଶେଷ ।

 

ପୁଣି ଭୋ ଭୋ ହୋଇ କାନ୍ଦି ଉଠିଲେ ସୁଚିତ୍ରା—ହୁ ହୁ କରି ଲୋତକ ଧାର ନଇଁ ଆସିଲା ତାଙ୍କର ଦୁଇ ଆଖିର ବନ୍ଧି ଭାଙ୍ଗି ।

 

ମୁଁ ତୁମକୁ ଦୁଃଖ ଦେବାକୁ ଆସିନି, ଚିତ୍ରା । ମୋର ସେହି ଦୋଷ ଦୁର୍ବଳତା ମାଫ୍‌ କର ।

 

ସେତେବେଳକୁ ସୁଚିତ୍ରାଙ୍କ ହୃଦୟ ଭିତରେ ଗୋଟିଏ ଚପା କ୍ରନ୍ଦନରବେଗ ଠେଲିପେଲି ଉପରକୁ ଉଠୁଥାଏ । ସେ ବାଷ୍ପଗୁମ୍ଫିତ କଣ୍ଠରେ କହିଲେ, ସେ ସବୁ କାହିଁକି ଆଉ ? ମୁଁ ତ ଆପଣଙ୍କୁ କେବେ ସେଥିପାଇଁ କୈଫିୟତ୍‌ ମାଗୁନି ।

 

ଭିତରେ ଭିତରେ ସୁଚିତ୍ରା ଛଟପଟ ହେଉଛନ୍ତି । ସେ ଭାବୁଛନ୍ତି—ଖାଲି ଭାବୁଛନ୍ତି—ଆଉ ଭାବୁଛନ୍ତି । ଆଦି ଅନ୍ତହୀନ ଅସୀମ ଭାବନାର ଏକ ଉତ୍ତାଳ ତରଙ୍ଗରେ ଯେପରି ଭାସି ଯାଉଛନ୍ତି ସୁଚିତ୍ରା ଦାସ । ଅଗଣିତ ଢେଉ ଆସୁଛି ସର୍ବତ ଉଚ୍ଚରେ । ଯେପରି ଗ୍ରାସ କରିଦେବ ତାଙ୍କୁ ଏହି ମୁହୂର୍ତ୍ତରେ । ବୁଡ଼େଇଦେବ ନେଇ ସେହି ଅତଳ ସମୁଦ୍ର ଗର୍ଭରେ । ତାଙ୍କର ଆଶ୍ରୟ ନାହିଁ । ନାହିଁ ନୌକା—ନାହିଁ ଅବଲମ୍ବନ । କିପରି ବଞ୍ଚିବେ ? କିଏ ବଞ୍ଚାଇବ ତାଙ୍କୁ ? ପଥ କାହିଁ ? କାହିଁ ପଥ ?

 

—ନା, ନା, ନା, ପାରିବିନି ମୁଁ । ମାଫ କରନ୍ତୁ । ଆଉ ନୁହେଁ । ମୁଁ ପାରିବିନି । ଆଉ ପ୍ରଶ୍ନ କରନ୍ତୁ ନି, ସାର୍‌ !

 

ଉଚ୍ଛ୍ଵସିତ କ୍ରନ୍ଦନର ଆବେଗରେ ଭାଙ୍ଗି ପଡ଼ିଲେ ସୁଚିତ୍ରା । ତାଙ୍କର ସବୁ ସମ୍ବନ୍ଧ ତୁଟି ଯାଇଛି—ସବୁ ସମ୍ପର୍କ ଛାଡ଼ି ଯାଇଛି । ଭଲ ପାଇବାର ଯେଉଁ ମୋହ ତାହାରି ଶିକାର ହୋଇ ସେହି ଦେଣା ସେ ତିଳତିଳ କରି ପରିଶୋଧ କରୁଛନ୍ତି । ଆଉ ସେହି ଜୀବନ ଓ ପ୍ରେମ ପିପାସାର ମୂଲ୍ୟ ତା’ଙ୍କୁ ଦେବାକୁ ପଡ଼ୁଛି ଚକ୍ଷୁର ଲୋତକରେ ।

 

ସୁଚିତ୍ରାଙ୍କ ପିଠି ଉପରେ ପୁଣି ଠାରେ ହାତ ରଖିଲେ ସୁଧୀର ବାବୁ । ଡାକିଲେ, ଚିତ୍ରା !

 

ସୁଚିତ୍ରା ସୁଧୀରଙ୍କ ହାତ ଖସେଇ ଦେଇ ଅଶ୍ରୁ ପ୍ଳାବିତ ମୁଖରେ କହିଲେ ମତେ କାନ୍ଦିବାକୁ ଦିଅନ୍ତୁ, ସାର୍‌ ! ଏ ପର୍ଯ୍ୟନ୍ତ କାନ୍ଦିଛି । ଜୀବନର ଶେଷ ପର୍ଯ୍ୟନ୍ତ ମତେ କାନ୍ଦିବାକୁ ଦିଅନ୍ତୁ-। ସେ ଦିନ ହସିଥିଲେ । ଆଜି କାନ୍ଦିବାରେ ସବୁ ଶେଷ କାନ୍ଦିବାରେ ସବୁ ଶେଷ ହେଉ ।

 

ସୁଚିତ୍ରା କାନ୍ଦିବାରେ ଲାଗିଲେ । ଅବାରିତ ସେ କାନ୍ଦ—ଆକୁଳ ବିକଳ କାନ୍ଦ । ବାଧା ଦେଇ ପାରିଲେନି ସୁଧୀର ।

 

ସୁଧୀର ଦୁଃଖ ଓ ଅନୁତାପରେ ଆଉ କିଛି କହିପାରିଲେନି । ସୁଚିତ୍ରାଙ୍କ ମନକୁ ଆୟତ୍ତ କରିବା ତାଙ୍କ ପକ୍ଷରେ ରୀତିମତ ସାଧ୍ୟାତୀତ ହୋଇଉଠିଲା । ବୁକୁ ଭିତରେ ଏକ ଭୀଷଣ ଶୂନ୍ୟତା-। ଅତଳ ସ୍ପର୍ଶୀ ଗହ୍ଵରର ସ୍ତବ୍ଧତା । ସେହି ମ୍ଳାନ ବିଷର୍ଣ୍ଣତାର ତରଙ୍ଗ ଯେପରି ତାଙ୍କର ସର୍ବାଙ୍ଗରେ ଫୁଲି ଉଠିଛି । ମରଣ ପରି ଗୋଟାଏ ବିଚିତ୍ର ଅନୁଭୂତ ମଝିରେ ନିଜକୁ ସେ ଡୁବେଇ ଦେଇଛନ୍ତି-। ଦେଖଛନ୍ତି ସେହି ଚେତନା ଉପରେ ଅସ୍ପଷ୍ଟ ଦୁର୍ବାର ଏକ ଅନ୍ଧକାର । ତାପରେ ଆହୁରି ଦୂରରେ ଅତଳାନ୍ତ ଘନ ଅନ୍ଧକାର ସେହି ଅନ୍ଧକାର ଯେପରି ତାଙ୍କୁ ଡେଣା ମେଲାଇ ଗ୍ରାସ କରିବାକୁ ଆସୁଛି-

 

ମନ ପରିବର୍ତ୍ତନ ପାଇଁ ସିଗାରେଟ୍‌ରେ ଅଗ୍ନି ସଂଯୋଗ କଲେ ସୁଧୀର । କିନ୍ତୁ ପାରିଲେନି । ଗୋଟିଏ ଟାଣ ଦେଇ ଜଳନ୍ତା ସିଗାରେଟ୍‌ ଟାକୁ ଝରକା ବାହାରକୁ ଫିଙ୍ଗି ଦେଲେ ।

 

ନୀରବ କୋଠରୀଟି କରୁଣ କ୍ରନ୍ଦନରେ ଗୁମର ଉଠୁଛି । ସୁଧୀର ଅନୁଭବ କଲେ ସେ ଯେପରି ଗୋଟାଏ ଗଭୀର ଅନ୍ଧକୂପ ଭିତରେ ବନ୍ଦୀ ହୋଇ ପଡ଼ିଛନ୍ତି ।

 

ସେ ଆଉ ଚେୟାର ଉପରୁ ଉଠି ପାରୁନାହାନ୍ତି । କେବଳ ଚିନ୍ତା କରୁଛନ୍ତି—ଆଉ ଭାବୁଛନ୍ତି । ମନ ଭିତରେ ଅସହନୀୟ ଯନ୍ତ୍ରଣା । ଗୋଟାଏ ଅବସାଦ କ୍ଳାନ୍ତି ଯେପରି ତାଙ୍କୁ ଘେରି ଘେରି ଧରିଛି । ଶରୀର ଅଳସ—ମନ ଅବଶ—ପଳେଇ ଯିବା ପାଇଁ ମନ ବଡ଼ ବ୍ୟଗ୍ର ।

 

କିନ୍ତୁ ସେ ଆସି କଲେ କଣ ?

 

ଆସିଥିଲେ ସାଢ଼େ ତିନିଶହ କୋଶ ବାଟରୁ ଅନେକ ଭାବି ଅନେକ ଚିନ୍ତା କରି ପାଇବାକୁ ଟିକିଏ ଶାନ୍ତି—ଟିକିଏ ଆରାମ । ଆସିଥିଲେ ବୁଦ୍ଧି ଯୁକ୍ତି ଶକ୍ତି କ୍ଷମତା ମାନ ଅପମାନ ଅତୀତ ବର୍ତ୍ତମାନ ସବୁ ଇସ୍ତଫା ଦେଇ ପାଇବାକୁ ଗୋଟିଏ ବିସ୍ତୃତି—ନିଶ୍ଚିତ ନିର୍ବିଘ୍ନ ନିରବଚ୍ଛିନ୍ନ ଗୋଟାଏ ପ୍ରଶାନ୍ତି । କିନ୍ତୁ ପାଇଲେ କଣ ?

 

ଅତି କଷ୍ଟରେ ଆତ୍ମ ସଂବରଣ କରି କହିଲେ, ଦୁର୍ଭାଗ୍ୟ ମୋର, ଚିତ୍ରା । ଅନେକଦିନ—ପ୍ରାୟ ଆଠବର୍ଷ ପରେ ତୁମରି ସାଙ୍ଗରେ ଏ ଦେଖା । ଭାବିଥିଲି କିଛି ଗୋଟାଏ ଅନୁକୁଳ ଉତ୍ତର ଦେବ ତୁମେ । କାହିଁକି ଏତେ ଦୂରକୁ ଛୁଟି ଆସିଥିଲି ତୁମ ପାଖକୁ ? ଖବର ନ ଦେଇ ଆସିଥିଲି ତୁମକୁ ଚମକାଇ ଦେବି ବୋଲି । ପାରିଲିନି । ହାରିଗଲି ତୁମ ପାଖରୁ । ଏଥର ମତେ ଫେରିଯିବାକୁ ଅନୁମତି ଦିଅ ।

 

ପୁନର୍ବାର ନୀରବତାର ରାଜତ୍ଵ ।

 

ସୁଚିତ୍ରା କଣ ଆଉ ଅନୁମତି ଦେବେ ? ମୌନଂ ସମ୍ମତି ଲକ୍ଷଣ । ସେ କୌଣସି ଉତ୍ତର ଦେଇ ପାରିଲେନି ।

 

ସବୁ ବ୍ୟର୍ଥ ହୋଇଛି ତାଙ୍କର । ମନପବନରେ ଉଡ଼ୁଛି ଅନେକ ଦିନର ପୁରୁଣା ଇତିହାସର ଛିନ୍ନପୃଷ୍ଠା ଟୁକୁରା ଟୁକୁରା ହୋଇ । କେବେ ହେଲେ ସେହି ଛାଡ଼ି ଆସିଥିବା ମଧୁର ଜୀବନ ସେ ଆଉ ଖୋଜି ପାଇବେନି । ତାଙ୍କର ସେହି ଯୌବନ ସ୍ଵପ୍ନ ମଦିରାଭରା ରଙ୍ଗିନ ଆଖିର ଦୃଷ୍ଟି ଦେଇ ତାକୁ ଆଉ ସେ କେଉଁ ଦିନ ଦେଖି ପାରିବେନି । ଚିରଦିନ ପାଇଁ ତାଙ୍କ ସବୁଜ ଫାଟକର ଚାବି ହଜିଯାଇଛି । ହଁ, ସେ ମଳୟାଙ୍କୁ ନାସ୍ତିବାଣୀ ଶୁଣାଇ ଚିଠିର ଉତ୍ତର ଦେବେ ।

 

ବିଷର୍ଣ୍ଣ ଜଙ୍ଗଲ ରାତି । କ୍ଵାର୍ଟରର ଚାରିଆଡ଼ ଅନ୍ଧକାର । ଆଗପଛ ସବୁ ଆଡ଼ ରାତ୍ରିର ନୀରନ୍ଧ୍ର ଅନ୍ଧକାର । ଝିଲ୍ଲୀ ଆଉ ପତଙ୍ଗର ମିଳିତ ଶବ୍ଦରେ ରାତ୍ରିର ସ୍ତବ୍‌ଧତା ମୁଖରିତ ହୋଇଉଠୁଛି-

 

ଶେଷକୁ ସୁଧୀର ବାବୁ ନିରୁପାୟ ହୋଇ ରାତାରାତି ଫେରି ଗଲେ ତାଙ୍କର କର୍ମକ୍ଷେତ୍ର କଲିକତାକୁ । ମଳୟା ବେମାର । ତାଙ୍କୁ ଛାଡ଼ି ବେଶୀ ସମୟ ବାହାରେ ରହି ହେବନି ।

 

ରାତି ବାରଟା । ସୁଧୀର ବାବୁ କେତେବେଳୁ ଚାଲି ଗଲେଣି । ଖାଲି ଲେଦର ସୁଟ୍‌କେସେ୍‌ଟା ତଳେ ପଢ଼ିଛି । ମୂଲ୍ୟବାନ ନାଇଲନ୍‌ ଶାଢ଼ି, ଫ୍ରେଞ୍ଚ୍‌କଟ୍‌ ବ୍ଳାଉଜ୍‌, ବ୍ଲୁ ନାଇଲନ୍‌ ରିବନ୍‌, ଫ୍ଲେକସ୍‌ ହାଇହିଲ୍‌ ସୁ, ସ୍ନୋ, ପାଉଡର ପ୍ରଭୃତି ଗଦାଏ ଉପହାର କୁଡ଼େଇ ହୋଇ ପଢ଼ିଛି ଖଟ ଉପରେ । ଆଉ ନିଷ୍ପ୍ରାଣ ନିଷ୍ପନ୍ଦ ସୁଚିତ୍ରା ପଡ଼ି ରହିଛନ୍ତି ସେଇଠି । କେଉଁ ଆଡ଼କୁ ଲକ୍ଷ୍ୟ ନାହିଁ ତାଙ୍କର ।

 

ଆହା ! କେତେ ଆଶା କରି ଆସି ନ ଥିଲେ ସୁଧୀର ବାବୁ ? ସତରେ ସେ ରିକ୍ତ ହସ୍ତରେ ଫେରିଗଲେ ? ତାଙ୍କ କଥାରେ ଅନୁକୂଳ ଉତ୍ତର ଦେଇପାରି ଥାନ୍ତେ ତ ସୁଚିତ୍ରା । ଏକଦମ୍‌ ନିରାଶ କରିଦେଲେ ତାଙ୍କୁ ।

 

ଆଉ ସୁଚିତ୍ରାଙ୍କର ଘୃଣା ନାହିଁ ସୁଧୀରଙ୍କ ଉପରେ । ସମସ୍ୟାର ସମାଧାନ ହୋଇ ଯାଇଛି । ସେ ଚିରଦିନ ତାଙ୍କ ମନରେ ରହିବେ ସିନା ଦେହରେ ନୁହେଁ । ସେ ଆଉ ସୁଧୀରଙ୍କ ମିଥ୍ୟା ଅଭିନୟକୁ ନେଇ ନୂତନ ବସା ବାନ୍ଧି ପାରିବେନି ।

 

ସହାନୁଭୂତିରେ ଭରି ଉଠିଲା ସୁଚିତ୍ରାଙ୍କ ମନ । ଡାକି ଉଠିଲେ ମଳୟା ଦିଦି ! ମୁ ନିଷ୍ଠୁର ନୁହେଁ । ଛାତି ଭିତରେ ତୁମପ୍ରତି ମୋର ଇର୍ଷାର ଜ୍ଵାଳା ନାହିଁ । ତୁମକୁ ସେ କଥା କେଉଁଦିନ ଶବ୍ଦ ଦେଇ ବୁଝେଇ ପାରିବାର ସୁଯୋଗ ଆସିବନି । କେଉଁଦିନ ମୁଖ ଫିଟେଇ ସେ କଥା ମୁ କହିପାରିବିନି ତୁମକୁ । କେଉଁଦିନ କଣ ସାରା ଜୀବନ ମୁଁ ଗୋଟିଏ ଶବ୍ଦ ଉଚ୍ଛାରଣ କରି ପାରିବନି । ମୁଁ ଆଜି ମୂକ । ଭାଷା ନାହିଁ ମୋ ମୁହଁରେ । ତୁମେ ପ୍ରକୃତରେ ଦେବୀ ପ୍ରତିମା । ମୋର ତୁମକୁ ଭକ୍ତି କରିବାର ଅଛି । କିନ୍ତୁ ଉପଚାର ଦେଇ ପୂଜା କରିବାର କିଛି ନାହିଁ—କିଛି ନାହିଁ ।

 

ତା ପରେ ଲେଟର୍‌ ପ୍ୟାଡ଼୍‍ ଆଣି ମଳୟାଙ୍କ ପାଖକୁ ଚିଠି ଲେଖି ବସିଲେ । ସେ ଚିଠିରେ ଲେଖିଲେ, ମଳୟା ଦିଦି, ଗୋଟାଏ ଉତ୍ତାଳ ତରଙ୍ଗ ଆଘାତରେ ଠେଲି ହୋଇ ଆପଣଙ୍କ ପାଖରୁ ମୁଁ ବହୁ ଦୂରକୁ ଭାସି ଯାଇଛି । ଗୋଟାଏ ବିଶାଳ ଲୌହ କବାଟ ଚିରକାଳ ପାଇଁ ସ୍ୱପ୍ନଜଗତରୁ ବିଚ୍ଛିନ୍ନ କରି ଦେଇଛି ମତେ । ସେହି ଲୁହା କବାଟ ଖୋଲି ସେ ପାଖକୁ ଆଉ କେଉଁଦିନ ମୁଁ ଯାଇ ପାରିବିନି । ଗୋଟାଏ ଅଚିହ୍ନା ପୃଥିବୀ ସମସ୍ତ ଅସ୍ପଷ୍ଟତା ନେଇ କୁହେଳିକା ଘେରି ଆଖି ଆଗରେ ପଥର ପାଚେରୀ ପରି ଛିଡ଼ା ହୋଇଛି । ସେ ପାଖରେ ଆଉ କଣ ଅଛି କିଏ ଜାଣେ ?

 

କିନ୍ତୁ ଏ ପାଖରେ ଅଛି ମରୁପଥ—ତଢାଣୀ ଉତ୍ତରାଣୀ—ଘାଟି ଉପତ୍ୟକା । ଆଉ ନୀଳ ସମୁଦ୍ର ଭିତରେ ନିର୍ଜନ ଦ୍ଵୀପ । କିଏ ଜାଣେ ହୁଏତ ବଣଜଙ୍ଗଲ ପ୍ରାନ୍ତର—ଦୂର ପାହାଡ଼ର ଛାଇ—ନଈ କୂଳେ କୂଳେ ଅକଳନ୍ତି ବାଲିଢେପ—କେତେ କଣ ।

 

ଚିଠି ଲେଖି ସାରିଲେ । କାଲି ଡାକରେ ଦେବେ ।

 

ବାହାରକୁ ଆସି ଉଦାସ ନୟନରେ ଉପରେ ଆକାଶକୁ ଚାହଁ ରହିଲେ କିଛି ସମୟ । ଆକାଶରେ କୋଟି କୋଟି ତାରା ।

 

ଆଜି ସେହି ଚିରନ୍ତନ ସତ୍ୟକୁ ସେ ଚେଷ୍ଟା କରୁଥିଲେ ମନେ ମନେ ବିଶ୍ଳେଷଣ କରିବାକୁ । ସେ ନିଜେ ନିଜର ହିଁ ବିଶ୍ଵାସ ଯୋଗ୍ୟ ଅବଲମ୍ବନ—ଅସଂଦିଗ୍‌ଧ ପରମ ଆଶ୍ରୟ ସ୍ଥଳୀ-

 

ଆଖି ଆଗରେ ଭାସି ଉଠିଲା ଆଠବର୍ଷ ତଳର ବୋଉର ସେ କରୁଣା କାତର ନିବେଦନ-କାନ ପାଖରେ ବାଜିଗଲା ବାପାଙ୍କର ସେହି ମିନତିପୂର୍ଣ୍ଣ ଅନୁରୋଧ । ଚିତ୍ରା ! ବିବାହ ପାପ ନୁହେଁ । ତାହା ପୁରୁଷ ଓ ନାରୀଙ୍କ ଜୀବନ ନଦୀର ସୁଦୃଢ଼ ସେତୁ । ତୁ ନାହିଁ କରନା ଚିତ୍ରା ।

 

ସେ ଦିନର ସେ ବାପାଙ୍କ କଥା ରଖି ନ ଥିଲେ । କାହାର ଯୁକ୍ତି ଶୁଣି ନ ଥିଲେ । ଖାଲି ବାପା ଆଉ ମା ନୁହେଁ । ତାଙ୍କର ପ୍ରତ୍ୟୋକ ମଙ୍ଗଳାକାଙ୍‌କ୍ଷୀ ବନ୍ଧୁ ଯେଉଁମାନେ କି ତାଙ୍କର ଶୁଭ ପରିଣୟ ଲାଗି ଆପ୍ରାଣ ଚେଷ୍ଟା କରିଥିଲେ ସେମାନଙ୍କ କଥା ବି ରଖି ନ ଥିଲେ ସୁଚିତ୍ରା । ସେଥିପାଇଁ ଜୀବନସାରା ତାଙ୍କୁ ଅନୁତାପ କରିବାକୁ ପଡ଼ୁଛି । ତେବେ କଣ ସେ ଭୁଲ କରିଛନ୍ତି ? ହଁ, ନିଶ୍ଚୟ ଭୁଲ୍ କରିଛନ୍ତି ।

 

ପୁଣି ଯାଇ ଖଟ ଉପରେ ଶୋଇପଡ଼ିଲେ ।

 

ନିସ୍ତବ୍‌ଧ ରାତି । ନଥର ହୋଇ ପଡିଛି ଏଡେ ବଡ଼ ସ୍କୁଲ ହଷ୍ଟେଲ । ଶୋଇ ପଡ଼ିଛନ୍ତି ସମସ୍ତେ । ଶୋଇ ପଡ଼ିଛନ୍ତି ଶୈଳବାଳା, ପ୍ରମିଳା, ସୁଶିଳା, ସୁପ୍ରଭା ଓ ଅନ୍ୟମାନେ । ନିଦ ନାହିଁ କେବଳ ସୁଚିତ୍ରା ଦାସଙ୍କର ।

 

ଭାବି ଭାବି ରାତି ଆସି ଗୋଟାଏ ହେଲାଣି । ବିଛଣାରେ ପଡ଼ି ଛଟପଟ ହେଉଛନ୍ତି । ଏହି ମଝିରାତିର ନିର୍ଜନତା ଭିତରେ ଲୁହ ଥପଥପ ହୋଇ ପଡ଼ି ତକିଆ ଭିଜି ଗଲାଣି ।

 

ସେ ନିତି ଏହିପରି କ୍ଵାର୍ଟରରେ ବସି ଆଖିରେ ପାଣି ଢାଳନ୍ତି । ଅନ୍ତର ଦେଇ କାନ୍ଦନ୍ତି । ତଥାପି କାନ୍ଦିବାର ବିରାମ ନାହିଁ । ଲୁହର ବି ଶେଷ ନାହିଁ । ଏହି ଲୁହ ତାଙ୍କ ନିଃସଙ୍ଗ ଜୀବନର ଏକମାତ୍ର ସାଥି ।

 

ତେଣେ ଶାଳୁଆ ଗଛର ଶୁଖିଲା ପତ୍ର ଛାତ ଉପରେ ପଡ଼ି ଖସ୍‌ ଖସ୍‌ ଶବ୍ଦ କରେ । ଅସଂଖ୍ୟ ଟ୍ରକ୍‌, ଜିପ୍‌ ଯିବା ଆସିବା ଶବ୍ଦରେ କାନ ବଧିର ହୋଇଉଠେ ।

 

ବାହାରକୁ ଉଠିଲେ । ଦେଖିଲେ ଅଳ୍ପ ଦୂରରେ ଡାହାଣୀ ଆଲୁଅ । ଘର ଭିତରକୁ ଦୌଡ଼ି ଆସି ହଟାତ କବାଟଟା ବନ୍ଦ କରିଦେଲେ । ଝରକା ଖୋଲି ଦେଖନ୍ତିତ ଡାହାଣୀଟା ଚାଲି ଚାଲି ଯାଉଛି ନଈ ଆର ପାଖ ମଶାଣି ପଦାକୁ । ବଡ଼ ଭୟ ପାଇଲେ ସୁଚିତ୍ରା । କାହିଁକି ଏପରି ଯାଗାକୁ ସେ ଆସିଲେ ! ପୁଣି ଯାଇ ବିଛଣାରେ ଗଡ଼ି ପଡ଼ିଲେ ।

 

ଦିନେ ଦିନେ ରାତି ବାରଟାରେ ମଟର ସାଇକେଲ ଶବ୍ଦ କାନକୁ ଆସେ—ଡାଇନାମା ଲାଇଟ୍‌ ସେଇଠି ନିଭିଯାଏ—ସାଇକେଲ୍‌ ସେଇଠି ଅଟକିଯାଏ । ଆଉ ସ୍ଵର ନାହିଁ—ଶବ୍ଦ ନାହିଁ । କିଏ ଆସେ—କାହିଁକି ଆସେ ଜାଣି ପାରନ୍ତିନି ସୁଚିତ୍ରା । ତଥାପି ଭାବନ୍ତି ସେହି ଜୟନାରାୟଣ ବାବୁ କଣ ଜୁନାଗଡ଼ରୁ ଆସି ପ୍ରତିଶୋଧ ନେବାର ଉଦ୍ୟମ କରୁଛନ୍ତି ? ହଁ, ତାଙ୍କ ପକ୍ଷରେ ସେ କଥା କିଛି ଅସମ୍ଭବ ନୁହେଁ ।

 

ତେବେ କଣ ସେ ଆତ୍ମହତ୍ୟା କରିବେ ? ଓଡ଼ିଆ ରମଣୀର ସେଇ ପୁରାତନ ପଥକୁ ବାଛି ନେବେ ? ଟିକ୍‌ ଟ୍ୱେଣ୍ଟୀ ମୁହଁରେ ଦେବେ ? ନହେଲେ କିରୋସିନୀ ବା ପେଟ୍ରୋଲ ଢାଳି କାଠି ଛୁଆଁଇ ଦେବେ ? ନା, ନା, ତାହା କରି ପାରିବେନି ସେ । ପୋଲିସ୍‌ ଆସିବେ—ଡାକ୍ତର ପୋଷ୍ଟ୍‌ ମଟର୍ମ କରିବେ—ଦୁନିଆ ଲୋକେ ଠିଆ ହୋଇ ହସୁଥିବେ ?

 

ତାହା ହେଲେ କେବେ ମାରିବେ ସେ ? ଏମିତି କଣ ସାରାଜୀବନ ଜଳିପୋଡ଼ି ସନ୍ତୁଳି ହେଉଥିବେ ? ବାସ୍ତବିକ ଜୀବନରେ ସବୁଦିନର ଝଡ଼ ଅପେକ୍ଷା ଦିନକର ମହାପ୍ରଳୟ ଭଲ । ଆଉ ତାହାଠାରୁ ଅଧିକ ଭଲ ତା ଉପରେ ନୂତନତ୍ଵର ପ୍ରତିଷ୍ଠା ।

 

କର ନେଉଟାଇଲେ । ଗୋଟାଏ କରମାଡ଼ି ଶୋଇ ଶୋଇ ଦେହ ବଥେଇଲାଣି ।

 

ଲଣ୍ଠନ ଆଲୁଅଟା ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଉଠି ଆସି ଟିକେ ତେଜିଦେଲେ ।

ଫେରିଯାଇ ପୁଣି ଚିତ ହୋଇ ଶୋଇ ପଡ଼ିଲେ । ଭିତର ଛାତର ଲୁହା କଡ଼ି ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ସେଇଠି ଦଉଡ଼ି ଲଗାଇ ମଣିଷଟା ତା ସହଜରେ ଝୁଲି ପାରିବତ ? ଏତେ ଉଚ୍ଚ ? ହଁ, ଟେବୁଲ୍‌ ଉପରେ ଚୌକିଟାକୁ ରଖି ଛିଡ଼ା ହୋଇଗଲେ ହାତଟା ନିଶ୍ଚୟ ପାଇବ । କାନ୍ଥର ଉଚ୍ଚତା ଦଶଫୁଟରୁ ତ ଆଉ ଅଧିକ ହେବନି ?

ପରକ୍ଷଣରେ ସେ ମତ ପୁଣି ବଦଳିଯାଏ । ମଉସାଙ୍କ ଉପଦେଶ ମନେପଡ଼େ । ମଉସା କୁହନ୍ତି, ସରୋଜା ! ତୁ ମଣିଷ ହୋଇ ମନୁଷ୍ୟତ୍ଵକୁ ହତ୍ୟା କରିବୁ ? ଏତେ ପାଠ ପଢ଼ି ଜାଣିଶୁଣି ଆତ୍ମହତ୍ୟା ଦୋଷରେ କଳଙ୍କିତା ହେବୁ ? ମଣିଷ ସେବା କରୁଛୁ ପରା ? ଭଗବାନଙ୍କ ସୃଷ୍ଟିର ଜୀବ ଏହି ଆଦିବାସୀ ହରିଜନ ବାଳିକାଙ୍କୁ ମଣିଷ କରି ଗଢ଼ୁଛୁ ପରା ? ଏଇଟା କଣ ତୋର କର୍ତ୍ତବ୍ୟ ନୁହେଁ ? ତେବେ ଦୁନିଆରେ କଣ ଆଦର୍ଶ ଦେଖେଇବୁ ତୁ ?

ସେ କଥାର ଉତ୍ତର ସେଦିନ ସେ କିଛି ଦେଇନଥିଲେ ମଉସାଙ୍କୁ । ମନେ ମନେ ଭାବି ନେଇଥିଲେ ମଉସା ଯାହା କହିଲେ ବାସ୍ତବିକ ତାହା ଅକ୍ଷରେ ଅକ୍ଷରେ ସତ୍ୟ । କିନ୍ତୁ ତାଙ୍କ ଅନ୍ତର ଭିତରେ ଥିବା ପୁଞ୍ଜିଭୂତ କୋହ ମଉସା କଣ ଜାଣନ୍ତି ନି ? ହଁ, ସେ ଜାଣନ୍ତି ସବୁ । କଣ ବା କରିବେ ସେ ।

ଖିଡ଼ିକି ଭିତର ଦେଇ ଶାଳଗଛ ଫାଙ୍କରୁ ମେଞ୍ଚାଏ ଜହ୍ନ ଆଲୁଅ ଆସି ପଡ଼ିଲା ତାଙ୍କ ମୁହଁ ଉପରେ—ବିଛଣା ଉପରେ । ସେହି ରଜତ ଶୁଭ୍ରଧାରା ଆଡ଼େ ଚାହିଁ ସେ ଭାବିଲେ ସେ ତ କେବେ ଏପରି ଜ୍ୟୋସ୍ନା ଦେଖି ନାହାନ୍ତି ? ଜୀବନର ଏଇ ଅସମୟରେ ତାଙ୍କର ଚନ୍ଦ୍ର ଜ୍ୟୋସ୍ନାର ପ୍ରୟୋଜନ ନ ଥିଲା । ଆଜି କାହିଁକି ତେବେ ମୁଖ ଉପରେ ସେହି ଜୋଛନାର ଉଚ୍ଛଳ ତରଳ ହାସ୍ୟ ବିଳାସ ?

ତା ପଛକୁ ପୁଣି ଧୀର ଶୀତଳ ପବନର ଜୁଆର । ଏମାନେ ଆଉ ତାଙ୍କୁ ବଞ୍ଚେଇ ଦେବେନି । ଜୀବନରେ ଏହିମାନେ ତାଙ୍କୁ ବାସ୍ତବିକ ବଡ଼ କଲବଲ କରୁଛନ୍ତି ।

ସୁଚିତ୍ରା ଧଡ଼୍‍କିନା ଝରକାଟା ବନ୍ଦ କରିଦେଲେ । ଡାଆଣୀଟା ସେତେବେଳୁ କୁଆଡ଼େ ଚାଲିଗଲାଣି ।

ପାଖ କ୍ଵାଟର ଭିତରୁ କୁନା କାନ୍ଦି ଉଠିଲା । ମା ଶୈଳବାଳା ବୋଧହୁଏ ନିଘୋଡ଼ ନିଦରେ ଶୋଇ ଯାଇଛି । ଦଶମାସର ପୁଅଟି । ଡାକ ନାମ ତାର କୁନା । ପ୍ରକୃତ ନାମ ପ୍ରବୀର କୁମାର ।

ହଷ୍ଟେଲ ଭିତରୁ ନୂଆ କରି ଆଡ୍‌ମିସନ୍‌ ନେଇଥିବା ଛୋଟ ଛୋଟ ବାଳିକାଙ୍କର ଚିତ୍କାର ଆସି କାନରେ ବାଜେ । କିଏ ମା ମା ଡାକି ବିଳି ବିଳାଏ । କିଏ ଉଠି ବସି କାନ୍ଦେ । ବାପ ମା ଛାଡ଼ି ଆସିଛନ୍ତି । ଏଥିରେ କଣ ଆଉ ସୁଚିତ୍ରାଙ୍କର ନିଦ ହୁଏ ?

ନା, ଆଉ ଶୋଇ ହେବନି । ଉଠି ବସିଲେ ବିଛଣା ଉପରେ ।

ଏହି ଘରର ଜିନିଷମ ନ ଆଉ ଏଣିକି କଣ ହେବ ତାଙ୍କର ? ଟ୍ରାନ୍‌ଜିଷ୍ଟର ରେଡିଓ, ଟେବୁଲ ହାରମୋନିୟମ, ଫଟୋ କ୍ୟାମେରା, ଆଲମାରି, ପଲଙ୍କ ଶୋଭିତ ସୁସଜ୍ଜିତ କୋଠରୀ ଯେପରି ଶୂନ୍ୟତା ଓ ହାହାକାର ମଧ୍ୟରେ ଭରିଯାଇଛି ।

 

ଚେୟାର ଉପରେ ବସିଲେ । ବାଇବଲ ବହିଟି ଧରିଲେ ପଢ଼ିବାକୁ । ପଢ଼ି ହେଲାନି । ପୁଣି ଆସି ଆଖି ବୁଜି ପଡ଼ିଲେ ବିଛଣା ଉପରେ । କିନ୍ତୁ ନିଦ କାହିଁ ?

ନିଦ ତାଙ୍କର ନିହାତି ଦରକାର । ସେ ଏମିତି ଆଠବର୍ଷ ହେଲା ମୋଟେ ଶାନ୍ତିରେ ଶୋଇନାହାନ୍ତି । ନିଦ୍ରାଦେବୀଙ୍କ ସହିତ ତାଙ୍କର ଯେପରି ଅସହଯୋଗ । ଏହି ନିଦ ପାଇଁ କେତେ ଔଷଧ ଖାଇସାରିଲେଣି । ତଥାପି ନିଦ ନାହିଁ । ତେବେ ସେ ବଞ୍ଚିବେ କିପରି ?

ମନରେ ତାଙ୍କର ଅସରନ୍ତି ଭାବନା । ବାସ୍ତବିକ ଭାବନା ଗୁଡ଼ାକ ଏହି ରାତିରେ ବେଶି ମନରେ ଆସନ୍ତି । ବଡ଼ କଲବଲ କରନ୍ତି । ବିଗତ ଆଠବର୍ଷ ଧରି ସେ କେତେ ଭାବିଛନ୍ତି—ଜୀବନଟାକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଛନ୍ତି—ନିଜକୁ ତଉଲିଛନ୍ତି—ମାପିଛନ୍ତି । କିନ୍ତୁ ଯେଉଁ କଥାକୁ ସେହି କଥା ।

ପାହାନ୍ତି ଥଣ୍ଡା ପବନରେ ଟିକେ ନିଦ ଆସିଗଲା କେତେବେଳେ ସେ ଜାଣନ୍ତି ନି ।

ସନ୍ଧ୍ୟା ଆସନ୍ନ ପ୍ରାୟ ।

ପ୍ରଶାନ୍ତ ନୀଳ ଆକାଶ । ବସା ଫେରନ୍ତା ପକ୍ଷୀମାନଙ୍କର ଦଳ ଦଳ ଶୋଭାଯାନ୍ତ୍ରା । କଳ କଳ ହୋଇ ବହି ଚାଲିଛି ଅଙ୍ଗୀ ନଦୀର ଚଳ ଚଞ୍ଚଳ ସ୍ରୋତ ସ୍ଲୁଇସ ଗେଟ୍‌ ଭିତର ଦେଇ । ସ୍ଲୁଇସ ଉପରେ ଅତିକ୍ରମ କରି ଯାଉଛି ପ୍ରତି ପାଞ୍ଚ ଦଶ ମିନିଟ୍‌ରେ ଜିପ୍‌, କାର୍‌, ଟ୍ରକ୍‌, ବାସ୍‌ କେତେ । ଧୂଳି ପଟଳ ବାତାୟନ ଫାଙ୍କରେ ଭରି ଦେଉଛି ସୁଚିତ୍ରାଙ୍କ ବସାଘର ଭିତରଟାକୁ ।

ସାମନା ଝରକାର ରେଲିଂଧରି ଛିଡ଼ା ହୋଇଛନ୍ତି । ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଛନ୍ତି ବାହାର ଆକାଶକୁ । ଖିଡ଼ିକି ଭିତରଦେଇ ମୁକୁଳା ଧୀର ପବନ ଆସି ବାଜୁଛି ତାଙ୍କ ମୁଖରେ, ଛାତିରେ । ଲାଇକା କେତେବେଳେ ଆସି ପାଦ ପାଖରେ ଶୋଇ ଧକଉଛି ।

ପଶ୍ଚିମ ଆକାଶ ଲାଲ ଗୁଲାଲ । ଅଥଚ ତାଙ୍କ ମନ ତଳେ ତଳେ ଏକ ବର୍ଣ୍ଣହୀନ ସକରୁଣ ପରିବେଶର ନିର୍ମମ ନିସହାୟତା । ଛାତି ଭିତରେ ଜମାଟ ବନ୍ଦା ହା ହୁତାଶର କୁହେଳିକା-

ଦୂର ଚକ୍ରବାକ ଆର ପାରିରୁ ରାତିର କଳା ପରଦା ଧୀରେ ଧୀରେ ନଇଁ ଆସୁଛି । ସନ୍ଧ୍ୟା ତାରାଟିଏ ଜଳି ଉଠିଲା । ଗୋଟିକ ପରେ ଆହୁରି ଗୋଟିଏ । ଅସଂଖ୍ୟ ତାରା । ସେହି ତାରାମାନଙ୍କୁ ଛୁଇଁ ଛୁଇଁ ଭାସି ଯାଉଛି ଛୋଟିଆ ଧଳାମେଘ ଖଣ୍ଡେ ।

ଝରକା ଉପରେ ଝୁଙ୍କିପଡ଼ି କଣ ଯେପରି ଦେଖୁଛନ୍ତି ସୁଚିତ୍ରା । ଆଗରେ ହଜାର ହଜାର ଜୋନାକି ଗଛର ଲତାରେ ପତ୍ରରେ । ତଥାପି ସେ ଛିଡ଼ା ହୋଇଛନ୍ତି ସେମିତି ।

ସେ ମନରେ ଭାବିଲେ କଣ ବା ତାଙ୍କର ନାହିଁ ? ସବୁ ଅଛି—ପୁଣି ସବୁ ନାହିଁ । ଅଛି କେବଳ ତାହାରି ଛାଇ । ସୁଯୋଗ ଜୀବନରେ ଥରେ ଆସେ । ଆସିଥିଲା ଥରେ । କିନ୍ତୁ ଯାହାଙ୍କୁ ସେ ଖୋଜୁଥିଲେ ତାଙ୍କୁ ପାଇଲେ ନି ତ ?

ସୁଧୀରଙ୍କର ନିଷ୍ଠୁରତାର ଅସ୍ତ୍ରରେ ସେ ତିଳତିଳ ହୋଇ କ୍ଷୟ ହୋଇ ଯାଉଛନ୍ତି ଯେପରି-। ରୂପ, ରସ, ରଙ୍ଗହୀନ ଗୋଟାଏ ଧୂସର, ପାଣ୍ଡୁର ବିବର୍ଣ୍ଣତା ଯେମିତି ତାକୁ ଆଚ୍ଛନ୍ନ କରି ରଖିଛି-

 

ଆତ୍ମସମ୍ମାନ ଉପରେ ସେ ଯେଉଁ ଆଘାତ ପାଇଛନ୍ତି ସେହି ଆଘାତର ବେଦନା ତାଙ୍କୁ ଉଦ୍‍ଭ୍ରାନ୍ତ କରି ଦେଇଛି । ସେ ଅନୁତାପ ଅନଳରେ ପଡ଼ି ଛଟପଟ ହେଉଛନ୍ତି । ଆଉ କେତେଦିନ-? କେତେ ଦିନ ସହିବେ ସେହି କ୍ଷୁଦ୍ର ବୈଚିତ୍ର୍ୟହୀନ ଜୀବନରେ ବ୍ୟଥା ଯନ୍ତ୍ରଣାଭରା ଅସହ୍ୟ ଭାରକୁ ?

 

ଆଖିରୁ ଝର ଝର ହୋଇ ଲୁହ ଝରୁଛି । ଲୋକ ଲଜ୍ଜାକୁ ଆଉ ଭୟ ନାହିଁ ତାଙ୍କର । ସେ କରିବେ ଏଥର ଆତ୍ମହତ୍ୟା । କେହି ଜାଣିବେନି—କୋହ ଶୁଣିବେନି—ତାଙ୍କ ପାଇଁ କେହି ଆକୁଳ ହେବେନି—କେହି ଆଖିରୁ ଲୁହ ଗଡ଼େଇବେନି । ସେ ହଜିଯିବେ ଏହି ଅଙ୍ଗୀ ନଦୀ ବକ୍ଷରେ । ହଜିଯିବ ତାଙ୍କର ସ୍ଥିତି ମୂର୍ତ୍ତି ଚିରଦିନ ପାଇଁ ।

 

ଆତ୍ମହତ୍ୟାର କଳଙ୍କ ? ଅଭାଗିନୀର ଆଉ କଳଙ୍କ କଣ ? ସେ କଳଙ୍କି ଚାନ୍ଦପରି ଆଉ କାହିଁକି ବା ବଞ୍ଚି ରହିବେ ବୃଥାରେ ?

 

କିପରି ବା ବୁଡ଼ି ମରିବେ ସେ ? ସେ ଯେ ଭଲ ପହଁରି ଜାଣନ୍ତି । ଦିନେ ଛାତ୍ରୀ ଜୀବନରେ ଏହି ପହଁରିବା ପାଇଁ ପ୍ରଥମ ପୁରସ୍କାର ପାଇଥିଲେ । ନା, ସେ ବୁଡ଼ି ମରି ପାରିବେନି ।

 

ବିବ୍ରତ ହୋଇ ଦୀର୍ଘ ନିଶ୍ଵାସଟିଏ ଛାଡ଼ିଲେ ।

 

ଚାକିରିଟା ଆଉ ତାଙ୍କୁ ଭଲ ଲାଗୁନି । ସାରା ଜୀବନ ଚାକିରିରେ କଟାଇ ଆଉ କଣ ମିଳିବ ତାଙ୍କୁ ? ମିଳିବ ଅର୍ଥ ଆଉ ପ୍ରତିଷ୍ଠା । ସେହି ଅର୍ଥ ଓ ପ୍ରତିଷ୍ଠା ପଛରେ କଣ ସେ ଜୀବନସାରା ଗୋଡ଼ାଉଥିବେ ? ନା, ତାଙ୍କର ସେ ଅର୍ଥ, ପ୍ରତିଷ୍ଠା, ସମ୍ମାନ ଆଉ ଦରକାର ନାହିଁ ।

 

ତାଙ୍କର ବେଶଭୂଷାର ଆଡ଼ମ୍ବର ନାହିଁ । ସୁନା ଅଳଙ୍କାରପ୍ରତି ଆଦର ନାହିଁ । ଶରୀର ପ୍ରତି ଦୃଷ୍ଟି ନାହିଁ । ପଢ଼େଇବାକୁ ଇଚ୍ଛା ନାହିଁ । ସେହି ରୁଟିନବନ୍ଧା କାମଗୁଡ଼ାକ ବଡ଼ ନୀରସ ବୋଧ ହେଉଛି ତାଙ୍କୁ । ଧେତ୍‌, ସକାଳରୁ ରାତି ଦଶଟାଯାଏ ଏକା ରକମ କାମ ରୋଜ୍‌ ?

 

ପରିବର୍ତ୍ତନଶୀଳ ଦୁନିଆରେ ବହୁ ପରିବର୍ତ୍ତନ ଘଟିଛି । ସତେ କଣ ଆଉ ସୁଚିତ୍ରାଙ୍କର ସେହି ଆଶାଫୁଲ ଫୁଟିବନି ? ଫଳହେବନି ? ସେହି ଶୁଷ୍କ ନୀରସ ଜୀବନର ଅଗଣା ରେ ଆଉ କାହାରି ପଦଚିହ୍ନ ପଡ଼ିବନି ? ଜୀବନର ମରୁପ୍ରାନ୍ତର ଉପରେ ସଜ ଶୀତଳ ପ୍ରେମ ଫୁଲ ଫୁଟିବନି ? ନା, ନା, କେବେ ନୁହେଁ । ସେହି ମହାନଦୀର ସଞ୍ଜ ସେହିପରି ତାଙ୍କ ଜୀବନରେ ଗୋଟିଏ ଇତିହାସ ହୋଇ ରହିଯିବା ଶେଷ ପର୍ଯ୍ୟନ୍ତ ।

 

ସେ ନେଇଛନ୍ତି ଏକ ଜ୍ଵଳନ୍ତ ଶପଥ । ଆଉ ସେ ଏ ଜଗତକୁ ବିଶ୍ଵାସ କରିବେନି । ପଶୁବୃତ୍ତିଧାରୀ ତଥାକଥିତ ଶିକ୍ଷିତ ସମାଜକୁ କେବେହେଲେ ବିଶ୍ଵାସ କରିବେନି । ତାଙ୍କର ସଂସାର ଅଲଗା—ସମ୍ବନ୍ଧ ହୀନ । ଯେଉଁ ପୁରୁଷ ଜାତିର ପ୍ରଲୋଭନ, ପ୍ରତାରଣା, ନିଷ୍ଠୁରତା ତାଙ୍କର ନାରୀଧର୍ମକୁ ବ୍ୟର୍ଥ କରିଛି ସେହି ପୁରୁଷଜାତିକୁ କିପରି ସେ କ୍ଷମା ଦେବେ ?

 

ଭାବନ୍ତି ଜୀବନରେ ସେ ତାଜମହଲ ସୃଷ୍ଟି କରି ପାରି ନାହାନ୍ତି କି ଯମୁନା ତାଙ୍କ ଡାକ ଶୁଣିନି । ମରଣକୁ ବରଣମାଳା ଦେଲା ବେଳକୁ ସେ ଦୂରକୁ ଘୁଞ୍ଚିଘୁଞ୍ଚି ଚାଲି ଯାଇଛି । ତେବେ ତାଙ୍କର ଜୀବନଟା କଣ ଖାଲି ହାହାକାର ମଧ୍ୟରେ କଟିଯିବ ?

 

କୀଟ ଦଳିତ ହୋଇ ପୂଜା ପାଏ ଫୁଲ ମାଧ୍ୟମରେ ଦେବତାଙ୍କ ଗଳାରେ । କିନ୍ତୁ ତାଙ୍କର ସେହି ଜୀବନ-କୁସୁମ ବଣର ମାଳାତୀପରି ଦିନେ ଅକାଳରେ ଝଡ଼ି ପଡ଼ିବ । ମନର ଦେବତାଙ୍କ ଗଳାରେ ତାହା ଲାଗିବନି କେଉଁ ଦିନ । ହଁ ସେ ସେହି ଚଳନ୍ତି ମେଘର ଛାଇ ପରି ଚାଲିଥିବେ ସାରା ସାରା ଜୀବନ ଏକା ଏକା ।

Image